Unknown

 

 

 

 

 

 

 

ଉଡ଼ନ୍ତା ଥାଳିଆ

ଏହାର ରହସ୍ୟ

ଅଧ୍ୟାପକ ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

 

 

 

 

 

 

 

F।ying Saucer and its mystery– It dea।s with the description of most interesting sightings of F।ying Saucers in various countries of the book to throw some ।ight on its mystery. Discussions with various evidences and photographs have been given on its possib।e nature.

•••

 

ତୃତୀୟ ସଂସ୍କରଣ ସମ୍ବନ୍ଧରେ ପଦେ

 

ଏହି ନୂତନ ସଂସ୍କରଣଟି ଆମୂଳଚୂଳ ଭାବରେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଛି । ୧୯୮୩ ମସିହା ପର୍ଯ୍ୟନ୍ତ ଉଡ଼ନ୍ତା ଥାଳିଆ ସଂପର୍କରେ ଯେଉଁ ସବୁ ନୂଆ ନୂଆ ତଥ୍ୟ ଓ ଘଟଣା ଆନ୍ତଜାର୍ତିକ କ୍ଷେନ୍ତ୍ରରେ ପ୍ରକାଶ ପାଇଛି, ସେଗୁଡ଼ିକୁ ଏହି ପୁସ୍ତକରେ ସନ୍ନିବେଶିତ କରାଯାଇଛି । ଏହାର ପ୍ରତ୍ୟେକ ଅଧ୍ୟାୟ ଆମୂଳଚୂଳ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହେବା ବ୍ୟତୀତ ବହୁ ନୂତନ ଅଧ୍ୟାୟ ନୂଆ ନୂଆ ବିଷୟ ସହିତ ଯୋଗ କରାଯାଇଛି । ପ୍ରଥମ ସଂସ୍କରଣରେ ସାତଗୋଟି ଅଧ୍ୟାୟ ଥିବା ସ୍ଥଳେ ଏହି ନୂତନ ସଂସ୍କରଣରେ ଚଉଦ ଗୋଟି ଅଧ୍ୟାୟ ଦିଆଯାଇଛି । ଏତଦ୍ ବ୍ୟତୀତ ଉଡ଼ନ୍ତା ଥାଳିଆ ନେଇ ଆହୁରି ଅଧିକ ନୂଆ ନୂଆ ଫଟୋ ଏହି ସଂସ୍କରଣରେ ଦିଆ ଯାଇଛି । ସବୁ ବୃଷ୍ଟିରୁ ଦେଖିଲେ ଏହି ସଂସ୍କରଣ ଅପେକ୍ଷା ଅଧିକ ଉପାଦେୟ ଓ ଶିକ୍ଷଣୀୟ ହୋଇଛି । ପୁସ୍ତକଟି ପାଠକପାଠିକା-ମାନଙ୍କ ମନକୁ ଅଧିକ ପାଇବ ବୋଲି ଆଶା ।

 

ଦୋଳମୁଣ୍ଡାଇ

ବିନୀତ

ଲେଖକ

କଟକ

ତା ୧୭-୧୧-୮୬

•••

 

ସୂଚୀପତ୍ର

 

୧.

ରହସ୍ୟପୂର୍ଣ୍ଣ ଉଡ଼ନ୍ତା ଥାଳିଆ

୨.

ଅତୀତ ଯୁଗରେ ଉଡ଼ନ୍ତା ଥାଳିଆ

୩.

ଆମେରିକାରେ ଉଡ଼ନ୍ତା ଥାଳିଆ ଦେଖିଥିବା ବିଭିନ୍ନ ପ୍ରତ୍ୟେଷଦର୍ଶୀଙ୍କ ବିବରଣୀ

୪.

ଉଡ଼ନ୍ତା ଥାଳିଆରୁ ସଂଗୃହିତ ବିଭିନ୍ନ ଅଂଶର ପରୀକ୍ଷା

୫.

ଉଡ଼ନ୍ତା ଥାଳିଆର ଧ୍ୱଂସକାରୀ ଶକ୍ତି

୭.

ଉଡ଼ନ୍ତାଥାଳିଆ ଏକ ଉଡ଼ାଜାହାଜକୁ ଧ୍ୱଂସ ମୁଖରୁ ରକ୍ଷା କରିପାରିଲା

୮.

ପୃଥିବୀର ବିଭିନ୍ନ ଦେଶରେ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ

୯.

ଉଡ଼ନ୍ତା ଥାଳିଆ ପ୍ରକୃତରେ କ’ଣ; ଏହା କ’ଣ ଅନ୍ୟ ଗ୍ରହର ଯାନ ?

୧୦.

ଉଡ଼ନ୍ତା ଥାଳିଆ କ’ଣ ପୃଥିବୀର କୌଣସି ଦେଶର ଗୁପ୍ତ ଗବେଷଣା ?

୧୧.

ଉଡ଼ନ୍ତା ଥାଳିଆ କ’ଣ ଏକ ଆଲୋକୀୟ ଦୃଷ୍ଟିଭ୍ରମ ?

୧୨.

ଉଡ଼ନ୍ତା ଥାଳିଆର ରହସ୍ୟ ଉଦ୍‍ଘାଟନ ପାଇଁ ବିଭିନ୍ନ ସଂସ୍ଥା

୧୩.

ବହୁ ଉଡ଼ନ୍ତା ଥାଳିଆ ଖବର କ’ଣ ଡାହା ମିଛ ହୋଇ ପାରେ ?

୧୪.

ଉପସଂହାର

•••

 

Image

ଯୁକ୍ତରାଷ୍ଟ୍ର ସରକାରଙ୍କ ସେନାବିଭାଗ ଏଭରୋ ନାମକ ଏକ ଆକାଶଯାନ ତିଆରି କରିଥିଲେ । ଏହି ଆକାଶଯାନ ଆକାଶରେ ଉଡ଼ିଲେ ଉଡ଼ନ୍ତାଥାଳିଆ ଭଳି ଭ୍ରମ ସୃଷ୍ଟି କରିଥାଏ ।

Image

ଉଡ଼ନ୍ତା ଥଳିଆର ଏକ କଳ୍ପନାତ୍ମକ ରୂପ

Image

ଇଟାଲୀ ରାଜ୍ୟରେ ଆକାଶରେ ଦେଖା ଦେଇଥିବା ଏକ ଉଡ଼ନ୍ତାଥାଳିଆର ଚିତ୍ର ।ଏହା ଆକାଶରେ ଝୁଲିଲା ଭଳି ଦିଶୁଛି ।

Image

୧୯୬୫ ମସିହା ଅଗଷ୍ଟମାସ ତା ୩ ରିଖରେ କାଲିଫର୍ଣ୍ଣିଆ ରାଜ୍ୟର ସାଣ୍ଟାଆନା ଠାରେ ଏହି ଉଡ଼ନ୍ତା ଥାଳିଆ ଏହିଭଳି ଭାବରେ ଦେଖା ଦେଇଥିଲା ।

Image

 

Image

୧୯୬୫ ମସିହା ଜୁନ ମାସରେ ଆମେରିକାର ମିଚିଗାନ ରାଜ୍ୟର ହିଲସାଇଡ଼ ସହରରେ ଦେଖାଦେଇଥିବା ଏକ ଉଡ଼ନ୍ତାଥାଳିଆ ।

•••

 

ପ୍ରଥମ ଅଧ୍ୟାୟ

ରହସ୍ୟପୂର୍ଣ୍ଣ ଉଡ଼ନ୍ତା ଥାଳିଆ

 

ଆଜକୁ ପ୍ରାୟ ତିରିଶ ପଇଁତିରିଶ ବର୍ଷ ତଳର କଥା । ୧୯୫୨-୫୩ ମସିହା ବେଳେ ସାରା ପୃଥିବୀର ବିଭିନ୍ନ ଦେଶର ଖବର କାଗଜ ଅତି ରହସ୍ୟ ପୂର୍ଣ୍ଣ “ଉଡ଼ନ୍ତା ଥାଳିଆ” ର ସମ୍ବାଦ ପରିବେଷଣ ଘେନି ଖୁବ୍‍ସରଗରମ ହୋଇ ଉଠିଥାଏ ।ଦିନକୁ ଦିନ ଖବରକାଗଜରେ ପ୍ରକାଶିତ ଏହି ସଂକ୍ରାନ୍ତ ସମ୍ବାଦ ଏତେ ରହସ୍ୟପୂର୍ଣ୍ଣ ହୋଇ ଉଠୁଥିଲା ଯେ ବୈଜ୍ଞାନିକ ଉପନ୍ୟାସର ରହସ୍ୟ ତା ଆଗରେ ମଉଳିଗଲା ଭଳି ମନେ ହେଉଥିଲା । ସେହି ସମୟରେ ଆମ ଦେଶର ବିଶେଷ କରି ଆମ ଓଡ଼ିଶାର ଖବର କାଗଜ ଯେ ସେ ସଂକ୍ରାନ୍ତୀୟ ଖବର ପରିବେଷଣରୁ କ୍ଷାନ୍ତ ଥିଲା ତା ନୁହେଁ । ଏହି ସମୟରେ ହଠାତ୍‍, ଦିନେ ଆମ ଓଡ଼ିଶାର ଏକ ବିଶିଷ୍ଟ ଖବର କାଗଜରେ ଗୋଟିଏ ଖବର ବାହାରିଲା ଯେ ଇଉରୋପର ଫ୍ରାନ୍‍ସ ଉପକୂଳର ଲୋକେ ଏକ “ଉଡ଼ନ୍ତା ଥାଳିଆ’’ ଓହ୍ଲାଇବାର ଦେଖିଥିଲେ । ‘‘ଉଡ଼ନ୍ତା ଥାଳିଆ’’ ସହ ଏଥି ଭିତରର ଯାନ୍ତ୍ରୀମାନେ ମଧ୍ୟ ସେହି ସମୁଦ୍ର କୂଳର ନିଛାଟିଆ ସ୍ଥାନରେ ଓହ୍ଲାଇ ପଡ଼ିଥିଲେ । ପାଖ ଆଖରେ କେତେକ ଲୋକ ସେହି ଯାତ୍ରୀମାନଙ୍କ ଭିତରେ ଜଣେ ସ୍ତ୍ରୀ ଲୋକ ଓ ସେହି ସ୍ତ୍ରୀ ଲୋକଟି ଅତ୍ୟଧିକ ରୂପବତୀ ଥିବାର ଦେଖିଥିଲେ । ଏହି ନବାଗତମାନେ ମଙ୍ଗଳ କିମ୍ବା ଶୁକ୍ର ଗ୍ରହର ଅଧିବାସୀ ବୋଲି ଲୋକେ ବିଶ୍ୱାସ କରିଥିଲେ । କିଛି ସମୟ ପରେ, ସେମାନେ ସେଠାରୁ ଅଚାନକଭାବେ ଅନ୍ତର୍ହିତ ହୋଇ ଯାଇଥିଲେ । କେହି ଜାଣି ପାରିଲେନି ସେମାନେ କୁଆଡ଼େ ଗଲେ ଓ ସମସ୍ତଙ୍କ ସମ୍ମୁଖରେ କିପରି ଉଭେଇଗଲେ । ଲୋକମାନେ ଏହି ଘଟଣା କଥା ଜନୈକ ଫରାସୀ ସମ୍ବାଦଦାତାଙ୍କୁ କହନ୍ତେ ସାରା ଫ୍ରାନ୍‍ସରେ ଏହି ଘଟଣା ନେଇ ଚହଳ ପଡ଼ିଯାଇଥିଲା । ସେହି ଚହଳର ଶଦ୍ଦ ସୁଦୂର ଓଡ଼ିଶା ରାଜ୍ୟକୁ ମଧ୍ୟ ଶୁଣା ଯାଇଥିଲା ଏହି ସମ୍ବାଦପତ୍ର ଜରିଆରେ ।

 

ଏହଁ ଖବରଟି କେବଳ ଓଡ଼ିଶାରେ ନୁହେଁ, ସାରା ପୃଥିବୀର ବହୁ ଦେଶର ଖବର କାଗଜରେ ବାହାରି ପଡ଼ିଥିଲା । ଲୋକେ ଏହି ଖବର ପଢ଼ି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଉତ୍କଣ୍ଠାର ସହିତ ଅନାଇ ବସିଥିଲେ । ମଙ୍ଗଳ ଗ୍ରହର ସେହି ନବାଗତମାନେ କୁଆଡ଼େ ଗଲେ, କେଉଁଠି ରହିଲେ, ସେହିଁ ପ୍ରଶ୍ନର ଉତ୍ତର ଆଉ ମିଳିଲାନି । ଖାଲି ଏହି ଖବର ନୁହେଁ, ଦିନକୁ ଦିନ ଏହିଭଳି ବହୁ ରହସ୍ୟପୂର୍ଣ୍ଣ ଖବର ତତ୍‍କାଳୀନ ଖବର କାଗଜଗୁଡ଼ିକର ପୃଷ୍ଠା ମଣ୍ଡିତ କରିଥିଲା, ଫଳରେ ସେମାନଙ୍କ କାଟ୍‍ତି ଓ ଲୋକପ୍ରିୟତା ଅନେକ ଗୁଣରେ ବଢ଼ି ଯାଇଥିଲା । ଅବସ୍ଥା ଏମିତି ହୋଇଥିଲା ଯେ ସେତେବେଳର ଖବରକାଗଜରେ ପ୍ରତିଦିନ ଏହି “ଉଡ଼ନ୍ତା ଥାଳିଆ” ସମ୍ବନ୍ଧରେ କିଛି ନା କିଛି ଖବର ନ ବାହାରିଲେ ନ ହୁଏ । ଯଦି କୌଣସି କାଗଜ ସେ ସମ୍ବନ୍ଧରେ କିଛି ଖବର ଦେଉ ନ ଥିଲା, ତେବେ ସେ କାଗଜର କାଟ୍‍ତି ଆଶାତୀତ ଭାବେ କମିଯାଉଥିଲା । ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଖବରର ସଂଖ୍ୟା ସବୁଠାରୁ ବେଶି ଦେଖାଯାଏ ଯୁକ୍ତରାଷ୍ଟ୍ର ଆମେରିକାରେ । ଯୁକ୍ତରାଷ୍ଟ୍ର ଛଡ଼ା କାନାଡ଼ା, ମେକ୍‍ସିକୋ, ଦକ୍ଷିଣ ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ, ଭାରତ, ଦୂର ପ୍ରାଚ୍ୟ, ଅଷ୍ଟ୍ରେଲିଆ,ଆଫ୍ରିକା, ଗ୍ରୀନ୍‍ଲାଣ୍ଡ, ହାଉଆଇ ଦ୍ୱୀପ ପୁଞ୍ଜ, ଏପରି କି ଉତ୍ତର ଓ ଦକ୍ଷିଣ ମେରୁ ଅଞ୍ଚଳରେ ଉଡ଼ନ୍ତା ଥାଳିଆ ଦେଖା ଯାଇଥିବାର ବହୁ ଖବର ସେତେବେଳର ଖବରକାଗଜକୁ ଅତ୍ୟଧିକ ଲୋକପ୍ରିୟ କରି ରଖିଥିଲା । ଉଡ଼ନ୍ତା ଥାଳିଆ ପ୍ରକୃତରେ କ’ଣ ଏହାପଛରେ କି ରହସ୍ୟ ଅଛି, ସେ ସମ୍ବନ୍ଧରେ ବହୁ ପୁସ୍ତକ ମଧ୍ୟ ନାନା ତଥ୍ୟ ପ୍ରକାଶ କରିଥିଲେ । ବହୁ ମାଗାଜିନ୍ ବାହାରୁଥିଲା, ଯେଉଁମାନଙ୍କର କାମ କେବଳ ଉଡ଼ନ୍ତା ଥାଳିଆ ସମ୍ବନ୍ଧରେ ଖବର ପରିବେଷଣ କରିବା ।

 

ଆଜିକାଲି ‘ଉଡ଼ନ୍ତା ଥାଳିଆ’ ସମ୍ବନ୍ଧରେ ବେଶି କିଛି ଖବର ଆମ ଦେଶରେ ପ୍ରକାଶ ପାଉ ନ ଥିଲେହେଁ ବେଳେବେଳେ ଗୋଟିଏ ଗୋଟିଏ ଖବରରେ ସାରା ପୃଥିବୀରେ ଚାଞ୍ଚଲ୍ୟ ଖେଳିଯାଏ-। ଗତ ୧୯୬୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ୍‍ସିଟର ସହରଠାରେ ଉଡ଼ନ୍ତା ଥାଳିଆ ନେଇ ଯେଉଁ ଚାଞ୍ଚଲ୍ୟକର ଘଟଣା କଥା ପ୍ରକାଶ ପାଇଥିଲା, ତାହା ଏବେ ବି ଉଡ଼ନ୍ତା ଥାଳିଆ ରହସ୍ୟକୁ ସରଗରମ କରି ରଖିଛି । ପଚିଶ ତିରିଶ ବର୍ଷ ତଳେ ଆସାମର ପାହାଡ଼ିଆ ଅଞ୍ଚଳରେ ଲୋକେ ଉଡ଼ନ୍ତା ଥାଳିଆ ଦେଖିଥିବାର ଖବର ଭାରତୀୟ ଖବରକାଗଜକୁ ବେଶ ସରଗରମ କରି ରଖିଥିଲା ।

 

ଯେତେବେଳେ ଏହି ଖବର ଅତି ସରଗରମ ଭାବରେ ବାହାରୁଥିଲା, ସେତେବେଳେ କେଉଁଦିନ ବାହାରୁଥିଲା, ଉଡ଼ନ୍ତା ଥାଳିଆ ଆମେରିକା ଉପରେ ଉଡ଼ିଲାଣି ତ, ଆଉ କେଉଁଦିନ ଏହା ଫ୍ରାନ୍‍ସ ବା ଇଟାଲୀ ଉପକୂଳରେ ଓହ୍ଲାଇଲାଣି । ପୁଣି ଦୁଇଦିନ ପରେ ବାହାରୁଥିଲା, ଏହା ପଞ୍ଜାବ ଆକାଶରେ ଦେଖା ଦେଲାଣି । ତା ସପ୍ତାହକ ପରେ କେତେକ ଏହାକୁ ବୋମ୍ବେ ଆକାଶରେ ଲକ୍ଷ୍ୟ କଲେଣି । ଏହି ଉଡ଼ନ୍ତା ଥାଳିଆ ଖବର ଯେତିକି ରହସ୍ୟପୂର୍ଣ୍ଣ, ଉଡ଼ନ୍ତା ଥାଳିଆ ପ୍ରକୃତରେ କ’ଣ, ସେ ସମ୍ବନ୍ଧରେ ଆଲୋକପାତ କରିବା ତା’ଠାରୁ ଆହୁରି ରହସ୍ୟଜନକ । ବିଭିନ୍ନ ବୈଜ୍ଞାନିକ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଉଡ଼ନ୍ତା ଥାଳିଆ ପ୍ରକୃତରେ କ’ଣ ହୋଇପାରେ ସେ ସମ୍ବନ୍ଧରେ ନାନା ପ୍ରକାର ମତ ବ୍ୟକ୍ତ କରୁଥିଲେ ହେଁ ଉଡ଼ନ୍ତା ଥାଳିଆର ପ୍ରକୃତ ରହସ୍ୟ ଏବେ ବି ଅନୁଦ୍‍ଘାଟିତ ହୋଇ ରହିଯାଇଛି । ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ନାନା ଘଟଣା ଓ ଖବର ଏବେ ବି ରହସ୍ୟାବୃତ । ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଖବର ବେଶି କାହିଁକି ଆମେରିକାରେ ଶୁଣାଯାଏ, ତହିଁର ସନ୍ତୋଷଜନକ ଉତ୍ତର ଏ ପର୍ଯ୍ୟନ୍ତ ମିଳିନାହିଁ ।

 

ଯେଉଁମାନେ ଉଡ଼ନ୍ତା ଥାଳିଆକୁ ଆକାଶରେ ଉଡ଼ିଥିବାର ଦେଖିଛନ୍ତି, ସେମାନେ କହନ୍ତି ଯେ ଏହା ଦେଖିବାକୁ ଚେପ୍‍ଟା, ଆକାରରେ ଗୋଟିଏ ଥାଳିଆ ଭଳି । ଏହା ଆକାଶରେ ଅତି ଉଚ୍ଚରେ ଖୁବ୍‍ ବେଗରେ ଯାଏ । ଏହା ଏତେ ବେଗରେ ଗତିକରେ ଯେ ଏହାକୁ ପରିଷ୍କାର ଭାବରେ ଦେଖିବା ବେଳେ ବେଳେ ସମ୍ଭବପର ହୁଏନି । ଏତେ ଅଳ୍ପ ସମୟ ଭିତରେ ଯେତିକି ଦେଖି ହୁଏ, ସେଥିରୁ ଜଣାଯାଏ ଯେ ଏହା ଚେପ୍‍ଟା, ଥାଳିଆ ଆକାରର । ଏହାର ଚାରିପାଖ ଏକ ନୀଳ ଆଲୋକରେ ଆଲୋକିତ । ବଡ଼ ବିଚିତ୍ର । ଏହା ଗତି କରୁଥିଲାବେଳେ ଏଥିରୁ କୌଣସି ଶଦ୍ଦ, ଧୂଆଁ ବା ଗ୍ୟାସ ବାହାରେ ନାହିଁ । ପୃଥିବୀ ପୃଷ୍ଠକୁ ଏହା ମୋଟେ ଛ ଇଞ୍ଚଠାରୁ ଏକ ଫୁଟ ଭିତରେ ବଡ଼ ଦିଶେ । ଏହାର ଗତି ଘଣ୍ଟାକୁ ହାରାହାରି ୧୦୦୦ ମାଇଲରୁ ଅଧିକ ।

 

କେତେକଙ୍କ ମତରେ ଉଡ଼ନ୍ତା ଥାଳିଆ ଅନ୍ୟ କୌଣସି ଗ୍ରହରୁ ଆସୁଥିବା ମଣିଷ ବା ମଣିଷ ଭଳି କୌଣସି ଜୀବର ଯାନ । ସେମାନେ ସେମାନଙ୍କ ଗ୍ରହତ୍ୟାଗକରି ପୃଥିବୀରେ ବସବାସ କରିବା ଉଦ୍ଦେଶ୍ୟରେ ଆସୁଛନ୍ତି । ଏଗୁଡ଼ିକ ଆମେରିକାର ଆକେଶରେ ଏତେ ଦେଖାଯାନ୍ତି କାହିଁକି, ତହିଁର ଉତ୍ତର ଦେବାକୁ ଯାଇ କେତେକ କହନ୍ତି ଯେ ଆମେରିକା ଅତି ଧନୀ ଦେଶ ହୋଇଥିବାରୁ ଓ ସେଠାରେ ଜୀବନର ଆବଶ୍ୟକୀୟ ଯାବତୀୟ ଜିନିଷ ଭରପୂର ହୋଇ ରହିଥିବାରୁ, ସେମାନଙ୍କର ଲୋଭ ଆମେରିକା ଉପରେ ଅପେକ୍ଷାକୃତ ବେଶୀ ଓ ସେମାନେ ଆମେରିକାରେ ବସବାସ କରିବାକୁ ଅଧିକ ଇଚ୍ଛୁକ । ଆଉ କେତେକେ କହନ୍ତି, ପୃଥିବୀର ଲୋକେ ନାନ ପ୍ରକାର ଆଣବିକ ଅସ୍ତ୍ରରେ ଗବେଷଣା ତଥା ପରୀକ୍ଷା କରୁଥିବା ଦେଖି ଓ ପୃଥିବୀର-ଲୋକେ ନାନା ପ୍ରକାର ରକେଟ ଓ କୃତ୍ରିମ ଉପଗ୍ରହ ସୃଷ୍ଟି କରିବା ଦେଖି ଅନ୍ୟ ଗ୍ରହର ଅଧିବାସୀମାନେ ଅତ୍ୟନ୍ତ ଭୀତତ୍ରସ୍ତ ହୋଇ ପଡ଼ିଛନ୍ତି । ସେମାନଙ୍କର ଭୟ ପୃଥିବୀ ହୁଏତ ଦିନେ ସେମାନଙ୍କ ଗ୍ରହକୁ ଆକ୍ରମଣ କରିପାରେ । ପୃଥିବୀ ଏହିସବୁ ଅସ୍ତ୍ରଶସ୍ତ୍ରରେ କେତେଦୂର ଶକ୍ତିଶାଳୀ ହେଉଛି, ଗୋପନୀୟ ଭାବରେ ଜାଣିବା ପାଇଁ ସେମାନେ ବାରମ୍ବାର ପୃଥିବୀ ଭ୍ରମଣରେ ଆସୁଛନ୍ତି । ସେମାନେ ଆମେରିକା ଆକାଶରେ ଏତେ ଦେଖା ଯାଉଛନ୍ତି କାହିଁକି, ତହିଁର ଉତ୍ତରରେ ସେମାନେ କହନ୍ତି ଆମେରିକାରେ ଆଣବିକ ଅସ୍ତ୍ରର ତିଆରି ଓ ପରୀକ୍ଷା ପୃଥିବୀର ଅନ୍ୟ ଦେଶ ତୁଳନାରେ ଅଧିକ ଏବଂ ରକେଟ ଓ କୃତ୍ରିମ ଉପଗ୍ରହ ସୃଷ୍ଟି କରିବାରେ ଆମେରିକା ବେଶ୍ ଆଗେଇଛି ବୋଲି ସେମାନଙ୍କ ଧାରଣା । ତେଣୁ ସେମାନେ ଆମେରିକା ସଂପର୍କରେ ଅଧିକ ଜାଣିବା ପାଇଁ ଆମେରିକା ଆକାଶକୁ ଥରକୁ ଥର ଆସୁଛନ୍ତି । ଏହି ଉଡ଼ନ୍ତା ଥାଳିଆଗୁଡ଼ିକ ପ୍ରଧାନତଃ ଜନମାନବଶୂନ୍ୟ ମରୁଭୂମି ଅଞ୍ଚଳରେ ଅଥବା ସ୍ୱଳ୍ପ ଲୋକ ବସତି ଥିବା ଅଞ୍ଚଳରେ ବେଶି ଦେଖାଯିବାର କାରଣ ହେଲା, ସେମାନେ ଗୁପ୍ତଚର କାମରେ ବ୍ୟାପୃତ ଥିବାରୁ ଲୋକ ଗହଳିଠାରୁ ଦୂରରେ ରହିବାକୁ ଚାହୁଁଥିବା ସ୍ୱାଭାବିକ । ସେଥିପାଇଁ ଉଡ଼ନ୍ତା ଥାଳିଆ ଆମେରିକାର ଲୋକ ଗହଳି ଅଞ୍ଚଳରେ ସେତେ ଦେଖା ନ ଯାଇ ଲୋକ ବିରଳ ଅଂଶରେ ଅଧିକ ଦେଖାଯାଏ ।

 

ଫ୍ରାନ୍‍ସ ଉପକୂଳରେ ଯେଉଁ ଉଡ଼ନ୍ତା ଥାଳିଆ ଓହ୍ଲାଇ ଥିଲା, ସେଥିରେ ମଣିଷ ଥିବାର ଓ ମଣିଷଙ୍କ ସହିତ ଦୁଇ ଜଣ ଫରସୀ ଲୋକ ଫରାସୀ ଭାଷାରେ କଥାବାର୍ତ୍ତା କରିଥିବାର ଗୁଜବ୍ ପ୍ରକାଶ ପାଇଥିଲା । ଶ୍ୟାମ ଦେଶ ଉପରେ ଯେଉଁ ଉଡ଼ନ୍ତା ଥାଳିଆ ଦେଖା ଦେଇଥିଲା, ସେଥିରେ ମଣିଷ ଥିବାର କେତେକେ ଦେଖିଛନ୍ତି । କେତେକେ କହନ୍ତି ଉଡ଼ନ୍ତା ଥାଳିଆରେ ଥିବା ଲୋକେ ପୃଥିବୀର ବିଭିନ୍ନ ସ୍ଥାନର ଫଟୋ ନେବାରେ ବ୍ୟସ୍ତ । କେତେକ ଦେଶ ପ୍ରତି ସେମାନଙ୍କ ଅଧିକ ଆଗ୍ରହ ଓ ଅନୁରକ୍ତି ଥିଲା ଭଳି ଜଣା ପଡ଼େ । ଉଡ଼ନ୍ତା ଥାଳିଆ ସମ୍ପର୍କରେ ଏହିଭଳି ବହୁ ଗୁଜବ ପୃଥିବୀର ବହୁ ସ୍ଥାନରେ ପ୍ରକାଶ ପାଇଥିଲା । ଆମେ ବର୍ତ୍ତମାନ ଆଲୋଚନା କରିବା ଏହିସବୁ ଗୁଜବ କେତେଦୂର ସତ୍ୟ ଓ ସେଗୁଡ଼ିକ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁମାନ ସେ ସମ୍ପର୍କରେ କ’ଣ ହୋଇପାରେ।

 

ଉଡ଼ନ୍ତା ଥାଳିଆ ଯେ ସର୍ବଦା ଥାଳିଆ ଆକାରରେ ତା ନୁହେଁ । ଏହା ବେଳେବେଳେ ସିଗାରେଟ୍ ଆକାରର, କେତେବେଳେ ସ୍ତମ୍ଭାକାର ବା ଡିମ୍ବାକାର, କେତେବେଳେ ଏହା ଲେମ୍ବୁ ଆକାରର, କେତେବେଳେ ଏହା ଘନବୃତ୍ତାକାର ଆଲୋକ ପେଣ୍ଡୁ ଭଳି ଦେଖାଯାଇଥାଏ । ଏହା ବେଳେ ବେଳେ ଆମେରିକାର ପ୍ରସିଦ୍ଧ ବଳୟାକାର ମିଠାଇ ଡୋନଟ୍ (Dough nut) ଆକାରର ମଧ୍ୟ ଦେଖାଯାଇଥାଏ । ତାଛଡ଼ା କେତେକ ଉଡ଼ନ୍ତା ଥାଳିଆ ନିଜ ନିଜ ଆକାର ଓ ରୂପ ଥରକୁ ଥର ବଦଳାଇଲା ଭଳି ଦିଶେ । ବେଳେ ବେଳେ ପ୍ରକାଣ୍ଡ ପ୍ରକାଣ୍ଡ ମହାଶୂନ୍ୟ ଯାନ ସହିତ ଉଡ଼ନ୍ତା ଥାଳିଆ ଉଡ଼ୁଥିବାର ଦେଖାଯାଏ । ମହାଶୂନ୍ୟ ଯାନ ଭିତରୁ ଉଡ଼ନ୍ତା ଥାଳିଆ ବାହାରି ଆସିବାର କେହି କେହି ଦେଖିଥିବାର ଏକାଧିକ ଖବର ପ୍ରକାଶ ପାଇଛି । ଉଡ଼ନ୍ତା ଥାଳିଆର ରହସ୍ୟ ନେଇ ପୃଥିବୀ ଜନସାଧାରଣଙ୍କ କୌତୁହଳକୁ ଯଦି କେହି ଜାଗ୍ରତ କରିଥାଏ, ତେବେ ତାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା । ଏବେ ବି ପୃଥିବୀ ଜନସାଧାରଣଙ୍କ କୌତୁହଳକୁ ସେହି ଦେଶ ବେଶ ଦକ୍ଷତାର ସହିତ ବଞ୍ଚାଇ ରଖିଛି । ପୃଥିବୀର ବହୁଦେଶରେ ଉଡ଼ନ୍ତା ଥାଳିଆ ନେଇ ଚହଳ କମି ଯାଇଥିଲେ ହେଁ ଆମେରିକାରେ ତାହା ବିଶେଷ ଭାବରେ କମିନାହିଁ ବୋଲି ଅନୁମାନ ।

•••

 

ଦ୍ୱିତୀୟ ଅଧ୍ୟାୟ

ଅତୀତ ଯୁଗରେ ଉଡ଼ନ୍ତା ଥାଳିଆ

 

ଆମ୍ଭମାନଙ୍କର ଧାରଣା ଯେ ଉଡ଼ନ୍ତା ଥାଳିଆ ସମ୍ବନ୍ଧୀୟ ଚହଳ କେବଳ ଆଧୁନିକ ଯୁଗର ବିଶେଷତ୍ୱ । କିନ୍ତୁ ବହୁଦେଶର ପୁରାତନ ସାହିତ୍ୟକୁ ପର୍ଯ୍ୟାଲୋଚନା କଲେ ଏହି ଉକ୍ତଟି ଅସତ୍ୟ ବୋଲି ପ୍ରତୀୟମାନ ହୁଏ । ଆଧୁନିକ ଯୁଗରେ ଉଡ଼ନ୍ତା ଥାଳିଆ ନେଇ ଯେଉଁ ଚହଳ ଦେଖାଯାଏ, ସେହିଭଳି ଚହଳ ବହୁ ପୁରାତନ ଯୁଗରେ ମଧ୍ୟ ଦେଖା ଦେଇଥିବାର ଅଶେଷ ପ୍ରମାଣ ରହିଛି । ଏପରି କି ଖ୍ରୀଷ୍ଟିୟାନମାନଙ୍କର ଧର୍ମଗ୍ରନ୍ଥ ବାଇବେଲରେ ଉଡ଼ନ୍ତା ଥାଳିଆ ନେଇ କେତେକ ବିଷୟ ଉଲ୍ଲେଖଥିବାର ଦେଖାଯାଏ । ଦେଖିବାକୁ ମଣିଷ ଭଳି କେତେକ ପ୍ରାଣୀ ଉଡ଼ନ୍ତା ଥାଳିଆ ଭଳି ଆକାଶଯାନକୁ ଚଳାଇବାର ଉଲ୍ଲେଖ ବାଇବେଲ୍‍ରେ ଅଛି । ସେହିସବୁ ମଣିଷ ପୃଥିବୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବାର ଓ ପୃଥିବୀର ଅଧିବାସୀ ମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଥିବାର ପ୍ରମାଣ ଓଲଡ଼ ଟେଷ୍ଟାମେଣ୍ଟ (O।d Testament ) ରେ ଦେଖିବାକୁ ମିଳେ । ଏ ସମ୍ବନ୍ଧରେ ବିଶେଷ ଆଲୋଚନା ମରିସ୍ ଜେସପଙ୍କ ଲିଖିତ “ଉଡ଼ନ୍ତା ଥାଳିଆ ଓ ବାଇବେଲ୍” (The U.F.O. and the Bib।e) ପୁସ୍ତକରେ ଦେଖିବାକୁ ମିଳେ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ବହୁ ଲୋକ ଏଭଳି ଆଲୋକ ଓ ଯାନ ଆକାଶରେ ଗତି କରିବାର ଦେଖିଛନ୍ତି ।

 

ବାଇବେଲ୍‍ରେ ଆହୁରି ବର୍ଣ୍ଣିତ ଅଛି ଯେ ମହାକାଶରୁ ଉଡ଼ନ୍ତା ଯାନରେ ଆସିଥିବା ମଣିଷମାନେ ପୃଥିବୀର ମହିଳାମାନଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ ଓ ସେମାନଙ୍କ ଔରସରୁ ଯେଉଁ ସନ୍ତାନ ଜନ୍ମ ନେଇଥିଲେ, ସେମାନେ ଏହି ପୃଥିବୀର ବସବାସ କରିଥିଲେ । ବାଇବେଲ୍‍ର ଆଉ ଏକ ସ୍ଥାନରେ ବର୍ଣ୍ଣତ ଅଛି ଯେ ଦୁଇଟି ପରୀ ଉଡ଼ନ୍ତା ଯାନରେ ଆସି ମରୁଭୂମି ଅଞ୍ଚଳରେ ଜନୈକ ପୃଥିବୀ ଅଧିବାସୀ ଲଟ୍‍ଙ୍କ ସହିତ ସାକ୍ଷାତ କରିଥିଲେ ଓ ଲଟ୍‍ଙ୍କ ଅନୁରୋଧକ୍ରମେ ଯୁବତୀଦ୍ୱୟ ତାଙ୍କ ସହିତ ଯାଇ ତାଙ୍କ ଘରେ ଅତିଥି ହୋଇଥିଲେ ଓ ଏକ ଭୋଜିରେ ଯୋଗଦେଇଥିଲେ ।

 

ଗ୍ରୀକ୍ ବୀର ଆଲେକ୍‍ଜାଣ୍ଡର ମଧ୍ୟ ବହୁଥର ଏଭଳି ଉଜ୍ଜ୍ୱଳ ଆଲୋକ ଆଖିରେ ଦେଖିଥିବାର ପ୍ରମାଣ ଇତିହାସରୁ ମିଳେ । ସେ ଥରେ ଦେଖିଥିବା ଆଲୋକ ପଶ୍ଚିମାକାଶରେ ଦେଖା ଦେଇ ପୂର୍ବ ଆକାଶକୁ ଗତି କରୁଥିଲା । ତାଙ୍କ ଦରବାରର ରାଜଜ୍ୟୋତିଷୀଙ୍କୁ ସେ ଏହା କଣ ବୋଲି ପଚାରିଥିଲେ; କିନ୍ତୁ ସେ କିଛି କହିପାରି ନଥିଲେ ।

 

ଉଡ଼ନ୍ତା ଥାଳିଆ ସମ୍ବନ୍ଧୀୟ ବହୁ କିମ୍ବଦନ୍ତୀ ଭାରତୀୟମାନଙ୍କ ପୁରାତନ ସାହିତ୍ୟରେ ମଧ୍ୟ ଦେଖିବାକୁ ମିଳେ । ବହୁ ହଜାର ବର୍ଷ ତଳେ ଏକ ଧାତୁ ନିର୍ମିତ ଉଡ଼ନ୍ତା ଯାନରେ ପୃଥିବୀ ବାହାରୁ କେତେଜଣ ଲୋକ ପୃଥିବୀକୁ ଆସିଥିଲେ । ଏହି ଯାନଟି ପୃଥିବୀରେ ଓହ୍ଲାଇବା ପୂର୍ବରୁ ବହୁଥର ପୃଥିବୀ ପରିକ୍ରମା କରିଥିଲା ।

 

୧୮୮୫ ମସିହାରେ ତୁର୍କୀ ଦେଶର ଆକାଶରେ କେତେକ ଅଦ୍ଭୁତ ପ୍ରକାର ଯାନ ଦେଖା ଦେଇଥିଲା । ୧୮୮୭ ମସିହାରେ ନଭାସ୍କୋସିଆ ଦେଶରେ ସେହିବଳି କେତେକ ଆକେଶ ଯାନ ସେମାନଙ୍କ ଆକାଶରେ ଦେଖାଦେଇ ସେ ଯୁଗରେ ଚହଳ ସୃଷ୍ଟି କରିଥିଲା ।

 

ଯୁକ୍ତରାଷ୍ଟ୍ରର କେତେକ ଲେଖାରୁ ପ୍ରମାଣ ମିଳେ ଯେ ୧୮୮୭ ମସିହା ଏପ୍ରିଲ ମାସରେ ଯୁକ୍ତରାଷ୍ଟ୍ରର ଆକାଶରେ ବହୁ ଅସ୍ୱାଭାବିକ ଦୃଶ୍ୟ ଦେଖାଦେଇଥିଲା । ଆଧୁନିକ ଯୁଗରେ ଯୁକ୍ତରାଷ୍ଟ୍ରରେ ଉଡ଼ନ୍ତା ଥାଳିଆ ନେଇ ଯେଉଁ ଚହଳ ଦେଖାଯାଏ, ସେତେବେଳେ ଏହି ଦୃଶ୍ୟଗୁଡ଼ିକୁ ଦେଖି ସେହିଭଳି ଚହଳ ସୃଷ୍ଟ ହୋଇଥିଲା ।

 

୧୮୮୩ ମସିହା ଅଗଷ୍ଟ ମାସରେ ମେକ୍‍ସିକୋ ରାଜ୍ୟର ଜାକାଟେକାସ୍‍ଠାରେ ଥିବା ପର୍ଯ୍ୟବେକ୍ଷଣାଗାରରେ ଅଧ୍ୟାପକ ବନିଲ ମହାକାଶକୁ ପର୍ଯ୍ୟବେକ୍ଷଣ କରୁ କରୁ ଦେଖିଲେ ଯେ କେତେଗୁଡ଼ିଏ ଅସ୍ୱଚ୍ଛ ଉଡ଼ନ୍ତା ଯାନ ସୌରମଣ୍ଡଳକୁ ଅତିକ୍ରମ କରୁଛନ୍ତି । ତାଙ୍କ ପାଖରେ ଥିବା କେମେରାରେ ସେ ଏଗୁଡ଼ିକର ଫଟୋ ନେଇଥିଲେ । ଏହି ଫଟୋଗୁଡ଼ିକ ଏବେ ସୁଦ୍ଧା ଗଚ୍ଛିତ ଅଛି-। ଏହି ଫଟୋରୁ ଜଣାଯାଏ ଯେ ୨୮୩ ଗୋଟି ଉଡ଼ନ୍ତା ଯାନ ଦୁଇ ଘଣ୍ଟା ସମୟ ମଧ୍ୟରେ ସୌରମଣ୍ଡଳକୁ ଅତିନ୍ତ୍ରମ କରିପାରିଥିଲେ ।

 

୧୮୯୭ ମସିହାରେ ଉଡ଼ନ୍ତା ଥାଳିଆ ନେଇ ଆମେରିକାରେ ଯେଉଁ ଚହଳ ପଡ଼ିଥିଲା, ତାହା ୧୮୮୭ ମସିହା ବା ଏବର ୧୯୪୭ ମସିହାର ଚହଳଠାରୁ କୌଣସି ଗୁଣରେ କମ୍ ନୁହେଁ । ୧୮୯୬ ମସିହା ନଭେମ୍ବର ମାସରେ କାଲିଫର୍ଣ୍ଣିଆ ରାଜ୍ୟର ଅକ୍‍ଲାଣ୍ଡ ସହରର ଆକାଶରେ ଏକ ଆଶ୍ଚର୍ଯ୍ୟଜନକ ଉଡ଼ନ୍ତା ଯାନ ଦେଖାଦେଇଥିଲା । ଏହାର ଆକାର ଏକ ସିଗାରେଟ୍‍ର ଆକାର ଭଳି-। ଏହାର ଡେଣା ଲାଗିଥିଲା ଓ ଏହାର ମୁଣ୍ଡରୁ ଖୁବ୍ ଉଜ୍ଜ୍ୱଳ ଆଲୋକ ରଶ୍ମି ବାହାରୁଥିଲା । ଓକ୍‍ଲାଣ୍ଡ ଟି ବିଉନ୍‍ ଖବର କାଗଜ ଏହି ଚାଞ୍ଚଲ୍ୟକର ସମ୍ବାଦକୁ ପ୍ରଚାର କରି ସାରା ଆମେରିକାରେ ଚହଳ ସୃଷ୍ଚି କରିଥିଲା । ଏହି ଖବର ପ୍ରକାଶ ପାଇବା ପରେ ଓକ୍‍ଲାଣ୍ଡ ସହର ନିକଟବର୍ତ୍ତୀ ସହରମାନଙ୍କର ଲୋକେ ଏହିଭଳି ଉଡ଼ନ୍ତା ଯାନ ଆକାଶରେ ଥରକୁ ଥର ଦେଖିଥିବା କଥା ପ୍ରକାଶ କରିଥିଲେ । ଏହି ଉଡ଼ନ୍ତାଯାନକୁ ପରେ କେତେକେ ଆକାଶପୋତ (Airship) ଓ କେତେକେ ନକ୍ଷନ୍ତ୍ର ବୋଲି କହିଥିଲେ ହେଁ ଏହାର ପ୍ରକୃତ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଉଦ୍‍ଘାଟିତ ହୋଇପାରିଲା ନାହିଁ ।

 

୧୮୮୨ମସିହାରେ ଇଂଲଣ୍ଡର ଗ୍ରିନ୍‍ଉଇଚ୍‍ଠାରେ ଯେଉଁ ଉଡ଼ନ୍ତା ଥାଳିଆ ଦୃଶ୍ୟ ଦେଖାଦେଇଥିଲା, ତାହା ଏ ପର୍ଯ୍ୟନ୍ତ ଦେଖାଦେଇଥିବା ସବୁ ଉଡ଼ନ୍ତା ଥାଳିଆ ଦୃଶ୍ୟଠାରୁ ଅଧିକ ସ୍ପଷ୍ଟ ଓ ପ୍ରହେଳିକାମୟ । ଏହା ୧୮୮୨ମସିହା ନଭେମ୍ବର ମାସ ତା୧୭ରିଖ ଦିନ ଘଟଣା । ଇଂଲଣ୍ଡର ସୁବିଖ୍ୟାତ ଗ୍ରୀନ୍‍ଉଇଚ୍‍ ପର୍ଯ୍ୟବେକ୍ଷଣାଗାରରେ ବୈଜ୍ଞାନିକ ମଣ୍ଡର, ରେଣ୍ଡ କେପ୍ରନ, ଆଦି ପୃଥିବୀ ବିଖ୍ୟାତ ଜ୍ୟୋତିଷୀମାନେ ଏହାକୁ ପର୍ଯ୍ୟବେକ୍ଷଣ କରିଥିଲେ । ଇଉରୋପର ନୋବେଲ ପୁରସ୍କାର ବିଜେତା ସୁବିଖ୍ୟାତ ବୈଜ୍ଞାନିକ ଜିମାନ୍‍ ମଧ୍ୟ ଏହାକୁ ଦେଖିଥିଲେ । ଏହାର ଆକାର ଏକ ସିଗାରେଟ୍‍ ଭଳି । ଏଥିରୁ ସବୁଜ ବର୍ଣ୍ଣର ଆଲୋକ ବାହାରୁ ଥିଲା । ପର୍ଯ୍ୟବେକ୍ଷକମାନଙ୍କର ବର୍ଣ୍ଣନା ଏଡ଼େ ହୃଦୟଗ୍ରାହୀ ହୋଇଥିଲା ଯେ ଏହି ଖବର ସେ ଯୁଗରେ ଅତ୍ୟଧିକ ଦୃଷ୍ଟି ଆକର୍ଷଣ କରିଥିଲା । ଏବେ ବି ସେହି ଦୃଶ୍ୟର ଯଥାଯଥ ବ୍ୟାଖ୍ୟା କରାଯାଇ ପାରିନି ।

 

ନେପୋଲିୟନ ଓ ହିଟଲର ମଧ୍ୟ ଏଭଳି ଉଡ଼ନ୍ତା ଯାନ ଓ ଆଲୋକ ଆକାଶରେ ଦେଖିଛନ୍ତି, କିନ୍ତୁ ଏହା କ’ଣ ଜାଣିପାରି ନାହାନ୍ତି । ଆମେରିକାର ପୂର୍ବତନ ପ୍ରେସିଡେଣ୍ଟ ଜିମି କାର୍ଟର ନିଜେ ଏହିଭଳି ଏକ ଉଡ଼ନ୍ତା ଥାଳିଆ ଦେଖିଥିବା କଥା ସ୍ୱୀକାର କରିଛନ୍ତି ।

•••

 

ତୃତୀୟ ଅଧ୍ୟାୟ

ଆମେରିକାରେ ଉଡ଼ନ୍ତା ଥାଳିଆ ଦେଖିଥିବା ବିଭିନ୍ନ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ

 

ଉଡ଼ନ୍ତା ଥାଳିଆ ସମ୍ପର୍କରେ ନାନା ଖବର ଯଦିଚ ୧୯୫୨-୫୩ ମସିହାରେ ଖୁବ୍‍ ପ୍ରଚାରିତ ହୋଇଥିଲା, ଏ ସମ୍ପର୍କୀୟ ସର୍ବପ୍ରଥମ ଖବର ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ସହ ପ୍ରକାଶ ପାଇଥିଲା ୧୯୪୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ । ୧୯୪୭ ମସିହା ପୂର୍ବରୁ ପୃଥିବୀରେ କେଉଁଠି ଉଡ଼ନ୍ତା ଥାଳିଆର ନାମ ଗନ୍ଧ ନଥିଲା କି କେହି ଏହାକୁ ଦେଖିବାର ସୌଭାଗ୍ୟ ଅର୍ଜ୍ଜନ କରି ନଥିଲେ । ଯଦିଚ ବହୁ ପୁରାକାଳରୁ ଆକାଶରେ ଏହିଭଳି ଅଚିହ୍ନା ଯାନ ଉଡ଼ୁଥିବାର ବିଭିନ୍ନ ପ୍ରମାଣ ଇତିହାସରେ ଅଛି ଓ ସେ ସମ୍ବନ୍ଧରେ ପୂର୍ବ ଅଧ୍ୟାୟରେ ଯଥେଷ୍ଟ ଆଲୋଚନା କରାଯାଇଛି, କିନ୍ତୁ ସେଗୁଡ଼ିକୁ ବୈଜ୍ଞାନିକ ରୀତିରେ ଆଧୁନିକ ଯୁଗଭଳି ଅନୁଧ୍ୟାନ କରାଯାଇଛି କି ନାହିଁ ସନ୍ଦେହ ।

 

୧୯୪୭ ମସିହା ଜୁନ୍ ୨୪ମାସ ତାରିଖ ଦିନ କେନେଥ୍ ଆର୍‍ନୋଲ୍‍ଡ଼ ନାମକ ଜନୈକ ମାର୍କିନ୍ ବ୍ୟବସାୟୀ ଆମେରିକାର ପଶ୍ଚିମ ଉପକୂଳରେ ଥିବା ୱାଶିଂଟନ୍ ଷ୍ଟେଟରେ ମାଉଣ୍ଟ୍ ରେନର୍‍ ନିକଟବର୍ତ୍ତୀ ଆକାଶରେ ନିଜେ ଉଡ଼ାଜାହାଜ ଚଳାଇ ଆସୁଥିଲେ । ସେ ଆସୁ ଆସୁ ଆକାଶରେ ହଠାତ୍ କେତେଗୁଡ଼ିଏ ଅଜଣା ପ୍ରକୃତିର ଉଡ଼ାଜାହାଜ ଉଡ଼ୁଥିବାର ଦେଖି ଚମକି ପଡ଼ିଲେ । ସେଗୁଡ଼ିକ ଉଡ଼ିଲାବେଳେ ଏମିତି ଭାବରେ ଉପର ତଳ ହୋଇ ଯାଉଥିଲେ ଯେ ତାହା ଆର୍‍ନୋଲ୍‍ଡ଼ଙ୍କୁ ଖୁବ୍‍ ଆଶ୍ଚର୍ଯ୍ୟ ବୋଧ ହେଉଥିଲା । ପର୍ବତର ଶିଖର ଦେଶର ପାଖାପାଖି ଆକାଶରେ ସେ ଗୁଡ଼ିକ ଉଡ଼ୁଥିଲେ । ଉଡ଼ିଲାବେଳେ ଏମିତି ଦିଶୁଥିଲେ, ସତେ ଯେମିତି ସେଗୁଡ଼ିକ ପରସ୍ପର ସହିତ ଛନ୍ଦାଛନ୍ଦି ହୋଇଛନ୍ତି । ଆର୍‍ନୋଲ୍‍ଡ଼ ସେଗୁଡ଼ିକୁ ଖୁବ୍ ଭଲଭାବରେ ତିନି ମିନିଟ୍‍ ପର୍ଯ୍ୟନ୍ତ ନିରୀକ୍ଷଣ କରିପାରିଥିଲେ । ଥାଳିଆ ପରି ଭାସମାନ ପଦାର୍ଥ ପରସ୍ପର ସହିତ ଛନ୍ଦାଛନ୍ଦି ହୋଇ ଆକାଶରେ ପ୍ରାୟ ପାଞ୍ଚ ମାଇଲ ପର୍ଯ୍ୟନ୍ତ ଲମ୍ବି ଯାଇଥାନ୍ତି, ପର୍ବତର ଏପଟ ସେପଟ ହୋଇ ଘଣ୍ଟାକୁ ୧୨୦୦୦ ମାଇଲରୁ ଉର୍ଦ୍ଧ୍ୱ ବେଗରେ ଗତି କରୁଥାନ୍ତି । ଭାସୁଥିବା ପଦାର୍ଥ-ଗୁଡ଼ିକ ଥାଳିଆ ଭଳି ଚେପ୍‍ଟା ଓ ସେଗୁଡ଼ିକ ଏତେ ଚକ୍ ଚକ୍ ଦିଶୁଥାନ୍ତି ଯେ ଦର୍ପଣ ଭଳି ସୌର ରଶ୍ମିକୁ ପ୍ରତିଫଳିତ କରୁଥାନ୍ତି । ସେ କହନ୍ତି ଯେ ଏଥି ପୂର୍ବରୁ ଏମିତି ଭାସମାନ ପଦାର୍ଥ ସେ କେବେ ଆକାଶରେ ଦେଖି ନଥିଲେ ।

 

ଆର୍‍ନୋଲ୍‍ଡ଼ ଯେତେବେଳେ ନିଜ ଅଭିପ୍ରେତ ୱାଶିଂଟନ୍ ଷ୍ଟେଟର ୟାକିମା ଉଡ଼ାଜାହାଜ ଘାଟିରେ ଓହ୍ଲାଇଲେ, ସେ ଆକାଶରେ ଯାହା ଦେଖିଥିଲେ, ସେସବୁ କହି ପକାଇଲେ-। ଏହି ଖବର ସାରା ଯୁକ୍ତରାଷ୍ଟ୍ରରେ ଏକ ଚାଞ୍ଚଲ୍ୟ ଖେଳାଇ ଦେଲା । ବହୁଲୋକ ନିଜ କାମଦାମ ଛାଡ଼ି ଦିନ ରାତି ଖାଲି ଆକାଶକୁ ଅନାଇ ରହିଲେ ଏହି ଉଡ଼ନ୍ତା ଥାଳିଆକୁ ଲକ୍ଷ୍ୟ କରିବା ପାଇଁ । ଆମେରିକାର ଯା’ ମୁହଁରେ ଶୁଣିବ ଖାଲି ଉଡ଼ନ୍ତା ଥାଳିଆ କଥା । ଚାହୁଁ ଚାହୁଁ ଯୁକ୍ତରାଷ୍ଟ୍ରର ପ୍ରାୟ ଚାଳିଶ ଗୋଟି ରାଜ୍ୟର ଲୋକେ କେଉଁଠି ନା କେଉଁଠି ଏହି ରହସ୍ୟମୟ ଥାଳିଆକୁ ଦେଖିଥିବାର ଖବର ପ୍ରକାଶ ପାଇଲା । ଆକାଶରେ ଏହି ଉଡ଼ନ୍ତା ଥାଳିଆ ଖୋଜିବା ଏମିତି ଏକ ରୋଗ ହୋଇଗଲା ଓ ଏହି ଖବର ଶୁଣିବାକୁ ଲୋକେ ଏମିତି ପାଗଳ ହୋଇ ଉଠିଲେ ଯେ ଜଣେ ଯଦି ଏହି ଉଡ଼ନ୍ତା ଥାଳିଆକୁ ଆକାଶରେ ଦେଖିଥିବାର କହିଲା, ତେବେ ତାହାର ନାମ ଓ ଫଟୋ ସହିତ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରି ଚାରିଆଡ଼େ ପ୍ରଚାରିତ ହୋଇ ଯାଉଥିଲା । ଟେଲିଭିଜନ୍ ଓ ରେଡ଼ିଓରେ ତାହାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଚାରିଆଡ଼େ ବିଜୁଳି ବେଗରେ ଖେଳି ଯାଉଥିଲା ।

 

ଉଡ଼ନ୍ତା ଥାଳିଆ ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇ ଆର୍‍ନୋଲ୍‍ଡ଼ ଯେଉଁ ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ, ତାହା ଆହୁରି ବଢ଼ିଯାଇଥିଲା ୧୯୪୮ ମସିହା ବେଳକୁ । ସେହି ବର୍ଷ ଖରାଦିନ ରାତିରେ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଆଉ ଏକ ଖବର ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହିଦିନ ରାତିରେ ବୈଜ୍ଞାନିକକ୍ଳାଇଡ଼ ଟମ୍‍ବାଗୋ ଯେ କି ପୃଥିବୀ ବିଖ୍ୟାତ ଜ୍ୟୋତିର୍ବିଦ୍‍ ପାର୍ସିଭେଲ୍ ଲୋଏଲ୍‍ଙ୍କ ସହକର୍ମୀ ଭାବରେ ୧୯୩୦ ମସିହାରେ ପ୍ଳୁଟୋ ଗ୍ରହକୁ ଆବିଷ୍କାର କରିଥିଲେ, ତାଙ୍କ ନିଉ ମେକ୍‍ସିକୋସ୍ଥ ବାସଭବନର ବଗିଚାରେ ବସି ନିଜ ସ୍ତ୍ରୀ ଓ ଶାଶୁଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ହଠାତ୍‍ ଆକାଶର ଏମୁଣ୍ଡରୁ ସେମୁଣ୍ଡକୁ କଣ ଗୋଟାଏ ଚାଲିଗଲା ଭଳି ତାଙ୍କୁ ଜଣାଗଲା । ସେହି ପଦାର୍ଥଟି ଉଡ଼ାଜାହାଜଠାରୁ ଅଧିକ ବେଗରେ ଓ ଉଲ୍‍କାଠାରୁ କମ୍ ବେଗରେ ଗଲାଭଳି ତାଙ୍କୁ ବୋଧହେଲା । ସେ ଯେତିକି ସମୟ ଦେଖିଥିଲେ, ସେତିକି ଭିତରେ ଏହାକୁ ଏକ ଉଡ଼ାଜାହାଜ ସହିତ ତୁଳନା କରିଥିଲେ ଓ ଏହା ଡିମ୍ବାକାର ଓ ଚେପ୍‍ଟାଭଳି ଦିଶୁଥିଲା । ଏହାର ଲାଞ୍ଜରୁ ଏକ ଉଜ୍ଜ୍ୱଳ ଆଲୋକ ବାହାରୁଥିଲା ଓ ଏହାର ଚାରିପାଖ ନୀଳ-ସବୁଜ ଆଲୋଦ୍ୱାରା ଆଲୋକିତ ହୋଇଥିଲା । ଏହି ଯାନଟିରେ ପ୍ରାୟ ଛ’ଟି ଝରକା ଥିବାର ସେ ଲକ୍ଷ୍ୟ କରିଥିଲେ । ଏହାର ବେଗରୁ ସେ ଏହାକୁ ଏକ ରକେଟ ଯାନ ସହିତ ତୁଳନା କରିଥିଲେ ଓ ଏଭଳି ଅଭୁତ ଯାନ ଏଥିପୂର୍ବରୁ କେବେ ପୃଥିବୀରେ ଦେଖାଯାଇ ନ ଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଯାନଟି ପ୍ରକୃତରେ କଣ ଜଣାପଡ଼ିଲାନି, ଏହା ସେହିଭଳି ରହସ୍ୟଜନକ ହୋଇ ରହିଗଲା, ହେଲେ ଏହି ଖବରଟି ସାରା ଆମେରିକାରେ ଅପୂର୍ବ ଚାଞ୍ଚଲ୍ୟ ଖେଳାଇ ଦେଲା ।

 

ଉଡ଼ନ୍ତା ଥାଳିଆ ଖବର ଆହୁରି ପ୍ରାଧାନ୍ୟ ଲାଭ କଲା ୧୯୪୮ ମସିହା ଅକ୍‍ଟୋବର ମାସ ପହିଲା ତାରିଖ ଦିନ । ସେହିଦିନ ଲେଫ୍‍ଟନାଣ୍ଟ ଗରମେନ ନାମକ ଜଣେ ସେନାଧ୍ୟକ୍ଷ ଆମେରିକାର ଫାର୍ଗୋ ସହରର ଉଡ଼ାଜାହାଜ ଘାଟିରେ ଉଡ଼ାଜାହାଜ ତଳକୁ ଖସାଉଥିବାବେଳେ ଅଧମାଇଲ ଦୂରରେ ଆକାଶରେ ଖୁବ୍ ଉଜ୍ଜ୍ୱଳ କ’ଣ ଏକ ପଦାର୍ଥ ଚାଲିଯିବାର ଦେଖିଲେ । ସେ ତତ୍‍କ୍ଷଣାତ୍‍ ନ ଓହ୍ଲାଇ ନିଜ ଉଡ଼ାଜାହାଜରେ ସେହି ଆଲୋକ ପଛରେ ଗୋଡ଼ାଇ ଗଲେ । ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ଗୋଡ଼ାଇବା ପରେ ସେହି ଆଲୋକଟି ଉପରେ ଆକାଶକୁ ଉଠିଯାଇ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ଗରମେନ୍‍ ବଡ଼ ମନ କଷ୍ଟରେ ଫେରି ଆସି ଯେତେବେଳେ ଏହି କଥା ଉଡ଼ାଜାହାଜ ଘାଟିର ପରିଚାଳକଙ୍କୁ କହନ୍ତି, ସେ ତଳେଥାଇ ଗୋଟିଏ ବାଇନୋକ୍ୟୁଲାର ସାହାଯ୍ୟରେ ସେମାନଙ୍କର ଏହି ଦୌଡ଼ାଦୌଡ଼ି ଲକ୍ଷ୍ୟ କରିଥିବା କଥା କହିଲେ । ଗରମେନ୍ ପ୍ରକାଶ କଲେ ଯେ ସେ ଯେଉଁ ଉଜ୍ଜ୍ୱଳ ଆଲୋକ ଦେଖିଥିଲେ ତାହା ପ୍ରାୟ ଛ ଇଞ୍ଚ ବ୍ୟାସ ବିଶିଷ୍ଟ ଏକପ୍ରକାର ଥାଳିଆରୁ ଆସୁଥିଲା ଓ ଥାଳିଆଟି ତାଙ୍କ ଉଡ଼ାଜାହାଜଠାରୁ ବହୁଗୁଣ ବେଗରେ ଗତି କରୁଥିଲା ।

 

ଦିନକୁଦିନ ସାରା ଯୁକ୍ତରାଷ୍ଟ୍ରଏହିଭଳି ବହୁ ଉଡ଼ନ୍ତା ଥାଳିଆ ଖବରରେ ସରଗରମ ହୋଇ ଉଠିଲା । ପ୍ରାୟ ପ୍ରତିଦିନ କେହି ଜଣେ କେଉଁଠି ଏହାକୁ ଦେଖିଥିବାର ଖବର ପ୍ରକାଶ ପାଉଥିଲା । ଯେଉଁମାନେ ଏ ସମ୍ପର୍କରେ ଖବର ଦେଉଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଉଡ଼ାଜାହାଜ ଚାଳକ, ଗାଇଡ଼େଡ୍ ମିଜିଲି ପରିଦର୍ଶକ, ରେଡ଼ାର ଅପରେଟର, ଯୁଦ୍ଧ ବିଭାଗ ପାଇଲଟ୍‍, ଉଡ଼ାଜାହାଜ ଘାଟିର ଟ୍ରାଫିକ୍‍ ନିୟନ୍ତ୍ରକ, ପାଣିପାଗ ପର୍ଯ୍ୟବେକ୍ଷକ ଆଦି । ସେମାନେ ପ୍ରତ୍ୟେକେ ଦାୟିତ୍ୱ ସଂପନ୍ନ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଯେ କି ଆକାଶର ଏଭଳି ଯାନକୁ ଚିହ୍ନିବାରେ ବା ଠାବ କରିବାରେ ବିଶେଷ ଜ୍ଞାନ ହାସଲ କରିଛନ୍ତି । ଏତଦ୍‍ବ୍ୟତୀତ ଉଡ଼ନ୍ତା ଥାଳିଆର ବହୁ ଚିନ୍ତ୍ର ରେଡ଼ାର ପରଦା ଉପରେ ଧରା ହୋଇଥିବାର ନାନା ଖବର ମଧ୍ୟ ପ୍ରକାଶିତ ହୋଇଥିଲା ।

 

ଏହି ଘଟଣାର ଦୁଇବର୍ଷ ପରେ ୧୯୫୦ ମସିହା ମେ ମାସ ତା୨୯ରିଖ ଦିନ ଚାରିଟାବେଳେ ଆମେରିକାର ଲସ୍‍ଏଞ୍ଜେଲସ୍‍ ସହର ଉପକଣ୍ଠରେ ଥିବା ଗୋଟିଏ ଉଡ଼ାଜାହାଜ ତିଆରି କାରାଖାନାର ତିନିଜଣ କାରିଗର ବାହାରେ ଠିଆହୋଇ କଥାବାର୍ତ୍ତା ହେଉ ହେଉ କେତେଗୁଡ଼ିଏ ଉଡ଼ନ୍ତା ଥାଳିଆ ଆକାଶରେ ଉଡ଼ି ଚାଲିଯିବାର ଦେଖିଥିଲେ । ସେମାନଙ୍କ ଭିତରୁ ସୁଲିଭିଆନ୍ ନାମକ ଜନୈକ କାରିଗର ତାଙ୍କର ପ୍ରତ୍ୟକ୍ଷଦର୍ଶୀ ଅନୁଭୂତି ବର୍ଣ୍ଣନା କରି ଥିଲେ । ସେ କହିଥିଲେ ଯେ ପ୍ରାୟ ୩୦ ଗୋଟି ଉଜ୍ଜ୍ୱଳ ଉଲ୍‍କା ଭଳି ବସ୍ତୁ ପୂର୍ବ ଦିଗର ଦିଗ୍‍ବଳୟର କିଛି ଉପରକୁ ଦେଖାଦେଇ ନିମିଷକ ମଧ୍ୟରେ ଆକାଶର ଆରପାଖକୁ ଚାଲିଯାଇଥିଲେ । ସେମାନେ ହିସାବ କରି ଦେଖିଲେ ଯେ ସେହି ଉଜ୍ଜ୍ୱଳ ବସ୍ତୁଗୁଡ଼ିକର ବ୍ୟାସ ହେବ ଅନ୍ତତଃ ୩୦ ଫୁଟ ଓ ଏଗୁଡ଼ିକ ଘଣ୍ଟାକୁ ୧୨୦୦ ମାଇଲରୁ ଊର୍ଦ୍ଧ୍ୱ ବେଗରେ ଯାଉଥିଲେ । ଏଗୁଡ଼ିକ ଏତେ ବେଗରେ ଯାଇ ମଧ୍ୟ ହଠାତ୍‍ ସମକୋଣ କରି ଦିଗ ବଦଳାଇ ପାରୁଥିଲେ । ଏହି ଉଡ଼ନ୍ତା ବସ୍ତୁଗୁଡ଼ିକ ଦେଖିବାକୁ ଗୋଲାକାର ଓ ଚେପ୍‍ଟା । ଏଗୁଡ଼ିକର ଚାରି ପାଖରେ ଏକ ପ୍ରକାର ନୀଳ ଆଲୋକପ୍ରଭା ଥିବାର ସୁଲିଭିଆନ୍‍ ଦେଖିଥିଲେ । ପରିଷ୍କାର ଦିବାମୋକରେ କୌଣସି ପ୍ରାକୃତିକ ଆଲୋକ ଦୃଶ୍ୟ ଏପରି ଅଦ୍ଭୁତ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରିବାର ଜଣା ନ ଥିଲା । ପୁଣି କୋଣସି ବସ୍ତୁ ଏତେ ବେଗରେ ଯାଇ ମଧ୍ୟ ଠିକ୍‍ ସମକୋଣ କରି ଦିଗ ପରିବର୍ତ୍ତନ କରିବା ଏକ ନୂଆ କଥା ।

 

୧୯୫୧ ମସିହା ଜାନୁୟାରୀ ମାସ ୨୦ ତାରିଖ ରାତି ସାଢ଼େ ଆଠଟାରେ ଏକ ଘଟଣା । ଲରେନ୍‍ସ ଭିନ୍‍ଥର ନାମକ ଜୈନକ ଉଡ଼ାଜାହାଜ ଚାଳକ ଆୟୋୟା ଉଡ଼ାଜାହାଜ ଘାଟିର ପରିଚାଳକଙ୍କ ନିର୍ଦ୍ଦେଶକ୍ରମେ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକ ପଛରେ ଏକ ଡାକୋଟା ବିମାନରେ ଗୋଡ଼ାଇଥିଲେ । ସେ ନିଜ ସଙ୍ଗରେ ଜଣେ ସହକର୍ମୀ ଚାଳକଙ୍କୁ ମଧ୍ୟ ନେଇଥିଲେ । ସେମାନେ କିଛିଦୂର ଗଲାପରେ ସେହି ଆଲୋକଟି ହଠାତ୍‍ କେଉଁଆଡ଼େ ଉଭେଇ ଗଲା । ଏହା କୁଆଡ଼େ ଗଲା ଜାଣିବା ପାଇଁ ଚାଳକଦ୍ୱୟ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ସେଦିନ ଜହ୍ନରାତି । ଚାରିଆଡ଼େ ଚନ୍ଦ୍ରଲୋକ ଦ୍ୱାରା ବେଶ୍ ଆଲୋକିତ । ସେମାନେ ସେହି ଉଜ୍ଜ୍ୱଳ ପଦାର୍ଥଟିକୁ ବେଶ୍ ପରିଷ୍କାର ଭାବରେ ଦେଖି ପାରିଥିଲେ । ସେମାନେ କହନ୍ତି ଯେ ଏହା ଏକ ସିଗାରେଟ୍‍ ଆକାରର ଦିଶୁଥିଲା । ଏଥିରେ ଇଞ୍ଜିନ୍‍ ଆଦି ଥିଲା କି କ’ଣ ସେମାନେ ଜାଣି ପାରି ନ ଥିଲେ । ଏହି ଉଜ୍ଜ୍ୱଳ ପଦାର୍ଥଟିରୁ କୌଣସି ଶଦ୍ଦ ଆସୁ ନ ଥିଲା । ତେବେ ତା’ର ଏକ ଅଂଶରୁ ଏକ ଉଜ୍ଜ୍ୱଳ ଆଲୋକ ଆସୁଥିଲା । କିଛି ସମୟ ପରେ ଏହି ଉଜ୍ଜ୍ୱଳ ପଦାର୍ଥଟି ଡାକୋଟା ବିମାନ ତଳକୁ ଚାଲିଯାଇ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।

 

ପଦାର୍ଥଟି ଏତେ ବେଗରେ ଯାଉଁ ଯାଉଁ ହଠାତ୍‍ କିପରି ଦିଗ ବଦଳାଇ ବିପରୀତ ଦିଗକୁ ଯାଇ ପାରିଲା, ତାହା ସେମାନଙ୍କୁ ଅତ୍ୟଧିକ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ଏ ପର୍ଯ୍ୟନ୍ତ ଉଡ଼ାଜାହାଜର ଗତି ସମ୍ବନ୍ଧୀୟ ଯେତେ ତଥ୍ୟ ଓ ସୂତ୍ର ଜଣାପଡ଼ିଛି, ତାହାଦ୍ୱାରା ଏହାକୁ ବ୍ୟାଖ୍ୟା କରିବା ସମ୍ଭବପର ନୁହେଁ ।

 

–ଐତିହାସିକ ଲୁବକ୍‍ ଘଟଣା–

 

୧୯୫୧ ମସିହା ଅଗଷ୍ଟ ମାସ ତା ୨୫ରିଖ ରାତି ପ୍ରାୟ ୯ଟା ସମୟରେ ଆମେରିକାର ଟେକ୍‍ମାସ୍‍ ରାଜ୍ୟରେ ଲୁବକ୍‍ସ୍ଥିତ ଟେକ୍‍ମାସ୍‍ ଟେକ୍‍ନୋଲଜିକାଲ କଲେଜରେ ଭୂତତ୍ତ୍ୱ ବିଜ୍ଞାନ ଅଧ୍ୟାପକ ଡକ୍ଟର ରବିନ୍‍ସନ୍‍ ତାଙ୍କ ବଗିଚାରେ ବସି ଅଧ୍ୟାପକ ଓବୋର୍ଟ ଓ ଅଧ୍ୟାପକ ଡୁକର ନାମକ ଦୁଇଜଣ ସହକର୍ମୀଙ୍କ ସହିତ ଗପସପ ହେଉଥିଲେ । ହଠାତ୍‍ ସେ ତିନିହେଁ ଦୂର ଆକାଶରେ ପ୍ରାୟ ତିରିଶଗୋଟି ଆଲୋକମାଳା ଇଂରାଜୀ ଭି (v) ଅକ୍ଷର ଆକେରରେ ସଜ୍ଜିତ ହୋଇ ବିନା ଶଦ୍ଦରେ ଚକ୍ରବାଳର ଗୋଟିଏ ପଟରୁ ଅନ୍ୟ ପଟକୁ ଚାଲି ଯାଉଥିବାର ଦେଖିଲେ । ଏହି ଘଟଣାର କିଛି ସମୟ ପରେ ସେହିଭଳି ଆଲୋକମାଳା ପୁଣି ଥରେ ଆକାଶରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲିଯିବାର ଦେଖିଲେ । ଏଗୁଡ଼ିକ କାଳେ ଯୁଦ୍ଧବିଭାଗ କର୍ତ୍ତୃକ ପରୀକ୍ଷିତ ହେଉଥିବା କୌଣସି ଗୁପ୍ତ ପଦାର୍ଥ ବା ଯାନ ହୋଇପାରିଥାଏ, ତେଣୁ ସେମାନେ ଏ ସମ୍ପର୍କରେ ସନ୍ଧାନ ନେଲେ-। କିନ୍ତୁ ପରେ ସେମାନେ ଜାଣିପାରିଲେ ସେ ଏହି ଆଲୋକମାଳା ଆମେରିକା ଯୁଦ୍ଧ ବିଭାଗଦ୍ୱାରା ସୃଷ୍ଟି ହୋଇ ନ ଥିଲା ।

 

୧୯୫୧ମସିହା ଅଗଷ୍ଟ ମାସଠାରୁ ନଭେମ୍ବର ମାସ ଭିତରେ ଅଧ୍ୟାପକ ଡୁକର ଆକାଶରେ ଅନ୍ତତଃ ବାରଥର ଏହିଭଳି ଆଲୋକମାଳା ଦେଖିଥିଲେ । ତାଙ୍କ ଛଡ଼ା ତାଙ୍କର ବହୁ ସହକର୍ମୀ ଓ ଛାତ୍ର ଏହିଭଳି ଆଲୋକମାଳା ଆକାଶରେ ବାରମ୍ବାର ଦେଖିବାକୁ ପାଇଥିଲେ । ଏହି ଘଟଣାଗୁଡ଼ିକୁ ଲକ୍ଷ୍ୟ କରି ଅନେକେ ସନ୍ଦେହ କରୁଥିଲେ ଯେ ଏହିସବୁ ରହସ୍ୟଜନକ ଘଟଣା ଆମେରିକାର ଯୁଦ୍ଧ ବିବାଗଦ୍ୱାରା ପରୀକ୍ଷିତ ହେଉଥିବା କେତେକ ଗୁପ୍ତ ପରୀକ୍ଷା । କିନ୍ତୁ ଏହି ଭ୍ରମ ଧାରଣାକୁ ଦୂର କରିବା ପାଇଁ ଆମେରିକାଯୁଦ୍ଧ ବିଭାଗ ଯେତେ ସଫେଇ ଦେଲେ ମଧ୍ୟ ଲୋକେ ବିଶ୍ୱାସ ନ କରିବାରୁ ପରିଶେଷରେ ଆମେରିକାର ତତ୍କାଳୀନ ସଭାପତି ହ୍ୟାରି ଟ୍ରୁମାନ୍‍ ବାଧ୍ୟହୋଇ ଏହା ସରକାରଙ୍କର କୋଣସି ଗୁପ୍ତ ପରୀକ୍ଷା ନୁହେଁ ବୋଲି ଏକ ବିବୃତି ଦେଲେ ।

 

୧୯୫୧ ମସିହା ଅଗଷ୍ଟ ମାସ ୩୦ ତାରିଖ ଦିନ ରାତିରେ କାର୍ଲ ହାର୍ଟ ନାମକ ଅଠର ବର୍ଷ ବୟସ୍କ ଜଣେ ଯୁବକ ଏହିଭଳି ଉଡ଼ନ୍ତା ଆଲୋକମାଳାର ପାଞ୍ଚଗୋଟି ଫଟୋ ଉଠାଇ ଥିଲେ । ତାଙ୍କ ଫଟୋରୁ ଜଣାଯାଏ ଯେ ୧୯/୨୦ ଗୋଟି ଉଜ୍ଜ୍ୱଳ ଆଲୋକିତ ପଦାର୍ଥ ଅର୍ଦ୍ଧ ଚନ୍ଦ୍ରାକାରରେ ସଜ୍ଜିତ ହୋଇ ଆକାଶରେ ଉଡ଼ୁଥିଲା । କାର୍ଲହାର୍ଟଙ୍କର ସେହି ଫଟୋଗ୍ରାଫ୍‍କୁ ଯୁକ୍ତରାଷ୍ଟ୍ରର ବିମାନ ବିବାଗ ଭଲଭାବରେ ପରୀକ୍ଷା କରି ମତ ଦେଲେ ଯେ ହାର୍ଟଙ୍କର ଚିତ୍ର ଏକ ପ୍ରକୃତ ଚିତ୍ର । ଚିତ୍ରରୁ ଆଲୋକଗୁଡ଼ିକ ଏତେ ଉଜ୍ଜ୍ୱଳ ଦିଶୁଥିଲା ଯେ ସେଗୁଡ଼ିକୁ କୌଣସି ପ୍ରତିଫଳିତ ଆଲୋକ ବୋଲି ଭାବିବା ଯୁକ୍ତିଯୁକ୍ତ ନୁହେଁ । ତେଣୁ ସେହି ଆଲୋକ ଯେ ନିଶ୍ଚୟ କୌଣସି ବସ୍ତୁ ଦେହରୁ ଆସୁଥିଲା, ଏଥିରେ ସନ୍ଦେହ କରିବାର କିଛି ନାହିଁ । ଅଧ୍ୟାପକ ଡୁକର, ରବିନ୍‍ସନ୍‍, ଓବୋର୍ଟ ଓ ଅନ୍ୟାନ୍ୟ ବୈଜ୍ଞାନିକମାନେ ମତ ଦେଲେ ଯେ ଏହି ଉଡ଼ନ୍ତା ପଦାର୍ଥଗୁଡ଼ିକ ଅନ୍ତତଃ ୫୦,୦୦୦ଫୁଟ ଉଚ୍ଚରେ ଉଡ଼ୁଥିଲେ ଓ ଘଣ୍ଟାକୁ ଅନ୍ୟୂନ୍ୟ ୧୮,୦୦୦ ମାଇଲ ବେଗରେ ଉଡ଼ୁଥିବାରୁ ସେଗୁଡ଼ିକରୁ କୌଣସି ଶଦ୍ଦ ଆସୁ ନ ଥିଲା । ଏହି ଘଟଣାଟି ଲୁବକ୍ ଘଟଣା ଭାବରେ ସାରା ପୃଥିବୀରେ ପରିଚିତ ହୋଇ ଯାଇଥିଲା ।

 

୧୯୫୧ ମସିହା ଡିସେମ୍ବର ମାସ ୨ ତାରିଖ ରାତିରେ ହଠାତ୍‍ ଏକ ଗୋଲାକାର ସବୁଜ ବର୍ଣ୍ଣର ଅଗ୍ନିପିଣ୍ଡ ଆମେରିକାର ଆକାଶରେ ଦେଖାଗଲା । ଏହା ଚନ୍ଦ୍ରଠାରୁ ଢେର୍‍ ଉଜ୍ଜ୍ୱଳ ଦିଶୁଥିଲା । ନିକଟବର୍ତ୍ତୀ ବହୁ ପର୍ବତ ପୃଷ୍ଠ ଏହାର ଆଲୋକରେ ଆଲୋକିତ ହୋଇଯାଇଥିଲା । ଏହା ଏରିଜୋନା ରାଜ୍ୟର ଦିଗ୍‍ବଳୟରୁ ବାହାରି ଆକାଶ ଭିତରେ ପୂର୍ବଦିଗକୁ ଗତି କରି କିଛିଦୂର ଗଲାପରେ ବାଣ ଭଳି ବିସ୍ଫୋରିତ ହୋଇ ଛତୁ ଭଳି ମେଲି ହୋଇ ଯାଇଥିଲା । କିନ୍ତୁ ସେଥିରୁ କୌଣସି ଶଦ୍ଦ ବାହାରି ନ ଥିଲା । ପ୍ରାୟ ଦେଢ଼ଶହ ସରିକି ଲୋକ ଏରିଜୋନୋ ରାଜ୍ୟର ବିଭିନ୍ନ ସ୍ଥାନରେ ଥାଇ ଆକାଶର ଏହି ଅପୂର୍ବ ଦୃଶ୍ୟକୁ ଦେଖିଥିଲେ । ୧୯୪୮ ମସିହାଠାରୁ ଏହିଭଳି ଶହ ଶହ ଘଟଣା ଆମେରିକାର ବହୁ ସ୍ଥାନରେ ଲୋକେ ଦେଖି ଆସୁଥିବାର ଖବର ବହୁବାର ପ୍ରକାଶ ପାଇଥିଲା ।

 

ଯେଉଁମାନେ ଏହି ଆଲୋକ ଦେଖିଥିଲେ, ସେମାନେ କହନ୍ତି ଯେ, ଏ ଆଲୋକର ବର୍ଣ୍ଣ ସବୁଜ । ତମ୍ବା ଜାଳିଲେ ଯେଉଁ ସବୁଜ ବର୍ଣ୍ଣର ଆଲୋକ ମିଳେ, ଏହା ଠିକ୍ ସେପରି । ଏହି ଅଜଣା ଆଲୋକ କୌଣସି ଉଲ୍‍କାରୁ ଆସୁଛିକି କ’ଣ, ସେ ବିଷୟରେ ସନ୍ଦେହ ଦୂର କରିବା ପାଇଁ ନିଉମେକ୍‍ସିକୋ ବିଶ୍ୱବିଦ୍ୟାଳୟର ଉଲ୍‍କା ବିଶେଷଜ୍ଞ ଡ଼କ୍ଟର ଲିନ୍‍କନ୍‍ ଲ’ପାଜଙ୍କୁ ପଚରାଗଲା । ସେ କହିଲେ ଯେ ଉଲ୍‍କାପିଣ୍ଡରେ ସାଧାରଣତଃ ତମ୍ବା ନ ଥିବାରୁ ଉଲ୍‍କାର ଦଗ୍‍ଧ ଜନିତ ଆଲୋକ କେବେ ସବୁଜ ଦେଖାଯାଏନି । ଏହି ସବୁଜ ବର୍ଣ୍ଣର ଆଲୋକ କୌଣସି ଉଲ୍‍କାରୁ ଯେ ଆସି ନ ପାରେ, ତା ସପକ୍ଷରେ ସେ ଆହୁରି କେତେ ଯୁକ୍ତି ବାଢ଼ିଥିଲେ । ଆକାଶରେ ତମ୍ବା ଥିବା କୌଣସି ଏକ ବସ୍ତୁର ଦଗ୍‍ଧ ହେତୁ ଏଭଳି ଆଲୋକ ଉତ୍ପନ୍ନ ହେବା ସୁନିଶ୍ଚତ । ଆହୁରି ଏକ ଆଶ୍ଚର୍ଯ୍ୟ ଘଟନା ହେଉଛି ଯେ ୧୯୪୮ ମସିହାଠାରୁ, ଅର୍ଥାତ୍‍ ଯେଉଁ ଦିନଠାରୁ ଏହି ଉଡ଼ନ୍ତା ଥାଳିଆ, ଉଡ଼ନ୍ତା ସିଗାରେଟ୍ ଆଦି ଅରିଜୋନା ଓ ନିଉମେକ୍‍ସିକୋ ରାଜ୍ୟର ଆକାଶରେ ତମ୍ବା ରେଣୁର ପରିମାଣ ଯଥେଷ୍ଟ ବଢ଼ିଯାଇଥିଲା । ଏଥିପୂର୍ବରୁ ଆମେରିକାରେ ଆକାଶରେ କେବେ ଏତେ ତମ୍ବାରେଣୁ ଦେଖାଯାଇ ନ ଥିଲା ।

 

୧୯୫୩ ମସିହା ନଭେମ୍ବର ମାସ ତା୯ରିଖ ମଧ୍ୟରାତ୍ରୀ ବେଳେ ନେବ୍ରାସ୍କା ରାଜ୍ୟର ଓମାହାଠାରେ ବହୁତ ଲୋକ ଉଚ୍ଚ ଆକାଶରେ ଏକ ସ୍ତମ୍ଭାକାର ଉଡ଼ନ୍ତା ପଦାର୍ଥ ଦେଖିବାକୁ ପାଇଥିଲେ । ଏହା ଖୁବ୍ ଉଜ୍ଜ୍ୱଳ ଓ ରକ୍ତ ରାଗରେ ରଞ୍ଜିତ ଥିଲା । ଚାହୁଁ ଚାହୁଁ ଏହି ସ୍ତମ୍ଭାକାର ଉଡ଼ନ୍ତା ବସ୍ତୁଟି ଚାରିପାଖରେ ଆହୁରି କେତେଗୁଡ଼ିଏ ଆଲୋକ ପେଣ୍ଡୁ ଆସି ଏକତ୍ରିତ ହେଲେ । ଏହି ଦୃଶ୍ୟ ପ୍ରାୟ ୬ମିନିଟ୍ ଧରି ରହିଥିଲା । ଏହାପରେ ଏହା ହଠାତ୍ ଅଦୃଶ୍ୟ ହୋଇଗଲା ।

 

୧୯୫୪ମସିହା ଗ୍ରୀଷ୍ମଋତୁରେ ଏକ ବିଚିତ୍ର ଖବର ପ୍ରକାଶ ପାଇଲା । ଜନୈକ ଆମେରିକାନ ପଦାର୍ଥବିଦ୍ୟାବିତ୍‍ ନିକଟସ୍ଥ ଏକ ଏଟମିକ୍‍ ପାଇଲ୍‍ କାରଖାନାରୁ ରାତିରେ ଘରକୁ ଫେରୁଥିଲେ । ସେ ଦେଖିଲେ ତାଙ୍କ ଆଗରେ ଆକେଶରେ ଏକ ଉଜ୍ଜ୍ୱଳ ଘନବୃତ୍ତକାର ପଦାର୍ଥଟିଏ ଦୌଡ଼ୁଛି । କିଛି ଦୂର ଯିବାପରେ ଏହି ପଦାର୍ଥଟି ତାଙ୍କ ଗାଡ଼ିକୁ ଅଟକାଇଲା । ସେହି ପଦାର୍ଥଟି ଭିତରୁ ଗୋଟିଏ ଦୀର୍ଘକାୟ ମଣିଷ ବାହାରିଲା । ତାହା ଦେହରୁ ତାପରଶ୍ମି ବାହାରୁ ଥାଏ । ସେ ବାହାରିଆସି ଇଂରାଜୀରେ କହିଲା, “ମୁଁ ହେଉଛି ମରୋନି । ଆମେ ଭୟକରୁଛୁଁ, ତୁମ ବୈଜ୍ଞାନିକମାନେ ଏକ ବିରାଟ ଧ୍ୱଂସ ଆଡ଼କୁ ଆଗଉଛନ୍ତି ।” ଏତକ କହି ଲୋକଟି ନିଜ ଯାନରେ ବସି ଅନ୍ତର୍ହିତ ହୋଇଗଲା ।

 

ଏହି ଘଟଣାଟିର ରହସ୍ୟ କିଛି ଜଣା ପଡ଼ିଲାନି, ସେମିତି ରହିଗଲା ।

 

୧୯୬୬ ମସିହା ଜାନୁୟାରୀ ମାସ ୧୨ ତାରିଖ ରାତିରେ ନିଉୟର୍କ ନଗରୀର ଟାଇମ ସ୍କୋୟାରଠାରୁ ୩୦ ମାଇଲ ଦୂରରେ ଏକ ଅଦ୍‍ଭୁତ ଘଟଣା ଘଟିଲା । ହଜାର ହଜାର ଲୋକ ସେହି ଅଞ୍ଚଳର ଏକ ବିରାଟ ପାଣି ଟାଙ୍କି ପାଖରେ ଠିଆ ହୋଇ ଆକାଶକୁ ନିରୀକ୍ଷଣ କରୁଥିଲେ । ଅଣ୍ଡାକାର ବିଶିଷ୍ଟ ଏକ ଆଲୋକିତ ଯାନ ଆକାଶରେ ଡେଇଁ ଡେଇଁ ଗତି କରୁଥିବାର ଦେଖାଗଲା-। ଏହି ଯାନରୁ ଶକ୍ତିଶାଳୀ ଆଲୋକ ବେଳେ ବେଳେ ଚାରିଆଡ଼କୁ ବିଛୁରିତ ହେଉଥିଲା-। ଲୋକମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସରକାରଙ୍କ ପକ୍ଷରୁ ବା ଅନ୍ୟ କୌଣସି ସଂସ୍ଥା ପକ୍ଷରୁ ଏହା କ’ଣ ଓ ଏହା ସମ୍ବନ୍ଧରେ କୌଣସି ବ୍ୟାଖ୍ୟା ଜାଣିବାକୁ ପାଇ ନ ଥିଲେ ।

 

୧୯୬୪ ମସିହା ଅଗଷ୍ଟ ମାସରେ ଏକ ଘଟଣା । ଆମେରିକାର ମିନେସୋଟା ରାଜ୍ୟର ଡୁଲୁଥ୍‍ ସହରର ରାସ୍ତାରେ ଅନେକ ଲୋକ ଜମାହୋଇ ଆକାଶକୁ ନିରୀକ୍ଷଣ କରୁଥିଲେ । ସେମାନେ ଦେଖିଲେ କେତୋଟି ଜେଟ୍ ଜାହାଜ କେତେଗୁଡ଼ିଏ ଅଜଣା ଉଡ଼ନ୍ତା ବସ୍ତୁର ପଶ୍ଚାତଧାବନ କରୁ ଅଛନ୍ତି । କିଉଇନୋ ପେନିନ୍‍ସୁଲାସ୍ଥ ରେଡ଼ାର ଷ୍ଟେସନ ଏହି ଅଜଣା ଉଡ଼ନ୍ତା ଯାନ ଓ ସେଗୁଡ଼ିକୁ ଗୋଡ଼ାଉ ଥିବା ଜେଟ୍ ଜାହାଜର ସନ୍ଧାନ ପାଇଥିଲେ । ଏହି ଘଟଣାଟି ଏବେ ମଧ୍ୟ ପ୍ରହେଳିକାମୟ ହୋଇ ରହିଅଛି ।

 

୧୯୬୪ ମସିହା ମେ ମାସରେ କାଲିଫର୍ଣ୍ଣିଆ ରାଜ୍ୟର ରାହୋ ବିଶିଷ୍ଟା ନାମକ ଛୋଟ ସହରକୁ ଏକ ଉଡ଼ନ୍ତା ଥାଳିଆ ନିୟମିତ ରୀତିରେ କ୍ରମାଗତ ଭାବରେ ଦେଖା ଦେଉଥିଲା । ଏହି ସହରର ପ୍ରାୟ ଦୁଇ ହଜାର ଅଧିବାସୀ ନିୟମିତ ଭାବରେ ଥରକୁ ଥର ଆସୁଥିବା ଏହି ଉଡ଼ନ୍ତା ଥାଳିଆଟିକୁ ସ୍ପଷ୍ଟ ଭାବରେ ଦେଖି ପାରୁଥିଲେ । ଏହି ଯାନଟି ଗୋଲାକାର ଓ ଏହାର ବ୍ୟାସ ମାତ୍ର ପାଞ୍ଚ ଫୁଟ ପାଖା ପାଖି । ଏହାର ଆକାର ଏକ ଟର୍‍ପେଡ଼ୋ ଭଳି, ଲମ୍ବା ପ୍ରାୟ ୧୫ ଫୁଟ, ଗୋଲେଇ ପାଞ୍ଚ ଫୁଟ । ଏଥିରୁ ଏକ ପ୍ରକାରର ଉଷ୍ଣ ଆଲୋକ ରଶ୍ମି ବାହାରୁ ଥିଲା । ଏହା ଗତି କଲାବେଳେ ଏଥିରୁ କୌଣସି ଶଦ୍ଦ ବାହାରୁ ନ ଥିଲା । ନିକଟସ୍ଥ ପୋଲିସ୍‍ ଷ୍ଟେସନର ଅଫିସର ଜନ କ୍ରୁଜ୍ ଲୋକମୁଖରୁ ଏହି ଖବରଟି ଶୁଣି ନିୟମିତ ଆସୁଥିବା ଏହି ଉଡ଼ନ୍ତା ଯାନଟିକୁ ଦେଖିବାକୁ ଯାଇଥିଲେ । ତାଙ୍କ ସହିତ ପ୍ରାୟ ଚାରି ପାଞ୍ଚ ଶହ ଲୋକ ସେହି ସହରର ଏକ ଛୋଟ ପାହାଡ଼ ଉପରେ ଅନ୍ଧକାରରେ ରୁଣ୍ଡ ହୋଇଥିଲେ । ସୌଭାଗ୍ୟବଶତଃ ସେହିଦିନ ସେହି ଉଡ଼ନ୍ତା ଥାଳିଆଟି ପୁଣି ଦେଖା ଦେଇଥିଲା । ପୋଲିସ୍‍ ଅଫିସରଙ୍କ ବିବରଣୀରୁ ପ୍ରକାଶ ଯେ ଏହି ଯାନଟିର ଆକାର ସିଗାରେଟ୍‍ ଆକୃତି ଭଳି । ଏଥିରୁ ଲାଲ୍‍ରଙ୍ଗଯୁକ୍ତ ଏକ କିରଣ ବାହାରୁଥିଲା । ଏହା ବେଶ ଧୀରେ ଧୀରେ ଗତି କରୁଥିଲା । ପୋଲିସ୍‍ ଅଫିସରଟି ଏହି ଉଡ଼ନ୍ତା ଯାନ ଆଡ଼କୁ ନିଜ ବନ୍ଧୁକରୁ ଗୁଳି ଛାଡ଼ିଥିଲେ । ଏହି ଗୁଳି ସେହି ଉଡ଼ନ୍ତା ଯାନଟି ଉପରେ ବାଜିବା ଫଳରେ ଏକ ଧାତବ ଶଦ୍ଦ ସୃଷ୍ଟି ହୋଇଥିଲା ଓ କ୍ଷଣିକ ମଧ୍ୟରେ ଯାନଟି ଜଳି ଲାଲ୍‍ ରଙ୍ଗ ଧାରଣ କରିଥିଲା ଓ ପରମୁହୂର୍ତ୍ତରେ ପୂର୍ବ ଅବସ୍ଥାକୁ ଫେରି ଆସି ସଙ୍ଗେ ସଙ୍ଗେ ଅନ୍ତର୍ହିତ ହୋଇ ଯାଇଥିଲା । ଏହି ଘଟନା ସମ୍ପର୍କରେ ସରକାର କୌଣସି ସନ୍ତୋଷଜନକ ବ୍ୟାଖ୍ୟା ଦେଇନାହାନ୍ତି ।

 

କେତେକ ଦର୍ଶକ ଦାବୀ କରନ୍ତି ଯେ, ସେମାନେ ଖାଲି ଉଡ଼ନ୍ତା ଥାଳିଆ ଦେଖି ନାହାନ୍ତି, ଏହା ଭିତରସ୍ଥ ଚାଳକମାନଙ୍କୁ ମଧ୍ୟ ଦେଖିଛନ୍ତି । ନିଉୟର୍କର ସୁବିଖ୍ୟାତ ପ୍ରକାଶକ ହେନେରୀ ହଲ୍‍ଟ ଆଣ୍ଡ କୋମ୍ପାନୀ ଦ୍ୱାରା ୧୯୫୦ ମସିହାରେ ପ୍ରକାଶିତ “Behind Flying Saucers” ପୁସ୍ତକରେ ଏହାର ଲେଖକ ଫ୍ରାଙ୍କ୍ ସ୍କୁଲି କହନ୍ତି ଯେ ଶୁକ୍ରଗ୍ରହରୁ ଆସିଥିବା କେତେକ ଲୋକଙ୍କର ମୃତ ଦେହ ନିଉମେକ୍‍ସିକୋ ଓ କଲରାଡ଼ୋ ରାଜ୍ୟର କେତେକ ସ୍ଥାନରେ ପଡ଼ିଛି । ସେମାନଙ୍କ ଯାନ ‘ଉଡ଼ନ୍ତା ଥାଳିଆ’ ଦୁର୍ଘଟଣାର ସମ୍ମୁଖୀନ ହେବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ସେ ମଧ୍ୟ ଆହୁରି ଲେଖିଛନ୍ତି ଯେ ନିଉଟନ୍‍ ନାମକ ଜନୈକ ଲୋକ ତାଙ୍କୁ ତା ନିଜର ପ୍ରତ୍ୟକ୍ଷ ଅନୁଭୂତି ଜଣାଇ କହିଛି ଯେ, ଶୁକ୍ର ଗ୍ରହର ଲୋକେ ଖୁବ୍ ଛୋଟ ଓ ଗେଡ଼ା । ସେମାନଙ୍କର ଉଚ୍ଚତା ତିନି ଫୁଟରୁ ଚାରି ଫୁଟ ଭିତରେ । ସେମାନେ ଊନବିଂଶ ଶତାଦ୍ଦୀର ପୋଷାକ ବ୍ୟବହାର କରନ୍ତି ଓ ସେହି ପୋଷାକଗୁଡ଼ିକ ତୂଳା କି ପଶମ କେଉଁଥିରୁ ତିଆରି ନୁହେଁ, କିନ୍ତୁ ଭାରି ଟାଣ, ସହଜରେ ଚିରି ହୁଏନି । ନିଉଟନ୍‍ ଆହୁରି କହିଛନ୍ତି ଯେ ଆମେରିକାର ଯୁଦ୍ଧ ବିବାଗ ଏହି ମୃତ ଶରୀରଗୁଡ଼ିକୁ ନେଇଯାଇ କେଉଁଠି ଲୁଚାଇ ରଖିଛନ୍ତି ।

 

ସେହି ଲେଖକ ମଧ୍ୟ ଆହୁରି କହନ୍ତି, ଦଳେ ବୈଜ୍ଞାନିକ ଶୁକ୍ର ଗ୍ରହରୁ ଆସିଥିବା ଦଳେ ଲୋକଙ୍କୁ ଭେଟିଥିଲେ । ସେମାନଙ୍କୁ ଧରିବାକୁ ଗୋଡ଼ାଇଲାରୁ ସେମାନେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ଶୁକ୍ର ଗ୍ରହର ଏହି ଛୋଟ ଛୋଟ ମଣିଷ ଏବେ ବି ଆମେରିକାର ଦକ୍ଷିଣ ପଶ୍ଚିମ ମରୁଭୂମି ଅଞ୍ଚଳରେ ବୁଲୁଥିବେ ବୋଲି ବହୁ ଲୋକ ବିଶ୍ୱାସ କରନ୍ତି ।

 

ଆଉ ଏକ ଘଟଣାରୁ ପ୍ରକାଶ ଯେ ୧୯୫୨ ମସିହା ସେପ୍‍ଟେମ୍ବର ମାସ ତା୧୨ରିଖ ଦିନ ଜନୈକ ସ୍ତ୍ରୀଲୋକ ତାର ତିନୋଟି ସନ୍ତାନ ଓ ଜଣେ ଯୁବକ ନେସ୍‍ନାଲ୍‍ ଗାର୍ଡସ୍‍ମେନ୍‍ ସହିତ ଯାଉଥିବାବେଳେ ୱେଷ୍ଟ ଭାରଜିନିଆ ରାଜ୍ୟସ୍ଥ ସୁଟନ୍‍ଠାରେ ଗୋଟିଏ ଉଡ଼ନ୍ତା ଥଳିଆ ଦେଖିଲେ । ଏଥିରୁ ଗୋଟିଏ ବିରାଟକାୟ ରାକ୍ଷସ ବାହାରିଲା । ତାର ଉଚ୍ଚତା ନଅ ଫୁଟ ପାଖା ପାଖି ଓ ମୁଖମଣ୍ଡଳ ଲାଲ୍‍, ଆଖି ଯୋଡ଼ାକ ପରସ୍ପରଠାରୁ ଫୁଟେ ଲେଖାଏଁ ଛଡ଼ା । ସେହି ରାକ୍ଷସ ସେମାନଙ୍କୁ ଦେଖି ଗୋଡ଼ାଇବାରୁ ସେମାନେ ଭୟରେ ପଳାଇ ଗଲେ ।

 

ଏବେ ୧୯୮୫ ମସିହା କଥା । ଏହି ବର୍ଷ ଫେବୃୟାରୀ ମାସରେ ସୁଇଡେନ୍‍ ରାଜ୍ୟର ଡଲାନା ଅଞ୍ଚଳର ବହୁ ସହରରେ ବାସକରୁଥିବା ହଜାର ହଜାର ଅଧିବାସୀ ଦିନେ ସଂଧ୍ୟାସମୟରେ ପଶ୍ଚିମ ଆକାଶରେ ହଠାତ୍ ଏକ ଅଦ୍ଭୁତ ଉଜ୍ଜ୍ୱଳ ଆଲୋକ ବିଶିଷ୍ଟ ଏକ ଉଡ଼ନ୍ତା ଥାଳିଆ ଦେଖିବାକୁ ପାଇଥିଲେ । ଖବର ସୁଇଡେନ୍‍ର ଟେଲିଭିଜନ ସଂସ୍ଥାଦ୍ୱାରା ପ୍ରଚାରିତ ହୋଇଥିଲା । ସେହି ଅଦ୍ଭୁତ ପଦାର୍ଥଟି ଏକ ଚାପିଆଲା ଭଳି । ଏହା ଏକ ଗୋଲାକାର ଦର୍ପଣଭଳି ଚକ୍‍ଚକ୍‍ କରୁଥିଲା । ଏହି ଯାନଟି ମଝିରେ ମଝିରେ ସ୍ଥିର ହୋଇଯାଇ ଗୋଟିଏ ସ୍ଥାନରେ ରହୁଥିଲା । ଏହା ମଧ୍ୟ କିଛି ସମୟ ପାଇଁ ଅଦୃଶ୍ୟ ହୋଇଯାଇ ପୁଣି ଦେଖାଦେଉଥିଲା । ବହୁତ ଲୋକ ସେହି ପଦାର୍ଥଟିର ଫଟୋ ଉଠାଇଥିଲେ । ଏହା କୌଣସି ବେଲୁନ ଜାତୀୟ ପଦାର୍ଥ ନୁହେଁ କି କୃତ୍ରିମ ଉପଗ୍ରହ ନୁହେଁ, ଏହା ନିଧାର୍ଯ୍ୟ ଉପରେ ଜଣାଯାଇଥିଲା । ପ୍ରତିବର୍ଷ ସୁଇଡେନ୍‍ରେ ଏହି ଭଳି୨୦୦ ସରିକି ଘଟଣା ଦେଖାଯାଇଥାଏ ବା ଶୁଣାଯାଇ ଥାଏ । ବିଶେଷଜ୍ଞମାନେ ଏହା ଉପରେ ଗବେଷଣାକରି ଓ ଏଥି ସହିତ କଂପ୍ୟୁଟର ଉପଯୋଗ କରି ମଧ୍ୟ ଏହାର ପ୍ରକୃତ ରହସ୍ୟ ଜାଣିପାରି ନାହାନ୍ତି ଓ ଏହା ଏବେବି ରହସ୍ୟମୟ ହୋଇ ରହିଛି ।

•••

 

ଚତୁର୍ଥ ଅଧ୍ୟାୟ

ଉଡ଼ନ୍ତା ଥାଳିଆରୁ ସଂଗୃହୀତ ବିଭିନ୍ନ ଅଂଶର ପରୀକ୍ଷା

 

ଉଡ଼ନ୍ତା ଥାଳିଆର ଅବସ୍ଥିତି ନେଇ ବିଭିନ୍ନ ମତଭେଦ ଥିଲେ ହେଁ କେତେକ ସ୍ଥାନରେ ଉଡ଼ନ୍ତା ଥାଳିଆର ଦୁର୍ଘଟଣା ଜନିତ ବିଭିନ୍ନ ଅଂଶ ସଂରକ୍ଷିତ ହୋଇ ପରୀକ୍ଷିତ ହେବାର ପ୍ରମାଣ ରହିଛି । ୧୯୫୪ ମସିହା ଡିସେମ୍ବର ମାସ ତା୧୪ରିଖ ଉପରବେଳା ବ୍ରାଜିଲ ରାଜ୍ୟସ୍ଥ କେମ୍ପିନା ସହରର ଏକ ଘଟଣା । ସେହିଦିନ ଉପରବେଳା ସେମାନଙ୍କ ଆକାଶରେ ଥାଳିଆ ଆକାରର ତିନୋଟି ଯାନ ଉଡ଼ୁଥିବାର ଦେଖାଗଲା । ତିନୋଟି ଯାନ ଭିତରୁ ଗୋଟିକର କୌଣସି ଯାନ୍ତ୍ରିକ ଗୋଳମାଳ ହେତୁ ତାହାର ବେଗ ବ୍ୟାହତ ହେଲା ଭଳି ଜଣାପଡ଼ୁ ଥିଲା । ଏହାର ଅସ୍ୱାଭାବିକ କମ୍ପନ ଓ ବାରମ୍ବାର ତଳକୁ ଖସି ଆସିବାର ପ୍ରକୃତି ସୁଚାଉ ଥିଲା ଯେ ଏହି ଯାନଟି ହୁଏତ ଧ୍ୱଂସ ପାଇ ଯାଇପାରେ । ଏହି ଯାନଟି ଯେତେବେଳେ ଖସି ଆସି ପୃଥିବୀପୃଷ୍ଠରୁ ମାନ୍ତ୍ର ୩୦୦ ଫୁଟ ଉଚ୍ଚରେ ଥିଲା, ସେଥିରୁ ଏକ ବିରାଟ ଅସ୍ୱାଭାବିକ ଶଦ୍ଦସୃଷ୍ଟି ହୋଇଥିଲା । ତୃତୀୟ ଯାନଟିର ଏପରି ଅବସ୍ଥା ଦେଖି ଅନ୍ୟ ଦୁଇ ଗୋଟି ଯାନ ଏହାକୁ ସାହାଯ୍ୟ କରିବା ପାଇଁ ଏହା ପାଖକୁ ଦୌଡ଼ି ଆସିଲେ । ସେହି ଯାନ ଦୁଇଟି ମଧ୍ୟରୁ ଗୋଟିକରୁ ରୂପା ଭଳି ଶ୍ୱତ ବର୍ଣ୍ଣର ଏକ ତରଳ ପଦାର୍ଥ ବିପଦ ପ୍ରମ୍ମୁଖୀନ ହୋଇଥିବା ଯାନଟି ଭିତରକୁ ଗତିକଲା । କିଛି ସମୟ ପରେ ଯାନଟି ଠିକ୍ ବାଟକୁ ଆସିଲା, ତତ୍ପରେ ତିଲୋଟିଯାକ ଯାନ ଉପରକୁ ଉଠି କିଛି ସମୟ ପରେ ଅଦୃଶ୍ୟ ହୋଇଗଲେ ।

 

ଏହି ଦୃଶ୍ୟକୁ ଯେଉଁମାନେ ଦେଖୁଥିଲେ, ସେମାନଙ୍କ ଭିତରୁ କେତେକେ ଏହି ଘଟଣାଟି ଘଟିଥିବା ସ୍ଥାନର ଠିକ୍ ତଳେ ପୃଥିବୀ ପୃଷ୍ଠରେ ନାନା ସ୍ଥାନ ଖୋଜାଖୋଜି ଆରମ୍ଭ କଲେ । ବିପଦର ସମ୍ମୁଖୀନ ହୋଇଥିବା ଯାନଟିରୁ କେତେକ ଧାତବ ଅଂଶ ତଳେ ପଡ଼ିଥିବାର ଦେଖାଗଲା-। ଏହି ଧାତବ ଅଂଶଗୁଡ଼ିକୁ ପରୀକ୍ଷା କରାଯିବାରୁ ଦେଖାଗଲା ଏହା ଟିଣ ଧାତୁ ଛଡ଼ା ଅନ୍ୟ କିଛି ନୁହେଁ । ଏହି ଧାତବ ଅଂଶଟିକୁ ଡକ୍ଟର ମାଖିନ ନାମକ ଏକ ବୈଜ୍ଞାନିକ ପରୀକ୍ଷା କରି ଦେଖିଲେ ଯେ ଏହି ଧାତବ ଅଂଶରେ ଟିଣ ଧାତୁ ବ୍ୟତୀତ ଅନ୍ୟ ଏକ ଧାତୁ ରହିଛି ଯାହାକୁ କି ଚିହ୍ନିବା କଷ୍ଟକର । ଏହିଭଳି ଧାତୁ ପୃଥିବୀ ପୃଷ୍ଠରେ ମିଳେ କି ନାହିଁ ସନ୍ଦେହ କରିବାର ଯଥେଷ୍ଟ ଅବକାଶ ଅଛି ।

 

ନରୱେ ରାଜ୍ୟର ୧୯୫୨ ମସିହାର ଆଉ ଏକ ଘଟଣା । ନରୱେ ରାଜଧାନୀ ଅଶ୍ଳୋଠାରୁ ଅଳ୍ପ କେତେ ମାଇଲ ଦୂରରେ ସ୍ପଚ୍‍ ବାରଗେନ୍‍ ନାମକ ଏକ ଦ୍ୱୀପ ଅଛି । ସେହି ଦ୍ୱୀପରେ ଏକ ଅଜଣା ଯାନ ଧ୍ୱଂସପ୍ରାପ୍ତ ହୋଇଥିବାର ଏକ ଖବର ଜଣେ ସାମରିକ ଅଫିସର ନରୱେ ସରକାରଙ୍କୁ ଜଣାଇ ଥିଲେ । ନରୱେ ସରକାରଙ୍କର ବଡ଼ ବଡ଼ ସାମରିକ ଅଫିସର ସେଠାକୁ ଯାଇ ସେହି ଅଂଶସବୁ ପରୀକ୍ଷା କରିଥିଲେ ଓ ମତ ଦେଇଥିଲେ ଯେ ଏହା ଆଂଶିକ ଧ୍ୱଂସ ପ୍ରାପ୍ତ ଏକ ଉଡ଼ନ୍ତା ଥାଳିଆ । ମାର୍କିନ ଓ ଇଂରେଜ ବିଶେଷଜ୍ଞ ମାନଙ୍କୁ ସେଠାକୁ ଡକାଗଲା । ସେମାନେ ଯାହା ମତ ଦେଲେ ତାହା ଗୋପନୀୟ ରଖାଗଲା ।

 

୧୮୫୫ ମସିହାରେ ଜର୍ମାନୀର ଏକ ଖବରକାଗଜ ଏହି ଦୁର୍ଘଟଣା ସମ୍ପର୍କରେ ଯେଉଁ ମତ ଦେଲା ତାହା ବିଶେଷ ଭାବରେ ପ୍ରଣିଧାନ ଯୋଗ୍ୟ । ସେହି ମତାନୁସାରେ ସ୍ପିଚ୍ ବାରଗେନରେ ଯେଉଁ ଦୁର୍ଘଟଣା ଘଟିଲା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦିଚ ଆଧୁନିକ ବିଜ୍ଞାନ ବହୁ ପ୍ରହେଳିକାକୁ ସମାଧାନ କରିବାକୁ ସକ୍ଷମ, ତଥାପି ସ୍ପିଚ୍‍ ବାରଗେନ୍‍ର ସେହି ଉଡ଼ନ୍ତାଥାଳିଆର ରହସ୍ୟ ଉଦ୍‍ଘାଟନ କରିବା ସମ୍ଭବ ନୁହେଁ । କିଛିଦିନ ତଳେ ସେହି ଯାନକୁ ସୋଭିଏଟ୍‍ ସରକାରଙ୍କର ଗୋପନୀୟ ଯାନ ବୋଲି କହି ଏହାର ଗୁରୁତ୍ୱକୁ କ୍ଷୁର୍ଣ୍ଣ କରିବା ପାଇଁ ଯେଉଁ ଅପଚେଷ୍ଟା କରାଯାଇ ଥିଲା ତାହା ବିଶେଷ ନିନ୍ଦନୀୟ । ବହୁ ବିଶେଷଜ୍ଞ ମତ ଦିଅନ୍ତି ଏହି ଯାନଟି ପୃଥିବୀର କୌଣସି ଦେଶଦ୍ୱାରା ଯେ ତିଆରି ହୋଇଛି ତାହା ଗ୍ରହଣଯୋଗ୍ୟ ନୁହେଁ । ଏହା ନିଶ୍ଚୟ ପୃଥିବୀ ବାହାରୁ ଆସିଥିବା ଅନ୍ୟ କୌଣସି ଜୀବଜଗତର ଯାନ ।

 

ନରୱେ ରକାର ଯଦିବା ଏହାର ସତ୍ୟାସତ୍ୟ ଜାଣିଥିଲେ ତଥାପି ସେମାନେ ଏହାକୁ ପ୍ରକାଶ କରି ନଥିଲେ । ଇଂରେଜ ଓ ମାର୍କିନ ସରକାର ଏହାକୁ ପରୀକ୍ଷା କରି ସେମାନଙ୍କର ମତକୁ ମଧ୍ୟ ଗୋପନୀୟ ରଖିଲେ । ସେହି ଦୁର୍ଘଟଣାଟି ଏବେ ମଧ୍ୟ ଏକ ପ୍ରହେଳିକା ହୋଇ ରହିଅଛି ।

•••

 

ପଞ୍ଚମ ଅଧ୍ୟାୟ

ଅତ୍ୟଧିକ ଚାଞ୍ଚଲ୍ୟକର ଏକ୍‍ସିଟ୍‍ର ଘଟଣା

ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ସବୁଠାରୁ ଚାଞ୍ଚଲ୍ୟକର ଘଟଣା ହେଉଛି ଆମେରିକାର ଏକ୍‍ସିଟର୍‍ ସହରର ଏକ ଘଟଣା । ଏହି ଘଟଣାଟି “ଏକ୍‍ସିଟର୍‍ ଘଟଣା” ଭାବରେ ସାରା ପୃଥିବୀରେ ପରିଚିତ । ଏହା କିଛି ବେଶିଦିନ ତଳର ଘଟଣା ନୁହେଁ । ମାତ୍ର ଏଇ କୋଡ଼ିଏ ବର୍ଷ ତଳର ଘଟଣା । ୧୯୬୫ ମସିହା ସେପ୍‍ଟେମ୍ବର ମାସ ୩ ତାରିଖ ରାତି ଅଡ଼େଇଟା ବେଳ । ଆମେରିକାର ନିଉ ହେମ୍ପସାୟାର ବାଜ୍ୟର ଏକ୍‍ସିଟର୍‍ ସହର ପୋଲିସ୍‍ ଷ୍ଟେସନ ଭିତରକୁ ତରତର ହୋଇ ପଶି ଆସିଲେ ଜୈନିକ ଯୁବକ । ତାଙ୍କ ନାଁ ନରମାନ ମସ୍କାରେଲୋ । ଭୟ ଓ ଆଶଙ୍କରେ ତାଙ୍କ ମୁହଁ କଳାପଡ଼ି ଯାଇଥିଏ । ଛେପ ଅଭାବରୁ ତାଙ୍କ ତୋଟି ପୂରାପୂରି ଶୁଖି ଯାଇଥାଏ । ତାଙ୍କ ଚେହେରାରୁ ଜଣାପଡ଼ୁ ଥାଏ ସେ ଏତେ ଭୟଭୀତ ହୋଇ ପଡ଼ିଛନ୍ତି ଯେ କିଛି ପ୍ରକାଶ କରିବାକୁ ଅକ୍ଷମ । ପୋଲିସ୍‍ ଷ୍ଟେସନର ଅଫିସର ରେଜିନଲେଡ୍‍ ଟୋଲାଣ୍ଡ ଏଭଳି ଏକ ଯୁବକକୁ ଅସମୟରେ ଦେଖି ଅବାକ୍ । କେଉଁଠି କିଛି ଗୋଟାଏ ଗୁରୁତର ଘଟଣା ଯେ ଘଟିଛି, ଏଥିରେ ତାଙ୍କ ସନ୍ଦେହ ରହିଲାନି । କିଛି ସମୟ ପୋଲିସ୍‍ ଷ୍ଟେସନରେ ବସିଲା ପରେ ମସ୍‍କାରେଲୋ ତାଙ୍କ ଅନୁଭୂତି ପୋଲିସ୍‍ ଅଫିସରଙ୍କ ଆଗରେ ବର୍ଣ୍ଣନା କଲେ ।

ମସ୍‍କାରେଲୋ ନିଉ ହେମ୍ପସାୟାର ରାଜ୍ୟର ଏକ୍‍ସିଟର୍‍ ସହରର ଲୋକ । ସେ ନିକଟବର୍ତ୍ତୀ ମାସାଚ୍ୟୁସେଟସ୍‍ ରାଜ୍ୟର ଏମସ୍‍ବରୀ ସହରକୁ କାର୍ଯ୍ୟୋପଲକ୍ଷେ ଯାଇଥିଲେ । ସହରଟି ଏକ୍‍ସିଟର୍‍ ସହରଠାରୁ ବେଶି ଦୂର ନୁହେଁ । ମୋଟେ ବାରମାଇଲ ବାଟ । ଏକ୍‍ସିଟର୍‍କୁ ଫେରୁ ଫେରୁ ରାତି ହୋଇଗଲା । ନିଜ ଗାଡ଼ିରେ ସେ ଏକ୍‍ସିଟର୍‍ ଅଭିମୁଖେ ଫେରୁଥାନ୍ତି । ରାସ୍ତାଏକ ରକମ ଜନମାନବ ଶୂନ୍ୟ । କାଁ ଭାଁ ଗୋଟାଏ ଦୁଇଟି ଗାଡ଼ି ରାସ୍ତାରେ ଚାଲୁଛି କି ନାହିଁ ସନ୍ଦେହ ।

ରାତି ଦୁଇଟା ବେଳେ ସେ ଯେତେବେଳେ ନିଉହେମ୍ପସାୟାର ରାଜ୍ୟର କେନ୍‍ସିଙ୍ଗ୍‍ଟନ୍‍ ସହରର ଏକ ଖୋଲା ପଡ଼ିଆ ଦେଇ ଗତି କରୁଥିଲେ, ଆକାଶରୁ ଏକ ପ୍ରକାର ଉଜ୍ଜ୍ୱଳ ବସ୍ତୁ ତଳକୁ ଖସିଲା, ଭଳି ତାଙ୍କୁ ଦିଶିଲା । ବସ୍ତୁଟି ଗୋଲାକାର, ବେଶ୍‍ ବିରାଟ । ଏହାର ବ୍ୟାସ ଅଶୀ ନବେ ଫୁଟରୁ କମ୍ ହେବନି । ବସ୍ତୁଟିର ଚାରି ପାଖରେ ଏକ ସରୁ ଲାଲ୍ ଆଲୋକ ଘେରି ରହି ଦପ୍‍ ଦପ୍‍ ହେଇଥିବାର ଦିଶୁଥିଲା । ପଦାର୍ଥଟି ବିନା ଶଦ୍ଦରେ ଆକାଶରୁ ତାଙ୍କ ଆଡ଼କୁ ଧାଇଁ ଆସିଲା ଭଳି ଦିଶିଲା । ଏହା କାଳେ ତାଙ୍କ ଗାଡ଼ି ସହିତ ବାଧା ପାଇବ, ଏହି ଭୟରେ ସେ ତାଙ୍କ ଗାଡ଼ିକୁ ରାସ୍ତା ତଳକୁ ଖସାଇ ନେଲେ ।

ସେହି ଉଡ଼ନ୍ତା ପଦାର୍ଥଟି ପଛକୁ ଫେରିଯାଇ ନିକଟବର୍ତ୍ତୀ ଘର ଉପରେ କିଛି ସମୟ ଉଡ଼ିବାକୁ ଲାଗିଲା । ତା’ପରେ ସେ ଦୂରକୁ ଦୂରକୁ ଚାଲିଯାଇ ଆକାଶରେ କେଉଁଆଡ଼େ ମିଳାଇ ଗଲା ଏହି ଘଟଣା ଦେଖି ମସକାରଲୋ ଅବାକ୍ । ଚାରିଆଡ଼େ ଶୁନ୍‍ଶାନ୍‍, କେହି ନାହିଁ । ଏହି ଘଟଣାରେ ଭୟଭୀତ ହୋଇ ସେ ଥରିବାକୁ ଲାଗିଲେ । ନିକଟବର୍ତ୍ତୀ ଏକ ଘରକୁ ଯାଇ କବାଟରେ ବାଡ଼େଇଲେ, କିଛି ସାହାଯ୍ୟ ପାଇବା ଆଶାରେ । ଘରଗୁଡ଼ିକ ଶୁନ୍‍ଶାନ୍, ଘରେ କେହି ନଥାନ୍ତି ।

ଏହା ଦେଖି ମସ୍‍କାରେଲୋଙ୍କୁ ଆହୁରି ଭୟ ଲାଗିଲା । ସେ ନିଜ ଗାଡ଼ି ଆଉ ନେବେ କ’ଣ, ଗାଡ଼ିକୁ ଛାଡ଼ି ସେହି ପଡ଼ିଆରେ ଦୌଡ଼ିଲେ ଏକ୍‍ସିଟର୍‍ ପୋଲିସ୍‍ ଷ୍ଟେସନ ଅଭିମୁଖେ ।

ବଡ଼ ବିଚିତ୍ର ଅନୁଭୂତି ମସ୍‍କାରେଲୋଙ୍କର । ପୋଲିସ୍‍ ଅଫିସର ଟୋଲାଣ୍ତ ସବୁ ଶୁଣିଲେ, କିନ୍ତୁ କିଛି ମନ୍ତବ୍ୟ ଦେଲେନି । କ’ଣ ବା ମନ୍ତବ୍ୟ ଦେବେ ? ଘଟଣାଟି ତାଙ୍କୁ ବେଶ୍ ରହସ୍ୟଜନକ ଜଣା ପଡ଼ିଲା । ଏହି ସମୟରେ ଟୋଲାଣ୍ତଙ୍କ ସହକାରୀ ବାର୍‍ଟ୍ରେଣ୍ତ୍‍ ଆସି ପୋଲିସ୍‍ ଷ୍ଟେସନରେ ପହଞ୍ଚିଗଲେ । ସେ ଏସବୁ କଥା ଶୁଣିଲେ । ବାର୍‍ଟ୍ରେଣ୍ତ୍ ଘଣ୍ଟାଏ ତଳେ ସେହି ରାସ୍ତା ଦେଇ ଆସୁଥିବାବେଳେ ଏମିତି ଏକ କଥା ଜଣେ ସ୍ତ୍ରୀଲୋକଠାରୁ ଶୁଣିବାକୁ ପାଇଥିଲେ । ବାର୍‍ଟ୍ରେଣ୍ତ୍‍ ପୋଲିସ୍‍ ଷ୍ଟେସନ୍‍କୁ ଫେରୁଥିଲେ ଠିକ୍ ସେଇ ରାସ୍ତା ଦେଇ । ଏହି ଘଟଣାର ଘଣ୍ଟାଏ ଆଗରୁ ସେ ବାଟରେ ଆସୁ ଆସୁ ଯେଉଁଠି ମସ୍‍କାରେଲୋଙ୍କ ଘଟଣାଟି ଘଟିଥିଲା, ତା’ଠାରୁ ଦୁଇ ମାଇଲ ଦୂରରେ ଗୋଟିଏ କାର୍ ଛିଡ଼ା ହୋଇଥିଲା । କାର୍‍ରେ କେହି ନାହିଁ । ଜଣେ ମାତ୍ର ସ୍ତ୍ରୀ ଲୋକ । ସ୍ତ୍ରୀ ଲୋକଟି ଯେଉଁ କଥାଟି ବର୍ଣ୍ଣନା କଲେ, ସେ ମସ୍‍କାରେଲୋଙ୍କ ଘଟଣା ଭଳି ବେଶ୍ ରହସ୍ୟପୂର୍ଣ୍ଣ । ସ୍ତ୍ରୀ ଲୋକଟି କହିଲେ ଯେ ସେ ନ’ମାଇଲ ଦୂର ଏପିଙ୍ଗ୍ ସହରରୁ ଏକ୍‍ସିଟର୍‍ ସହରକୁ ଆସୁଥିଲେ । ଏପିଙ୍ଗ୍‍ ସହରରୁ ଗୋଟିଏ ଆକାଶ ଯାନ ତାଙ୍କୁ ପିଛା କରି ଗୋଡ଼ାଇ ଗୋଡ଼ାଇ ଆସିଲା । ଏହି ଆକାଶ ଯାନଟି ବେଶ୍ ଉଜ୍ଜ୍ୱଳ, ଏହା ଚାରି ପାଖରେ ଦପ୍ ଦପ୍ ହେଉଥିବା ଏକ ଲାଲ୍‍ ରଙ୍ଗର ଆଲୋକ ଥିଲା । ସ୍ତ୍ରୀ ଲୋକଟି ଉକ୍ତ ସ୍ଥାନରେ ପହଞ୍ଚିଲା ପର୍ଯ୍ୟନ୍ତ ଆକାଶ ଯାନଟି ତାଙ୍କ ପିଛା ଛାଡ଼ି ନଥାଏ । ଉକ୍ତ ସ୍ଥାନଟିରେ ପହଞ୍ଚିବା କ୍ଷଣି ସେ ଯାନଟି କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ସ୍ତ୍ରୀ ଲୋକଟି ଯାନଟିର ଯେଉଁ ବର୍ଣ୍ଣନା ଦେଲେ, ସେହି ବର୍ଣ୍ଣନା ମସ୍‍କାରେଲୋଙ୍କ ଲର୍ଣ୍ଣନା ସହିତ ମିଳିଯାଉଥାଏ ।

ବାର୍‍ଟ୍ରେଣ୍ତ୍‍ଙ୍କ ଏହି ବର୍ଣ୍ଣନା ଟୋଲାଣ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟାନ୍ୱିତ କଲା । ଟୋଲାଣ୍ତଙ୍କ ନିର୍ଦ୍ଦେଶକ୍ରମେ ସେହି ରାତିରେ ବାର୍‍ଟ୍ରେଣ୍ତ୍‍ ଓ ମସ୍‍କାରେଲୋ ଘଟଣା ସ୍ଥଳକୁ ଗଲେ । ସେମାନେ ସେଠି ପହଞ୍ଚିଲା ବେଳକୁ ପ୍ରାୟ ରାତି ତିନିଟା । ଚାରିଆଡ଼ ଘନ ଅନ୍ଧକାରପୂର୍ଣ୍ଣ । ଆକାଶ ବେଶ୍ ନିର୍ମଳ । ତାରାମାନେ ଜୁଳୁ ଜୁଳୁ ହୋଇ ଆଲୋକ ବିକିରଣରେ ବ୍ୟସ୍ତ । ପୂର୍ବଭଳି ଠିକ୍ ସେହି ପଡ଼ିଆ । ପଡ଼ିଆର ଗୋଟାଏ ପାଖକୁ ସେହି ଫାର୍ମ ଘର ଦୁଇଟି ।

ବାର୍‍ଟ୍ରେଣ୍ତ୍‍ ଓ ମସ୍‍କାରେଲୋ ଗାଡ଼ିରୁ ଓହ୍ଲାଇଲେ । ଚାରିଆଡ଼କୁ ଅନାଇଲେ, ଅନ୍ଧାର ହେଲେ ବି ଅନ୍ଧାର ଭିତରେ ବହୁତ କିଛି ବାରିହେଉଥାଏ । ନାନା ଆଡ଼କୁ ଅନାଇ ଟର୍ଚ୍ଚ ପକାଇ ବାର୍‍ଟ୍ରେଣ୍ତ୍‍ ପରୀକ୍ଷା କରିବାକୁ ଲାଗିଲେ । କେଉଁଠି କିଛି ନାହିଁ । ବାର୍‍ଟ୍ରେଣ୍ତ୍‍ ଭାବିଲେ, ମସ୍‍କାରେଲୋଙ୍କର ଏବଂ ସେ ସ୍ତ୍ରୀ ଲୋକଙ୍କର ଦୃଷ୍ଟି ଭ୍ରମ ହେତୁ ଏପରି ହୋଇଥିଲା । ମସ୍‍କାରେଲୋଙ୍କୁ ବୁଝାଇବାକୁ ଚେଷ୍ଟା କଲେ ସେ ଗୋଟାଏ ହେଲିକପ୍‍ଟର କିମ୍ବା ଅନ୍ୟ କିଛି ଗୋଟାଏ ନୂଆ ଧରଣର ଆକାଶ ଯାନ ଦେଖି ଭ୍ରମ କରି ଥାଇ ପାରନ୍ତି । କିନ୍ତୁ ମସ୍‍କାରେଲୋ ତାହା ବିଶ୍ୱାସ କରିବାକୁ ନାରାଜ । ସେ ଯାହା ଦେଖିଥିଲେ, ସେଥିରେ ଭ୍ରମ ହେବାର କିଛି ନ ଥିଲା-। ସେ ହେଲିକପ୍‍ଟର ବା ଅନ୍ୟ କିଛି ଯାନକୁ ଏମିତି ଭାବରେ ଭ୍ରମ କରି ନ ପାରନ୍ତି ।

ବାର୍‍ଟେଣ୍ତ୍‍ ଏହି ସବୁ କଥା ଯେତେବେଳେ ରେଡ଼ିଓ ସାହାଯ୍ୟରେ ଟୋଲାଣ୍ତଙ୍କୁ କହିବାକୁ ଆରମ୍ଭ କଲେ, ମସ୍‍କାରେଲୋ ଚାରିଆଡ଼କୁ ଅନାଇ ସେହି ରହସ୍ୟଜନକ ପଦାର୍ଥକୁ ଖୋଜିବାରେ ଲାଗି ଯାଇଥାନ୍ତି । ତାଙ୍କଠାରୁ ଅଳ୍ପ ଦୂରରେ ଗୋଟିଏ ଘୋଡ଼ା ବନ୍ଧା ହୋଇଥିଲା । ଘୋଡ଼ାଟି ସ୍ଥାନୀୟ ଚାଷୀ ଜଣଙ୍କର ବୋଧହୁଏ । ମସ୍‍କାରେଲୋ, ଯେମିତି ଟର୍ଚ୍ଚ ଆଲୋକରେ ଚାରିଆଡ଼କୁ ପରୀକ୍ଷା କରିବାକୁ ଆରମ୍ଭ କରିଛନ୍ତି, ହଠାତ୍ ବନ୍ଧାହୋଇଥିବା ଘୋଡ଼ାଟି କ’ଣ ଦେଖିଲା କେଜାଣି ବୋବାଇବାକୁ ଆରମ୍ଭ କଲା । ପାଖଘରେ ଥିବା କୁକୁରମାନେ ମଧ୍ୟ ଭୁକି ଉଠିଲେ । ମସ୍‍କରେଲୋ ଆହୁରି ଭଲଭାବରେ ଟର୍ଚ୍ଚଲାଇଟ୍ ଆଲୁଅ ପକାଇ ପରୀକ୍ଷା କରିବାକୁ ଲାଗିଲେ । କ’ଣ ଦେଖିଲେ କେଜାଣି ପାଟିକରି ଉଠିଲେ, “ମୁଁ ତାକୁ ଦେଖିପାରୁଛି ବାର୍‍ଟ୍ରେଣ୍ତ୍‍, ମୁଁ ତାକୁ ଦେଖି ପାରୁଛି ।”

ବାର୍‍ଟ୍ରେଣ୍ତ୍‍ ହଠାତ୍ ଚମକି ପଡ଼ିଲେ । ମସ୍‍କାରେଲୋ ଯେଉଁ ଆଡ଼କୁ ଟର୍ଲଲାଇଟ୍ ଆଲୋକ ପକାଉଥାନ୍ତି, ସେ ଆଡ଼କୁ ଅନାଇଲେ । ଯା’ ଦେଖିଲେ ସେଥିରେ ତାଙ୍କ ଦେହରେ ଏକ ଶିହରଣ ଖେଲିଗଲା । ଅଦୂରରେ ଥିବା ଦୁଇଟି ଡେଙ୍ଗା ଡେଙ୍ଗା ପାଇନ୍ ଗଛ ଆଢ଼ୁଆଳରେ ରହିଛି ଏକ ଗୋଲାକାର ବିରାଟ ବସ୍ତୁଟିଏ । ଏହା ବେଶ୍ ଉଜ୍ଜ୍ୱଳ ଦିଶୁଥାଏ । ସେମାନେ ଛପି ଛପି ସେ ଆଡ଼କୁ ଆଗେଇଲେ । ସାରା ସ୍ଥାନଟି ବସ୍ତୁଟିର ଲାଲ୍ ଆଲୋକରେ ରକ୍ତରାଗରଞ୍ଜିତ । ନିକଟସ୍ଥ ଫାର୍ମ ଘରଟି ଲାଲ୍ ଆଲୋକରେ ଉଦ୍ଭାସିତ ହୋଇ ଉଠୁଥାଏ ବାର୍‍ଟ୍ରେଣ୍ତ୍‍ଙ୍କ ହାତ ଅନ୍ୟମନସ୍କ ଭାବେ ତାଙ୍କ ପିସ୍ତଲ ଉପରକୁ ଚାଲିଗଲା । ପର ମୁହୂର୍ତ୍ତରେ ମନକୁ କ’ଣ ଆସିଲା କେଜାଣି, ମସ୍‍କାରେଲୋଙ୍କୁ ଘେନି ନିଜ ପେଟ୍ରୋଲ କାର୍‍ଠାରୁ ଫେରି ଆସିଲା । ଫେରିଆସି ନିଜ ରହସ୍ୟଜନକ ଅନୁଭୂତି କଥା ପୋଲିସ୍‍ ଅଫିସର ଟୋଲାଣ୍ତକୁ ବର୍ଣ୍ଣନା କରୁଛନ୍ତି, ସେହି ରହସ୍ୟ ଜନକ ବସ୍ତୁଟି ଅପସରି ଯିବାକୁ ଆରମ୍ଭ କଲା । କିଛି ସମୟ ପରେ ଯାନଟି ଉପରକୁ ଉଠି ଆକାଶର ପ୍ରାୟ ୧୦୦ ଫୁଟ ଉଚ୍ଚରେ ଏପଟ ସେପଟ ହେବାକୁ ଲାଗିଲା । ଟିକିଏ ବି ନାହିଁ । କି ବିଚିତ୍ର ! ପଦାର୍ଥଟିର ଆଲୋକ ଏତେ ଉଜ୍ଜ୍ୱଳ ଯେ ସ୍ୱର ସେହି ଉଜ୍ଜ୍ୱଳତା ହେତୁ ସେମାନେ ପଦାର୍ଥଟିକୁ ପରିଷ୍କାର ଭାବରେ ଗେଖିପାରୁ ନ ଥିଲେ । ପଦାର୍ଥଟିର ଆଲୋକରେ ନିକଟବର୍ତ୍ତି ଫାର୍ମ ଘର ଓ ଗଛ ଆଲେକିତ ହୋଇ ଯାଇଥିଲା ।

କିଛି ସମୟ ପରେ ଯାନଟି ପୂର୍ବମୁହାଁ ଗତିକରି ହେମ୍ପଟନ୍ ସହର ଆଡ଼କୁ ମୁହାଁଇଲା । ଏହାର ଗତି ଅତି ବିଚିନ୍ତ୍ର, କୌଣସି ଜଣାଶୁଣା ଆକାଶ ଯାନର ଗତି ସହିତ ମିଳୁ ନଥାଏ । ଚାହୁଁ ଚାହୁଁ ଯାନଟି ଦୂର ଆକାଶରେ ଅଦୃଶ୍ୟ ହୋଇଗଲା ।

ଯାନଟି ଠିକ୍ ଯାଇଛି, ହଠାତ୍ ସାଠାରେ ଆସି ପହଞ୍ଚିଲେ ଆଉଜଣେ ପୋଲିସ୍‍ ଅଫିସର ଡେଭିଡ୍ ହଣ୍ଟ । ସେ ବାର୍‍ଟ୍ରେଣ୍ତ୍‍ ଓ ଟୋଲାଣ୍ତଙ୍କ ବେତାର ଜରିଆରେ କଥାବାର୍ତ୍ତା ଶୁଣି ସେଠାକୁ ଦୌଡ଼ି ଆସିଥିଲେ ।

ସେ କହିଲେ ଯେ ସେ ସେହି ବିଚିତ୍ର ଉଡ଼ନ୍ତା ବସ୍ତୁଟିକୁ ଗତି କରିବାର ଦେଖିଥିଲେ । ସେଥିରୁ ଯେଉଁ ଦପ୍‍ ଦପ୍ ଆଲେକ ବାହାରୁଥିଲା, ସେ ଦେଖିଛନ୍ତି । ଘୋଡ଼ାମାନେ ବୋବାଇବା ଶଦ୍ଦ ମଧ୍ୟ ଶୁଣିଛନ୍ତି । ସେହି ଉଡ଼ନ୍ତା ଥାଳିଆଟି ଅଦୃଶ୍ୟ ହେବାପରେ ସେହି ଆକାଶରେ ବି-୪୭ ଉଡ଼ାଜାହାଜଟିଏ ଗତି କରିଥିଲା । ଏ ଦୁଇଟି ଭିତରେ ଆକାଶ ପାତାଳ ପ୍ରଭେଦ । ଏମିତିକି ଉଭୟକୁ ତୁଳନା ମଧ୍ୟ କରାଯାଇ ନ ପାରେ । ଏହା ଯେ ଆମ ପୃଥିବୀର କୌଣସି ପ୍ରକାର ଆକାଶଯାନ ନୁହେଁ, ଏଥିରେ ସେମାନଙ୍କର ସନ୍ଦେହ ନ ଥିଲା ।

ବାର୍‍ଟ୍ରେଣ୍ତ୍‍ଙ୍କଠାରୁ ସବୁ କଥା ଶୁଣି ଟୋଲାଣ୍ତ, ଏକ୍‍ସିଟର୍‍ ସହରର ରାତ୍ରି ଜଗୁଆଳିମାନଙ୍କଠାକୁ ଫୋନ୍ କଲେ । ଏହି ସମୟରେ ହେମ୍ପଟନ୍ ସହରରୁ ଜନୈକା ମହିଳା ତାଙ୍କୁ ଫୋନ୍ କରି ଜଣାଇଲେ ଯେ ସେ କିଛି ସମୟ ତଳେ ଗୋଟିଏ ରହସ୍ୟଜନକ ଉଡ଼ନ୍ତା ଥାଳିଆ ଆକାଶରେ ଦେଖିଥିଲେ । ଥାଳିଆଟି ତାଙ୍କ ଆଡ଼କୁ ଆସୁଥିଲା । ଭୟରେ ସେ ପଳାଇଯାଇଥିଲେ । ହେମ୍ପଟନ୍ ପୋଲିସ୍‍ଅଫିସକୁ ଡାକିବାରୁ କିଛି ଉତ୍ତର ମିଳିଲାନି । ତେଣୁ ସେ ଏକ୍‍ସିଟର୍‍ ପୋଲିସ୍‍ ଅଫିସକୁ ଡ଼ାକିବାରୁ ବାଧ୍ୟ ହେଲେ ।

ତହିଁ ପରଦିନ ଗୋଟାକ ବେଳେ ଆମେରିକା ଆକାଶବାହିନୀର ଦୁଇଜଣ ଲୋକ ସେଠାକୁ ତଦନ୍ତ କରିବା ପାଇଁ ଆସିଲେ । କିଛି ସମୟ ,ସ୍ଥାନଟିକୁ ପରୀକ୍ଷା କରି କିଛି ମନ୍ତବ୍ୟ ନ ଦେଇ ଫେରିଗଲେ । ଏହା ପରେ ସେହି ଅଞ୍ଚଳର ବିଭିନ୍ନ ପୋଲିସ୍‍ଷ୍ଟେସନକୁ ଅସଂଖ୍ୟ ଫୋନ୍ ଆସିଲା । ସବୁ ଫୋନ୍ ସେହି ରହସ୍ୟଜନକ ଉଡ଼ନ୍ତା ଥାଳିଆ ସଂପର୍କରେ ।

ମସ୍‍କାରେଲୋ ଯେଉଁଠି ବୁଲୁଥିଲେ, କିଛିଦିନ ତଳେ ସତରବର୍ଷ ବୟସରେ ଆଉ ଜଣେ ଯୁବକ ସେହି ରାସ୍ତାରେ ନିଜ କାର୍ ଚଳାଇ ଯାଉଥିଲେ । ତାଙ୍କ ନାଁ ହେଉଛି ରନ୍ ସ୍ମିଥ୍ । ସେ ରାତି ଏଗାରଟା ବେଳେ ନିଜ ମା’ ଓ ଖୁଡ଼ିଙ୍କ ନିଜ କାରରେ ବସାଇ ସେହି ରାସ୍ତା ଦେଇ ଯାଉଥିଲେ-। ଯାଉଁ ଯାଉଁ ହଠାତ୍ ଯୁବକର ଖୁଡ଼ୀ ଆକାଶରେ କ’ଣ ଗୋଟିଏ ବିଚିତ୍ର ବସ୍ତୁ ଦେଖି ପାଟିକରି ଉଠିଲେ । ସ୍ମିଥ୍ ଉପରକୁ ଅନାଇ ଦେଖିଲେ ଯେ ଗୋଟିଏ ଉଡ଼ନ୍ତା ବସ୍ତୁ ତାଙ୍କ କାର ଉପର ଦେଇ ଚାଲିଗଲା । ବସ୍ତୁଟି ବିଚିତ୍ର, ଏହାର ଉପର ଅଂଶରେ ଲାଲ୍‍ ରଙ୍ଗର ଏକ ଆଲୋକ ପଡ଼ିଥିଲା । ଆଲେକଟି ଖୁବ୍ ଉଜ୍ଜ୍ୱଳ । ଏଥିରୁ କିଛି ଶଦ୍ଦ ବାହାରୁ ନ ଥିଲା ।

ହେମ୍ପଟନ୍‍ସହରର ମିସେସ୍ ଭରଜିନିଆ ହେଲ୍ ନାମକ ଜନୈକା ମହିଳା ସମ୍ୱାଦଦାତ୍ରୀ ଏହିଭଳି ଏକ ରହସ୍ୟଜନକ ବସ୍ତୁ ଦେଖିଥିଲେ । ସେ ତାଙ୍କର ରୋଷେଇ ଘର ବେସିନ୍ ପାଖରେ ହାତ ଧୋଉଥିଲେ । ଝରକା ଦେଇ ଦେଖିଲେ ସଂଧ୍ୟା ସାଢ଼େ ଛ’ଟା ବେଳେ ଆକାଶରେ ଏକ ବିଚିତ୍ର ବସ୍ତୁ ଦେଖାଗଲା । ଏହି ବସ୍ତୁଟି ଉଡ଼ୁ ଉଡ଼ୁ ଆକାଶରେ କିଛି ସମୟ ସ୍ଥିରହୋଇ ରହିଗଲା । ସେ ଯେତିକି ସମୟ ଦେଖିଥିଲେ, ସେତିକିରେ ତାଙ୍କର ଧାରଣା, ଏହାର ଆକାର ଗୋଟିଏ ଥାଳିଆ ଭଳି ।

ସେହି ଅଞ୍ଚଳର ବହୁ ସ୍ତ୍ରୀ ଲୋକ ଆକାଶରେ ଏହିଭଳି ପଦାର୍ଥ ଦେଖି ବଡ଼ ଭୟଭୀତ ହୋଇ ପଡ଼ିଥିଲେ । ସେମାନଙ୍କର ଭୟ ଏତେ ବଢ଼ି ଯାଇଥିଲା ଯେ ସେମାନେ ରାତିରେ ଏକୁଟିଆ କୁଆଡ଼େ ଯିବାକୁ ସାହାସ କରୁ ନ ଥିଲେ ।

ଏହି ଘଟଣାର ଅଳ୍ପଦିନ ଭିତରେ ଆକାଶରେ ସେହି ରହସ୍ୟଜନକ ବସ୍ତୁ ସଂପର୍କରେ ନାନା ଖବର ବିଭିନ୍ନ ଖବରକାଗଜ, ରେଡ଼ିଓ, ଟେଲିଭିଜନରେ ବାହାରିଲା । ଲୋକଙ୍କ ମୁଖରେ ନାନା ପ୍ରକାର ଗୁଜବ ଶୁଣାଗଲା ।

ଅନେକଙ୍କ ବିବରଣୀରୁ ପ୍ରକାଶ ଯେ, ଏହି ପଦାର୍ଥଟି ବେଶ୍ ଉଜ୍ଜ୍ୱଳ, ଦେଖିବାକୁ ଚୋଟିଏ ଥାଳିଆ ଭଳି । ଏହା .ଚାରିପାଖରେ ଏକ ଲାଲ୍‍ ରଙ୍ଗର ଆଲୋକ ଏହାକୁ ଘେରି ରହିଥାଏ । ଏହି ଯାନଟି ଗତି କଲାବେଳେ ଏଥିରୁ ମୋଟେ ଶବ୍‍ଦ ବାହାରେ ନାହିଁ ।

ଏହି ଘଟଣାର ପ୍ରାୟ ଦୁଇ ମାସ ପରେ, ଅର୍ଥାତ୍ ୧୯୬୫ ମସିହା ଅକ୍ଟୋବର ମାସ ଶେଷ ଆଡ଼କୁ ସେହି ସହରରେ ଏହିଭଳି ଆଉ ଏକ ରହସ୍ୟଜନକ ଘଟଣା ଘଟିଲା । ଏକ୍‍ସିଟର୍‍ ସହରର ଜନୈକ ଯୁବକ ଯୋସେଫ୍‍ ଜଲ୍‍ବର୍ଟ ନିଜ ଆଖିରେ ଯାହା ଦେଖିଥିଲେ, ତାହା ଆହୁରି ରହସ୍ୟପୂର୍ଣ୍ଣ । ଯୋସେଫ୍‍ଙ୍କ ଘର ଏକ୍‍ସିଟର୍‍ ସହରରେ । ଦିନେ ସନ୍ଧ୍ୟାବେଳେ, ଆକାଶରେ ସେ ସିଗାର ଆକୃତିର ଏକ ଅଦ୍ଭୁତ ବସ୍ତୁ ଦେଖିଲେ । ଏହା ବେଶ୍‍ ଉଜ୍ଜ୍ୱଳ ଓ ଆଲେକିତ ଦିସୁଥିଲା । ଅନାଉଁ ଅନାଉଁ ହଠାତ୍ ଏଥିଭିତରୁ ଆକାରରେ ଅପେକ୍ଷାକୃତ ଛୋଟ ଥାଳିଆଟିଏ ବାହାରିଲା । ଏହି ଥାଳିଆଟି ଧୀରେ ଧୀରେ ପୃଥିବୀ ପୃଷ୍ଠ ଆଡ଼କୁ ଆସିଲା । ପୃଥିବୀ ପୃଷ୍ଠଠାରୁ ୧୦୦ ଫୁଟ ଉଚ୍ଚରେ ଏହା ଆକାଶରେ ସ୍ଥିର ହୋଇ ରହିଲା ପରେ ପରେ ଏଥିରୁ ବାହାରିଲା ଗୋଟିଏ ପାଇପ୍-। ପାଇପ୍‍ଟି ତଳକୁ ଆସି ନିକଟବର୍ତ୍ତି ଇଲେକ୍‍ଟ୍ରିକ୍ ଲାଇନ୍‍ର ତାର ସହିତ ସଂଯୁକ୍ତ ହେଲା । କିଛି ସମୟ ପରେ ଏହି ପାଇପ୍‍ଟି ପୁଣି ସେହି ଥାଳିଆ ଭିତରକୁ ଚାଲିଗଲା । ଉଡ଼ନ୍ତା ଥଳିଆଟି ଗତିକରି ପୁଣି ସେହି ସିଗାର ଆକୃତିର ବସ୍ତୁଟିର ଭିତରେ ଲୁଚିଗଲା । କିଛିସମୟ ପରେ ସେହି ସିଗାର ଆକୃତିର ବସସ୍ତୁଟି କିଛି ଦୂରଯାଇ ଆକାଶରେ ମିଳାଇଗଲା ।

ଏକ୍‍ସିଟର୍‍ ସହରର ଏହି ଘଟଣାଗୁଡ଼ିକ କ’ଣ ଏବେ ବି ଜଣାପଡ଼ିନି । ରହସ୍ୟଜନକ ଏହି ପଦାର୍ଥଗୁଡ଼ିକ କ’ଣ କେହି କିଛି କହି ପାରୁନାହାନ୍ତି । ଏହାର ରହସ୍ୟ ଉଦ୍‍ଘାଟନ କରିବାକୁ ସାଧାରଣ ଲୋକେ ଚେଷ୍ଟାକରି ମଧ୍ୟ କ୍ଷମ ହେଇ ନାହାନ୍ତି । ଯୁକ୍ତରାଷ୍ଟ୍ର ସରକାରଙ୍କ, ଯୁନ୍ଧବିଭାଗ ଏ ସମ୍ୱନ୍ଧରେ ପୂରା ପୂରି ନୀରବ । ତେବେ କେତେକ ବୈଜ୍ଞାନିକ ଏହାକୁ ଏକ ଆଲେକୀୟ ଦୃଷ୍ଟିଭ୍ରମ ବୋଲି କହନ୍ତି । ଏ ସମ୍ୱନ୍ଧରେ ପରେ ଆଲୋଚିତ ହୋଇଛି ।

ଉପରୋକ୍ତ ଘଟଣାଠାରୁ ଆହୁରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା ଅଷ୍ଟ୍ରେଲିଆରେ ୧୯୬୫ ମସିହାରେ । ସେହିବର୍ଷ ମେ ମାସ ତା୨୪ରିଖ ଦିନ ଇଟନ୍‍ରେଞ୍ଜଠାରେ ଥିବା ରିଟ୍ରିଟ୍ ହୋଟେଲଠାରେ ଟ୍ରାନ୍‍ସ ଅଷ୍ଟେଲିଆ ଏଆର ଲାଇନ୍‍ସର ଉଡ଼ାଜାହାଜ ଚାଳକ ଜେ.ଡବ୍‍ଲିଉ ଟିଲ୍‍ସେ, ଯୁଦ୍ଧବିଭାଗର ଅପିସର ଜନ୍ ବର୍‍ଗେସ୍‍ ଓ ଇଞ୍ଜିନିୟର ଏରିକ୍ ଜୁଡ଼ିନ୍ ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେମାନେ ଏକପ୍ରକାରର ଅଦ୍ଭୁତ ଉଡ଼ନ୍ତା ଯାନ ବିଚିତ୍ର ଭାବରେ ଆଲେକିତ ହୋଇ ଆକାଶରେ ସେମାନଙ୍କ ହୋଟେଲ ଆଡ଼କୁ ଆସୁଥିଲା । ହୋଟେଲ ଠାରୁ ପ୍ରାୟ ୩୦୦ ଗଜ ଦୂରରେ ଥିବା ଅବସ୍ଥାରେ ହଠାତ୍ କୋଡ଼ିଏ ତିରିଶଟି ଶକ୍ତିଶାଳୀ ଆଲୋକ ଏହାର ଏକ ଅଂଶରୁ ଗୋଲାକାର ରୀତିରେ ସଜ୍ଜିତ ହୋଇ ବାହାରିଲା । ଉଡ଼ନ୍ତା ଯାନଟି ଏହି ଆଲୋକ ସହିତ ପ୍ରାୟ ଅଧଘଣ୍ଟାଏ କାଳ ଆକାଶରେ ସ୍ଥିର ହୋଇ ରହିଗଲା ପରେ ଏହା ପୁଣି ଆକାଶକୁ ଉଠି ଖୁବ୍ ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦୂର ଆକାଶରେ ମିଳାଇଗଲା ।

ଯୁକ୍ତରାଷ୍ଟ୍ର ସରକାରଙ୍କ ଯୁଦ୍ଧବିଭାଗର କେନ୍ଦ୍ର ଅଫିସ ପେଣ୍ଟାଗନ୍ ଠାରୁ ଅଳ୍ପ ଦୂରରେ କେତେ ଜଣ ସାମରିକ ଅପିସର ଝରକା ବାଟେ ୧୯୬୫ ମସିହା ଜାନୁୟାରୀ ମାସ ଏଗାର ତାରିଖ ଅପରାହ୍ନ ଚାରିଟା ବେଳେ ଅଣ୍ତାକାରର କେତେଗୁଡ଼ିଏ ଉଡ଼ନ୍ତା ଯାନ ଦେଖିଥିଲେ । ରେଡ଼ାର ପରଦାରେ ଏହି ଅଚିହ୍ନା ଯାନଗୁଡ଼ିକ ମଧ୍ୟ ଧରାପଡ଼ିଥିଲା । ଏଗୁଡ଼ାକ ଆକାଶର ଦଶ ପନ୍ଦର ହଜାର ଫୁଟ ଉଚ୍ଚରେ ବଡ଼ ବିଚିତ୍ର ରୀତିରେ ଉଡ଼ୁଥିଲା । ସେଗୁଡ଼ିକର ଆକାର ଥାଳିଆ ଭଳି-। ଯୁଦ୍ଧବିଭାଗର ‘ଲଢ଼ୁଆ ଜେଟ୍ ଜାହାର ସେମାନଙ୍କର ପିଛା କରିବାକ୍ଷଣି ସେମାନେ ଆଖି ପିଛୁଳାକେ ଆକାଶରେ ଅନ୍ତର୍ହିତ ହୋଇଗଲେ ।

ବଡ଼ ବିଚିତ୍ର ସମାବେଶ, ୧୯୬୫ ମସିହାରେ ଆମେରିକା ଆକାଶରେ ସବୁଠାରୁ ଅଧିକ ସଂଖ୍ୟକ ଉଡ଼ନ୍ତା ଥାଲିଆ ଦେଖାଯାଇଥିଲା । ସେହି ବର୍ଷ ଆମେରିକାର ବହୁ ସହରରେ ଅଧିକତର ବିଦ୍ୟୁତ୍‍ ସରବରାହ ସାମୟିକ ଭାବରେ ବ୍ୟାହତ ହୋଇଥିଲା । ଏଥିରୁ ବହୁ ବିଶେଷଜ୍ଞ ମତଦେଇଥିଲେ ଯେ ବିଦ୍ୟୁତ୍‍ ସରବରାହ ବ୍ୟାହତ ହେବା ପଛରେ ଉଡ଼ନ୍ତା ଥାଳିଆ ଗୁଡ଼ିକର କିଛି ହାତ ଥାଇପାରେ । ନିମ୍ନଲିଖିତ ଘଟଣାଟିରୁ ଏହି ଅନୁମାନ କେତେକାଂଶରେ ସତ୍ୟ ବୋଲି ବିଶେଷଜ୍ଞମାନେ ମତଦିଅନ୍ତି । ଇଣ୍ତିଆନାପଲିସ୍ ସିମ୍‍ଫୋନି ଅରକେଷ୍ଟ୍ରାର ସହକାରୀ ନିର୍ଦ୍ଦେଶକ ରେନଟୋ ପକିନି, ଓ ତାଙ୍କ ସ୍ତ୍ରୀ ଥରେ ନିଉୟର୍କ ରାଜ୍ୟର ସିରାକ୍ୟୁସ୍ ସହରକୁ ବୁଲି ଯାଉଥିଲେ । ସେମାନେ ସେଠାରୁ ମଟର ଯୋଗେ ରୋଚେଷ୍ଟର ସହର ଅଭିମୁଖେ ଗଲେ ସେମାନେ ଯାଉଁ ଯାଉଁ ଆକାଶରେ ଏକ ଉଜ୍ଜ୍ୱଳ ଉଡ଼ନ୍ତା ପଦାର୍ଥ ଦେଖିଲେ । ସେମାନଙ୍କ ସହିତ ଯାଉଥିବା ଅନ୍ୟବନ୍ଧୁମାନଙ୍କୁ ମଧ୍ୟ ସେ ଏହାକୁ ଦେଖାଇଦେଲେ । କିଛି ଦୂର ଗଲାପରେ ଏହା ଆକାଶରେ ହଠାତ୍ ଦିଗ ବଦଳାଇ ସିରାକ୍ୟୁସ୍ ସହର ଅଭିମୁଖେ ମୁହାଁଇ ଆକାଶରେ ଅଦୃଶ୍ୟ ହୋଇଗଲା । ଠିକ୍ ଏହି ଘଟଣା ପରେ ରେଡ଼ିଓ ଯୋଗେ ଖବର ମିଳିଲା ଯେ ନିଉୟର୍କ ରାଜ୍ୟର ସେହି ଅଂଶରେ ବିଦ୍ୟୁତ୍‍ ସରବରାହ ବ୍ୟାହତ ହୋଇଛି । ଠିକ୍ ଏହି ଘଟଣା ପରେ ଦୁଇଜଣ ଉଡ଼ାଜାହାଜ ଚାଳକ ଏକ ଉଡ଼ାଜାଡ଼ାଜରୁ ଥାଇ ଏହି ଥାଳିଆ ଆକାରର ଉଡ଼ନ୍ତା ପଦାର୍ଥଟିକୁ ଆକାଶରେ ଲକ୍ଷ୍ୟ କରିଥିବା କଥା ବେତାର ଯୋଗେ ଜଣାଇଥିଲେ । ଏହି ଉଡ଼ନ୍ତା ଥାଳିଆକୁ ଦୁଇଟି ଜେଟ୍ ବିମାନ ପିଛା କଲାରୁ ଉଡ଼ନ୍ତା ଥାଳିଆଟି ଆକାଶରେ କୋଉଁଆଡ଼େ ଉଭେଇ ଗଲା ।

୧୯୬୫ ମସିହା ଅଗଷ୍ଟ ମାସ ତା୨୩ରିଖ ଦିନ ଆମେରିକାର ଦକ୍ଷିଣ ଡାକୋଟା ଓ ମେକ୍‍ସିକୋ ସୀମାଠାରେ ହଜାର ହଜାର ଆମେରିକାର ଲୋକ ବହୁତ ଗୁଡ଼ିଏ ଆଲେକିତ ଉଡ଼ନ୍ତା ଥାଳିଆ ଳକ୍ଷ୍ୟ କରିଥିଲେ । ଏଗୁଡ଼ିକ ବେଶ୍ ଉଜ୍ଜ୍ୱଳ, ଖୁବ୍‍ ବେଗରେ ଗତି କରୁଥାନ୍ତି ଓ ହଠାତ୍ ସମକୋଣ କରି ଦିଗ ବଦଳାଇ ପାରୁଥାନ୍ତି । ବେଳେବେଳେ ଏହି ଉଡ଼ନ୍ତା ପଦାର୍ଥ ହଠାତ୍ ଆକାଶରେ ସ୍ଥିର ହୋଇ ରହିଯାଉଥାନ୍ତି । ଏହି ଉଡ଼ନ୍ତା ପଦାର୍ଥଗୁଡ଼ିକ କ’ଣ ତାହା ଏହାକୁ ଆକାଶରେ କାଳପୁରୁଷ ମଣ୍ତଳର ଚାରୋଟି ନକ୍ଷତ୍ରର ଆଲୋକ ବୋଲି କହନ୍ତି । କିନ୍ତୁ ଆମେରିକାର ବଡ଼ ବଡ଼ ଜ୍ୟୋତିର୍ବିଦ୍‍ମାନେ ଏହାକୁ ମୋଟେ ସ୍ୱୀକାର କରନ୍ତି ନାହିଁ ।

୧୯୫୭ ମସିହା ନଭେମ୍ୱର ମାସ ତା୨ରିଖ ଦିନ ସୋଭିଏଟ୍ ରୁଷିଆ ମହାଶୂନ୍ୟକୁ ସ୍ଫୁଟ୍‍ନିକ୍ ଦ୍ୱିତୀୟ ପ୍ରେରଣ କରିଥିଲା । ଏଥିରେ ଲାଇକା ନାମକ ଏକ କୁକୁର ଥିଲା । ଏହି ଘଟଣାର ଠିକ୍ ଅବ୍ୟବହିତ ପରେ ଆମେରିକାର ଣଟକ୍‍ସାସ୍‍ ଅଞ୍ଚଳର ଏକ ପ୍ରଧାନ ରାସ୍ତା ନିକଟରେ ଲାଲ୍‍ ଆଲୋକ ପରିବେଷ୍ଟିତ ପ୍ରକାଣ୍ତ ଉଡ଼ନ୍ତା ଯାନଟିଏ ଓହ୍ଲାଇଲା । ଏହା ପରେ ପରେ ଆଉ ଗୋଟିଏ ବିଚିତ୍ର ଉଡ଼ନ୍ତାଯାନ ସେଠି ଓହ୍ଲାଇଲା । କିଛି ସମୟ ପରେ ସେଗୁଡ଼ିକ ସେଠୁ ଅନ୍ତର୍ହିତ ହୋଇଗଲେ । ଯୁକ୍ତରାଷ୍ଟ୍ର ସେନାବିଭାଗ ଏହାକୁ ଏକ ଆଲୋକୀୟ ଦୃଷ୍ଟିଭ୍ରମ ବୋଲି ମତ ଦେଇଥିଲେ ହେଁ, ଲୋକେ ଏହାକୁ ଗ୍ରହଣ କରି ନ ଥିଲେ ।

•••

 

ଷଷ୍ଠ ଅଧ୍ୟାୟ

ଉଡ଼ନ୍ତା ଥାଳିଆର ଧ୍ୱଂସକାରୀ ଶକ୍ତି

 

ପୃଥିବୀରେ ଘଟିଯାଇଥିବା କେତେଗୋଟି ବଡ଼ ବଡ଼ ଦୁର୍ଘଟଣା ସହିତ ଏହି ଉଡ଼ନ୍ତା ଥାଳିଆ ତଥା ଏହାର ସମଜାତୀୟ ଯାନ ସଂପୃକ୍ତ ବୋଲି କେତେକ ବିଶେଷଜ୍ଞ ମତ ଦିଅନ୍ତି ।

 

୧୯୪୯ ମସିହା ଜାନୁୟାରୀ ମାସ ସାତ ତାରିଖ ଦିନ ଆମେରିକାରେ ଏକ ଅଦ୍ଭୁତ ଖବର ପ୍ରକାଶ ପାଇଲା । ଯୁକ୍ତରାଷ୍ଟ୍ରର କେନ୍‍ଟୁକି ରାଜ୍ୟସ୍ଥ ଫୋର୍ଟ ଗୁଡ଼୍‍ମେନ୍ ଏୟାର ଫୋର୍ସ ଘାଟିରେ ଥିବା କେତେଜଣ ଲୋକ ସେହିଦିନ ଉପରଓଳି ଆକାଶରେ ଉଡ଼ୁଥିବା ଏକ ରହସ୍ୟଜନକ ପଦାର୍ଥ ଦେଖିବାକୁ ପାଇଲେ । ଏହା ଆଇସ୍‍କ୍ରିମ୍‍ ଶଙ୍କୁ ଭଳି ଦେଖାଯାଉଥିଲା ଓ ଏହାରଅଗ୍ରଭାଗ ଲାଲ୍‍ ବର୍ଣ୍ଣ ଥିଲା । ନେସନେଲ ଗାର୍ଡର ଏଫ୍- ୫୧ ଜାହାଜରେ ଯାଇ ଏହି ରହସ୍ୟଜନକ ପଦର୍ଥଟି କ’ଣ ଆବିଷ୍କାର କରବା ପାଇଁ ଚାରି ଜଣ ଉଡ଼ାଜାହାଜ ଚାଳକଙ୍କୁ ନିର୍ଦ୍ଦେଶ ଦେଲେ ଘାଟିର ପରିଚାଳକ କର୍ଣ୍ଣେଲ ଗାଏ ହିକସ୍ । ସେମାନେ ସଙ୍ଗେ ସଙ୍ଗେ ସେହି ପଦାର୍ଥଟି ପଛରେ ଗୋଡ଼ାଇଲେ । ଗୋଡ଼ାଉଥିବା ଏହି ଜାହାଜର କେପ୍‍ଟେନ୍ ଥମାସ୍‍ ଏଫ୍ ମେଣ୍ଟେଲ୍ ଜାହାଜ ଘାଟିର କଣ୍ଟ୍ରୋଲ ରୁମକୁ ଖବର ପଠାଇଲେ ଯେ ସେମାନେ ସେହି ରହସ୍ୟଜନକ ବସ୍ତୁର ଖୁବ୍ ନିକଟତର ହେବାକୁ ଯାଉଛନ୍ତି । ଖୁବ୍ ପାଖେଇ ଗଲେ ସେ ଏହାକୁ ଆହୁରି ଭଲ ଭାବରେ ନିରୀକ୍ଷଣ କରି ପାରିବେ । କିଛି ସମୟ ପରେ ସେ ପୁଣି ବାର୍ତ୍ତା ପଠାଇଲେ ଯେ ପଦାର୍ଥଟି ଧାତୁରୁ ନିର୍ମିତ ବୋଲି ଜଣା ପଡ଼ୁଛି ଓ ଏହାର ଆକାର ଖୁବ୍‍ ବିରାଟ । ଏହା ଖୁବ୍ ଜୋରରେ ଉପରକୁ ଉଠୁଛି । ପରେ ପୁଣି ଖବର ଆସିଲା ଯେ, ଏହା ଘଣ୍ଟାକୁ ୩୬୦ ମାଇଲ ବେଗରେ ଧାବମାନ ହେଉଛି ଓ ସେ ଏହା ପଛରେ ଗୋଡ଼ାଉଛନ୍ତି । ଶେଷଥର ପାଇଁ ଖବର ଆସିଲା ଯେ ମେଣ୍ଟେଲ୍‍ ଏହା ପଛରେ ଗୋଡ଼ାଇ ଗୋଡ଼ାଇ ୨୦,୦୦୦ ଫୁଟ ଉପରକୁ ଉଠି ଗଲେଣି, ପଦାର୍ଥଟି ତାଙ୍କ ଠାରୁ ମାନ୍ତ୍ର ୨୦୦ ଫୁଟ ଦୂରରେ ଅଛି । ସେ ଯଦି ଏହାର ଅଧିକା ପାଖକୁ ନ ଯାଇପାରନ୍ତି, ତେବେ ଫେରି ଆସିବେ । ଏହି ଖବରଟି ସେହି ଦିନ ଉପରଓଳି ୩ ଘଣ୍ଟା ପନ୍ଦର ମିନିଟ ସମୟରେ ଉଡ଼ାଜାହାଜ ଘାଟିରେ ମିଳିଥିଲା । ତା ପରେ ମେଣ୍ଟେଲ୍‍ଙ୍କଠାରୁ ଆଉ କିଛି ଖବର ଆସିଲା ନାହିଁ । ଏହି ଘଟଣାର କିଛି ସମୟ ପାରେ ଦେଖାଗଲାଯେ ପୋର୍ଟ ନକ୍‍ସ୍‍ଠାରେ ମେଣ୍ଟେଲ୍‍ଙ୍କ ମୃତଦେହ ପଡ଼ିଛି । ଉଡ଼ାଜାହାଜଟି ଭଙ୍ଗି ଚୁରମାର ହୋଇ ଯାଇଛି । ଆମେରିକାର ଆକାଶ ବାହିନୀ ମତ ଦେଲେ ଯେ ମେଣ୍ଟେଲ୍‍ ଆକାଶର ଖୁବ୍‍ ଉପରକୁ ଉଡ଼ିଯାଇ ଅମ୍ଳଜାନ ଅଭାବରୁ ମୃତ୍ୟ ବରଣ କରିଛନ୍ତି । ମେଣ୍ଟେଲ୍ ଯେଉଁ ରହସ୍ୟଜନକ ପଦାର୍ଥଟି ପଛରେ ଗୋଡ଼ାଇ ଥିଲେ, ସେହି ପଦାର୍ଥଟିକୁ କେତେକେ ଶୁକ୍ରଗ୍ରହ ସହିତ ସଂପୃକ୍ତ ବୋଲି ଭାବୁଥିଲେ । କିନ୍ତୁ ପରେ ଗଣନାରୁ ଜଣାଗଲା ଯେ, ସେଦିନ ଆକାଶର ସେହି ଅଂଶରେ ଶୁକ୍ରଗ୍ରହ ଅବସ୍ଥାନ କରୁ ନ ଥିଲା । ସେହି ରହସ୍ୟଜନକ ପଦାର୍ଥଟି ସେମିତି ଆଜଣା ରହିଗଲା । ଏହାର ପ୍ରକୃତ ରହସ୍ୟ ଉଦ୍‍ଘାଟିତ ହୋଇପାରିଲାନି । କେତେକଙ୍କ ମତରେ, ମେଣ୍ଟଲ୍ ଗୋଡ଼ାଉଥିବା ଉଡ଼ନ୍ତା ଥାଳିଆରୁ ମାରାତ୍ମକ ମୃତ୍ୟ ରଶ୍ମି ବାହାରି ମେଣ୍ଟେଲ୍‍ଙ୍କ ମୃତ୍ୟୁ ଘଟାଇଲା । କାରଣ ଯେଉଁଭଳି ଭାବେ କ୍ଷତି ବିକ୍ଷତ ହୋଇ ତାଙ୍କ ମୃତଦେହ ମିଳିଲା, ଏ ଭଳି ମୃତଦେହ ସାଧାରଣତଃ ଉଡ଼ାଜାହାଜ ଦୁର୍ଘଟଣାରେ ଦେଖାଯାଏନି ।

 

୧୯୫୩ ମସିହାରେ ଆମ କଲିକତାର ଦମ୍ ଦମ୍ ଉଡ଼ାଜାହାଜ ଘାଟିର ଏକ ଘଟଣା । ସେହିଦିନ ଏହି ଉଡ଼ାଜାହାଜଘାଟିରୁ ଏକ କମେଟ୍ ଜେଟ୍‍ଜାହାଜ ଆକାଶକୁ ଉଠିଲା । ଏହା ସହିତ ପ୍ରଥମ କେତେ ମିନିଟ ପର୍ଯ୍ୟନ୍ତ ଉଡ଼ାଜାହାଜ ଘାଟିର ବେତାର ଯୋଗାଯୋଗ ଥିଲା । ତା ପରେ ସବୁ ଛିନ୍ନ ହୋଇଗଲା । କିଛି ସମୟ ପରେ ଏହି ଜେଟ୍ ଜାହାଜଟି ଦୁର୍ଘଟଣାର ସମ୍ମୁଖିନ ହେଲା । ଯେତେବେଳେ ଆମ ପୃଥିବୀ ଆକାଶରେ ବହୁ ଉଡ଼ନ୍ତାଯାନ ଦେଖା ଯାଉଥାନ୍ତି, ଏହି ଘଟଣାଟି ଠିକ୍ ସେହିବେଳର । କେତେକଙ୍କ ମତରେ ଏକ ଆଜଣା ଉଡ଼ନ୍ତାଯାନ ସହିତ ବାଧାପାଇ ବା ଉଡ଼ନ୍ତା ଯାନର ଆକ୍ରମଣ ହେତୁ ଏହା ଧ୍ୱଂସ ପାଇଗଲା । ଏବେବି ଏହି ଘଟଣାଟି ରହସ୍ୟାବୃତ ହୋଇ ରହିଛି ।

 

ଏ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିବା ତିନିଜଣ ରୁଷ ମହାକାଶଚାରୀଙ୍କ ମୃତ୍ୟୁ ମୂଳରେ ଉଡ଼ନ୍ତା ଥାଳିଆ ଓ ଏହାର ଚାଳକମାନେ ଥିଲେ ବୋଲି କେତେକେ ମତ ଦିଅନ୍ତି । ୧୯୬୧ ମସିହା ଫେବୃୟାରୀ ମାସ ତା୧୭ରିଖ ଦିନ ସୋଭିଏତ୍‍ ରୁଷିଆର ଆରଲ୍ ସମୂଦ୍ର କୂଳସ୍ଥ ବାଇକୋନୋରଠାରୁ ମହାଶୂନ୍ୟକୁ ପ୍ରେରିତ ହେଲେ ତିନି ଜଣ ମହାକାଶଯାତ୍ରୀ । ସେମାନଙ୍କ ଭିତରୁ ଦୁଇଜଣ ପୁରୁଷ ଓ ଜଣେ ସ୍ତ୍ରୀ । କେତେକ କାରଣବସତଃ ଏହି ମହାଶୂନ୍ୟଚାରୀ ପୃଥିବୀକୁ ଫେରି ନ ପାରି ମହାଶୂନ୍ୟରେ ମୃତ୍ୟୁ ବରଣ କଲେ । ସେମାନେ ମହାଶୂନ୍ୟରେ ଗତି କରୁଥିବାବେଳେ ଝରକା ଦେଇ ଉଡ଼ନ୍ତା ଥାଳିଆ ଭଳି ଯାନ ଦେଖିବାର ବାର୍ତ୍ତା ପୃଥିବୀର କେତେକ ସଂଯୋଗ କେନ୍ଦ୍ର ସେମାନଙ୍କଠାରୁ ସଂଗ୍ରହ କରି ପାରିଥିଲେ । ସେହି ଉଡ଼ନ୍ତାଯାନଦ୍ୱାରା ସେମାନେ ଅତ୍ୟଧିକ ଭୟଭୀତ ହୋଇ ଯାଇଥିଲେ ବୋଲି ପ୍ରମାଣ ମିଳେ । କେତେକଙ୍କ ମତରେ ଏହି ନୃଶଂଶ ଉଡ଼ନ୍ତାଯାନର ଚାଳକ ମାନେ ସେହି ମହାକାଶଚାରୀମାନଙ୍କ ମହାଶୂନ୍ୟ ଯାନକୁ ଅଚଳ କରିଦେଇ ସେମାନଙ୍କୁ ମୃତ୍ୟୁଗାମୀ କରି ଦେଇଥିଲେ ।

 

୧୯୬୧ ମସିହା ଜାନୁୟାରୀ ମାସ ତା୧୦ରିଖ ଦିନ ଆମେ ରିକାର ରକେଟ୍ କେନ୍ଦ୍ର କେପ୍‍କେନେଭେରାଲ (ଆଧୁନିକ ନାମ କେପ୍‍କେନେଡ଼ି)ଠାରୁ ମହାଶୂନ୍ୟକୁ ପୋଲାରିସ୍ ମିଜିଲି ଛଡ଼ାଯାଇଥିଲା । ଏହି ପୋଲାରିସ୍‍ ମିଜିଲିର ଯନ୍ତ୍ର କିଛିଦୂର ଯିବାପରେ ସାମୟିକ ଅଚଳ ହୋଇଯାଇ ପରେ ପୁଣି ଭଲ ଭାବରେ ଚାଲିଥିଲା । ରେଡ଼ାରଚିତ୍ରରୁ ଜଣାଗଲା, ଯେତେବେଳେ ପୋଲାରିସ୍‍ ଯନ୍ତ୍ରପାତି ଅଚଳ ହୋଇଯାଇଥିଲା, ଠିକ୍ ସେତେବେଳେ ଏହା ଏକ ଅଜଣା ଉଡ଼ନ୍ତାଯାନର ସମ୍ମୁଖୀନ ହୋଇଥିଲା । ଉଡ଼ନ୍ତାଯାନଟି ଏହାର ଯନ୍ତ୍ରକୁ ସାମୟିକ ଅଚଳ କରିଦେଇଥିଲା । ଉଡ଼ନ୍ତାଯାନଟି ଅପସରି ଯିବାପରେ ଏହା ପୁଣି କାମ କଲା ।

 

ଉଡ଼ନ୍ତା ଥାଳିଆ ନିକଟକୁ ଆସି ବହୁ ଉଡ଼ାଜାହାଜ କ୍ଷତିଗ୍ରସ୍ତ ହେବାର ଏପରିକି ଏହାର ଚାଳକମାନେ ମୃତ୍ୟଗାମୀ ହେବାର ବହୁ ପ୍ରମାଣ ରହିଛି । ୧୯୫୪ ମସିହା ଜୁଲାଇମାସ ପହିଲା ତାରିଖ ଦିନ ଗ୍ରିଫିସ ଏୟାର ଫୋର୍ସ ବେଜ୍‍ରେ ରେଡ଼ାର ପରଦାରେ ଏକ ଯାନର ଚିତ୍ର ପଡ଼ିଲା । ଏହା ଜଣାଶୁଣା କୌଣସି ଆକାଶ ଯାନର ଚିତ୍ର ନୁହେଁ ଅଜଣା ଯାନର ଚିତ୍ର । ଏଫ୍-୯୪ ନାମକ ଏକ ଜେଟ୍ ଜାହାଜ ଏହାର ପିଛାକଲା । ଏହାର ପିଛା କରୁ କରୁ ଆଜଣା ଯାନରୁ ଏକ ପ୍ରକାର ରଶ୍ମି ଆସି ଏହାର ଇଞ୍ଜିନ୍‍କୁ ଅକାମି କରିଦେଲା । ଜହାଜର କେତେକ ଅଂଶରେ କଣା ହୋଇଗଲା-। ସେ ଘାଟିକୁ ଏହା ଜଣାଇବାକୁ ଉଦ୍ୟମ ହୁଅନ୍ତେ ଜାହାଜଟି ଧ୍ୱଂସ ମୁଖରେ ପଡ଼ିଲା ।

 

ଉଡ଼ନ୍ତାଯାନର ନିକଟବର୍ତ୍ତି ହୋଇ ବହୁ ଜାହାଜ କ୍ଷତିଗ୍ରସ୍ତ ହେବାର ଆହୁରି ପ୍ରମାଣ ରହିଛି । କେପ୍‍ଟେନ୍ ଜିନ୍ ବେସାକ ୧୯୫୭ ମସିହା ନଭେମ୍ୱର ମାସରେ ସେମିତି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେ ବ୍ରାଜିଲ ଦେଶର ଗୋଟିଏ ମାଲବାହୀ ଉଡ଼ାଜାହାଜ ପୋର୍ଟ ଆଲେଗ୍ରୋରୁ ସାଓ ପାଉଲେ ଅଭିମୁଖେ ଉଡ଼ାଇ ଆସୁ ଆସୁ ଆକାଶରେ ଏକ କ୍ଷୀଣ ଲାଲ୍‍ରଙ୍ଗର ଆଲୋକ ଦେଖିଲେ । ସେ ଭଲଭାବରେ ଲକ୍ଷ୍ୟ କରି ଦେଖିଲେ ଯେ ଏହା ସେହି ରଙ୍ଗର ଏକ ଇଡ଼ନ୍ତା ଥାଳିଆରୁ ଆସୁଛି । ସେ ଉଡ଼ନ୍ତା ଥାଳିଆର ଖୁବ୍‍ ନୀକଟବର୍ତ୍ତୀ ହୋଇ ଯାଇଥିଲେ । ହଠାତ୍ ଜାହାଜ ଭିତରକୁ ପୋଡ଼ା ଗନ୍ଧ ଆସିଲା । କିଛି ସମୟ ପରେ ଦେଖାଗଲା ଯେ, ଗୋଟିଏ ଇଞ୍ଜିନ୍ ପୁରା ପୁରି ପୋଡ଼ି ଧ୍ୱଂସ ପାଇଯାଇଛି । ଏହି ଇଞ୍ଜିନ୍‍ ପାଡ଼ିଯିବା ମୂଳରେ ଏହି ଏହି ଉଡ଼ନ୍ତା ଥାଳିଆ ଥିବାର କେତେକେ ସନ୍ଦେହ କରନ୍ତି ।

 

୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରର ଉତ୍ତର ପୂର୍ବ ଅଞ୍ଚଳରେ ଯେତେବେଳେ ବ୍ୟାପକ ଭାବରେ ବିଦ୍ୟୁତ୍ ସରବରାହରେ ଗଣ୍ତଗୋଳ ଦେଖାଦେଲା ସରକାରଙ୍କର ନାନା ପ୍ରକାର ସଫେଇ ଏହାର ଯଥାଯଥ କାରଣ ଦର୍ଶାଇ ପାରିଲାନି । କୋଟି କୋଟି ଟଙ୍କା ମୂଲ୍ୟର ବୈଦ୍ୟୁତିକ ଯନ୍ତ୍ରପାତି କେମିତି ସାମୟିକ ଭାବରେ ଅଚଳ ହୋଇଯାଇ ଏହି ଗୋଳମାଳ ସୃଷ୍ଟି କରେ, ଜାଣିବା ସମ୍ଭବ ହେଲାନି । ପକ୍ଷାନ୍ତରେ ବହୁ ବିଶେଷଜ୍ଞ ମତ ଦେଲେ ଯେ ଏହା ପୃଥିବୀ ବାହାରୁ ଆସୁଥିବା ଅଜଣା ଯାନର କାମ ହୋଇପାରେ । ଉଡ଼ନ୍ତା ଥଳିଆ କୌଣସି ସ୍ଥାନରେ ଦେଖାଦେଲେ ଇଲେକଟ୍ରନିକ ଯନ୍ତ୍ରପାତିରେ ନାନା ଗୋଳମାଳ ସାଧାରଣତଃ ଦେଖାଦେଇଥାଏ ।

 

୧୯୬୭ ମସିହା ମାର୍ଚ୍ଚ ମାସ ତା୨୯ରିଖ ଘଟଣା । ଆମେରିକାର ମେକ୍‍ସିକୋ ସିଟିଠାରେ ଏକ ରହସ୍ୟଜନକ ଘଟଣା ଘଟିଲା । ସିଗାର ଆକାରର ଏକ ଉଡ଼ନ୍ତା ପଦାର୍ଥ ସହରଠାରୁ ଅଢ଼େଇ ଶହ ମାଇଲ ଦୂରରେ ଥିବା ଏକ ପର୍ବତରେ ବାଧାପାଇ ଧ୍ୱଂସ ପାଇଥିଲା । ଏହି ଉଡ଼ନ୍ତା ପଦାର୍ଥଟି ଆକାରରେ ଗୋଟିଏ ବସ୍‍ ଠାରୁ ବଡ଼ । ନିକଟବର୍ତ୍ତୀ ଓଚିଲାଭା ସହରର ପ୍ରାୟ ହଜାରେ ପର୍ଯ୍ୟନ୍ତ ଲୋକ ଏହି ପଦାର୍ଥଟିକୁ ଆକାଶରୁ ଖସିବାର ଦେଖିଥିଲେ । ଏହା ଖସିପଡ଼ି ଧକ୍‍କା ପାଇଲାବେଳେ ଏମିତି ଏକ ବିରାଟ ଶଦ୍ଦ ହୋଇ ଥିଲା ଯେ ସେହି ଶଦ୍ଦରେ ସହରର ଘରଗୁଡ଼ିକ ଥରି ଉଠିଥିଲା । ଏହି ଘଟଣାଟିକୁ ଆମେରିକାର ଆସୋସିଏଟେଡ଼୍‍ ପ୍ରେସ ପ୍ରଚାର କରିଥିଲା । କିନ୍ତୁ ଏହାର ରହସ୍ୟ ଏବେ ବି ଉଦ୍‍ଘାଟିତ ହୋଇପାରିନି ।

 

୧୯୬୫ ମସିହା ଅକ୍‍ଟୋବର ମାସ ୧୯ ତାରିଖ ମଧ୍ୟରାତ୍ର ବେଳେ ଆମେରିକା ଏୟାର ଲାଇନସର ଡ଼ି.ସି-୬ ଉଡ଼ାଜାହାଜ ଫିଲା ଡେଲ୍‍ଫିଆ ଉଡ଼ାଜାହାଜଘାଟିରୁ ଯୁକ୍ତରାଷ୍ଟ୍ରର ରାଜଧାନୀ ଓ୍ୱାଶିଂଟନର ନ୍ୟାସନାଲ ଏୟାର ପୋର୍ଟ ଅଭିନୁଖେ ବାହାରିଲା । ଏହି ଜାହାଜଟି ଓ୍ୱଶିଂଟନରେ ପହଞ୍ଚିବା କିଛି ସମୟ ପୂର୍ବରୁ ସସ୍‍କ୍ୱିହାନା ନଦୀର କୋନୋଉଇଁଗୋ ବନ୍ଧ ନିକଟବର୍ତ୍ତୀ ହେବାକ୍ଷଣି ଉଡ଼ାଜାହାଜ ଚାଳକ ଆକାଶରେ ଏକ ଆଲେକିତ ପଦାର୍ଥ ଦେଖିବାକୁ ପାଇଲେ । ଏହି ଅଲୋକିତ ପଦାର୍ଥଟି ଚନ୍ଦ୍ର କିରଣ ଦ୍ୱାରା ଆଲୋକିତ ହୋଇ ମେଘ ସହିତ ଲୁଚକାଳି ଖେଳିଲା ଭଳି ଜମାପଡ଼ୁଥିଲା । ଏହି ଉଡ଼ନ୍ତା ଯାନଟି ଉଡ଼ାଜାହାଜ ନୁହେଁ ବୋଲି ଉଡ଼ାଜାହାଜର କ୍ୟାପଟେନ୍‍ ଜାଣି ପାରିଥିଲେ । ଏହି ଯାନଟିକୁ ସମ୍ମୁଖରେ ଦେଖି ଯାନଟିର ପାଇଲଟ୍ ଜେ. ଏଲ୍ କିଡ୍ ନିଜ ଉଡ଼ାଜାହାଜର ବେଗ କମାଇ ଦେଇଥିଲେ । ସେ ଉଡ଼ାଜାହାଜରେ ଥାଇ ଦେଖିଲେ ଯେ ସମ୍ମୁଖରେ ଥିବା ଉଡ଼ନ୍ତା ଯାନଟି ଆକାଶରେ ଗତି ହୀନ ଅବସ୍ଥାରେ ନିଶ୍ଚଳ ହୋଇ ଝୁଲୁଛି । ଚତୁର୍ଦ୍ଦିଗରେ ବିଚ୍ଛୁରିତ ଚନ୍ଦ୍ର କିରଣରେ ଏହା ସ୍ପଷ୍ଟ ଦିଶୁଥିଲା । ଉଡ଼ାଜାହାଜ ଚାଳକ କିଡ ଜାହାଜଟିକୁ ଓହ୍ଲାଇବାକୁ ମନସ୍ଥ କରିଥିଲେ । କିନ୍ତୁ ସାମାନ୍ୟ କେତେ ସେକେଣ୍ତ ମଧ୍ୟରେ ହଠାତ୍‍ ସେହି ପଦାର୍ଥରୁ ଏକ ଉଜ୍ଜ୍ୱଳ ଆଲୋକ ଆସି ଚାଳକଦ୍ୱୟଙ୍କ ଆଖି ଉପରେ ପଡ଼ିଲା । ସଙ୍ଗେ ସଙ୍ଗେ କିଡ୍ ଉଡ଼ାଜାହାଜଟିକୁ ତଳକୁ ଖସାଇ ଦେଲେ । ସେ ପ୍ରାୟ ପାଞ୍ଚହଜାର ଫୁଟ ତଳକୁ ଖସିଯାଇ ଜାହାଜଟିକୁ ସେହି ଅଜଣା ଯାନର ଧକ୍‍କାରୁ ରକ୍ଷା କରି ପାରିଥିଲେ ନଚେତ୍ ସେଦିନ ସମସ୍ତେ ନଷ୍ଟ ହୋଇଯାଇଥାନ୍ତେ । କିଡ୍ ଏକଥା ଉଡ଼ାଜାହାଜ ଘାଟିକୁ ଜଣାଇ ଥିଲେ ହେଁ ଏହା ସପକ୍ଷରେ କିଛି ପରାମର୍ଶ ପାଇ ନ ଥିଲେ । ଆହୁରି ଜଣା ଯାଇଥିଲା ଯେ ସେତେବେଳେ ଆକାଶରେ ତାଙ୍କ ଉଡ଼ାଜାହାଜ ବ୍ୟତୀତ ଅନ୍ୟ କିଛି ଉଡ଼ାଜାହାଜ ବା ଯାନ ଉଡ଼ୁ ନ ଥିଲା ।

•••

 

ସପ୍ତମ ଅଧ୍ୟାୟ

Unknown

ଉଡ଼ନ୍ତା ଥାଳିଆ ଏକ ଉଡ଼ା ଜାହାଜକୁ ଧ୍ୱଂସମୁଖରୁ ରକ୍ଷାକଲା

 

୧୯୮୩ ମସିହା ଜୁନ୍ ମାସ ତା୨୭ରିଖ । ଇଟାଲୀର ମାଲଟା ଦ୍ୱୀପରୁ ଏକ ଉଡ଼ାଜାହାଜ ଉଠିଲା ଗ୍ରୀସ୍‍ ରାଜ୍ୟର କରଫ୍ୟୁ ଉଡ଼ାଜାହାଜ ଘାଟି ଅଭିମୁଖେ । ଏହାର ଚାଳକ ଥିଲେ ଉଇଲିୟମ ଉଇଲିୟମସନ୍‍ । ଉଡ଼ାଜାହାଜଟି ସନ୍ଧ୍ୟା ସାତଟାରେ ମାଲଟା ଛାଡ଼ିଲା । ଉଡ଼ାଜାହାଜଟି ଇଂରେଜ ସରକାରଙ୍କର କୌଣସି ଏକ ଗୁପ୍ତ କାର୍ଯ୍ୟରେ ଗ୍ରୀସ୍ ଦେଶକୁ ଯାଉଥିଲା । ଜାହାଜଟି ଜକ୍ଷିଣ ଇଟାଲୀର ଆକାଶରେ ଉଡ଼ି ଉଡ଼ି ଚାଲିଲା । ଉଡ଼ାଜାହାଜ ଚାଳକ କହନ୍ତି, ସେତେବେଳେ ଚାରିଆଡ଼େ ଘନ ଅନ୍ଧକାର, ଆକାଶ ଉଜ୍ଜ୍ୱଳ ତାରକା ବିଶିଷ୍ଟ, ଆଉ କିଛି ଦିଶୁନଥାଏ-। ସେହି ଉଚ୍ଚ ଆକାଶରେ ଧୂଳି ପରିମାଣ ଖୁବ୍ କମ୍, ଅନ୍ଧକାର ଆକାଶରେ ତାରା ଗୁଡ଼ିକ ବେଶ୍ ପରିଷ୍କାର ଓ ଉଜ୍ଜ୍ୱଳ ଦିଶୁଥିଲେ !

 

କିଛି ସମୟ ଉଡ଼ିଲା ପରେ ଉଇଲିୟମସନ୍ ଅନୁଭବ କଲେ ଯେ, ତାଙ୍କ ଜାହାଜଟି ଠିକ୍ ଭାବରେ ଗତି କରୁନି । ଜାହାଜଟି ବେଳେ ବେଳେ ତାଙ୍କ ଆୟତ୍ତରୁ ବାହାରି ଯାଉଛି । ଏହା ଦେଖି ସେ ବଡ଼ ଚିନ୍ତିତ ହେଲେ । ସେ ଜଣେ ଦକ୍ଷ ଓ ଅଭିଜ୍ଞ ଉଡ଼ାଜାହାଜ ଚାଳକ । ଜାହାଜ ତ ଏମିତି ହେବା କଥା ନୁହେଁ । ଜାହାଜଟି ବେଳେବେଳେ ନିଜ ହାତରୁ ବାହାରକୁ ଚାଲିଯାଉଛି କାହିଁକି ? ଜାହାଜାର ଏଭଳି ଗତି ଦେଖି ସେ ବ୍ୟସ୍ତ ହୋଇ ପଡ଼ୁଥାନ୍ତି ।

 

ଏହି ସମୟରେ ସେ ହଠାତ୍ ଲକ୍ଷ୍ୟ କଲେ ଯେ, ଆଗରେ ଏକ ଉଜ୍ଜ୍ୱଳ ପିଣ୍ତ ଗତି କରୁଛି-। ଆଲୋକ ପିଣ୍ତଟି ଘନ ବୃତ୍ତାକାର । ଏହି ଆଲୋକ ପିଣ୍ତଟି ଘନ ଘନ ରୂପ ଓଲ ଆକାର ବଦଳାଇବାରେ ଲାଗିଛି । ମିନିଟିକ ତଳେ ସେ ଆଲୋକ ପିଣ୍ତଟିକୁ ଯେଉଁ ରୂପରେ ଆକାଶରେ ଦେଖିଥିଲେ, ମିନିଟିକ ପରେ ତାର ରୂପ ଓ ଆକାର ବଦଳି ଯାଉଛି । ସେ ଭବିଲେ ଯେ ଏହା ଏକ ଆଗରେ ଯାଉଥିବା କୌଣସି ଉଡ଼ାଜାହାଜର ପଛରେ ଥିବା ଆଲୋକ ବତୀ ନୁହେଁତ ! ସେ ଭାବିଲେ ଏହା କେମିତି ହେଲା ! ଏକା ଆକାଶରେ ଏକା ଉଚ୍ଚତାରେ ଥାଇ ଆଉ ଏକ ଉଡ଼ାଜାହାଜ ଆସିଲା କେଉଁଠୁ ? ଆକାଶରେ ଉଡ଼ିବା ନିୟମର ତ ଏହା ବହିର୍ଭୁତ । ସେ ସଙ୍ଗେ ସେଙ୍ଗେ ନିକଟବର୍ତ୍ତି ବ୍ରିଣ୍ତସି ଉଡ଼ାଜାହାଜ ଘାଟିକୁ ଜଣାଇଲେ ଏହା କେମିତି ହେଲା ? ତାଙ୍କ ସାମନାରେ ଆଉ ଏକ ଉଡ଼ାଜାହାଜ କେଉଁଠୁ ଆସିଲା ? କିନ୍ତୁ ବ୍ରିଣ୍ତସି ଉଡ଼ାଜାହାଜ ଘାଟି ସେହି ଆକାଶରେ ଆଉ କୌଣସି ଉଡ଼ାଜାହାଜ ଉଡ଼ିବାକଥା ଅସ୍ୱୀକାର କଲା । ସେମାନଙ୍କ ରେଡ଼ାର ପରଦାରେ ଆଉ କୌଣସି ଉଡ଼ାଜାହାଜର ଚିହ୍ନ ନ ଥିଲା । ଉଇଲିୟମସନ୍‍ ଏହା ଶୁଣି ମଧ୍ୟ ଉଡ଼ନ୍ତା ବସ୍ତୁଟିକୁ ଆହୁରି ଲକ୍ଷ୍ୟ କଲେ ।

 

ଏହି ସମୟରେ ସେହି ଆଲୋକ ପେଣ୍ତୁଟି ସେମାନଙ୍କ ଉଡ଼ାଜାହାଜ ଉପରକୁ ଯାଇ ପୁଣି ଆଖି ପିଛୁଳାକେ ଏହା ତଳକୁ ଖସି ଆସିଲା । ଆଲୋକ ପେଣ୍ତୁଟି ଏହିଭଳି ଅସ୍ୱାଭାବିକ ଭାବରେ ଗତିକରିବା ଦେଖି ଉଇଲିୟମସନ୍‍ ପୁଣି ବ୍ରିଣ୍ତସି ଉଡ଼ାଜାହାଜ ଘାଟିକୁ ଏହା ବିଷୟ ନେଇ ଫୋନ କଲେ । ଘାଟିବାଲାମାନେ ଏଥର ଜୋର ଦେଇ କହିଲେ ଯେ ସେମାନଙ୍କ ରେଡ଼ାର ପରଦାରେ ସେମିତି କୌଣସି ବସ୍ତୁ ଦେଖାଯାଉନି । ଉଇଲିୟମସନ୍‍ ନିଜେ ଗନ୍ତବ୍ୟ ମାର୍ଗରେ ଆଗେଇବାକୁ ଉଡ଼ାଜାହାଜ ଘାଟିରୁ ନିର୍ଦ୍ଦେଶ ଅସିଲା ।

 

ଉଇଲିୟମସନ୍‍ ଏକଥା ଜାହାଜରେ ଯାଉଥିବା ଯାତ୍ରୀମାନଙ୍କୁ ଜଣାଇଦେଲେ । ସେ ଆଶଙ୍କା କଲେ ଏହି ଉଡ଼ନ୍ତା ବସ୍ତୁଟି ସହିତ ତାଙ୍କ ଜାହାଜଟି ଧକ୍‍କା ଖାଇ ଯାଇପାରେ, ତେଣୁ ସେ ଭୟରେ ନିଜ ପଥକୁ ବଦଳାଇ ଅନ୍ୟବାଟ ଧରିଲେ । ସେ ଓ ଅନ୍ୟଚାଳକ ଦେଖୁଥାନ୍ତି ଆଲୋକ ପେଣ୍ତୁଟି ଆକାଶରେ ଉପରତଳ ହୋଇ ସର୍କସ ଖେଳ ଭଳି ଖେଳ ଦେଖାଉଥାଏ । ସେମାନେ ଏହାରି ଭୟରେ ନିଜ ଗନ୍ତବ୍ୟ ବାଟ ଛାଡ଼ି କରଫ୍ୟୁ ଯିବାପାଇଁ ଆଉ ଏକ ସଳଖବାଟ ଧଇଲେ । ସେମାନେ ଏକଥା ବ୍ରିଣ୍ତସି ଉଡ଼ାଜାହାଜ ଘାଟିକୁ ଜଣାନ୍ତେ ସେମାନେ ପଥ ପରିବର୍ତ୍ତନର ଘୋର ବାରୋଧ କଲେ । ଉଡ଼ନ୍ତା ବସ୍ତୁଟି କଥା ଯେତେ କହିଲେ ହେଁ ସେମାନେ ବିଶ୍ୱାସ କଲେନି । କିନ୍ତୁ ଉଇଲିୟମସନ୍‍ ସେମାନଙ୍କ ନିର୍ଦ୍ଦେଶ ନ ମାନି ସିଧାସଳଖ ନୂଆବାଟରେ କରଫ୍ୟୁ ଉଡ଼ାଜାହାଜ ଘାଟି ଅଭିମୁଖେ ଚାଲିଲେ । କରଫ୍ୟୁ ମାତ୍ର କୋଡ଼ିଏମାଇଲ ବାଟ ଥାଏ, ହଠାତ୍ ଉଡ଼ାଜାହାଜ ଇଞ୍ଜିନ୍‍ ବନ୍ଦ ହୋଇଗଲା । ପରୀକ୍ଷା କରି ଦେଖିଲାରୁ ଜଣାପଡ଼ିଲା ଟାଙ୍କିରେ ପେଟ୍ରୋଲ ନାହିଁ । ଉପରଟାଙ୍କିକୁ ଇଞ୍ଜିନ୍ ସହିତ ସଂଯୋଗ କଲେ । ଇଞ୍ଜିନ୍‍ ପୁଣି ଚାଲିଲା । ସେ ଟାଙ୍କିରେ ବି ବେଶି ତେଲ ନଥାଏ । ପ୍ରଶ୍ନ ହେଲା ତେଲ ସବୁ ଗଲା କୁଆଡ଼େ ? ଏକ କଣା ସାହାଯ୍ୟରେ ବାହାରି ଗଲାନା କଅଣ ? ତେବେ ଯାହା ତେଲ ଅଛି, ସେଥିରେ ସେମାନେ କରଫ୍ୟୁରେ ପହଞ୍ଚିଯାଇ ପାରିବେ ? ସେମାନେ ରାତି ୧୧ ଟା ୪୫ ମିନିଟରେ କରଫ୍ୟୁରେ ପହଞ୍ଚିଲେ । ସେ ଯଦି ଉଡ଼ନ୍ତା ବସ୍ତୁଟି ଭୟରେ ସିଧାସଳଖ କରଫ୍ୟୁ ଆସି ନଥାନ୍ତେ, ବ୍ରିଣ୍ତସି ଉଡ଼ାଜାହାଜ ଘାଟିର ନିର୍ଦ୍ଦେଶମାନି ନିଜ ଗନ୍ତବ୍ୟପଥରେ ବୁଲିବୁଲି ଆସିଥାନ୍ତେ ତେବେ ପେଟ୍ରୋଲ ଅଭାବରୁ ତାଙ୍କ ଉଡ଼ାଜାହାଜ ବାଟରେ ଅଚଳ ହୋଇ ତଳକୁ ଖସି ପଡ଼ିଥାନ୍ତା । ସେମାନେ ସମସ୍ତେ ମୃତ୍ୟୁମୁଖରେ ପଡ଼ିଥାନ୍ତେ ।

 

ଉଡ଼ାଜାହାଜ ଚାଳକ ଉଇଲିୟମସନ୍‍ ଏବେ ନୂଆଦିଲ୍ଲି ଆସିଥିଲେ । ସେ କହନ୍ତି ଯେ ସେଦିନ ଆକାଶରେ ସେ ଯେଉଁ ଉଡ଼ନ୍ତା ଆଲୋକ ପେଣ୍ତୁଟି ଦେଖିଥିଲେ ତାହାର ଆଲୋକ ନିଶ୍ଚୟ ଏକ ଉଡ଼ନ୍ତା ଥାଳିଆରୁ ଆସିଥିଲା । ଉଡ଼ନ୍ତା ଥାଳିଆଟି ନିଜର କୌଣସି ଗୁପ୍ତ କୌଶଳରୁ ତାଙ୍କ ପେଟ୍ରୋଲ ନାହିଁ ବୋଲି ଜାଣିପାରି ସେମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ ପଥ ବଦଲାଇବାକୁ ବାଧ୍ୟ କଲା । ତା ନ ହୋଇଥିଲେ ସେମାନେ ସମସ୍ତେ ନିଶ୍ଚିତ ଭାବରେ ଲମ୍ୱା ବାଟରେ ଯାଇ ମୃତ୍ୟବରଣ କରିଥାନ୍ତେ । ଉଇଲିୟମସନ୍‍ ଏହି ଘଟଣାରୁ ମତ ଦିଅନ୍ତି ଯେ ଉଡ଼ନ୍ତା ଥାଳିଆ ଏକ ମନଗଢ଼ା କଥା ନୁହେଁ । ଏହା ପ୍ରକୃତରେ ସତ୍ୟ କାରଣ ଏହା ସେମାନଙ୍କ ଜୀବନରକ୍ଷା କରିପାରିଛି-

•••

 

ଅଷ୍ଟମ ଅଧ୍ୟାୟ

ପୃଥିବୀର ବିଭିନ୍ନ ଦେଶରେ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ପ୍ରତ୍ୟକ୍ଷଦର୍ଶୀ ବିବରଣୀ

 

ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ସବୁଠାରୁ ଅଧିକ ଖବର ପୃଥିବୀର ଦୁଇଟି ଦେଶରେ ଶୁଣିବାକୁ ମିଳେ । ଗୋଟିଏ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟଟି ଅଷ୍ଟ୍ରେଲିଆ । ଏ ଦୁଇଟି ଛଡ଼ା ଅନ୍ୟ ଦେଶର ଲୋକେ ଯେ ଉଡ଼ନ୍ତାଥାଳିଆ ଦେଖି ନାହାନ୍ତି ବା ସେ ଦୃଶ୍ୟ ସହିତ ପରିଚିତ ନୁହନ୍ତି ତା’ ନୁହେଁ । ଇଂଲଣ୍ତରେ ଉଡ଼ନ୍ତାଥାଳିଆ ସଂକ୍ରାନ୍ତୀୟ ଦୃଶ୍ୟର ମଧ୍ୟ ଅଭାବ ନାହିଁ ।

ଉଡ଼ନ୍ତା ଥାଳିଆ ଉପରେ ଏକ ବଡ଼ ବହି ଲେଖିଥିବା ଇଂଲଣ୍ତର ବିଶିଷ୍ଟ ଲେଖକ ଉଇଲକିନ୍‍ସ ନିଜ ଅନୁଭୂତିରୁ କହନ୍ତି, “୧୯୫୪ ମସିହା ଜୁଲାଇ ମାସ ତା୨୭ରିଖ ଦିନ ଭୋର ପାଞ୍ଚଟା ପନ୍ଦର ମିନିଟରେ ଏକ ଉଡ଼ାଜାହାଜର ଶବ୍ଦରେ ସେ ହଠାତ୍‍ ଉଠି ପଡ଼ିଲେ । ଲଣ୍ତନର ଚେରିଙ୍ଗକ୍ରସଠାରୁ ବାରମାଇଲ ଦୂରରେ ଏକ ପାହାଡ଼ ତଳେ ତାଙ୍କ ଘର । ଏହି ଶଦ୍ଦ ଶୁଣିବାର ପ୍ରାୟ କୋଡ଼ିଏ ମିନିଟ ପରେ ଓ ଉଡ଼ାଜାହାଜ ସେହି ଆକାଶରୁ ଚାଲିଜିବା ପରେ, ସେହି ଆକାଶରେ ଏକ ପ୍ରକାର ଅଜଣା ପଦାର୍ଥ ୩୦୦୦ ଫୁଟ ଉଚ୍ଚରେ ଉଡ଼ୁଥିବାର ଦେଖିଲେ । ଏହା ଦେଖିବାକୁ ଲମ୍ବାଲିଆ, ଗୋଟିଏ ଆକାଶ ପୋତ ଭଳି । ଏହା ଚାରି ପାଖରୁ ଏକ ପ୍ରକାର ନାଲି ଆଲୋକର ଆଭା ବାହାରୁଥିଲା । ସେ ଏହାକୁ କେତେ ସେକେଣ୍ତ ଧରି ବିଛଣାରେ ଥାଇ ଝରକା ଦାଇ ଲକ୍ଷ୍ୟ କରିଥିଲେ । ଆହୁରି ଭଲ ଭାବରେ ଦେଖିବା ପାଇଁ ବାଇନୋକ୍ୟୁଲାର ଆଣିବାକୁ ଯାଇଛନ୍ତି, ହଠାତ୍ ଏହା ମେଘ ଭିତରେ କେଉଁଆଡ଼େ ଉଭେଇ ଗଲା । ଏହା ଜେଟ୍ ଜହାଜଠାରୁ ଅଧିକ ବେଗରେ ଗତି କରୁଥିଲା । ଏଥିରୁ କିଛି ଶବ୍ଦ ବାହାରୁ ନ ଥିଲା ।

ଏହାର ପ୍ରାୟ ମାସକପରେ ଠିକ୍ ସେହିଭଳି ଏକ ଉଡ଼ନ୍ତା ପଦାର୍ଥ ଫ୍ରାନ୍‍ସର ସାଇନ୍‍ ନଦୀ କୂଳରେ ଥିବା ଏଭରେକ୍‍ସଠାରେ ଦେଖା ଦେଇଥିଲା । ଅଷ୍ଟମ ମାସରେ ଏହିଭଳି ଏକ ଉଡ଼ନ୍ତା ପଦାର୍ଥକୁ ରୋମ୍‍ ଆକାଶରେ ଇଟାଲୀୟ ଆକାଶ ବାହିନୀର ଅଫିସରମାନେ ଦେଖିଥିଲେ ।

ନରଓ୍ୱେରେ ମଧ୍ୟ ଉଡ଼ନ୍ତା ଥାଳିଆ ସଂନ୍ତ୍ରନ୍ତୀୟ ଖବର ଅଭାବ ନାହିଁ । ୧୯୫୪ ମସିହା ଅଗଷ୍ଟ ମାସ ତା୨୪ରିଖ ଦିନ ନରଓ୍ୱେର ଦୁଇଜଣ ସ୍ତ୍ରୀ ଲୋକ ଗୋଟିଏ ଖବର ଦେଲେ । ସ୍ତ୍ରୀଲୋକ ଦୁଇଟି ଦୁଇ ଭଉଣୀ । ଜଣକର ବୟସ ୨୪ ବର୍ଷ ଓ ଅନ୍ୟର ବୟସ ୩୨ବର୍ଷ ପାଖାପାଖି । ସେମାନେ ନରଓ୍ୱେର ରୋମଭାଟନ୍ ହ୍ରଦ କୂଳରେ ଫଳ ତୋଳୁଥିଲେ । ଏହି ସମୟରେ ଗୋଟିଏ କଳା ଲୋକ ଖାକି ପୋଷାକ ପିନ୍ଧି ସେମାନଙ୍କ ନିକଟକୁ ଆସିଲା ଓ ସେମାନଙ୍କୁ ଗୋଟିଏ ସ୍ଥାନକୁ ଡାକିନେଇଗଲା । ସେମାନେ ତା ସହିତ ଆସି ଦେଖିଲେ ଯେ ଗୋଟିଏ ଉଡ଼ନ୍ତା ଥାଳିଆ ଅଦୂରରେ ରହିଛି । ଏହାର ବ୍ୟାସ ପ୍ରାୟ ପନ୍ଦର ଷୋଳଫୁଟ ହେବ । ଗୋଟିଏ ଥାଳିଆ ଭିତରେ ଅନ୍ୟ ଏକ ଥଳିଆ ରହିଲା ଭଳି ଦିଶୁଥାଏ । ଲୋକଟି ସ୍ତ୍ରୀଲୋକ ଦୁହିଁଙ୍କୁ କ’ଣ ତା ଭାଷାରେ କହିବାକୁ ଚେଷ୍ଟା କଲା । କିନ୍ତୁ ସ୍ତ୍ରୀଲୋକ ଦୁଇଟି କିଛି ବୁଝି ନ ପାରିବାରୁ ସେ ତା ଉଡ଼ନ୍ତା ଥାଳିଆଠାକୁ ଗଲା ଓ ତା ଭିତରେ ବସି ଆଖିପିଛୁଳାକେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।

୧୯୫୪ ମସିହା ସେପ୍‍ଟେମ୍ବର ମାସ ପାଞ୍ଚ ତାରିଖରେ ଫ୍ରାନସରେ ଏକ ଅଦ୍ଭୁତ ଘଟଣା ଘଟିଲା । ଏକ ଇସ୍ପାତ କାରଖାନାର ଶ୍ରମିକ ମରିୟମ୍ ଡି. ଓ୍ୱାବଲ୍‍ଡ୍‍ ପ୍ରକାଶ କଲେ ଯେ ସେ ମହାଶୂନ୍ୟରୁ ଆସିଥିବା ଦୁଇଟି ଲୋକ ଦେଖିଲେ । ଲୋକ ଦୁଇଟି ବାଙ୍ଗରା, ସେମାନଙ୍କ ଉଚ୍ଚତା ପ୍ରାୟ ତିନି ଫୁଟ ହେବ । ସେ ପୋଲିସ୍‍ ଠାରେ କହିଥିଲେ ଉକ୍ତ ଦିନ ରାତି ସାଢ଼େ ଏଗାରଟାରେ ସେ ତାଙ୍କ ରୋଷେଇ ଘରେ ବସି ପଢ଼ୁଥିଲେ । ତାଙ୍କ ସ୍ତ୍ର ସେତେବେଳକୁ ଶୋଇ ସାରିଲେଣି-। ହଠାତ୍ ତାଙ୍କ କୁକୁର ଭୁକି ଉଠିଲା । ତାଙ୍କ ଘର ଆଡ଼କୁ ଲୋକ ଆସୁଥିବାର ଶଦ୍ଦ ସେ ଶୁଣିବାକୁ ପାଇଲେ । ସେ ତାଙ୍କ ଟର୍ଚ୍ଚଲାଇଟ ପକାଇ ଜାଣିବାକୁ ଚେଷ୍ଟାକଲେ କିଏ ଆସୁଛି । ପ୍ରାୟ ତିନିଗଜ ଦୂରରେ ଜଣକ ପଛରେ ଜଣେ ହୋଇ ଦୁଇଜଣ ଲୋକ ତାଙ୍କ ଆଡ଼କୁ ଆସୁଥିବାର ସେ ଦେଖିଲେ-। ଲୋକ ଦୁଇଟି ଛୋଟ ହେଲେ କଅଣ ହେବ, ସେମାନଙ୍କ ମୁଣ୍ତ ବେଶ୍ ବଡ଼ । ସେ ସେମାନଙ୍କ ଆଡ଼କୁ ଯେତେବେଳେ ଯିବାକୁ ଚେଷ୍ଟାକଲେ, ସେମାନଙ୍କ ଆଡ଼କୁ ଏକ ଉଜ୍ଜ୍ୱଳ ଆଲୋକ ରଶ୍ମି ଆସିଲା, ଯା’ ଫଳରେ ସେ ଆଗକୁ ଯାଇ ନ ପାରି ଯେଉଁଠି ଥିଲେ ସେଠି ସ୍ଥିରହୋଇ ରହିଗଲେ-। ତାଙ୍କ ଗୋଡ଼ ଆଉ ଆଗକୁ ଚଲିଲାନି । ସେ ଦୁଇଜଣ ଲୋକ ହଠାତ୍ ଫେରିଗଲେ । ସେମାନେ ଯାଇ ହେଲିକେପ୍‍ଟର୍‍ ଭଲ ଏକ ଯାନରେ ବସି ଅନ୍ୟତ୍ର ଚାଲିଗଲେ । ସେହି ଯାନଟି ଗଲାବେଳେ ସେଥିରୁ କଳାରଙ୍ଗର ଧୂଆଁ ବାହାରୁଥିଲା । ଏହି ଯାନଟି ଦେଖିବାକୁ ଅର୍ଦ୍ଧଗୋଲାକାର, ଏହାର ଉଚ୍ଚତା ପ୍ରାୟ ଅଠର ଫୁଟ ପାଖାପାଖି ହେବ । ଏହା ଗତିକଲାବେଳେ ସେଥିରୁ ଲାଲ୍‍ ରଙ୍ଗର ଏକ ଆଲୋକ ବାହରୁଥିଲା । ସେହି ଗାଁର ଆଉ ଦୁଇଜଣ ଲୋକ ସେମିତି ମଣିଷଙ୍କୁ ଦେଖିବାର କହିଲେ ।

୧୯୫୪ ମସିହା ଅକ୍ଟୋବର ମାସ ସୁଦ୍ଧା ଫ୍ରାନ୍‍ସରେ ୨୬୭ ଟି ସ୍ଥାନରେ ଏହି ଉଡ଼ନ୍ତା ଥାଳିଆ ବିଭିନ୍ନ ଆକାରରେ, ବିଭିନ୍ନ ରୂପରେ ଦେଖାଦେଇଥିଲା । କେଉଁଠି ଏହା ଥାଳିଆ ଭଳି ତ କେଉଁଠି ଏହା ସିଗାରେଟ୍‍ ଆକାରର । ଉଡ଼ନ୍ତା ଥାଳିଆ ଦେଖିଥିବା କଥା ଯେଉଁମାନେ ଖବର ଦିଅନ୍ତି, ସେମାନେ ବେଶ୍ ଶିକ୍ଷିତ, ସେମାନଙ୍କ ଭିତରୁ କିଏ ଇଞ୍ଜିନିୟର, କିଏ ଡାକ୍ତର, କିଏ ପାଣିପାଗ ବିଶେଷଜ୍ଞ ଓ କିଏ ନୌବାହିନୀ ଲୋକ ।

ଅଷ୍ଟ୍ରେଲିଆରେ ଏହି ଉଡ଼ନ୍ତା ଥାଳିଆ ଦୃଶ୍ୟ ଖୁବ୍ ବେଶି । ୧୯୫୪ ମସିହା ଜୁଲାଇ ମାସ ସନ୍ଧ୍ୟା ସାଢ଼େ ସାତଟାବେଳେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟସ୍ଥ ବ୍ରାଇଟନ ଗଲ୍‍ଫ୍‍ ପଡ଼ିଆଠାରେ ଇଂରାଜୀ ଭି-ଅକ୍ଷର ଆକାରରେ ସଜ୍ଜିତ ହୋଇ କେତେଗୁଡ଼ିଏ ଉଡ଼ନ୍ତା ପଦାର୍ଥ ଦେଖାଦେଇଥିଲେ । ଏଗୁଡ଼ିକ ଆକାଶରେ ପ୍ରାୟ ୩୦,୦୦୦ ଫୁଟ ଉଚ୍ଚରେ ଖୁବ୍ ବେଗରେ ଉଡ଼ୁଥିଲେ । ଏଗୁଡ଼ିକ ଦେଖିବାକୁ ଥଳିଆ ଆକାରର ।

ଏହାର କିଛିଦିନ ପରେ ବାରଗୋଟି ଉଡ଼ନ୍ତା ଥାଳିଆ ନିଉଜିଲାଣ୍ତର ଅକ୍‍ଲାଣ୍ତ ସହର ଉପରେ ଉଡ଼ିଯାଇ ନିଉଜିଲାଣ୍ତରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ । ଏହି ଘଟଣାର ସପ୍ତାହକ ପରେ ଭକ୍ଟୋରିଆ ରାଜ୍ୟର ଜନୈକ ସ୍ତ୍ରୀଲୋକ ସନ୍ଧ୍ୟା ୬ଟା ୧୫ମିନିଟ ସମୟରେ ଆକାଶରେ ମାତ୍ର ତିନି ସେକେଣ୍ତ ପାଇଁ ଏକ ଉଜ୍ଜ୍ୱଳ ପଦାର୍ଥ ଦେଖିବାକୁ ପାଇଥିଲେ । ଅଷ୍ଟ୍ରଲିଆରେ ଏମିତି ଅସଂଖ୍ୟ ଖବର ବର୍ଷ ବର୍ଷ ଧରି ଅଷ୍ଟ୍ରେଲିଆ ଖବରକାଗଜ ଗୁଡ଼ିକର ପୃଷ୍ଠା ମଣ୍ତନ କରିଥିଲେ ।

୧୯୫୨ ମସିହାରେ ଇଂଲଣ୍ତରେ ଏକ ବିଚିତ୍ର ଘଟଣା ଘଟିଲା । ସେହିବର୍ଷ ଅଗଷ୍ଟ ମାସ ତା ୨୮ ରିଖ ଦିନ ତିନିଟା ବେଳେ ଇଂଲଣ୍ତର ଡେନ୍‍ହାମ୍ ସହରର ଖୁବ୍‍ ଉଚ୍ଚ ଆକାଶରେ ଗୋଟିଏ ମହାଶୂନ୍ୟ ଯାନ (Space ship) ଦେକାଗଲା । ସେଥିରୁ ତିନୋଟି ଉଡ଼ନ୍ତା ଥାଳିଆ ବାହାରି ବିଭିନ୍ନ ଆଡ଼କୁ ଗତିକଲା । ଏହି ଘଟଣାର କିଛି ସମୟ ପରେ ସୁଇଡେନ୍ ରାଜ୍ୟର ଆକାଶରେ ସେହିଭଳି ବିଭିନ୍ନ ଉଡ଼ନ୍ତା ଥାଳିଆ ବାହାରି ଭୀମବେଗରେ ଚାରି ଆଡ଼କୁ ବିକ୍ଷିପ୍ତ ହୋଇଗଲା । ଏହାର କିଛିଦିନ ପରେ ଇଂଲଣ୍ତର ରୟେଲ୍ ଏୟାର ଫୋର୍ସର ଦଶଜଣ ଅଫିସର ଦକ୍ଷିଣ ଇଂଲଣ୍ତର ଏକ ଉଡ଼ାଜାହାଜ ଘାଟିରେ ଖୁବ୍ ଇଚ୍ଚ ଆକାଶରେ ଏକ ମହାଶୂନ୍ୟ ଯାନ ଭଳି ଯାନ ଦେଖିଲେ । ସେହିଦିନ ସୁଇଡେନ୍‍ ଆକାଶରେ ଏକ ଖୁବ୍ ଉଜ୍ଜ୍ୱଳ ପଦର୍ଥ ଅତି ବେଗରେ ଗତି କରିବା ଦେଖାଯାଇଥିଲା । ଏହାର ଲାଞ୍ଜରୁ ପ୍ରତିପ୍ରଭ ଆଲୋକ ବାହାରୁଥିଲା । ସେହିବର୍ଷ ସେପ୍ଟେମ୍ୱର ମାସ ତା୨୮ରିଖ ଦିନ ଡେନ୍‍ମାର୍କ ରାଜ୍ୟର ଆକାଶରେ ଏକାଧିକ ଉଡ଼ନ୍ତା ଥାଳିଆ ଉଡ଼ିବାର ଦେଖାଯାଇଥିଲା ।

୧୯୫୪ ମସିହା ଏପ୍ରଲ ମାସ ତା୨୮ରିଖ ଦିନ ଅଷ୍ଟ୍ରେଲିଆରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଲା । ଟେଡ଼ସ୍ମଥ୍ ଓ କଲିନ୍‍ ବେକନ୍ ନାମକ ଦୁଇଜଣ ରେଳଗାଡ଼ି ଇଞ୍ଜିନ୍‍ ଡ୍ରାଇଭର ଅଷ୍ଟ୍ରେଲିଆର ଭକ୍ଟୋରିଆ ରାଜ୍ୟରେ ସକାଳ ସାଢ଼େ ସାତଟାରେ ରେଳଗାଡ଼ି ଚଳାଇ ଯାଉଥିଲେ । ଏହି ସମୟରେ ସେମାନେ ଦେଖିଲେ, ଏକ ବିରାଟ ଉଡ଼ନ୍ତା ଥାଳିଆ ଆକାଶରୁ ସେମାନଙ୍କ ଇଞ୍ଜନ୍ ଆଡ଼କୁ ଆସୁଛି । ଉଡ଼ନ୍ତା ଥାଳିଆଟି ସେମାନଙ୍କଠାରୁ ୩୫୦ ଫୁଟ ଦୂର ପଯ୍ୟନ୍ତ ଆସିଯାଇ ସେମାନେ ଯାଉଥିବା ଦିଗକୁ କିଛି ସମୟ ଗତିକଲା । ତାପରେ ହଠାତ୍ ଆକାଶକୁ ଉଠିଯାଇ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ସ୍ମିଥ୍‍ କହନ୍ତି, ଏହି ଥାଳିଆଟି ଆତି ବିରାଟ । ଏଥିରେ ଝରକା କି ଦୁଆର କିଛି ନ ଥିଲା । ସେମାନଙ୍କର ପୂରା ବିଶ୍ୱାସ ଏହା ଆମ ପୃଥିବୀର କୌଣଶି ପ୍ରକାରର ଆକାଶଯାନ ନୁହେଁ । ସେମାନେ ପ୍ରାୟ ୪ ମିନିଟ ଧରି ଏହାକୁ ଖୁବ୍‍ ଭଲଭାବରେ ଦେଖି ପାରିଥିଲେ । ବେକନ୍ କହନ୍ତି, ଏହା ଏତେ ବିରାଟ ଯେ ଏହା ଯୋଗୁଁ ସେ କିଛି ସମୟ ପାଇଁ ସୂର୍ଯ୍ୟ କିରଣ ପାଇବାରୁ ବଞ୍ଜିତ ହୋଇଥିଲେ । ତାଙ୍କର ବିଶ୍ୱାସ, ଏହା ଭିତରେ କୌଣସି ଚାଳକ ଥାଇ ଏହାକୁ ଚଳାଉଥିଲା । ଏହି ଇଞ୍ଜିନ୍‍ ଡ୍ରାଇଭରଦ୍ୱୟଙ୍କଠାରୁ ଖବର ପାଇ ରୟେଲ ଅଷ୍ଟ୍ରେଲିୟାନ୍ ଏହାରଫୋର୍ସ ଏହାର ରହସ୍ୟ ଉଦ୍‍ଘାଟନ ଦିଗରେ ଚେଷ୍ଟା କରିବାପାଇଁ ଠିକ୍ କଲେ । ହେଲେ ଏହାର ପ୍ରକୃତ ରହସ୍ୟ କଅଣ, ତହିଁର ରିପୋର୍ଟ ଆଉ ବାହାରିଲା ନାହିଁ ।

ଏଥିପୂର୍ବରୁ ଉଡ଼ନ୍ତା ଥାଳିଆ ଇଂଲଣ୍ତ ଓ ଆମେରିକାର ଜେଟ୍ ଜାହାଜକୁ ଆକ୍ରମଣ କରିବାର ଖବର ପ୍ରକାଶ ପାଇଥିଲା । ତେବେ ଭୂମି ଉପରେ ଯାନକୁ ଆକ୍ରମଣ କେବେ ଦେଖାଯାଇ ନ ଥିଲା । ତେବେ ବିଶେଷଜ୍ଞମାନେ ମତ ଦିଅନ୍ତି, ସେମାନେ ଏହି ରେଳଗାଡ଼ିକୁ ଆକ୍ରମଣ କରିବାପାଇଁ ଆସିଥିଲେ । କିନ୍ତୁ କୌଣସି କାରଣବଶତଃ ଆକ୍ରମଣ ନକରି ଫେରି ଯାଇଥିଲେ ।

୧୯୫୪ ମସିହା ଜୁନ୍‍ମାସ ତା୩୦ରାଖ ଦିନ ନିଉୟର୍କ ଏୟାରପୋର୍ଟଠାରୁ କିଛି ଦୂରରେ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କରାଯାଇଥିଲା । ଜେମସ ହାଓ୍ୱାର୍ଡ ନାମକ ଉଡ଼ାଜାହାଜ ଚାଳକ ଏକ ପ୍ରକାଣ୍ତ ଉଡ଼ାଜାହାଜ ଚଳାଇ ଆକାଶରେ ଆସୁଥିଲେ । ସେ. ଦଖିଲେ, ଉଚ୍ଚ ଆକାଶରେ ଏକ ପ୍ରକାଣ୍ତ ଆଶ୍ଚର୍ଯ୍ୟଜନକ ମହାଶୂନ୍ୟଯାନ ଗତି କରୁଛି । ଏହା ଚାରିପାଖରେ ଛଅଟି ଛୋଟ ଛୋଟ ଉଡ଼ନ୍ତା ଥାଳିଆ ଘୁରୁଛି । ହାଓ୍ୱାର୍ଡ ଖାଲି ଏହାକୁ ଦେଖି ନ ଥିଲେ, ତାଙ୍କ ଜାହାଜର ଆଉ ଏଗାର ଜଣ କର୍ମଚାରୀ ଓ ପରିଚାରିକା ଏହାକୁ ଦେଖିଥିଲେ । ଜାହାଜରେ ଥିବା ଏକାବନ ଜଣ ଯାତ୍ରୀଙ୍କ ଭତରୁ ଚାଳିଶ ଜଣ ଯାତ୍ରୀ ଏହାକୁ ଦେଖିପାରି ନ ଥିଲେ । କାରଣ ସେମାନେ ଶୋଇପଡ଼ି ଥିବାରୁ ଏହି ଅଦ୍ଭୁତଯାନ ଦେଖିବାରୁ ବଞ୍ଚିତ ହୋଇ ଥିଲେ । ହାଓ୍ୱାର୍ଡଙ୍କ ଜାହାଜ ସେତେବେଳେ ୧୮,୦୦୦ ଫୁଟ ଉଚ୍ଚରେ ଉଡ଼ୁଥିଲା ଓ ସନ୍ଧ୍ୟା ହୋଇ ଆସୁଥିଲେହେଁ ଆକାଶ ବେଶ୍ ପରିଷ୍କାର ଥିଲା । ହାଓ୍ୱାର୍ଡ କହନ୍ତି, ମଝିରେ ଥିବା ବଡ଼ ଯାନଟି ସର୍ବଦା ତାର ରୂପ ଓ ଆକାର ବଦଳାଉ ଥାଏ, ଠିକ୍ ଯେମିତି ଜେଲି ମାଛ ପ୍ରତି ମୁହୂର୍ତ୍ତରେ ତାର ରୂପ ବଦଳାଏ । ଛଅଟିଯାକ ଉଡ଼ନ୍ତା ଥାଳିଆ ଏହାକୁ ଘଣ୍ଟ ଘୋଡ଼ାଇ ଗତିକଲା ଭଳି ଦିଶୁଥାନ୍ତି । ଉଡ଼ାଜାହାଜ ଘାଟିର ରେଡ଼ାର ପରଦା ଉପରେ ଏହି ଅଦ୍ଭୁତ ଯାନ ଗୁଡ଼ିକର ଛାଇ ଧରାପଡ଼ିଲା, କିନ୍ତୁ ଏହାର ରହସ୍ୟ ଉଦ୍‍ଘାଟିତ ହୋଇ ପାରିଲା ନାହିଁ ।

୧୯୫୪ ମସିହା ଫେବୃୟାରୀ ମାସ ପନ୍ଦର ତାରିଖ ଦିନ ଏକ ବିଚିତ୍ର ଘଟଣାର କାହାଣୀ ଇଂଲଣ୍ତ ସାରା ଖେଳିଗଲା । ଷ୍ଟଫେନ୍‍ ଡରବିସାୟାର ନାମକ ପନ୍ଦର ବର୍ଷର ଏକ ବାଳକ କନିଷ୍ଠନ୍‍ ଲେଡ଼ସୁରୁ ଠାରେ ଗୋଟିଏ ଅଦ୍ଭୁଦ ପଦର୍ଥ ଆକାଶକୁ ଉଠିବାର ଦେଖିଲେ । ସେ ସଙ୍ଗେ ସଙ୍ଗେ ହାତରେ ଥିବା ଏକ କେମେରା ସାହାଯ୍ୟରେ ଏହାର ଫଟୋ ଉଠାଇନେଲେ । ଫଟୋଗ୍ରାଫରୁ ଏହା ଏକ ଉଡ଼ନ୍ତା ଥାଳିଆ ଭଳି ଦିଶୁଥାଏ । ଏହି ଘଟଣାର ପନ୍ଦର ଦିନ ପରେ ଲଣ୍ତନର ବକିଙ୍ଗ୍‍ହାମ୍‍ ରାଜପ୍ରାସାଦରୁ ଡର୍ବିସାୟାର ପାଖକୁ ନିମନ୍ତ୍ରଣ ଆସିଲା । ସେ ତାଙ୍କର ଅନୁଭୂତି ବ୍ରିଟିଶ ରାଣୀଙ୍କ ସ୍ୱାମୀ ଡିଉକ୍ ଅଫ୍ ଏଡ଼ିନବର୍ଗଙ୍କୁ କହିବେ । ଘଟଣାଟି ସେତିକିରେ ରହିଗଲା । ଏ ସମ୍ପର୍କରେ ଆଉକିଛି ଶୁଣାଗଲା ନାହିଁ ।

୧୯୫୪ ମସିହା ସେପ୍‍ଟେମ୍ୱର ମାସ ତା୨୮ରିଖ ଦିନ ପର୍ତ୍ତୁଗୀଜ ଖବରକାଗଜ ଡାଏରିଓ ଡାଲିସ୍‍ବୋଆରେ ଏକ ବିଚିତ୍ର ଖବର ପ୍ରକାଶ ପାଇଲା । ସେନ୍‍ହୁର ସିଜାର କାରଡ଼ୋମା ନାମକ ଜନୈକ ପର୍ତ୍ତୁଗୀଜ ଯୁବକ ଆଲ୍‍ମଦା ଗ୍ରାମ ନିକଟରେ ଯାଉଥିଲେ । ସେ ଦେଖିଲେ ଅଳ୍ପ ଦୂରରେ ଗୋଟିଏ ଉଡ଼ନ୍ତା ଥାଳିଆ ଓହ୍ଲାଇଛି । ସେଥିରୁ ତିନିଜଣ ଲୋକ ବାହାରିଲେ । ସେମାନେ ଆଲୁମିୟମ୍ ତିଆରି ପୋଷାକ ଭଳି ପୋଷାକ ପିନ୍ଧିଥିଲେ । ସେମାନଙ୍କ ଉଚ୍ଚତା ସାଢ଼େ ଛ ଫୁଟରୁ ବେଶୀ । ସେମାନେ ନିକଟସ୍ଥ ଗଛରୁ ଫୁଲ ତୋଳିଲେ, ଡାଳସବୁ ଭାଙ୍ଗିଲେ ଓ ସେଗୁଡ଼ିକୁ ନେଇ ଗୋଟିଏ ଉଜ୍ଜ୍ୱଳ ଟିଣ ଭିତରେ ଭର୍ତ୍ତିକଲେ । ସେନ୍‍ହୁର ତାଙ୍କର ତିନିଜଣ ବନ୍ଧୁଙ୍କ ସହିତ ଯାଉଥିଲେ-। ଆଗାନ୍ତୁକମାନେ ଏମାନଙ୍କୁ ଡାକିଲେ ଉଡ଼ନ୍ତା ଥାଳିଆ ଭିତରକୁ ଯିବା ପାଇଁ । କିନ୍ତୁ ଏମାନେ ଭୟରେ ଗଲେନି । ସେମାନେ ଆଉ ବାଧ୍ୟ ନ କରି ଉଡ଼ନ୍ତା ଥାଲିଆ ଭତରକୁ ଚାଲିଗଲେ ଓ ସିଧା ସଳଖ ଭାବରେ ଉପରକୁ ଉଠି ତୀରବେଗରେ କେଉଁଆଡ଼େ ଉଭେଇଗଲେ । ସେମାନେ ଗଲାବେଳେ ସେମାନଙ୍କ ଯାନରୁ ଅଗ୍ନିସ୍ଫୁଲିଙ୍ଗ ବାହାରୁଥିଲା । ଏହି ଖବରଟି ସାରା ଇଉରୋପରେ ଚହଳ ପକାଇ ଦେଇଥିଲା ।

ଆଫ୍ରିକା ମହାଦେଶସ୍ଥ ଉଗାଣ୍ତା ରାଜ୍ୟର ପ୍ରେସିଡେଣ୍ଟ ଜେନେରାଲ ଅମିନ୍ ୧୯୭୩ ମସିହା ମାର୍ଚ୍ଚ ମାସ ତା୩ରିଖ ଦିନ ଉଗାଣ୍ତା ରାଜ୍ୟ ଆକାଶରେ ଏକ ଉଡ଼ନ୍ତା ଥାଳିଆ ଦେଖିବାର ଖବର ପ୍ରକାଶ ପାଇଥିଲା । ଜେନେରାଲ ଅମିନ ତାଙ୍କର ବନ୍ଧୁମାନଙ୍କ ମେଳରେ ଏହାକୁ ଦେଖିଥିଲେ । ତାଙ୍କଠାରୁ ଆଠ ଦସ ମାଇଲ ଦୂର ଆକାଶରେ ଏହି ଉଡ଼ନ୍ତା ଯାନଟି ଭିକ୍ଟୋରିଆ ହ୍ରଦ ଆଡ଼କୁ ମୁହାଁଇ ଓହ୍ଲାଇଲା ଭଳି ତାଙ୍କୁ ଦିଶିଲା । କିଛି ସମୟ ପରେ ଏହା ପୁଣି ଆକାଶକୁ ଉଠି ଆଖି ପିଛୁଳାକେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ଏହି ଅଜଣା ଯାନଟି ଏକ ପ୍ରକାର ଧୂଆଁ ଦ୍ୱାରା ଘୋଡ଼ାଇ ହେଲା ଭଳି ଦିଶୁଥିଲା । ଏହା ତା୩ରିଖ ଦିନ ଶନିବାର ମଧ୍ୟାହ୍ନ ବେଳର ଘଟଣା-। ଏହା ଓହ୍ଲାଇବାର ସାତ ମିନିଟ ପରେ ପୁଣି ଉପରକୁ ଉଠି ଆଦୃଶ୍ୟ ହୋଇଯାଇ ଥିଲା । ରକେଟ୍‍ରେ ଅଗ୍ନି ସଂଯୋଗ ହେଲେ ଏହା ଯେମିତି ଭୀମ ବେଗରେ ଉପରକୁ ଉଠେ, ଏହି ଯାନଟି ଠିକ୍ ସେହିଭଳି ଉପରକୁ ଉଠିଥିଲା । ଏହା ଅଦୃଶ୍ୟ ହେବା ପୂର୍ବରୁ ଏହାର ସାପ ଭଳି ଏକ ଲାଞ୍ଜ ଦେଖା ଦେଇଥିଲା । ଏହାକୁ ଦେଖି ଜେନେରେଲ ଅମିନ ତାଙ୍କ ଦେଶ ବାସୀଙ୍କୁ ଜଣାଇଥିଲେ ଯେ ଏହି ଦୃଶ୍ୟ ତାଙ୍କ ଦେଶ ପାଇଁ ମଙ୍ଗଳ ସୂଚକ । ଯେଉଁମାନେ ଏହାକୁ ଦେଖିଛନ୍ତି, ସେମାନେ ଯାଇ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ଉଚିତ୍ । ଆଫ୍ରିକା ମହାଦେଶର ଏହି ଦୃଶ୍ୟର ରହସ୍ୟ ଏ ପର୍ଯ୍ୟନ୍ତ ଉଦ୍‍ଘାଟିତ ହୋଇନାହିଁ । ଏହି ଖବରକୁ ଉଗାଣ୍ତା ରାଜ୍ୟ ସରକାରଙ୍କ ବେତାର ବିଭାଗ ପ୍ରଚାର କରିଥଲା ।

ଅନ୍ୟାନ୍ୟ ଦେଶଭଳି ଆମ ଭାରତବର୍ଷରେ ଯେ ଉଡ଼ନ୍ତା ଥାଳିଆ କେବେ ଦେଖା ଯାଇ ନଥିଲା, ତା ନୁହେଁ । ୧୯୫୪ ମସିହାରେ ବିହାର ରାଜ୍ୟସ୍ଥ ପାଟଣାଠାରେ ଗଙ୍ଗାନଦୀ କୂଳରେ ଲୋକେ ଉଡ଼ନ୍ତା ଥାଳିଆ ଦେଖିଥିଲେ । ଗଙ୍ଗାନଦୀ କୂଳରେ କେତେକ ଲୋକ ଗୋଟିଏ ଶବନେଇ ସତ୍କାର କରିବାକୁ ଯାଇଥିଲେ । ସେମାନେ ଆକାଶରେ ଏକ ଉଡ଼ନ୍ତା ଥାଳିଆ ଉଡ଼ିବାର ଦେଖିଥିଲେ । ସେମାନଙ୍କ ଛଡ଼ା ସେହିସ୍ଥାନର ଆଉ ଆଠଶହ ସରିକି ଲୋକ ଏହାକୁ ଦେଖିବାକୁ ପାଇଥିଲେ । ଏହା ଉଚ୍ଚ ଆକାଶରୁ ପୃଥିବୀ ପୃଷ୍ଠଠାରୁ ପ୍ରାୟ ୩୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଖସି ଆସିଥିଲା । ଏହି ଯାନଟି ଗୋଲାକାର, ଗୋଟିଏ ଥଳିଆ ଭଳି । ଏହାର ଚଉଡ଼ା ହେବ ପ୍ରାୟ ପନ୍ଦର ଫୁଟ । ଏହା ଦେଖିବାକୁ ଗାଢ଼ ଧୂସର ବର୍ଣ୍ଣର । ଗଲାବେଳେ ଏହାର ଦୁଇ ପାଖରୁ ଧୂଆଁ ବାହାରୁ ଥିଲା । ଏହି ଘଟଣାର କିଛି ଦିନ ପରେ ଆସାମର ଧୁବ୍ରିଠାରେ ଥଳିଆ ଭଳି ଏକ ଆଲୋକିତ ଉଜ୍ଜ୍ୱଳ ପଦାର୍ଥ ଆକାଶରେ କିଛି ସମୟ ପାଇଁ ଦେଖାଦେଇ କେଉଁଆଡ଼େ ଅନ୍ତର୍ହିତ ହୋଇଯାଇଥିଲା ।

ବସ୍ତୁ ଜଗତର ବହିର୍ଭୂତ ଉଡ଼ନ୍ତା ଥାଳିଆ

 

ଏ ସବୁ ଗଲା ଗୋଟିଏ ପ୍ରକାର ଉଡ଼ନ୍ତା ଥାଳିଆ ସଂପର୍କରେ, ଯେଉଁଗୁଡ଼ିକ ଆମ ବସ୍ତୁ ଜଗତର ଅନ୍ତର୍ଗତ । ଆହୁରି କେତେକ ବିଚିତ୍ର ଉଡ଼ନ୍ତା ଥାଳିଆର ପ୍ରତ୍ୟକ୍ଷଦର୍ଶି ବିବରଣୀ ମିଳୁଛି, ଯେଉଁ ଗୁଡ଼ିକୁ ଆମ ବସ୍ତୁଜଗତର ବୋଲି ଭାବିବା ସମ୍ଭବ ନୁହେଁ ।

 

ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି କେତେକ ଉଡ଼ନ୍ତା ଥାଳିଆ ଉଡ଼ିବାର ଦେଖାଯାଇଛି, ଯେଉଁ ଗୁଡ଼ିକ କିଛି ସମୟ ପାଇଁ ଦେଖାଯାଆନ୍ତି, ହଠାତ୍‍ ପୁଣି ଅଦୃଶ୍ୟ ହୋଇଯାଆନ୍ତି । କିଛି ସମୟ ପରେ ପୁଣି ପୂର୍ବଭଳି ଦିଶନ୍ତି । ସେହିସବୁ ଉଡ଼ନ୍ତା ଥାଳିଆ ବେଳେ ବେଳେ ସେମାନଙ୍କର ଏହି ଅଦୃଶ୍ୟ ହେବା ଶକ୍ତିକୁ ବାରମ୍ୱାର ଦେଖାଇଥାନ୍ତି । ବହୁ ଚିନ୍ତାଶୀଳ ବ୍ୟକ୍ତି ଏହି ଧରଣର ଉଡ଼ନ୍ତା ଥାଳିଆକୁ ଚତୁଃ ପରିସର (Four dimensional) ଜଗତର ବୋଲି ଭବନ୍ତି । କେତେକଙ୍କ ମତରେ ଏହିଭଳି ଉଡ଼ନ୍ତା ଥାଳିଆର ଶରୀର ସାଧାରଣ ବସ୍ତୁରୁ ତିଆରି ନ ହୋଇ ଏକ ଅଦ୍ଭୁତ ବ୍ୟୋମବସ୍ତୁ (Etherial matter)ରୁ ତିଆରି । ଏହି ବସ୍ତୁ ବେଳେବେଳେ ଦୃଶ୍ୟ ଓ ବେଳେବେଳେ ଅଦୃଶ୍ୟ ହୋଇପାରେ । ଯାନର ଗତି ନେଇ ଏହା ସାଧାରଣତଃ ଦୃଶ୍ୟମାନ ବା ଅଦୃଶ୍ୟ ହୋଇପାରେ । ଏହି ଯାନର ଯେ କୌଣସି ଆକୃତି ହୋଇପାରେ ଓ ଏଗୁଡ଼ିକୁ ମାନସିକ ବଳଦ୍ୱାରା ପରିଚାଳିତ କରି ହୁଏ । ଚତୁଃପରିସର (Four dimensional) ଜଗତର ପଦାର୍ଥ, କେମିତି ହୋଇପାରେ ଆମପକ୍ଷରେ ଧାରଣା କରିବା ଅତୀବ କଷ୍ଟକର । ତେବେ ସେ ଜଗତ ଯେ ଆମ ଜଗତଠାରୁ ଢେର ଆଲଗା, ଏହା ନିଃସନ୍ଦେହରେ କୁହାଯାଇପାରେ । ସେହି ଜଗତରୁ ଆସୁଥିବା ଉଡ଼ନ୍ତା ଥାଳିଆ ଯେ ସେହପରି ବିଚିତ୍ର ହୋଇଥିବ । ଏଥିରେ ସନ୍ଦେହ କରିବାର କିଛି ନାହିଁ ।

 

ଯେଉମାନେ ଚତୁଃପରିସର ଜଗତର ପଦାର୍ଥ ସମ୍ୱନ୍ଧରେ ଏହି ମତ ପୋଷଣ କରନ୍ତି, ସେମାନେ କହନ୍ତି ବ୍ୟୋମ ବସ୍ତୁରୁ ସୃଷ୍ଟ ଜୀବ ନିଜ ଇଚ୍ଚାଅନୁସାରେ ଅଦୃଶ୍ୟାବସ୍ଥାରୁ ଦୃଶ୍ୟାବସ୍ଥାକୁ ଆସି ସାଧାଣ ବସ୍ତୁ ଭାବରେ ଆମର ଦୃଷ୍ଟି ଗୋଚର ହୋଇପାରେ । ବ୍ୟୋମ ବସ୍ତୁର ଏହି ପରିବର୍ତ୍ତନକୁ ବସ୍ତୁ–ଅବସ୍ତୁର ରୂପାନ୍ତର (Materialisation-dematerialisation) କୁହାଯାଏ ।

 

୧୯୫୩ ମସିହା ସେପ୍‍ଟେମ୍ୱର ମାସ ତା୧୬ରିଖ ଦିନ ସାଢ଼େ ଦଶଟାବେଳେ କାନାଡ଼ାର ଓଣ୍ଟେରିଓ ରାଜ୍ୟର ଲଣ୍ତନ ସହରଠାରେ ଦୁଇ ଭାଇ ମଟରଗାଡ଼ି ଚଲାଇ ଯାଉଥିଲାବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେମାନେ ଯାଉଁ ଯାଉଁ ହଠାତ୍ ଦେଖିଲେ ସେମାନଙ୍କଠାରୁ ୨୦ ଫୁଟ ଦୂର ଆକାଶରେ କ’ଣ ଗୋଟିଏ ବୁଲୁଛି । ଏହା ପୃଥିବୀ ଠାରୁ ପ୍ରାୟ ଦଶ ଫୁଟ ଉଚ୍ଚରେ । ଏହା ଦେଖିବାକୁ ଈଷତ୍ ଧଳା । ଏହାର ଚଉଡ଼ା ପ୍ରାୟ ଦଶଇଞ୍ଚ ହେବ । ଏହାର ସେଭଳି କିଛି ନିର୍ଦ୍ଦିଷ୍ଟ ଆକାର ନାହିଁ । ଅନାଉଁ ଅନାଉଁ ଏହାର ରୂପ ଓ ଆକାର ବଦଳି ଗଲା ଓ ସଙ୍ଗେ ସଙ୍ଗେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା ।

 

୧୯୫୪ ମସିହା ଜୁନ ମାସ ତା ୩୦ ରିଖ ସୂର୍ଯ୍ୟାସ୍ତବେଳେ ବ୍ରିଟିଶ ଏୟାରଓ୍ୱେଜ କୋମ୍ପାନୀରେ ଏକ ଉଡ଼ାଜାହାଜ ଚାଳକ ଏକ ବଡ଼ ଉଡ଼ାଜାହାଜ ଚଳାଇ ଯାଉଁ ଯାଉଁ ଦୂର ଆକାଶରେ ଏକ ବିରାଟ ମହାଶୂନ୍ୟଯାନ ଦେଖିଲେ । ଏହି ଯାନ ସହିତ ସାତଗୋଟି ଉଡ଼ନ୍ତା ଥାଳିଆ ସଂଶ୍ଳିଷ୍ଟ ଥିଲା । ଉଡ଼ାଜାହାଜ ସହିତ ସମାନ୍ତରାଳ ଭାବରେ ଏହି ବିଚିତ୍ର ଯାନଟି ଯାଉଥିଲା-। ଉଡ଼ାଜାହାଜ ଚାଳକ ପ୍ରୟ ଅଶୀ ମାଇଲ ପର୍ଯ୍ୟନ୍ତ ଏହା ସହିତ ସମାନ୍ତରାଳ ଭାବରେ ଗତି କରିଥିଲେ । ଏହି ଯାନଟି ଥରକୁ ଥର ନିଜର ରୂପ ଓ ଆକାର ବଦଳାଇବାର ଦେଖି ଜାହାଜ ଚାଳକ ଓ ଜାହାଜର ପରିଚାରିକାମାନେ ଅତ୍ୟଧିକ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ । ଯେତେବେଳେ ଏହି ଯାନଟି ଜାଣିପାରିଲା ଯେ ନିକଟସ୍ଥ ଉଡ଼ାଜାହାଜ ଘାଟିରୁ ସାବ୍ରଜେଟ ଏହାକୁ ଠାବ କରିବା ପାଇଁ ପ୍ରେରିତ ହେଲା, ଯାନଟି ସଙ୍ଗେ ସଙ୍ଗେ ଅନାଉଁ ଅନାଉଁ ଅଦୃଶ୍ୟ ହୋଇଗଲା ।

 

୧୯୫୪ ମସିହା ବସନ୍ତ ଋତୁରେ ଆଲୋବାମା ରାଜ୍ୟସ୍ଥ ବାରମିଙ୍ଗହାମ୍‍ଠାରେ ପ୍ରାୟ ୪୦୦୦ ଲୋକ ଆକାଶରେ ଏକ ବିରାଟ ସିଗାରେଟ ଆକାରର ଉଡ଼ନ୍ତା ପଦାର୍ଥ ଦେଖିଲେ । ଏହା ପ୍ରାୟ ଘଣ୍ଟାଏ କାଳ ସହର ଉପରେ ପଇଁତରା ମାରିଥିଲା । ପ୍ରାୟ ୪୦ ଗୋଟି ଉଡ଼ାଜାହାଜ ସଙ୍ଗେ ସଙ୍ଗେ ଏହାକୁ ଠାବ କରିବା ପାଇଁ ଆକାଶକୁ ଉଠି ଏହା ଚାରିପାଖରେ ଉଡ଼ିଥିଲେ । ଉଡ଼ନ୍ତା ଥାଳିଆଟି ବେଳେ ବେଳେ ଅଦୃଶ୍ୟ ହୋଇ ଯାଉଥାଏ ଓ ପୁଣି ଦିଶୁଥାଏ । ପ୍ରାୟ ଘଣ୍ଟାଏ ପରେ ଏହା ପୂରାପୂରି କୁଆଡ଼େ ଚାଲିଗଲା । ଚିନ୍ତାଶିଳ ବ୍ୟକ୍ତିମାନଙ୍କ ମତରେ ଏଗୁଡ଼ିକ ବସ୍ତୁଜଗତର ବହିର୍ଭୂତ ଉଡ଼ନ୍ତା ଥାଳିଆ ହେବା ସମ୍ଭବ ।

 

୧୯୫୫ ମସିହା ବସନ୍ତ ଋତୁରେ ସିସିଲି ଦ୍ୱୀପର ଟାରମିନା ସହର ଉପରେ ଏକ ଉଡ଼ନ୍ତା ଥାଲିଆ ଦେଖା ଦେଇଥିଲା । ଏହାକୁ ସହରର ବହୁଲୋକେ ଦେଖି ପାରିଥିଲେ । ଇଉନାଇଟେଡ଼ ପ୍ରେସର ଫଟୋଗ୍ରାଫର ଏହାର ଏକ ଫଟୋ ଉଠାଇଥିଲେ । ଏହି ବହିରେ ଦିଆଯାଇଥିବା ଫଟୋ ଚିତ୍ରରେ ଏହା ସ୍ଥାନ ପାଇଛି ।

 

ଉଡ଼ନ୍ତା ଥାଳିଆ ପୃଥିବୀର ବିଭିନ୍ନ ଦେଶ ବ୍ୟତୀତ ପୃଥିବୀର ଦକ୍ଷିଣମେରୁ ଓ ଉତ୍ତରମେରୁ ଅଞ୍ଚଳରେ ମଧ୍ୟ ଦେଖା ଦେଇଛି ।

 

୧୯୪୮ ମସିହାରେ କେତେକ ମାଛ ଧରାଳୀ ତିମି ଶିକାର କରିବାକୁ ମେରୁ ଅଞ୍ଚଳକୁ ଯାଇଥିଲେ । ସେମାନେ ପ୍ରକାଶ କରନ୍ତି ଯେ ସେମାନେ ଯେତେବେଳେ ଫେରି ଆସୁଥିଲେ, ଦକ୍ଷିଣମେରୁ ଆକାଶରେ କେତେଗୁଡ଼ିଏ ଅଦ୍ଭୁତ ଥାଳିଆ ଆକାରର ଉଡ଼ନ୍ତାଯାନ ଦେଖିବାକୁ ପାଇଲେ । ଏହି ଖବର ପାଇ ଚିଲି ସରକାର ତାଙ୍କର ନୌବାହିନୀ ଅଫିସର ଓଡ଼େରରଙ୍କୁ ଅନୁସନ୍ଧାନ କରିବା ପାଇଁ ପଠାଇଲେ । ସେ ସେହି ଉଡ଼ନ୍ତାଯାନର କେତେ ଗୁଡ଼ିଏ ଗତିଶୀଳ ଚିତ୍ର ଉଠାଇ ଆଣିଥିଲେ । ସେହି ଚିତ୍ରରୁ ପରିଷ୍କାର ଜଣା ପଡ଼ୁଥିଲା ଯେ ଥାଳିଆ ଆକାରର ଏକ ଉଡ଼ନ୍ତା ଯାନ ଦକ୍ଷିଣମେରୁର ଚିଲି ଅଧୀନସ୍ଥ ଅଞ୍ଚଳରେ ଘୂରି ବୁଲୁଥିଲା ।

 

Image

 

(ଉପର ଦର୍ଶିତ ମାନଚିତ୍ରରୁ ପୃଥିବୀର କେଉଁ କେଉଁ ସ୍ଥାନରେ ଉଡ଼ନ୍ତା ଥାଳିଆ ଦେଖାଦେଇଛି, ତହିଁର ସୂଚନା ମିଳେ ।)

 

ଏହି ଘଟଣା ପରେ ବହୁବାର ଦକ୍ଷିଣମେରୁ ଅଞ୍ଚଳରେ ଉଡ଼ନ୍ତା ଥଳିଆ ଦେଖା ଦେଇଛି-

 

ପୃଥିବୀର ଉତ୍ତରମେରୁ ବୃତ୍ତ ଭିତରେ ମଧ୍ୟ ଉଡ଼ନ୍ତା ଥାଳିଆ ବହୁବାର ଦେଖାଦେଇଛି । ଆଲାସ୍କାରେ ପ୍ରାୟ ୧୨୮, ଗ୍ରୀନ ଲାଣ୍ତରେ ୧୦୩ ଓ ଅନ୍ୟାନ୍ୟ ମେରୁ ଅଞ୍ଚଳରେ ପ୍ରାୟ ୧୮୭ ଗୋଟି ଉଡ଼ନ୍ତା ଥାଳିଆ ଦୃଶ୍ୟ ପ୍ରକାଶ ପାଇଛି ।

 

ଆହୁରି ମଧ୍ୟ ଜଣାଯାଇଛି ଯେ ଏହି ଯାନଗୁଡ଼ିକ ବିଷୁବରେଖା ଅଞ୍ଚଳରେ ଯେତେ ଦେଖାଯାନ୍ତି, ତାହାଠାରୁ ଅଧିକ ଦେଖାଯାନ୍ତି ମେରୁ ଅଞ୍ଚଳରେ । ମେରୁ ଅଞ୍ଚଳରେ କାହିକିଁ ଏତେ ଉଡ଼ନ୍ତାଥାଳିଆ ଦେଖାଯାଏ, ତାହାର କାରଣ ଅନେକ । ମେରୁ ଅଞ୍ଚଳରେ ତାପମାତ୍ରାର ନ୍ୟୁନତା ହେତୁ ସେମାନେ ଏହି ଅଞ୍ଚଳକୁ ଅଧିକ ପସନ୍ଦ କରିଥାଇ ପାରନ୍ତି । ଦ୍ୱିତୀୟରେ ପୃଥିବୀର ଆକାଶମଣ୍ତଳକୁ ପ୍ରବେଶ କରିବାପାଇଁ ମେରୁ ଅଞ୍ଚଳ ଅଧିକ ମୁକ୍ତ ତଥା ଉପଯୁକ୍ତ ହୋଇପାରେ । ତୃତୀୟରେ ମେରୁ ଅଞ୍ଚଳ ଜନମାନବ ଶୂନ୍ୟ ହୋଇଥିବାରୁ ସେଠାରେ ସେମାନେ ସେମାନଙ୍କର ଗୋପନୀୟ ଚଳପ୍ରଚଳ ସହଜରେ ଓ ଅସଙ୍କୋଚ ଭାବରେ କରିପାରନ୍ତି । ଚତୁର୍ଥରେ ସୁମେରୁ ଓ କୁମେରୁର ଖଣିଜ ଭଣ୍ତାର ପ୍ରତି ଅପେକ୍ଷାକୃତ ଅଧିକ ଆକୃଷ୍ଠ ହୋଇଥିବା ସମ୍ଭାବନା ।

 

ମହାସାଗର ଉପରେ ଉଡ଼ନ୍ତାଥାଳିଆ ଦୃଶ୍ୟ

 

ଉଡ଼ନ୍ତା ଥାଳିଆ ଯେ କେବଳ ସ୍ଥଳ ଭାଗ ଆକାଶରେ ଦେଖାଦିଏ, ଜଳଭାଗ ଆକାଶରେ ଦେଖାଦିଏ ନାହିଁ, ଏହା ମଧ୍ୟ ସତ୍ୟ ନୁହେଁ । ସମୁଦ୍ରରେ ଯାଉଥିବା ବହୁ ଜାହାଜ ଆକାଶରେ ଉଡ଼ନ୍ତା ଥାଳିଆ ଦେଖିଥିବାର ପ୍ରମାଣ ରହିଛି ୧୯୬୩ ମସିହା ନଭେମ୍ୱର ମାସ ତା୧୨ରିଖ ରାତିରେ ଆର୍ଜେଣ୍ଟାଇନାର ନୌଯୁଦ୍ଧ ଜାହାଜ ‘ପୁଣ୍ଟା ମେନଡ଼ସ୍’ ସମୁଦ୍ରରେ ଗତି କଲାବେଳେ ଏହା ମାଇଲିଏ ଦୂରରେ ଆକାଶରେ ଉଡ଼ୁଥିବା ଏକ ଉଡ଼ନ୍ତା ଥାଳିଆ ଦ୍ୱାରା ଆଗେଇବାରେ ବାଧାପ୍ରାପ୍ତ ହୋଇଥିଲା । ଏହି ଉଡ଼ନ୍ତା ଥାଳିଆ ଗୋଲାକାର ,ଏକ ନିର୍ଦ୍ଦିଷ୍ଟ ବେଗରେ ଯାଉଥାଏ । ଏହା କୌଣସି ଶଦ୍ଦ ସୃଷ୍ଟି କରୁ ନଥାଏ କି ଏଥିରେ କୌଣସି ଆଲୋକ ନଥାଏ । ଏହା ଯେତେବେଳେ ଯୁଦ୍ଧଜାହାଜର ଖୁବ୍‍ ପାଖେଇ ଆସିଲା, ଯୁଦ୍ଧ ଜାହାଜର ଚୁମ୍ବକ କମ୍ପାସରେ ନାନା ଗୋଳମାଳ ଦେଖାଦେଲା । ଏହା ଦୂରେଇ ଗଲାରୁ କମ୍ପାସ ପୁଣି ଠିକ୍ ଭାବରେ ଚାଲିଲା ।

 

ଉଡ଼ନ୍ତା ଥାଳିଆର ଆକ୍ରମଣ ମନୋବୃତ୍ତି

 

ପୃଥିବୀର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ଉଡ଼ନ୍ତା ଥାଳିଆଗୁଡ଼ିକ ବେଳେ ବେଳେ ପୃଥିବୀର ଲୋକଙ୍କୁ ଆନ୍ତ୍ରମଣ କରିବାର ଖବର ମିଳେ । କେତେକ ବିଶେଷଜ୍ଞ ମତ ଦିଆନ୍ତି, ୧୯୪୯ ମସିହାରେ ଗୋଟିଏ ଉଡ଼ନ୍ତା ଥାଳିଆ ପଛରେ ଗୋଡ଼ାଇ ଟମାସ୍ ମେଣ୍ଟେଲ ଯେଉଁ ମୃତ୍ୟୁ ବରଣ କରିଥିଲେ, ତାଙ୍କ ମୃତ୍ୟୁର କାରଣ ହେଉଛି ସେହି ଉଡ଼ନ୍ତା ଥାଳିଆ । ଉଡ଼ନ୍ତା ଥାଳିଆର ଚାଳକମାନଙ୍କର କୌଣସି ଅଦୃଶ୍ୟ ମୃତ୍ୟୁ ରଶ୍ମି ପ୍ରୟୋଗ ଫଳରେ ମେଣ୍ଟେଲଙ୍କ ମୃତ୍ୟୁ ହେବା ଅଧିକ ସମ୍ଭବ । ମେଣ୍ଟେଲ ଯେତେବେଳେ ତାଙ୍କ ଶେଷ ଖବର ଗୁଡ଼୍‍ମେନ୍ ଏୟାରବେଜକୁ ପଟାଉଥିଲେ, ସେତେବେଳେ ଏହି ମୃତ୍ୟୁରଶ୍ମି ତାଙ୍କ ଉପରେ ସମ୍ଭବତଃ ନିକ୍ଷେପ କରାଯାଉଥିଲା ।

 

ଏତଦ୍‍ବ୍ୟତୀତ ଆଡ଼ କେତେକ ସ୍ଥାନରେ ଉଡ଼ନ୍ତା ଥାଳିଆ ଉଡ଼ାଜାହାଜକୁ ଆମନ୍ତ୍ରଣ କରିଥିବାର ଖବର ମିଳେ । ୧୯୪୩-୪୪ ମସିହାରେ ଯେତେବେଳେ ବେଶି ଉଡ଼ନ୍ତା ଥାଳିଆ ପ଼ୃଥିବୀରେ ଦେଖାଯାଉଥିଲା, ସେତେବେଳେ ପୃଥିବୀର ଜେଟ୍ ଜାହାଜରେ ବହୁତ ଦୁର୍ଘଟଣା ଘଟୁଥିଲା । ଏମିତି କି ସେ ସମୟରେ ଜେଟ୍ ଜାହାଜ କମେଟ ଆଉ ଉଡ଼ିପାରିଲାନି । କେତେକଙ୍କ ମତରେ ଉଡ଼ନ୍ତା ତାଳିଆର ଆକ୍ରମଣ ହେତୁ ଆକାଶରେ ଖୁବ୍ ଉଚ୍ଚରେ ଜେଟ୍‍ଜାହାଜ ଉଡ଼ି ନ ପାରି ଧ୍ୱଂସ ପାଇଯାଉଥିଲା ।

 

ଇଂଲଣ୍ତ, ଫ୍ରାନସ ଓ ଯୁକ୍ତରାଷ୍ଟ୍ରରେ ୧୯୫୦ ମସିହାଠାରୁ ୧୯୫୪ ମସିହା ଭତରେ ଉଡ଼ନ୍ତା ଥାଳିଆ ଗୁଡ଼ିକ ଆକାଶରେ ଥାଇ ପୃଥିବୀ ଉପରକୁ କ’ଣ ସବୁ ପଦାର୍ଥ ନିକ୍ଷେପ କରିବାର ଦେଖାଯାଇଥିଲା ।

 

ଉଡ଼ନ୍ତା ଥାଳିଆ ପ୍ରତି ବିଭିନ୍ନ ପ୍ରାଣୀମାନଙ୍କର ପ୍ରତିକ୍ରିୟା

 

ଉଡ଼ନ୍ତା ଥାଳିଆ ସମ୍ବନ୍ଧୀୟ ବିଭିନ୍ନ ସାକ୍ଷ୍ୟରୁ ଏହା ପ୍ରମାଣିତ ହୋଇଅଛି ଯେ ଉଡ଼ନ୍ତା ଥାଳିଆର ଅବସ୍ଥତିକୁ ମନୁଷ୍ୟମାନେ ଜାଣି ପାରିବା ପୂର୍ବରୁ ପ୍ରାଣୀମାନେ ନିଜର କୌଣସି ଅଲୌକିକ ଶକ୍ତିଦ୍ୱାରା ଜାଣିପାରନ୍ତି । ଉଡ଼ନ୍ତା ଥାଳିଆର ଆଗମନରେ ଯେଉଁ ତଡ଼ିତ୍‍ ଚୁମ୍ୱକୀୟ ଗୋଳମାଳ ଘଟେ, ତାହାକୁ ମଣିଷ ତଥା ପ୍ରାଣୀମାନେ ବେଶ୍‍ ଭଲ ଭାବରେ ଧରି ପାରନ୍ତି ବୋଲି ଏବେ ଏକ ପରୀକ୍ଷାରୁ ଜଣାପଡ଼ିଛି ।

 

୧୯୫୨ ମସିହା ଜାନୁୟାରୀ ମାସ ୨୯ ତାରିଖ ରାତିରେ ସାଉଥ୍ କ୍ୟାରୋ-ଲାଇନା ରାଜ୍ୟର କନଓ୍ୱେ ସହରରେ ସାମରିକ ବାହିନୀର ଏକ ଗୁଇନ୍ଦା ଅଫିସର ଲର୍ଡ ବୁଥ୍‍ ତାଙ୍କ ବାପାଙ୍କ ଘରକୁ ଆସୁଥିଲେ । ସେ ଆସୁ ଆସୁ ତାଙ୍କ ବାପାଙ୍କ ଘରଠାରୁ କିଛି ଦୂରରେ କେତେକ ଘୁଷୁରୀ ଏକ ଅସ୍ୱାଭାବିକ ଶଦ୍ଦ ସୃଷ୍ଟି କରି ନିଜ ଅସ୍ଥିରତା ପ୍ରକାଶ କରୁଥିବା ଓ ଘୋଡ଼ାମାନେ ଅସ୍ୱାଭାବିକ ଭାବରେ ବୋବାଉ ଥିବାର ଶୁଣିଲେ । ଏହାର କାରଣ କ’ଣ ସେ ଜାଣି ପାରିଲେନି । ଚାରି ଆଡ଼କୁ ଲକ୍ଷ୍ୟ କରି ଦେଖିଲେ ଯେ ଆକାଶର ଅଳ୍ପ ଉଚ୍ଚରେ ଥାଳିଆ ଆକାରର ଏକ ଉଡ଼ନ୍ତାଯାନ ଘୁରି ବୁଲୁଛି । ସଙ୍ଗେ ସଙ୍ଗେ ସେଠାକୁ ଯାଇ ଉଡ଼ନ୍ତାଯାନକୁ ଲକ୍ଷ୍ୟ କରି ନିଜ ବନ୍ଧୁକରୁ ଗୁଳି ଚଲାଇଲେ । ବନ୍ଧୁକ ଗୁଳି ସେହି ଯାନରେ ବାଜି ଏକ ପ୍ରକାର ଧାତବ ଶଦ୍ଦ ସୃଷ୍ଟି କରିଥିଲା । କିନ୍ତୁ ଯାନଟି ସଙ୍ଗେ ସଙ୍ଗେ ସେଠାରୁ ଅନ୍ତର୍ହିତ ହୋଇଗଲା ।

 

କେତେକ ଲୋକ କହନ୍ତି ଯେ ଉଡ଼ନ୍ତା ଥାଳିଆ ପାଖାପାଖି ଅବସ୍ଥିତକୁ ପ୍ରାଣୀମାନେ ଭଲ ଧରିପାରନ୍ତି । ଉଡ଼ନ୍ତା ଥାଳିଆ ଯେଉଁ ତଡ଼ିତ୍ ଚୁମ୍ୱକ ତରଙ୍ଗ ସୃଷ୍ଟି କରୁଥାଏ, ତାକୁ ଧରିବାର ଶକ୍ତି ବହୁ ଲୋକଙ୍କର ଅଛି ବୋଲି କର୍ଣ୍ଣିଙ୍ଗ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ କ୍ଳାଇଡ୍ ଇନଗେନିସ୍ ଏବେ ପ୍ରକାଶ କରିଛନ୍ତି ।

 

୧୯୫୬ ମସିହାର ଏକ ଘଟଣା ଇଣ୍ତିଆନା ରାଜ୍ୟର ବୁନିଙ୍ଗଟନ୍‍ ସହର ନିକଟବର୍ତ୍ତୀ ଏକ ସ୍ଥାନରେ ଚାରୋଟି ପିଲା ପଥର ଖୋଳା କାମରେ ଲିପ୍ତ ଥିଲେ । ସେମାନେ ରାତିରେ ସେହି ସ୍ଥାନରେ ଶୋଇ ଥିଲେ । ରାତି ତିନିଟା ବେଳେ ଏକପ୍ରକାର ଅସ୍ୱାଭବିକ ଶବ୍ଦ ଓ ଏମିତି ଏକ ଶକ୍ତିଶାଳୀ ଆଲୋକ ଦେଖିଲେ ଯାହାକି ଏକ ଖୁବ୍ ଉଜ୍ଜ୍ୱଳ ଉଡ଼ନ୍ତାଯାନରୁ ଆସୁଥିଲା । ଏହା ଏତେ ଉଜ୍ଜ୍ୱଳ ଦିଶୁଥିଲା ଯେ ସେମାନେ ଏହାର ଆକୃତି ଦେଖିପାରୁ ନଥିଲେ । ଯେଉଁ ଆଲୋକ ସେମାନଙ୍କ ଉପରେ ପଡ଼ିଲା, ସେମାନେ ଖୁବ୍ ଗରମ ଅନୁଭବ କଲେ । ଯାନଟି ପ୍ରାୟ ଦୁଇ ମିନିଟ ରହି ଅନ୍ତର୍ହିତ ହୋଇଗଲା । ପିଲାମାନେ ସଙ୍ଗ ସଙ୍ଗେ ପୋଲିସ୍‍ ଷ୍ଟେସନକୁ ଦୌଡ଼ି ଏହି ଘଟଣାଟି ଜଣାଇଦେଲେ । ପୋଲିସ୍‍ ଅଫିସରମାନେ ଆସି ଯେତେବେଳେ ଏହା ସମ୍ପର୍କରେ ଅନୁସନ୍ଧାନ କଲେ, ସେହି ପଥର କଟା କାରଖାନାର ଏକ ପ୍ରହରୀ ସେହିପରି, ଏକ ଉଜ୍ଜ୍ୱଳ ଯାନ ଦେଖିଥିବାର ପ୍ରକାଶ କଲା । ଆଖପଖ ସ୍ଥାନ ଏହି ଉତ୍ତପ୍ତ ପଦାର୍ଥ ଯୋଗୁଁ ଦଗ୍‍ଧ ହୋଇଥିବାର କେତେକ ପ୍ରମାଣ ସେମାନେ ପାଇଲେ । ଲୁଇମିଙ୍ଗ୍‍ଟନ ପୋଲିସ୍ ଏହି ପିଲାମାନଙ୍କର କଥା ପରୀକ୍ଷା କରି ଦେଖିଲେ ଯେ ଏମାନେ ଯାହା କହୁଛନ୍ତି ତାହା ସତ କିନ୍ତୁ ଏହି ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତି ପ୍ରକାଶ ପାଇଲା ନାହିଁ ।

 

ପୂର୍ବବର୍ତ୍ତୀ ଅଧ୍ୟାୟରେ ଆଲୋଚିତ ହୋଇଛି ଯେ ଉଡ଼ନ୍ତା ଥାଳିଆକୁ ଦେଖିବା ଆଗରୁ ଘୋଡ଼ା କୁକୁର ଆଦି ପ୍ରାଣୀମାନେ କିପଳି ପ୍ରତିକ୍ରିୟା ପ୍ରକାଶ କରନ୍ତି । ବିଶଷତଃ ଏକ୍‍ସିଟର୍‍ ଘଟଣା ଓ ଓ୍ୱେଷ୍ଟଭାରର୍ଜିନିଆ ଘଟଣା ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଉଡ଼ନ୍ତା ଥାଳିଆକୁ ମଣିଷ ଦେଖିବା ପୂର୍ବରୁ ଏହି ପ୍ରଣୀମାନଙ୍କର ପ୍ରତିକ୍ରିୟା ମଣିଷକୁ ସୁଚାଇ ଦେଇଥାଏ ଉଡ଼ନ୍ତା ଥାଳିଆର ଅବସ୍ଥିତି ।

 

ଆମେରିକାର ଓ୍ୱେଷ୍ଟଭାରର୍ଜିନିଆର ଏକ ଘଟଣା ବେଶ୍ ରହସ୍ୟଜନକ । ୧୯୫୨ମସିହା ମେ ମାସ ୨୧ ତାରିଖ ରାତିର ଘଟଣା । ଏହି ଦିନ ରୋଜ୍ ମରଫି ନାମକ ଜନୈକ ମାର୍କିନ୍ କିଶୋର ତାଙ୍କ ସାତ ଆଠ ଜଣ ବନ୍ଧୁଙ୍କ ସହିତ ଘୋଡ଼ା ଉପରେ ବସି ଦୌଡ଼ୁଥିଲେ-। ସେମାନେ ଗୋଟିଏ ବଣ ଭିତରେ ଦୌଡ଼ୁ ଦୌଡ଼ୁ ସେମାନଙ୍କ ଘୋଡ଼ା କ’ଣ ବାରିଲା ଆଉ ଆଗକୁ ଯିବାକୁ ନାରାଜ । ଚାହୁଁ ଚାହୁଁ ସବୁ ଘୋଡ଼ା ମୋଟେ ଆଗେଇଲେନି । ସେମାନଙ୍କ ଭିତରୁ ଜଣେ ଆକାଶକୁ ଆନାଇ ଆକାଶରେ ସର୍କସ ଆଲୁଅ ଭଳି ଏକ ତୀବ୍ର ଆଲୋକ ଦ୍ୱାରା ଆଲୋକିତ ଏକ ପଥ ଦେଖିଲେ ।ସେମାନେ ନିଜ ଭିତରେ ହସା ହସି ହେଲେ, କହିଲେ ଏହି ଘୋଡ଼ାଗୁଡ଼ାକ ଏହି ସର୍କସ ଆଲୁଅ ଦେଖି ଡରୁଛନ୍ତି କଅଣ ?

 

କିନ୍ତୁ ସେମାନେ ଆଉ କିଛି ନ ଭାବି ପୁଣି ଆଗକୁ ଆଗେଇଲେ । ଘୋଡ଼ାମାନେ କ’ଣ ହେଲା କେଜାଣି ଭୟରେ ଥରିବାକୁ ଆରମ୍ଭ କଲେ । ହଠାତ୍ ଚାହୁଁ ଚାହୁଁ କେତେକ ଘୋଡ଼ା ପଛେଇବାକୁ ଲାଗିଲେ । ସେମାନେ କ’ଣ ହେଲା ଜାଣିବା ପାଇଁ ସାମାନକୁ ନିରୀକ୍ଷଣ କଲେ । ସେମାନେ ଦେଖିଲେ ସେମାନଙ୍କଠାରୁ ପ୍ରାୟ ୨୦୦ ଫୁଟ ଦୂରରେ ବିରାଟ ଥାଳିଆ ଆକାରରେ ବସ୍ତୁଟିଏ ଆକାଶରୁ ଓଲ୍ଲାଉଛି । ଏହାର ରଙ୍ଗ ଇଷତ୍ ନୀଳ । ଏହି ବସ୍ତୁଟି ତଳକୁ ଓଲ୍ଲାଉ ଓଲ୍ଲାଉ ଗୋଟିଏ ଗଛରେ ବାଧା ପାଇ ଗଛଟିକୁ ଏକ ବିରାଟ ଶଦ୍ଦ ସହ ଭାଙ୍ଗି ପକାଇଲା । ସେଥି ସହ ଏକ ନୀଳ ଆଲୋକ ପଦାର୍ଥଟିରୁ ବାହାରି ଚାରିଆଡ଼କୁ ନୀଳ ଆଲୋକରେ ରଞ୍ଜିତ କରିପକାଇଲା-। ସୋମାନ ଏହା ଦେଖି ଆଗକୁ ନ ଯାଇ ଖୁବ୍ ଜୋର୍‍ରେ ଭୟରେ ପଛକୁ ପଳାଇ ଆସିଲେ । ସେମାନେ ସେଦିନ ରାତିରେ ଆସି ସେମାନଙ୍କ ଭିତରୁ ଜଣଙ୍କ ଘରେ ଆଶ୍ରୟ ନେଲେ-

 

ତହିଁ ପରଦିନ ସୋମାନେ ଚାଲି ଚାଲି ପୁଣି ସେହି ସ୍ଥାନକୁ ଗଲେ । ଦେଖିଲେ ସେଠାରେ ବହୁତ ଗୁଡ଼ିଏ ଗଛ ଭାଙ୍ଗି ଯାଇଛି । ନିକଟସ୍ଥ ଭୂମି ଉପରେ ଉଡ଼ନ୍ତା ପଦାର୍ଥର ଏକ ଚିହ୍ନ ରହିଛି । କିନ୍ତୁ ପ୍ରକୃତ ଉଡ଼ନ୍ତା ପଦାର୍ଥର ଅନ୍ୟ କୌଣସି ଚିହ୍ନବର୍ଣ୍ଣ ପାଇଲେ ନାହିଁ । ଏ ଘଟଣାଟିର ରହସ୍ୟ ଏ ପଯ୍ୟନ୍ତ ଉଦ୍‍ଘାଟିତ ହୋଇ ପାରିନାହିଁ ।

•••

 

ନବମ ଅଧ୍ୟାୟ

ଉଡ଼ନ୍ତା ଥାଳିଆ ପ୍ରକୃତରେ କ’ଣ ? ଏହା କ’ଣ ଅନ୍ୟ ଗ୍ରହର ଯାନ ?

ପୂର୍ବ ଅଧ୍ୟାୟ ମାନଙ୍କରେ ଆଲୋଚିତ ହୋଇଥିବା ଉଡ଼ନ୍ତା ଥାଳିଆ ସମ୍ପକୀୟ ବିଭିନ୍ନ ସାକ୍ଷ୍ୟ ଓ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ପ୍ରକୃତରେ କ’ଣ ହୋଇପାରେ ଆଲୋଚନା କରିବା । ଏଗୁଡ଼ିକ କୌଣସି ମାନସିକ ବିକାରଜନିତ ଦୃଶ୍ୟ ବୋଲି ଭାବିବା ଉଚିତ୍ ନୁହେଁ । କାରଣ ଏହା ହଜାର ହଜାର ଲୋକଙ୍କ ଦ୍ୱାରା ବାରମ୍ବାର ଦେଖାଯାଇ ସତ୍ୟ ଘଟଣା ବୋଲି ନିଶ୍ଚିତ ଭାବରେ ପ୍ରତିପାଦିତ ହୋଇଛି । ପୁନଶ୍ଚ ଯେଉଁମାନେ ଏହି ଉଡ଼ନ୍ତା ଥାଳିଆ ସମ୍ୱନ୍ଧୀୟ ସାକ୍ଷ୍ୟ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷିତ ଉଚ୍ଚପଦସ୍ଥ ବ୍ୟକ୍ତି । ଉଡ଼ନ୍ତା ଥାଳିଆ ଦେଖିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବୈଜ୍ଞାନିକ, ପାଣିପାଗ ବିଶେଷଜ୍ଞ, ଉଡ଼ାଜାହାଜ ଚାଳକ, ରେଡ଼ାର ବିଶେଷଜ୍ଞ, ଉଡ଼ାଜାହାଜ ଘାଟି ପରିଚାଳକ, ଉଚ୍ଚପଦସ୍ଥ ପୋଲିସ୍ ଅପିସର । ସେମାନେ ଏହି ସବୁ ଦୃଶ୍ୟ ଦେଖିଲାବେଳେ ମାନସିକ ବିକାର ରୋଗରେ ଆକ୍ରାନ୍ତ ହେବାର କୌଣସି ପ୍ରମାଣ ମଧ୍ୟ ମିଳିନାହିଁ । ତେଣୁ ଏଭଳି ବିଶ୍ୱସ୍ତ ଲୋକ ଦେଖିଥିବା ଦୃଶ୍ୟକୁ ଅସତ୍ୟ ବୋଲି କହିଦେବା ସେତେ ସହଜ ନୁହେଁ । ତେବେ ଏହା ନିଶ୍ଚିତ ଯେ “ଉଡ଼ନ୍ତା ଥାଳିଆ” ଦୃଶ୍ୟ ପ୍ରକତୃତରେ ସତ୍ୟ, ଏହା ଗୁଜବ କି ଉଡ଼ାଣିଆ କାହାଣୀ ନୁହେଁ ।

ଉଡ଼ନ୍ତା ଥାଳିଆ ଯଦି ପ୍ରକୃତରେ ସତ୍ୟ ହେଲା, ତେବେ ଏହା କ’ଣ ହୋଇପାରେ ? ଉଡ଼ନ୍ତା ଥାଳିଆ ପ୍ରକୃତରେ କଣ ସେ ସମ୍ୱନ୍ଧରେ ବର୍ତ୍ତମାନ ଦୁଇ ତିନୋଟି ମତବାଦ ଦେଖିବାକୁ ମିଳେ । କେତେକଙ୍କ ମତରେ ଏଗୁଡ଼ିକ ଆମ କିମ୍ବା ଅନ୍ୟ କୌଣସି ସୌର ଜଗତର ବିଭିନ୍ନ ଗ୍ରହ ଉପଗ୍ରହରୁ ଆସୁଥିବା ସୁସଭ୍ୟ ଜୀବ ବା ମଣିର ଯାନ ହୋଇପାରେ । ଆଉ କେତେକଙ୍କ ମତରେ ଏହା ଆକାଶରେ ବେଳେବେଳେ ଦିଶୁଥିବା କେତେକ ଆଲୋକୀୟ ଦୃଷ୍ଟିଭ୍ରମ ଛଡ଼ା ଆଉ କିଛି ନୁହେଁ । ଆଉ କେତେକେ କହନ୍ତି, ଏହା ଯୁକ୍ତରାଷ୍ଟ୍ର କିମ୍ବା ରୁଷିଆ ଦ୍ୱାରା ଅତି ଗୁପ୍ତ ଭାବରେ ପରୀକ୍ଷିତ ହେଉଥିବା କେତେକ ଅତି ଉଚ୍ଚ-ଶକ୍ତି ସମ୍ପନ୍ନ ଯାନ ବା ଅତି ଗୁପ୍ତ ଅଭିକ୍ରିୟା । ବର୍ତ୍ତମାନ ଏହି ତିନୋଟି ମତବାଦ ଭିତରୁ କେଉଁଟି ଉଡ଼ନ୍ତା ଥାଳିଆ ପ୍ରତି ପ୍ରଯୁଜ୍ୟ, ଆଲୋଚନା କରାଯାଉ ।

ଉଡ଼ନ୍ତା ଥାଳିଆ ଅନ୍ୟ ଗ୍ରହର ଯାନ ହୋଇପାରେ–

ବୈଜ୍ଞାନିକ ମରିସ୍ ବୟଟ୍ ବିଶ୍ୱାସ କରନ୍ତି, ଉଡ଼ନ୍ତା ଥାଳିଆ ଅନ୍ୟ କୈଣସି ଗ୍ରହ ଉପଗ୍ରହରୁ ଆସୁଥିବା ଯାନ । ଉଡ଼ନ୍ତା ଥାଳିଆ ପୃଥିବୀ ବାହାରର ଅନ୍ୟ ଗ୍ରହ ଉପଗ୍ରହର ଯାନ ବୋଲି ମେଜର ଡୋନାଲଡ଼ କ୍ୟୁୟୋ ମଧ୍ୟ ପୂରାପୂରି ବିଶ୍ୱାସ କରନ୍ତି । ସେ ଉଡ଼ନ୍ତା ଥାଳିଆ ସମ୍ପର୍କରେ ଖଣ୍ତିଏ ବହି ଲେଖିଛନ୍ତି । ବହିଟିର ନାମ ହେଉଛି ‘‘ବାହାର ଜଗତରୁ ଆସୁଥିବା ଉଡ଼ନ୍ତା ଥାଳିଆ’’ (‘F।ying saucers from outer space’) ଏହି ବହିଟି ନିଉୟର୍କନଗରୀର ହେନେରୀ ହଲଟ ଆଣ୍ତ୍ କୋମ୍ପାନୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ସେ ସେଥିରେ ଉଡ଼ନ୍ତା ଥାଳିଆ ପ୍ରକୃତରେ ବହିର୍ଜଗତରେ ଗ୍ରହ ବା ଉପଗ୍ରହ ଯାନ ବୋଲି ଯେଉଁ ତଥ୍ୟମାନ ବାଢ଼ିଛନ୍ତି, ସେଗୁଡ଼ିକ ବେଶ୍ ଚିତ୍ତାକର୍ଷକ । ତାଙ୍କ ତଥ୍ୟ ଭିତରୁ କେତେଗୋଟି ଏଠି ଦିଆଗଲା । ଅନ୍ୟଗ୍ରହ ଉପଗ୍ରହର ଅଧିବାସୀମାନେ କାହିଁକି ପୃଥିବୀ ଆଡ଼କୁ ଆକୃଷ୍ଟ, ତହିଁର କାରଣ ସେ ବେଶ୍‍ ଚିତ୍ତାକର୍ଷକ ଭାବରେ ପ୍ରତିପାଦନ କରିଅଛନ୍ତି । ସେହିସବୁ କାରଣ ହେଲା–

(୧)

ଅନ୍ୟ ଗ୍ରହର ଲୋକ ଜାଣି ସାରିଲେଣି, ପୃଥିବୀ ପରମାଣୁ ଓ ରକେଟ୍ ଗବେଷଣାରେ ଖୁବ୍ କୃତକାର୍ଯ୍ୟତା ହାସଲ କଲାଣି । ସେମାନଙ୍କର ଭୟ ପୃଥିବୀର ଲୋକେ କାଳେ ସେମାନଙ୍କ ଗ୍ରହକୁ ଭବିଷ୍ୟତରେ ଆକ୍ରମଣ କରିପାରନ୍ତି । ସେମାନେ ସେମାନଙ୍କ ଯାନ ଉଡ଼ନ୍ତା ଥାଳିଆ ପଠାଇ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରୁଛନ୍ତି, ପୃଥିବୀର ଲୋକ ଏସବୁ ବିଜ୍ଞାନରେ କେତେଦୂର ବ୍ୟୁତ୍ପତ୍ତି ଅର୍ଜନ କରିଛନ୍ତି ।

(୨)

ବିଊିନ୍ନ ଆଣବିକ ଅସ୍ତ୍ରର ବିସ୍ଫୋରଣ ଦୂରା ପୃଥିବୀ ଯଦି ଧ୍ୱଂସ ପାଇଯାଏ’ ସେମାନେ ଗ୍ରହ ଉପଗ୍ରହ ଉପରେ କି ପ୍ରଭାବ ପଡ଼ିବ, ସେ ସମ୍ବନ୍ଧରେ ନାନା ତଥ୍ୟ ସଂଗ୍ରହ ପାଇଁ ଉଡ଼ନ୍ତା ଥାଳିଅରେ ସେମାନେ ପୃଥିବୀକୁ ବାରମ୍ବାର ଆସିଥାଇ ପାରୁଥାନ୍ତି ।

(୩)

ସେମାନଙ୍କ ଗ୍ରହରେ ଇଉରାନିୟମ ଆଦି ଧାତୁର ଅଭାବ ହେବାରୁ ସେମାନେ ପୃଥିବୀକୁ ଧାତୁ ଅନ୍ୱେଷଣରେ ଆସିଥାଇ ପାରନ୍ତି । ସେମାନେ ଯଦି ଆମ ଭଳି ପରମାଣୁ ଶକ୍ତିର ଟେର୍ ପାଇଥାନ୍ତି ଓ ଯଦି ଏଥିପାଇଁ ଇଉରାନିୟମ ଆଦି ଧାତୁ ଉପରେ ନିର୍ଭର କରୁଥାନ୍ତି ତେବେ ପୃଥିବୀକୁ ଆସିବା ସମ୍ଭବପର । ପୃଥିବୀରେ ଯେଉଁସବୁ ପରମାଣବିକ ବିସ୍ଫୋରଣ ଘଟୁଛି, ସେଗୁଡ଼ିକ ଦେଖି ସେମାନେ ନିଶ୍ଚିତ ହୋଇଥିବେ ଯେ ପୃଥିବୀରେ ସେ ସବୁ ଧାତୁ ଭରପୁର ।

(୪)

ଅନ୍ୟ ଗ୍ରହର ଲୋକ ପୃଥିବୀକୁ ଆକ୍ରମଣ କରିବାର ସୁବିଧା ଖୋଜି ଥାଇ ପାରନ୍ତି । ସେଥିପାଇଁ ସେମାନେ ପୃଥିବୀକୁ ଲୁକ୍‍କାୟିତ ଭାବରେ ବାରମ୍ବାର ଆସିବା ସମ୍ଭବପର ।

(୫)

ସେମାନେ ଆମ ମତଲବ ଜାଣିପାରିଲେ ପୃଥିବୀ ସହିତ ସଦ୍ଭାବ ସ୍ଥାପନ ପାଇଁ ଇଚ୍ଛୁକ ଥାଇପାରନ୍ତି । ସେମାନେ ଆମ ମତଲବ ଜାଣିବା ପାଇଁ ଥରକୁଥର ଆସି ଥାଇ ପାରନ୍ତି ।

(୬)

ସେମାନେ ସାରା ବିଶ୍ୱରେ ମଣିଷ ଥିବା ଗ୍ରହ ଉପଗ୍ରହର ସନ୍ଧାନ ନେଇ ଏକ ତାଲିକା ପ୍ରସ୍ତୁତ କରିବା କାମରେ ଆଗଇ ଥାଇ ପାରନ୍ତି । ସେଥିପାଇଁ ପୃଥିବୀକୁ ଆସିବା ଯୁକ୍ତ ସଂଙ୍ଗତ ।

(୭)

ସେମାନଙ୍କ ଗ୍ରହ, ଉପଗ୍ରହ ହୁଏତ ରହିବା ଅବସ୍ଥାରେ ନାହିଁ । ନାନା ପ୍ରକାର ପରିବର୍ତ୍ତନ ହେତୁ ସେଗୁଡ଼ିକର ଅବସ୍ଥା ଦିନକୁ ଦିନ ପ୍ରତିକୂଳ ଅବସ୍ଥା ଆଡ଼କୁ ଯାଉଛି । ଆଉ କିଛି ବର୍ଷପରେ ସେ ଗ୍ରହରେ ସୋମାନଙ୍କ ରହିବା ହୁଏତ ସମ୍ଭବପର ହୋଇ ନପାରେ । ସେ ଦୃଷିରୁ ନିଜ ଥଇଥାନ ପାଇଁ ସେମାନେ ପୃଥିବୀରେ ସ୍ଥାନ ଖୋଜିବା ସମ୍ଭବପର ହୋଇପାରେ ।

 

ଯେଉଁମାନେ ଉଡ଼ନ୍ତା ଥାଳିଆ ଅନ୍ୟ ଗ୍ରହ ଉପଗ୍ରହର ଯାନ ବୋଲି ବିଶ୍ୱାସ କରନ୍ତି,ସେମାନେ ଉଡ଼ନ୍ତା ଥାଳିଆ କେଉଁଠୁ ଶକ୍ତିପାଏ ସେ ସମ୍ବନ୍ଧରେ ଏକ ନିର୍ଦ୍ଧିଷ୍ଟ ମତ ଦେଇଛନ୍ତି-। ପୃଥିବୀକୁ ଘେରି ରହିଥିବା ଚୁମ୍ବକୀୟ କ୍ଷେତ୍ରରୁ ସେମାନେ ସେମାନଙ୍କ ଯାନ ପାଇଁ ଶକ୍ତି ସଂଗ୍ରହ କରିବା କଥା କେତେକେ କହନ୍ତି । ଆଉ କେତେକେ କହନ୍ତି, ସେମାନେ ପୃଥିବୀର ବିଦ୍ୟୁତ୍ ଲାଇନରୁ ଶକ୍ତି ଚୋରି କରନ୍ତି । ଏହି ଦୃଷ୍ଟିରୁ ଉଡ଼ନ୍ତା ଥାଳିଆ ଶକ୍ତିଶାଳୀ ବିଦ୍ୟୁତ୍ ଲାଇନ୍ ପାଖରେ ଅନେକ ସମୟରେ ଉଡ଼ିବାର ଦେଖାଯାଏ । ଆଉ କେତେକ ସ୍ଥାନରେ ଉଡ଼ନ୍ତା ଥାଳିଆ ଶକ୍ତିଶାଳୀ ବିଦ୍ୟୁତ୍‍ ଲାଇନ ଉପରେ ସ୍ଥିର ରହି ଥାଳିଆ ଭିତରୁ ତାର ପକାଇ ପାୱାର ଲାଇନରୁ ଶକ୍ତି ଚୋରିକରିବା ଖବର ପ୍ରକାଶ ପାଇଛି । ସେମାନେ ଶକ୍ତି ସଂଗ୍ରହ କରି ନିଜ ଗନ୍ତବ୍ୟ ମାର୍ଗରେ ଚାଲିଯାନ୍ତି ।

 

ଏହି ସବୁ ବିବରଣୀ, ଯୁକ୍ତି ଓ ସାକ୍ଷ୍ୟକୁ ଆଲୋଚନାକୁ ନେଲେ ଗୋଟାଏ ପ୍ରଶ୍ନ ସ୍ୱତଃ ସମସ୍ତଙ୍କ ମନକୁ ଆସେ ଯେ ଏହି ବିଶ୍ୱରେ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହ ଉପଗ୍ରହରେ ବୃଦ୍ଧି ବୃତ୍ତି ଥିବା ମଣିଷ କି ମଣିଷ ଭଳି ଜୀବ ଅଛନ୍ତି କି ? ଅନ୍ୟ କୌଣସି ଗ୍ରହ ଉପଗ୍ରହରେ ଯଦି ମଣିଷ କି ମଣିଷ ଭଳି ବୁଦ୍ଧିମାନ ଜୀବ ଥାଆନ୍ତି, ତେବେ ଉଡ଼ନ୍ତା ଥାଳିଆ ଅନ୍ୟଗ୍ରହ ଉପଗ୍ରହର ଯାନ ବୋଲି ଭାବିବାରେ କୌଣସି ଅଯୌକ୍ତିକତା ନାହିଁ ।

 

ଅନ୍ୟ ଗ୍ରହ ଉପଗ୍ରହରେ ମଣିଷଭଳି ବୁଦ୍ଧିମାନ ଜୀବ ସମ୍ଭବ କି ?

 

ମହାଶୂନ୍ୟ ସମ୍ବନ୍ଧରେ ବିଶେଷ ଜ୍ଞାନ ଅର୍ଜନ କରିଥିବା ବହୁ ବୈଜ୍ଞାନିକ ମତ ପ୍ରକାଶ କରନ୍ତି ଯେ ଆମ ପୃଥିବୀ ବାହାରେ ବହୁ ଗ୍ରହ, ଉପଗ୍ରହ ଜୀବଜଗତ୍ ଅଛି । ସେହି ଜୀବଜଗତରେ ମଣିଷ ଭଳି ଖୁବ୍ ବୁଦ୍ଧିମାନ ଜୀବ ବାସ କରନ୍ତି । ସେମାନେ ବିଜ୍ଞାନରେ ଖୁବ୍ ଉନ୍ନତ, ଏମିତି କି ଆମଠାରୁ ବି ଢେର ଆଗରେ । ସେମାନଙ୍କ ମତ ସପକ୍ଷରେ ସେମାନେ କେତେଗୁଡ଼ିଏ ଯୁକ୍ତି ବାଢ଼ନ୍ତି ।

 

ଲଣ୍ତନସ୍ଥ ମିଷ୍ଟର ଲୁନାର୍ ନାମକ ଜନୈକ ମହାକାଶ ଗବେଷକ ୧୯୭୩ ମସିହାରେ ପ୍ରକାଶ କରିଥିଲେ ଯେ ବିଭିନ୍ନ ମହାକାଶ ଗବେଷଣାରୁ ସେ ନାନା ପ୍ରମାଣ ପାଉଛନ୍ତି ଯେ ଆଜକୁ ପ୍ରାୟ ୧୩୦୦୦ ବର୍ଷ ତଳୁ ଅନ୍ୟ ନକ୍ଷତ୍ରମଣ୍ତଳରେ ଥିବା ଏକ କୌଣସି ଏକ ଗ୍ରହର ସୁସଭ୍ୟ ଅଧିବାସୀମାନେ ପୃଥିବୀରେ ଜନବସତି ଥବା ଜାଣି ପୃଥିବୀ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି । ପୃଥିବୀରୁ ବେତାର ସଙ୍କେତ ୧୯୩୦ ମସିହା ପାଖାପାଖି ସମୟରେ ପୃଥିବୀ ବାହାରକୁ ପଠାଇ ବେତାର ବିଶେଷଜ୍ଞମାନେ ଯେଉଁ ସୂଚନା ପାଇଛନ୍ତି, ତହିଁ ଉପରେ ନିର୍ଭର କରି ମିଷ୍ଟର ଲୁନାର ଏହି ମତ ଦେଇଛନ୍ତି । ସେତେବେଳେ ସେମାନେ ଠିକ୍ କରି ପାରୁ ନଥିଲେ, ସେମାନେ ଯେଉଁ ବେତାର ସଙ୍କେତ ପଠାଇଥିଲେ, ତହିଁରେ ଦୁଇଟି ଅଲଗା ଅଲଗା ପ୍ରତିଧ୍ୱନି କେଉଁଠୁ ଆସିଲା । ବେତାର ସଙ୍କେତ ପୃଥିବୀକୁ ଘେରି ରହିଥିବା ଆୟନୋସ୍ଫିଅର ଦ୍ୱାରା ପ୍ରତିଫଳିତ ହୋଇ ଗୋଟିଏ ପ୍ରତିଧ୍ୱନି ସୃଷ୍ଟି କରିପାରେ । ଏହା ଆଶା କରାଯାଉଥିବା ସେକେଣ୍ତକ ସାତ ଭାଗରୁ ଭାଗେ ସମୟ ଭିତରେ ଫେରି ଆସିଥିଲା । କିନ୍ତୁ ଅନ୍ୟ ପ୍ରତିଧ୍ୱନିଟି ଫେରି ଆସିବାକୁ ୩ ମିନିଟ୍ ଠାରୁ ୩୦ ସେକେଣ୍ତ ସମୟ ଲାଗୁଥିଲା । ତେବେ କଥା ହେଲା ଏହି ପ୍ରତିଧ୍ୱନିଟି କଅଣ-?

 

୧୯୭୩ ମସିହାରେ ଅନୁଷ୍ଠିତ ଏକ ଗବେଷକ ସମ୍ମିଳନୀରେ ଆଲୋଚନା ପ୍ରସଙ୍ଗରେ ମିଷ୍ଟର ଲୁନାର ପ୍ରକାଶ କରିଛନ୍ତି ଯେ ପୃଥିବୀଠାରୁ ୧୦୩ ଆଲୋକ ବର୍ଷ ଦୂରରେ ଏକ ଯୁଗ୍ମ ତାରକା (Double star) ଅଛି । ସେଥି ଭିତରୁ ଗୋଟାକର ବର୍ଣ୍ଣ ନାରଙ୍ଗୀ ଓ ଏହାର ପ୍ରକୃତି ଅନେକାଂଶରେ ଆମ ସୂର୍ଯ୍ୟଭଳି । ଏହି ନକ୍ଷତ୍ରର ସୈରଜଗତରେ ପୃଥିବୀଭଳି ଏକ ଗ୍ରହ ଅଛି, ଯେଉଁ ଗ୍ରହର ଅବସ୍ଥା ଅନେକାଂଶରେ ପୃଥିବୀର ଅବସ୍ଥାଭଳି । ସେହି ଗ୍ରହରେ ବିଜ୍ଞାନରେ ଉନ୍ନତ ସୁସଭ୍ୟ ମଣିଷ ସମାଜ ଥିବା ସମ୍ଭାବନା । ଦୁର୍ଭାଗ୍ୟ କ୍ରମେ ସେମାନଙ୍କର ନକ୍ଷତ୍ର ଆକାର ଅସ୍ୱାଭାବିକ ଭାବରେ ବର୍ଦ୍ଧିତ ହୋଇ ଏହି ମଣିଷଥିବା ଗ୍ରହକୁ ପୋଡ଼ି ପକାଇବା ପୂର୍ବରୁ ସେଠାକାର ଅଧିବାସୀମାନେ ସେମାନଙ୍କର ଗ୍ରହକୁ ଛାଡ଼ି ଅନ୍ୟ ଗ୍ରହରେ ଆଶ୍ରୟ ନେବା ଉଦ୍ଦେଶ୍ୟରେ ଗ୍ରହ ଅନ୍ୱେଷଣରେ ମହାକାଶ ଭ୍ରମଣ କରୁଥିଲେ । ସେମାନେ ଯେତେବେଳେ ମହାକାଶ ଭ୍ରମଣ କରୁଥିଲେ । ସେତେବେଳେ ପୃଥିବୀର ବେତାର ସଙ୍କେତ ପାଇ ତାକୁ ଫେରାଇଥିବା ସମ୍ଭାବନା । ସେତେବେଳେ ସେମାନେ ହୁଏତ ସୌରଜଗତକୁ ଆସିଥାଇ ପାରନ୍ତି ବସତି ଉପଯୋଗୀ ସ୍ଥାନ ଖେଜିବା ଉଦ୍ଦେଶ୍ୟରେ । ଏହା ଯଦି ସମ୍ଭବ ହୁଏ ତେବେ କିଏ କହିପାରେ ଉଡ଼ନ୍ତା ଥାଳିଆ ସେମାନଙ୍କ ଯାନ ନ ହୋଇପାରେ ବୋଲି ?

 

ଅନ୍ୟ ଗ୍ରହ ଉପଗ୍ରହର ଜୀବଜଗତ୍ ଥିବା ସପକ୍ଷରେ ମତ ପ୍ରକାଶ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଯୁଗୋସ୍ଳେଭିଆର ବିଶିଷ୍ଟ ବୈଜ୍ଞାନିକ ନିକୋଲା ଟେସଲା ଅନ୍ୟତମ । ନିକୋଲା ଟେସଲା ପରାବର୍ତ୍ତକ ବିଦ୍ୟୁତ୍‍ପ୍ରବାହର ଆବିଷ୍କର୍ତ୍ତା ଭାବରେ ପୃଥିବୀ ପ୍ରସିଦ୍ଧ । ଅନ୍ୟ ଗ୍ରହ ଉପଗ୍ରହରେ ଜୀବଜଗତ୍‍ ଅଛି ବୋଲି ବିଶ୍ୱାସ କରନ୍ତି । ଅନ୍ୟ ଗ୍ରହର ଜୀବଜଗତ୍ ସହ ସମ୍ପର୍କ ସ୍ଥାପନା ପାଇଁ ସେ ଆମେରିକାର କଲରାଡୋ ରାଜ୍ୟରେ ବେତାର ସଙ୍କେତ ନେଇ କେତେ ଗୁଡ଼ିଏ ପରୀକ୍ଷା ଚଳାଇଥିଲେ । ସେ କୃତ୍ରିମ ସୌଦାମିନୀ (ArtificiaI ghtening) ସୃଷ୍ଟି କରି ଅନ୍ୟ ଜୀବଜଗତ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା ଚଳାଇଥିଲେ । ଏହା ୧୮୯୯ ମସିହା କଥା । ଠିକ୍ ସେହି ସମୟରେ ଗଗଲିମୋ ମାରକୋନି ବେତାର ଭପରେ ଇଂଲଣ୍ତରେ ଗବେଷଣା ଚଳାଉଥିଲେ । ମାର୍କୋନି ଇଂରାଜୀର V ଅକ୍ଷରର ସଙ୍କେତ ପଠାଇ ୫୦ ମାଇଲ ଦୂରରେ ଏହାକୁ ଧରୁଥିଲେ ।

 

୧୯୨୧ ମସିହାରେ ମାର୍କୋନି ପ୍ରକାଶ କଲେ ଯେ ସେ ଯେତେବେଳେ ଭୂମଧ୍ୟ ସାଗରରେ ନୌକା ବିହାର କରୁଥିଲେ, ହଠାତ୍ କେତେଗୁଡ଼ିଏ ବେତାର ସଙ୍କେତ ତାଙ୍କ ରେଡ଼ିଓରେ ଅଚାନକ ଭାବରେ ଧରାପଡ଼ିଥିଲା । ସେଥିଭିତରୁ ସେ V ଅକ୍ଷର ସଙ୍କେତ ଛଡ଼ା ଅନ୍ୟଗୁଡ଼ାକୁ ଧରିପାରି ନ ଥିଲେ । ତାଙ୍କ ମନରେ ପ୍ରଶ୍ନ ହେଲା, ସେ ୨୨ବର୍ଷ ତଳେ ଯେଉଁ V ଅକ୍ଷରର ସଙ୍କେତ ପ୍ରେରଣ କରିଥିଲେ, ତାହା ବର୍ତ୍ତମାନ ତାଙ୍କ ରେଡ଼ିଓରେ ଅଚାନକ ଭାବରେ ଧରାପଡ଼ିଲା କେମିତି ? ୧୯୦୨ ମସିହାରେ ମାର୍କୋନି ସେହିଭଳି ‘S’ ଅକ୍ଷରରେ ବେତାର ସଙ୍କେତ ପ୍ରେରଣ କରିଥିଲେ-। ସେହି ସଙ୍କେତ ୧୯୨୪ ମସିହାରେ ଆଧୁନିକ ଟେଲିଭିଜନର ଅନ୍ୟତମ ଜନକ ଜେନ୍‍କିନ୍‍ସଙ୍କ ରେଡ଼ିଓ କେମେରାରେ ଅଚାନକ ଭାବରେ ଧରାପଡ଼ିଥିଲା । ଏହି କେମେରାର ଉଦ୍ଭାବକ ଜେନ୍‍କିନ୍‍ସ ପ୍ରଥମେ ଭାବିପାରିଲେନି, ଏ ସଙ୍କେତ କୁଆଡ଼ୁ ଆସିଲା ? ଏହା ପୃଥିବୀସ୍ଥ କୌଣସି ସ୍ଥାନର ସଙ୍କେତ ବୋଲି ଜଣାପଡ଼ିଲା । ଆହୁରି ବିଚିତ୍ର ୧୯୨୪ ମସିହାରେ ପୃଥିବୀର ବିଭିନ୍ନ ସ୍ଥାନରେ ପରୀକ୍ଷିତ ହେଉଥିବା ନାନା ବେତାର ବାର୍ତ୍ତା, ବେତାର ପ୍ରେରଣର ଠିକ୍ ୨୨ବର୍ଷ ପରେ ଅର୍ଥାତ୍‍ ୧୯୪୬ ମସିହାରେ ପୃଥିବୀର ବିଭିନ୍ନ ସ୍ଥାନରେ ଏହି ଉଡ଼ନ୍ତା ଥାଳିଅ ଦେଖାଦେଉଥିଲା । ସର୍ବ ପ୍ରଥମେ ଉଡ଼ନ୍ତା ଥାଳିଅ ଦେଖାଦେଇଥିଲା ସୋଭିଏଟ୍ ରୁଷିଆ ଓ ସ୍କାଣ୍ତିନେଭିଆ ଦେଶମାନଙ୍କରେ ।

 

ଏହିସବୁ ବିଚିତ୍ର ଘଟଣାରୁ ସ୍ୱତଃ ମନକୁ ଆସେ, ପୃଥିବୀଠାରୁ ୧୧ ଆଲୋକବର୍ଷ ଦୂରରେ ଏମିତି ଏକ ଗ୍ରହ ଅଛି, ଯେଉଁଥିରେ ଆମଭଳି ବୁଦ୍ଧିମାନ୍‍ ଓ ବିଜ୍ଞାନର ଉନ୍ନତ ଜୀବ ଅଛନ୍ତି, ଯେଉଁମାନେ ଆମ ଗ୍ରହର ବେତାର ସଙ୍କେତକୁ ଆମଠାକୁ ପୁଣି ଫେରାଇ ପାରୁଛନ୍ତି । ଫଳରେ ଏହି ସଙ୍କେତକୁ ପୃଥିବୀକୁ ଫରିଆସିବାକୁ ୨୨ ବର୍ଷ ସମୟ ଲାଗୁଛି । ପର୍ଯ୍ୟବେକ୍ଷଣରୁ ଦେଖାଯାଉଛି, ଆମଠାରୁ ଏଗାର ଆଲୋକ ବର୍ଷ ଦୂରରେ ଟଉ-ଷେଠି ନକ୍ଷତ୍ର ଓ ଏପ୍‍ସାଇଲନ୍-ଏରିଡିନି ନକ୍ଷତ୍ର ରହିଛି । କିଏ କହିପାରେ, ଏହି ନକ୍ଷତ୍ରର ସୌରଜଗତରେ ଆମ ପୃଥିବୀ ଭଳି ପୃଥିବୀ ଓ ସେଥିରେ ଆମଭଳି ଉନ୍ନତ ମଣିଷ ସମାଜ ନ ଥିବ ବୋଲି ।

 

ଆମେରିକାର ସୁବିଖ୍ୟାତ ବେତାର ବିଶେଷଜ୍ଞ ବାରନାଡ଼, ଏମ୍ଅଲିଭର, ଆମେରିକାନ୍‍ ଇନ୍‍ଷ୍ଟିଚିଉଟ୍ ଅଫ୍‍ ଆରୋନଟିକ୍‍ସ ଏଣ୍ତ୍ ଏଷ୍ଟ୍ରୋନଟ୍‍ର ସାନ୍‍ଫ୍ରାନ୍‍ସିସ୍‍କୋ ଅଧିବେଶନରେ ୧୯୬୫ ମସିହା ଜୁଲାଇ ମାସ ତା୨୭ରିଖ ଦିନ ଭାଷଣ ଦେଇ କହିଲେ ଯେ ଆମେ ଯଦି ଦଶ ହଜାର ପର୍ଯ୍ୟନ୍ତ ରେଡ଼ିଓ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀରେ ବସାନ୍ତୁ ଯେଉଁଗୁଡ଼ିକର ବ୍ୟାସ ଅନ୍ତତଃ ପକ୍ଷେ ଶହେ ଫୁଟ ଲେଖାଏ ହୋଇଥାନ୍ତା, ତେବେ ଆମେ ଅନ୍ୟ ଗ୍ରହରେ ଥିବା ଜୀବଜଗତର କଥାବାର୍ତ୍ତା ଶବ୍ଦ ଶୁଣି ପାରନ୍ତୁ । ବୈଜ୍ଞାନିକ ଅଲିଭର ଅନ୍ୟ ଗ୍ରହରେ ଜୀବଜଗତ ଥିବା କଥା ପୂରାପୂରି ବିଶ୍ୱାସ କରନ୍ତି ।

 

ଜର୍ମାନୀ ଦେଶର ଭୂତତ୍ତ୍ୱବିତ୍ ଡକ୍ଟର ଅଟୋହାନ୍ ୧୮୬୬ ମସିହାରେ ହଙ୍ଗେରୀରେ ପଡ଼ିଥିବା ଏକ ଉଲ୍‍କାପିଣ୍ତରେ ଥିବା ଜୀବାଶ୍ମକୁ ପରୀକ୍ଷା କରି ଏଥିରେ ହାତଗୋଡ଼ ଥିବା ଆଦି-ପ୍ରଣୀର ଛାପ ପାଇଥିଲେ । ଏଥିରୁ ସହଜରେ ଅନୁମିତ ହୁଏ ଯେ ପୃଥିବୀ ବାହାରେ ଜୀବଜଗତ ଥିବା ସମ୍ଭବ । ତା’ ନ ହୋଇଥିଲେ ଜୀବାଶ୍ମରେ ପ୍ରାଣୀର ଛାପ ଆସନ୍ତା କୁଆଡ଼ୁ ?

 

ପୃଥିବୀରେ ବିଭିନ୍ନ ସ୍ଥାନରେ ପଡ଼ିଥିବା ଉଲ୍‍କା-ପିଣ୍ତଗୁଡ଼ିକୁ ପରିକ୍ଷା କରି ବୈଜ୍ଞାନିକ ମତ ଦେଇଛନ୍ତି ଯେ ପୃଥିବୀ ବାହାରେ ଅନ୍ୟ ଗ୍ରହ ଉପଗ୍ରହରେ ଜୀବଜଗତ୍‍ ରହିଛି । ଏହିସବୁ ଉଲ୍‍କାପିଣ୍ତ ଶିଳାରେ ପ୍ରସ୍ତରୀଭୂତ ନାନା ପ୍ରକାର ଜୀବ କଙ୍କାଳର ନମୁନା ମିଳୁଛି । ଲଣ୍ତନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡକ୍ଟର ମୁଲର, ଆମେରିକାର ଏକ ତୈଳ କମ୍ପମୀର ଜନୈକ ବିଶେଷଜ୍ଞ ଓ୍ୱାଗେନ ମେନ୍‍ସେନ୍ ଉଲ୍‍କାପିଣ୍ତରେ ଝୁଣାଜାତୀୟ ପଦାର୍ଥ ଓ ତୈଳ ଜାତୀୟ ପଦାର୍ଥର ନମୁନା ପାଇଛନ୍ତି । କେତେକ ବୈଜ୍ଞାନିକ ସେହି ପଥରରୁ କିରାସିନି ତେଲ ଭଳି ଏକ ପ୍ରକାର ତେଲ ବାହାରକରିଥିଲେ । କେତେକ ଉଲ୍‍କାପିଣ୍ତରେ ଆଦିଜୀବର ନାନାପ୍ରକାର ଜୀବାଶ୍ମ ଦେଖିବାକୁ ମିଳେ । ଯେହେତୁ ଉଲ୍‍କାପିଣ୍ତ ଗୁଡ଼ିକ ମହାଶୂନ୍ୟର ବିଭିନ୍ନ ଗ୍ରହ, ଉପଗ୍ରହ, ଧୂମକେତୁର ଅଂଶବିଶେଷ, କିଏ ଅସ୍ୱୀକାର କରିବ, ମହାଶୂନ୍ୟର ସେସବୁ ଅଂଶରେ ଜୀବଜଗତ୍‍ ନାହିଁ ବୋଲି ?

 

ଯେଉଁ ମୁହୂର୍ତ୍ତରେ ଆମେ ଧରିନେବା, ଅନ୍ୟ ଗ୍ରହରେ ଜୀବଜଗତ୍ ଅଛି, ତେବେ ବିବର୍ତ୍ତନ ପ୍ରକ୍ରିୟା ଅନୁସାରେ ସେଠାରେ ମଣିଷ ଯେ ଥିବ, କିଏ କହିବ ?

 

ବିଭିନ୍ନ ଗ୍ରହ ଉପଗ୍ରହରେ ଯଦି ମଣିଷ ଥିବା ବିଶ୍ୱାସ କରାଯାଏ, ତେବେ ଉଡ଼ନ୍ତା ଥାଳିଆ ଆଦି ଯାନ ସେମାନଙ୍କଦ୍ୱାରା ପ୍ରେରିତ, ଏହାକୁ ବିଶ୍ୱାସ କରା ନ ଯିବ କାହିଁକି ?

•••

 

ଦଶମ ଅଧ୍ୟାୟ

ଉଡ଼ନ୍ତା ଥାଳିଆ ପୃଥିବୀର କୈଣସି ଦେଶର ଗୁପ୍ତ ଗବେଷଣା ହୋଇପାରେ

 

ପୃଥିବୀର ବହୁ ବୈଜ୍ଞାନିକ ସମାଲୋଚକ ବିଶ୍ୱାସ କରନ୍ତି ଯେ ଉଡ଼ନ୍ତା ଥାଳିଅ ହେଉଛି, ଆମ ପୃଥିବୀର ବହୁ ବିଜ୍ଞାନୋନ୍ନତ ଦେଶର ଗୁପ୍ତ ଗବେଷଣାର ପରୀକ୍ଷା । ଆଧୁନିକ ପରମାଣୁ ରକେଟ୍‍ ଯୁଗରେ ଅତି ଦୃତଗାମୀ ଯାନ ଉଦ୍ଭାବନ କରିବା ନାନା ଦୃଷ୍ଟିରୁ ଅତି ଜରୁରୀ ହୋଇପଡ଼ିଛି-। ଏହିଭଳି ଦୃତଗାମୀ ଯାନ ଆଜିକାଲି ପରମାଣୁ ଶକ୍ତି ଓ ସୌରଶକ୍ତି ସାହାଯ୍ୟରେ ଚଳାଇବା ସମ୍ଭବପର । କାରଣ ଅତି ଦ୍ରୁତଗାମୀ ଯାନକୁ ରାସାୟନିକ ଈନ୍ଧନ ସାହାଯ୍ୟରେ ଶକ୍ତି ଯୋଗାଇବା ସେତେ ସହଜ ନୁହେଁ ବୋଲି ବହୁ ଦେଶର ବୈଜ୍ଞାନିକ ବେଶ୍‍ ଭଲ ଭାବରେ ଉପଲବ୍‍ଧି କରିଛନ୍ତି । ତେଣୁ ଅତି ଗୁପ୍ତରେ ବିଭନ୍ନ ଦେଶ ଏଭଳି ପରୀକ୍ଷା ନିରୀକ୍ଷା ଚଳାଇବା ସ୍ୱାବାଭିକ । ତେଣୁ ଗୁପ୍ତ ଗବେଷଣା ଲବ୍‍ଧ ଉଦ୍ଭାବନକୁ ପରୀକ୍ଷା କଲାବେଳେ ଲୋକେ ପ୍ରକୃତ ବିଷୟକୁ ନ ଜାଣି ନାନା ଭାବରେ ଚିତ୍ରିତ କରିବା ସ୍ୱାଭାବିକ । ସଂପୃକ୍ତ ଦେଶମାନେ ସେ ସମ୍ବନ୍ଧୀୟ ପ୍ରକୃତ ବିଷୟକୁ ମଧ୍ୟ ପ୍ରକାଶ କରିବାକୁ ଅନିଚ୍ଛୁକ ହେବା ସାଧାରଣ କଥା ।

 

ଉଡ଼ନ୍ତା ଥାଳିଆ ମାର୍କିନ୍‍ମାନଙ୍କର ଏକ ଗୁପ୍ତ ଗବେଷଣା ହୋଇପାରେ

 

ଅନେକ ଜାଣିଥିବେ ଆଜକୁ ପ୍ରାୟ ୪୨।୪୩ ବର୍ଷ ତଳେ ଅର୍ଥାତ୍ ୧୯୪୨-୪୩ ମସିହାରେ ଯୁକ୍ତରାଷ୍ଟ୍ରରେ ଯେଉଁ ପରମାଣୁ ବୋମା ଗବେଷଣା ଚାଲିଥିଲା, ତାହା ଦ୍ୱିତୀୟ ମହାସମର ଶେଷ ପର୍ଯ୍ୟନ୍ତ ଖୁବ୍ ସାବଧାନତା ସହକାରେ ଗୋପନ ରଖାଯାଇ ପାରିଥିଲା । ପରମାଣୁ ବୋମା ତିଆରି କେନ୍ଦ୍ରର ନାମ ରଖାଯାଇଥିଲା “Development of substitute materials’’ ଯା’ର କୌଣସି ସମ୍ପର୍କ ନାହିଁ ପ୍ରକୃତ ଗବେଷଣା ସହିତ । ପରମାଣୁ ବୋମା କାରଖାନରେ କାମ କରୁଥିବା ବୈଜ୍ଞାନିକମାନଙ୍କର ନାମ ମଧ୍ୟ ଗୋପନ ରଖାଯାଇଥିଲା । ସେଠାରେ କାମ କରୁଥିବା ନିଲ୍‍ବୋହରଙ୍କ ନାମ ଥିଲା ବେକର, ଫେରମିଙ୍କ ନାଁ ଥିଲା ଫାର୍ମର ଓ ଓପେନହେମରଙ୍କ ନାଁ ଥିଲା ବ୍ରାଡ଼୍‍ଲେ । ଯେତେବେଳେ ସର୍ବ ପ୍ରଥମ ପରମାଣୁ ବୋମାର ବିସ୍ଫୋରଣ ପରୀକ୍ଷା ନିଉମେକ୍‍ସିକୋ ରାଜ୍ୟର ଅଲାମଗାର୍ଡ଼୍ରୋ ଉଡ଼ାଜାହଜ ଘାଟିଠାରେ କରାଗଲା, ତାକୁ ସାବଧାନତା ସହକାରେ ଗୋପନ ରଖାଯାଇଥିଲା ଯୁଦ୍ଧ ଶେଷ ପର୍ଯନ୍ତ । ଆଲମଗାର୍ଡ୍ରୋର ନାମ ଥିଲା ଟ୍ରିନ୍‍ଟା । ଯେଉଁ ପାହାଡ଼ ଉପରେ ଏହାର ପରୀକ୍ଷା କରାହୋଇଥିଲା, ତା’ର ଗୋପନୀୟ ନାମ ଦିଆଯାଇଥିଲା ଜିରୋହିଲ୍ । ପରମାଣୁ ବୋମାର ବିସ୍ଫୋରଣକୁ ଲୋକେ ଆକାଶରେ ଦେଖି ଓ ଗର୍ଜନକୁ ଶୁଣି ମଧ୍ୟ ପରମାଣୁ ବୋମା ସମ୍ବନ୍ଧରେ କିଛି ଜାଣିପାରି ନ ଥିଲେ । ଏ ସମ୍ପର୍କରେ କୌଣସି ଖବର ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇ ନ ଥିଲା । ଏହାର ପରୀକ୍ଷା ବାରମ୍ବାର ହେଉ ନ ଥିବାରୁ ଲୋକେ ଅଳ୍ପ କେତେ ଦିନ ଭିତରେ ଏହି ବିସ୍ଫୋରଣକୁ ଭୁଲିଯାଇଥିଲେ । ହିରୋସୀମା ଉପରେ ପରମାଣୁ ବୋମା ନ ପଡ଼ିବା ପର୍ଯ୍ୟନ୍ତ ଆମେରିକାର ସାଧାରଣ ଲୋକ ଏହି ପରମାଣୁ ବୋମା ସମ୍ବନ୍ଧରେ କିଛି ଜାଣିପାରିନଥଲେ । କୈଣସି ଗୁପ୍ତ ଗବେଷଣାକୁ ବେଶି ଦିନ ଧରି ଗୋପନ ରଖିବାକୁ ହେଲେ ଗବେଷଣାକୁ ଅନ୍ୟ ଏକ ନାମ ଦେଇ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିବା ହେଲା ଆଧୁନିକ ଯୁଗର ଏକ ଅଭିନବ କାରସାଦି । ଉଡ଼ନ୍ତା ଥାଳିଆର ରହସ୍ୟ ଭିତରେ ଏହି କଥାଟି ନିହିତ ନ ଥାଇପାରେ, ତା’ କିଏ କହିପାରିବ ?

 

ଯେଉଁମାନେ ୧୯୪୭ ମସିହାଠାରୁ ଆମେରିକାର ଉଡ଼ନ୍ତା ଥାଳିଆର ଟିକନିଖ ଖବର ନେଇ ଆସିଛନ୍ତି, ସେମାନେ ଗୋଟିଏ କଥା ଅନୁମାନ କରିପାରୁଥିବେ ଯେ ପ୍ରଥମେ ପ୍ରଥମେ ଅଧିକାଂଶ ଉଡ଼ନ୍ତା ଥାଳିଅ ଆମେରିକାର କାଲିଫଣ୍ଣିୟା,ଏରିଜୋନା ଓ ନିଉମେକ୍‍ସିକୋ ପ୍ରଭୃତ ଅଞ୍ଚଳରେ ସାଧାରଣତଃ ଦେଖାଯାଉଥିଲା । ଏଠାରେ ଗୋଟିଏ କଥା ସୁଚାଇ ଦେଲେ ପାଠକପାଠିକାମାନେ ପ୍ରକୃତ ବିଷୟ ଜାଣିପାରିବେ ଯେ ଆମେରିକାର ଗୁପ୍ତ ପରମାଣୁ ଶକ୍ତି, ମହାକାଶ ଗବେଷଣା ଓ ସାମରିକ ବିଭାଗର ଯେତେଗୋଟି ଗୋପନୀୟ ଗବେଷଣା ଗାର ଅଛି, ସେଥିମଧ୍ୟରୁ ଅଧିକାଂଶ ଆମେରିକାର ଏହି ଅଞ୍ଚଳରେ ଅବସ୍ଥିତ । ପୁନଶ୍ଚ ପରମାଣୁ ବୋମା ପରୀକ୍ଷା ଭଳି ଯୁକ୍ତରାଷ୍ଟ୍ର ସରକାରଙ୍କର ଉଡ଼ନ୍ତା ଥାଳିଆ ସମ୍ବନ୍ଧରେ ଯେଉଁ ଅପୂର୍ବ ନୀରବତା, ତାହା ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିବା ସ୍ୱାଭାବିକ ।

 

ଉଡ଼ନ୍ତା ଥାଳିଆ ପ୍ରକୃତରେ ଯୁକ୍ତରାଷ୍ଟ୍ର ସରକାରଙ୍କ ସାମରୀକ ଗବେଷଣା କେନ୍ଦ୍ରର କେତେ ଗୁଡ଼ିଏ ଅତି ଗୋପନୀୟ ଗବେଷଣା ବୋଲି ଖାଲି ଯେ ବହୁ ଲୋକଙ୍କର ବ୍ୟକ୍ତିଗତ ବିଶ୍ୱାସ ତାହା ନୁହେଁ, ଇଉରୋପ ଓ ଏସିଆର ବହୁ ବୈଜ୍ଞାନିକ ମଧ୍ୟ ଉଡ଼ନ୍ତା ଥାଳିଆ ସମ୍ବନ୍ଧରେ ସେହି ମତ ପୋଷଣ କରନ୍ତି । ଆନ୍ତର୍ଜାତିକ ଶକ୍ତି ରାଜନୀତିର ଯୁକ୍ତରାଷ୍ଟ୍ର ନିଜର ପ୍ରଧାନ୍ୟକୁ ଚିରଦିନ ବଜାଇ ରଖିବାକୁ ଚାହେଁ ଓ ଚାହିଁ ଆସିଛି । ପରମାଣୁ ବୋମା ହାଇଡ୍ରୋଜେନ୍ ବୋମା ଓ ଅନ୍ୟାନ ପରମାଣୁ ମାରଣାସ୍ତ୍ର ଯୁକ୍ତରାଷ୍ଟ୍ରର ସେହି ବଜାୟ ଦିଗରେ ପ୍ରଧାନ ସାହାୟକ ।

 

ପୃଥିବାର ପରିସ୍ଥତି ବର୍ତ୍ତମାନ ଏପରି ହୋଇଛି ଯେ ପରମାଣୁ ବୋମା ଆଦି ମାରଣାସ୍ତ୍ର କେବଳ ତିଆରି କରି ରଖିଲେ କିଛି ଲାଭ ନାହିଁ । ଯଦି ସେଗୁଡ଼ିକୁ ଖୁବ୍ ଦକ୍ଷତା ସହକାରେ ଶତ୍ରୁରାଜ୍ୟ ଉପରେ ପକାଇିବାର କୌଣସି ସୁବନ୍ଦୋବସ୍ତ କରା ନ ଯାଏ, ତେବେ ସେ ସବୁ ମାରଣାସ୍ତ୍ର ଥାଇ ଯାହା, ନ ଥାଇ ତାହା । ପରମାଣୁ ଯୁଗରେ ଉଡ଼ାଜାହାଜ ଯେ ଯୁଦ୍ଧପାଇଁ ବିଶେଷ ଉପଯୋଗୀ ନୁହେଁ, ଏହା ଯୁଦ୍ଧବିଶାରଦମାନେ ଖୁବ୍ ଭଲ ଭାବରେ ଜାଣନ୍ତି । ତେଣୁ ଏହରି କୌଣସି ଶକ୍ତିଶାଳୀ ଯାନ ଉଦ୍ଭାବିତ ହେବା ଦରକାର, ଯାହାକି ହଜାର ହଜାର ମାଇଲ ଦୂରରେ ଶତ୍ରୁରାଜ୍ୟ ଉପରେ ପରମାଣବିକ ବୋମା ପକାଇ ଆଖିପିଛୁଳାକେ ଶତ୍ରୁରାଜ୍ୟକୁ ଧ୍ୱଂସ କରିପାରିବ-। ଏହିଭଳି ଦୃତଗାମୀ ଯାନ ଆଜିକଲି ପରମାଣୁ ଶକ୍ତି ସାହାଯ୍ୟରେ ସମ୍ଭବପର । ଯୁକ୍ତରାଷ୍ଟ୍ର ସରକାରଙ୍କର ସାମରିକ ବିଭାଗ ଯେତେ ଦୂର ସମ୍ଭବ, ଏହିଭଳି ଗୁପ୍ତ ଗବେଷଣା ଉପରେ ଅଧିକ ଆସ୍ଥା ସ୍ଥାପନ କରିଥିବା ଅଧିକ ସମୀଚିନ ସେମାନଙ୍କ ଦ୍ୱାରା ଆବିଷ୍କୃତ ଏହିଭଳି ଆତି ଦୃତଗାମୀ ଯାନକୁ ପରୀକ୍ଷା ନ କଲେ ତ ଗବେଷଣା ବା ଉଦ୍ଭାବନ ପୂର୍ଣ୍ଣତା ଲାଭକରିପାରିବନି । ସେଗୁଡ଼ିକୁ ପ୍ରକୃତ କ୍ଷେତ୍ର ଉପରେ ପରୀକ୍ଷା ନ କରି ସେଗୁଡ଼ିକର ଦକ୍ଷତା ମଧ୍ୟ ଜାଣି ହେବନି । ସେଥିପାଇଁ ସମ୍ଭବତଃ ଯୁକ୍ତରାଷ୍ଟ୍ର ସରକାର ଏହି ପରୀକ୍ଷା ଗୁଡ଼ିକୁ ଅତି ରହସ୍ୟ ଜନକ ଭାବରେ ଲୋକ ମାନଙ୍କ ଆଖିରେ ଧୂଳିଦେଇ ଚଳାଇଥିବା ଅସମ୍ଭବ ନ ହୋଇପାରେ । ଲୋକମାନଙ୍କୁ ଏଗୁଡ଼ିକୁ ଅନ୍ୟ ଗ୍ରହର ଯାନ ବୋଲି କହି ଭୁଲାଇଦେଲେ, ଲୋକମାନଙ୍କ ଦୃଷ୍ଚି ଅନ୍ୟ ଆଡ଼କୁ ଚାଲିଯିବା ଫଳରେ ସେଗୁଡ଼ିକର ଗୋପନୀୟତା ବେଶିଦିନ ରହିପାରିବ ।

 

ଯୁକ୍ତରାଷ୍ଟ୍ର ସରକାରଙ୍କ ଗୁପ୍ତ ପରମାଣୁ ଓ ସାମରିକ ବିଭାଗ ଉଡ଼ନ୍ତା ଥାଳିଆ ଭିତର ଦେଇ କେଉଁ କେଉଁ ପ୍ରକାର ଗବେଷଣା କରିପାରନ୍ତି ,ତାହା ନିର୍ଣ୍ଣୟ କରିବା ଅତୀବ କଷ୍ଟକର ହେଲେ ମଧ୍ୟ ସ୍ଥୂଳଦୃଷ୍ଟିରେ ସେ ସମ୍ବନ୍ଧରେ କିଛି ଅନୁମାନ କରାଯାଇପାରେ । ପ୍ରଥମତଃ ଘଣ୍ଟାକୁ ହଜାର ହଜାର ମାଇଲ ବେଗରେ ଯାଇପାରୁଥିବା କୌଣସି ନାବାବିଷ୍କୃତ ପରମାଣୁ ଯାନର ଦକ୍ଷତା ସେମାନେ ଏହା ସାହାଯ୍ୟରେ ପରୀକ୍ଷା କରିଥାଇ ପାରନ୍ତି, ଯାହାକି ଏପର୍ଯ୍ୟନ୍ତ ପ୍ରକାଶ୍ୟ ଗବେଷଣା ଭିତରେ ସମ୍ଭବପର ହୋଇନି । ଦ୍ୱତୀୟତଃ ଶଦ୍ଦବିହୀନ ଯାନ ଅତି ସହଜରେ ଦିଗବଦାଳଇବା ପାଇଁ କେତେଗୋଟି ଆବିଷ୍କୃତ ଅଭିନବ ଉପାୟର ଦକ୍ଷତା ପ୍ରତିପାଦନ ପାଇଁ ବାରମ୍ବାର ପରୀକ୍ଷା କରିବା ଉଡ଼ନ୍ତା ଥାଳିଆର ଅନ୍ୟତମ ଉଦ୍ଦେଶ୍ୟ ହୋଇପାରେ । ତୃତୀୟଃ ଥାଳିଆ ଆକାରର ଚେପ୍‍ଟା ବା ସିଗାରେଟ୍ ଆକାରର ଲମ୍ବାଳିଆ ନୂତନ ଆକାଶଯାନର ଖୁବ୍ ଉଚ୍ଚ ଆକାଶରେ ବାୟୁ ବାଧା ସହିତ ବାଧା ବା ଘର୍ଷଣ କିପରି ହେବ, ତାହା ଜାଣିବା ଅନ୍ୟତମ ପରୀକ୍ଷା ହେବା ସ୍ୱାଭାବିକ-। ପରିଶେଷରେ ଚାଳକ ବିହୀନ ଯାନର ଗତି, ଦିଗ ପରିବର୍ତ୍ତନ, ଲକ୍ଷ୍ୟସ୍ଥଳରେ ପହ଼ଞ୍ଚିବା ଆଦି ବହୁ ପରୀକ୍ଷା ନିରୀକ୍ଷା ଓ ସେଗୁଡ଼ିକୁ ରାଡ଼ାରଦ୍ୱାରା ଚଲାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ସମ୍ଭବପର କି ନା, ସେଗୁଡ଼ିକ ବାରମ୍ବାର ପରୀକ୍ଷା କରିବା, ଯୁକ୍ତରାଷ୍ଟ୍ର ସରକାରଙ୍କ ର ଗୁପ୍ତ ଗବେଷଣା ହୋଇପାର-। ଯୁକ୍ତରାଷ୍ଟ୍ର ସାମରିକ ବିଭାଗ ଏଭରୋ (Avro) ନାମକ ଏକ ଥାଳିଆ ସଦୃଶ ଆକାଶଯାନ ସୈନ୍ୟବାହିନୀ ପାଇଁ ଉଦ୍ଭାବନ କରିଥିଲେ । ଏହି ‘ଏଭରୋ’ ଆକାଶଯାନର ଚିତ୍ର ଅନ୍ୟତ୍ର ଦିଆଯାଇଛି । ଏହି ଯାମର ପରୀକ୍ଷା ଯୁକ୍ତରାଷ୍ଟ୍ରର ନିଉଲଂଣ୍ତ ଓ ମଧ୍ୟ ପଶ୍ଚିମ ଅଞ୍ଚଳରେ ମଧ୍ୟ ହେଉଥିଲା ବୋଲି କେତେକ କହନ୍ତି । ଏହା ଆକାଶରେ ଉଡ଼ିଲେ ଅବିକଳ ଉଡ଼ନ୍ତା ଥାଳିଆ ଭଳି ଦିଶେ । ଉପରୋକ୍ତ ଅଞ୍ଚଳରେ ଦିଶୁଥିବା କେତେକ ଉଡ଼ନ୍ତା ଥାଳିଆ ଏହି ଉଡ଼ନ୍ତା ଯାନ ଯେ ନ ହୋଇ ଥିବ ତାହା କିଏ କହିବ ? ବହୁ ଦେଶର ବିଶେଷଜ୍ଞ ଉଡ଼ନ୍ତା ଥାଳିଆକୁ ଆମେରିକା ସରକାରଙ୍କ ଏକ ଗୁପ୍ତ ଯାନ ବୋଲି ଭାବୁଥିଲେ । ଅନେକଙ୍କଠାରେ ଏହି ଧାରଣା ଏତେ ବଦ୍ଧମୂଳ ହୋଇଯାଇଥିଲା ଯେ ଏକ ସମୟରେ ଆମେରିକାର ସଭାପତି ଟ୍ରୁମ୍ୟାନ୍ ଓ ଆମେରିକାର ଆକାଶବାହିନୀ ବାଭାଗ ଏହା ଆମେରିକାର କୌଣସି ଗୁପ୍ତ ଯାନ ନୁହେଁବୋଲି ସାଧାରଣରେ ଏକ ବିବୃତି ଦେବାକୁ ବାଧ୍ୟ ହୋଇଥିଲେ । ଏହା ଯେ ମାର୍କନ୍‍ମାନଙ୍କର ସବୁଠାରୁ ନୂତନତମ ଯାନ, ସେମାନେ ଏହି ମତର ଖଣ୍ତନ କରିଥିଲେ ।

 

 

ଉଡ଼ନ୍ତା ଥାଳିଆ ରୁଷୀୟମାନଙ୍କର ଏକ ଗୁପ୍ତ ଗବେଷଣା ହୋଇପାରେ ?

 

ଉଡ଼ନ୍ତା ଥାଳିଆ ରୁଷୀୟମାନଙ୍କର ଏକ ଗୁପ୍ତ ଗବେଷଣାର ପରୀକ୍ଷା ବୋଲି କେତେକ ମତ ଦିଅନ୍ତି । ୧୯୫୩ ମସିହା ନଭେମ୍ବର ମାସ ତା୧୪ରିଖ ଓ ତା୨୧ରିଖ ଜର୍ମାନୀର ଫାଙ୍କଫଟର କାଗଜରେ ଲୋବିଜୋବ୍ ତଥ୍ୟ ଉପରେ ଏକ ଆଲୋଚନା ପ୍ରକାଶ ପାଇଥିଲା । ଏହି ତଥ୍ୟ ଶକ୍ତିର ଅବିନଶ୍ୱରତା ଓ ମାଧ୍ୟାକର୍ଷଣ ଶକ୍ତିର ବିରୁଦ୍ଧାଚରଣ କରୁଛି । ବିନା ଶକ୍ତି ସାହାଯ୍ୟରେ ମଟରଗାଡ଼ି କେମିତି ଚାଲାଇହେବ,ଏହି ତଥ୍ୟ ତାହାର ସୂତ୍ର ଯୋଗାଏ । ବିନା ଶକ୍ତିରେ ଆକାଶଯାନ ମଧ୍ୟ ଚଳାଇ ହେବ, ଏହି ତଥ୍ୟ ତାହାର ସୂତ୍ର ଯୋଗାଏ । ସେହି ମେଗାଜିନ୍‍ରେ ଆହୁରି ପ୍ରକାଶ ପାଇଥିଲା ଯେ ୧୯୨୯ ମସିହା ଜୁଲାଇ ମାସରେ ଦଳେ ଜର୍ମାନ ବୈଜ୍ଞାନିକ ରୁଷିଆ ଭ୍ରମଣରେ ଯାଇଥିଲେ । ସେମାନଙ୍କ ଭିତରେ ଜଣେ ବୈଜ୍ଞାନିକ ଥିଲେ, ତାଙ୍କ ନାଁ ହେଉଛି ହର୍ଷ୍ଟ ପିଙ୍କେସ । ସେ ଲୋବିଜୋବ୍ ତଥ୍ୟ ସମ୍ବନ୍ଧରେ ଭଲ ଭାବରେ ଜାଣିଥିଲେ । ସେ ରୁଷିଆରେ ରହି ଏହି ଲୋବିଜୋବ୍ ତଥ୍ୟ ଉପରେ ଗବେଷଣା ଚଳାଇଲେ । ସୋଭିଏଟ୍ ଗବେଷଣା ଗାରରେ ଲେବିଜୋବ୍ ତଥ୍ୟ ଅନୁଯାୟୀ ଏକ ଆପୂର୍ବ ଲୋବିଜୋବ୍ ରଶ୍ମି ସୃଷ୍ଟି କରାଗଲା । ୧୯୪୦ ରୁ ୧୯୪୨ ମଧ୍ୟରେ ଏଥିପାଇଁ ଏକ ବିରାଟ ଗବେଷଣାଗାର ସୋଭିଏଟ୍‍ ରୁଷିଆର ମେଗନିଟୋଗରସ୍କ ଠାରେ ପ୍ରତିଷ୍ଠା କରାଗଲା । ଏଠାରେ ଲେବିଜୋବ୍ ରଶ୍ମି ବେଳେ ବେଳେ ତରଙ୍ଗ ରୂପରୁ କଣାରୂପକୁ ରୂପାନ୍ତରିତ ହେଉଥିଲା ।

 

୧୯୪୨ ମସିହା ନଭେମ୍ବର ମାସରେ ଆଣ୍ତ୍ରେଇ ଗୋରୟେଭ୍ ନାମକ ଜନୈକ ସୋଭିଏଟ୍‍ ପଦାର୍ଥ ବିଦ୍ୟାବିତ୍ ଇଉରାଲ୍ ପର୍ବତ ନିକଟରେ ଏହି ରଶ୍ଣି ଉପରେ ପରୀକ୍ଷା ଚଳାଇଥିଲେ । ସୋଭିଏଟ୍ ଲାଲବାହୀନ ନିର୍ଦ୍ଦଶରେ ଏହିପରୀକ୍ଷା ଚାଲୁଥିଲା । ଆଶା କରାଯାଉଥିଲା ଲେବିଜୋବ୍‍ ରଶ୍ମିକୁ ବ୍ୟବହାର କରି ଏକ ପ୍ରକାର ବାଚାତ୍ର ଧରଣର ଯାନ ତିଆରି କରିହେବ । ଏହି ଯାନ ସାହାଯ୍ୟରେ ସେମାନେ ନାଜିମାନଙ୍କର ସମ୍ମୁଖୀନ ହେବେ ବୋଲି ଆଶା କରିଥିଲେ । ଶୁଣାଯାଏ ଯେ ଏହି ରଶ୍ମି ସାହାଯ୍ୟରେ ଗୋଟିଏ ମଟରଗାଡ଼ି ଚାଲି ପାରୁଥିଲା ।

 

ପିଙ୍କେସ୍ ଓ ଗୋରେୟେଭ୍‍ଙ୍କ ଗବେଷଣା ଅତି ରହସ୍ୟଜନକ ବୋଲି ଜଣାପଡ଼ୁଥିଲା । ୧୯୪୮ ମସିହାରେ ପ୍ରକାଶ ପାଇଲା ଯେ ରୁଷିଆ ଗୁପ୍ତ ପୋଲିସ୍‍ସଂସ୍ଥା ହଠାତ୍ ଦିନେ ହେର୍ ପିଙ୍କେସ୍ ଓ ଆଉ କେତେକ ରୁଷୀୟ ବୈଜ୍ଞାନିକଙ୍କୁ ବନ୍ଦୀ କଲେ ଓ ସେମାନଙ୍କୁ ଟୋହାନେ ଦ୍ୱୀପରେ ନେଇ ବନ୍ଦୀ କରି ରଖିଲେ । ସେମାନଙ୍କର ଦୋଷ ହେଲା, ସେମାନେ ରୁଷିଆ ଗୁପ୍ତପୋଲିସ୍ ସଂସ୍ଥାର ସର୍ବେସର୍ବା ଲାଭ୍‍ରେଣ୍ଟି ବେରିଆଙ୍କୁ କହିଲେ ଯେ ଏହି କାମ ଶେଷ କରିବାକୁ ଆହୁରି ଢେର୍‍ଦିନ ଲାଗିଯିବ । ବେରିଆ ଚାହୁଁଥିଲେ ଏହି ଗବେଷଣା ଖୁବ୍ ଶୀଘ୍ର ଶେଷ ହୁଅନ୍ତା ଓ ରୁଷୀୟମାନଙ୍କ ହାତରେ ଖୁବ୍ ଶକ୍ତିଶଆଳୀ ଯାନ ରହନ୍ତା । ସେହି ଦ୍ୱୀପରେ ପଙ୍କେସ୍‍ ବନ୍ଦୀ ରହି ସେହି ରଶ୍ମି ଉପରେ ଗୁପ୍ତରେ ପୁଣି ଗବେଷଣା ଚଳାଇଲେ । ବେରିଆ ପରେ ଗବେଷଣାକୁ ଭାରସିନିନ୍ ନାମକ ଜନୈକ ରୁଷୀଆ ବୈଜ୍ଞାନିକଙ୍କ ଦାୟିତ୍ୱରେ ଦେଲେ । ସେ ୧୯୪୮ ମସିହା ସୁଦ୍ଧା ପାଞ୍ଚଟା ଅଦ୍ଭୁତ ଯାନ ତିଆରି କଲେ ଯାହାକି ଏତେ ବେଗରେ ଯାଇ ପାରୁଥିଲା, ଯେଉଁ ବେଗକୁ ଧାରଣା କରିବା ଅତୀବ କଷ୍ଟକର । ଏହା ଲେବିଜୋବ୍ ରଶ୍ମି ସାହାଯ୍ୟରେ ଚଳୁଥିଲା ବୋଲି କେତେକେ କହନ୍ତି ।

 

ଅଧ୍ୟପକ ହେରମେନ୍ ଓ – ବୋର୍ଥ ଯେ କି ମୃତ୍ୟୁ ପର୍ଯ୍ୟନ୍ତ ଆମେରିକାରେ ରହୁଥିଲେ ଓ ଜର୍ମାନୀରେ ରକେଟ୍‍ ବିଜ୍ଞାନର ଜନକ ଭାବରେ ପରିଚିତ, ସେ ମତ ଦିଅନ୍ତି, ଏହାଭଳି ଲେବିଜୋବ୍ ରଶ୍ଣି ପରିଚାଳିତ ଯାନ ସମ୍ଭବପର । ଏହି ଘଟଣାଟି ଯଦି ସତ ହୁଏ, ତେବେ ଏହିଲବୁ ଉଡ଼ନ୍ତା ଥାଳିଆ ସୋଭିଏଟ୍‍ମାନଙ୍କର ନାନା ପରୀକ୍ଷା ବୋଲି କୁହା ନ ଯିବ କାହିଁକି ? ଲେବିଜୋବ୍ ତଥ୍ୟ ଏବେ ବି ଏକ ପ୍ରହେଳିକାମୟ ତଥ୍ୟ ଭାବରେ ଜଗତରେ ପରିଚିତ ।

 

ଏହି ତଥ୍ୟର ଜନକ ହେଉଛନ୍ତି ଜନୈକ ଜର୍ମାନ୍‍ ବୈଜ୍ଞାନାକ, ତାଙ୍କ ନାଁ ହୋଉଛି ଲେବିଜୋଭ୍‍ । ସେ ଜର୍ମାନୀର ବର୍ଲିନ୍‍ ସହରରେ ୧୯୦୬ ମସିହାରେ ଗବେଷଣା କରୁଥିଲେ । ତାଙ୍କ ତଥ୍ୟ ହେଉଛି, ସାରା ମହାଶୂନ୍ୟ ଏକ ଅଜଣା ରଶ୍ମିରେ ପୂରି ରହିଛି । ଏଠାକୁ ଅଲୋକ ତଥ୍ୟ ଅନ୍ୟାନ୍ୟ ବହୁ ପ୍ରକାର ରଶ୍ଣି ସବୁ ଦଗରୁ ଆସୁଛି । ଏହି ରଶ୍ମି ସବୁ ଆଡ଼ୁ ଆସି ପଡ଼ୁଥିବାରୁ ମହାଶୂନରେ ଥିବା ବସ୍ତୁଗୁଡ଼ିକ ନିଜ ନିଜ ଓଜମ ହରାଉଛନ୍ତି । ଏହି ରଶ୍ମିକୁ ଯଦି ରୁଦ୍ଧ କରି ଦିଆଯାଇ ପାରନ୍ତା କିମ୍ବା ଏହାକୁ ଦୁର୍ବଳ କରି ଦିଆ ଯାଇ ପାରନ୍ତା, ତେବେ ଏଥିରୁ ଏକ ବିରାଟ ପରାମାଣରେ ଶକ୍ତି ନିର୍ଗତ ହୁଅନ୍ତା । ରୁଷୀୟମାନେ ଏମିତି ଏକ ମିଶ୍ର ଧାତୁ ବାହାର କରିପାରିଥିଲେ, ଯାହାକି ଲେବିଜୋଭ୍‍ ରଶ୍ମିକୁ ପୂରାପୂରି ରୁଦ୍ଧ କରିଦେଇ ପାରିବ, ସୌରରଶ୍ମିକୁ ଦୁଇଟି ସ୍ୱଚ୍ଛ ସ୍ଫଟିକ ନିକଲ ପ୍ରଜ୍‍ମ ରୁଦ୍ଧ କଲାଭଳି । ଏହି ମିଶ୍ରଧାତୁ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟବହୃତ ହୋଲୋପରେ ଦୁର୍ବଳ ହେଇଯାଏ, କିନ୍ତୁ ବଦଳାଇ ଦେଲେ ପୁଣି କାମକରେ । ଏହି ଉପାୟରେ ରୁଷୀୟମାନେ ଏହି ଅଦ୍ଭୁତ ଯାନ ସୃଷ୍ଟି କରିଥିବାର ଜନରବ ଶୁଣାଯାଏ । ଏହି ବିଷୟଟି କେତେଦୂର ସତ୍ୟ କହିବା ଅତୀବ କଷ୍ଟକର ।

 

ସୋଭିଏଟ୍ ସରକାର ଏହି କେତେ ଦିନ ତଳେ ଏକ ଥଳିଆ ଆକାରରେ ମହାଶୂନ୍ୟ ଯାନର ଚିତ୍ର ପ୍ରକାଶ କରିଛନ୍ତି । ଏହି ଗୋଲାକାର ମହାକାଶ ଯାନ ବହୁ ପରୀକ୍ଷା ନିରୀକ୍ଷା ପରେ ମହାଶୂନ୍ୟକୁ ଛାଡ଼ିଯିବାର ବ୍ୟବସ୍ଥା ହୋଉଛି । କିଏ କହିପାରେ ପୃଥିବୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ଉଡ଼ନ୍ତା ଥାଳିଆ ସୋଭାୟେଟ୍‍ମାନଙ୍କର ଏହି ଗୋଲାକାର ମହାକାଶ ଯାନର ପରୀକ୍ଷା ନୁହେଁ ? ଏହା ବ୍ୟବହାର ଅବସ୍ଥାକୁ ଆସିବା ପୂର୍ବରୁ ବହୁ ବର୍ଷ ଧରି ଯେ ପରୀକ୍ଷିତ ହୋଇଥିବ ଏଥିରେ ସନ୍ଦେହ ନାହିଁ । ସେମାନଙ୍କ ପରୀକ୍ଷା ହୁଏତ ଏହି ରହସ୍ୟପୂର୍ଣ୍ଣ ଉଡ଼ନ୍ତା ଥାଳିଆର ରହସ୍ୟ ଭିତରେ ରହି ଯାଇଥିବ ।

 

ତେବେ ଉଡ଼ନ୍ତା ଥାଳିଆ ଏହିଭଳି ଗବେଷଣା କି କଅଣ ଏବେ ବି ଅମୀମାଂସିତ । କେତେକ ବିଶେଷଜ୍ଞଙ୍କ ମତରେ ଉଡ଼ନ୍ତା ଥାଳିଆ ପ୍ରକୃତରେ ହେଉଛି ରୁଷୀୟମାନଙ୍କର ଏକ ଅତି ଶକ୍ତି ଶାଳୀ ଓ ଅଦ୍ଭୁତ ଥାଳିଆ ଆକାରର ଯାନ । ଏହା ଆଲୋରିକାର ଖୁବ୍ ଉଚ୍ଚଆକାଶରେ ଉଡ଼ି ଆମେରିକା ସଂପର୍କୀୟ ନାନା ଗୁପ୍ତ ଖବର ସଂଗ୍ରହ କରୁଛି । ଏହା ରୁଷୀୟମାନଙ୍କର ଏକ ଗୋଏନ୍ଦା ଯାନ ଆମୋରିକାନ୍‍ମାନଙ୍କୁ ଏହି କୌଶଳ ଦ୍ୱାରା ବୋକା ବନାଇ ନିଜ ଲକ୍ଷ୍ୟ ସାଧନ ଦିଗରେ ରୁଷିଆ ଅଗେଇ ଚାଲିଛି । ତେବେ ରୁଷୀୟମାନେ ଯେ ଏହିଭଳି ବିଚିତ୍ର ପ୍ରକୃତି ବିଶିଷ୍ଟ ଶକ୍ତିଶାଳୀ ଯାନ ଉଦ୍ଭାବନ କରିପାରନ୍ତି ଏଥିରେ ବହୁ ଲୋକ ସନ୍ଦେହ ପ୍ରକାଶ କରନ୍ତି ।

•••

 

ଏକାଦଶ ଅଧ୍ୟାୟ

ଉଡ଼ନ୍ତା ଥାଳିଆ ଏକ ଆଲୋକୀୟ ଦୃଷ୍ଟିଭ୍ରମ ହୋଇପାରେ

 

ଆଧୁନିକ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅନେକ ମତପୋଷଣ କରନ୍ତି ଯେ ଉଡ଼ନ୍ତା ଥାଳିଆ ଗ୍ରହ ଗ୍ରହାନ୍ତର ଜୀବମାନଙ୍କର ଯାନ ନୁହେଁ କି ଏହା ପୃଥିବୀସ୍ଥ କୌଣସି ରାଷ୍ଟ୍ରର ଗୋପନୀୟ ଗବେଷଣା ପରୀକ୍ଷା ନୁହେଁ । ସୋମାନଙ୍କ ମତରେ ଏହା ଆକାଶରେ ବେଳେ ବେଳେ ଦୃଶ୍ୟମାନ ହେଉଥିବା ଆଲୋକୀୟ ଦୃଷ୍ଟି ଭ୍ରମ ଛଡ଼ା ଅନ୍ୟକିଛି ନୁହେଁ । ଏହି ମତ ପୋଷଣ କରୁଥିବା ବୈଜ୍ଞାନିକମାନଙ୍କ ଭିତରୁ ହାର୍ଭାର୍ଡ୍‍ ବିଶ୍ୱବିଦ୍ୟାଳୟର ପ୍ରଧାନ ଜ୍ୟୋତିର୍ବିଦ୍ ଡୋନାଲଡ୍ ମେଞ୍ଜେଲ ଜଣେ ।

 

ମେଞ୍ଜେଲ୍ ମତ ଦିଅନ୍ତି ଉଡ଼ନ୍ତା ଥାଳିଆ ଭଳି ବହୁ ରହସ୍ୟ ଜନକ ଘଟଣା ପାଣି ପାଗ ଜନିତ ନାନା ପ୍ରକାରର ଦୃଶ୍ୟ ଛଡ଼ା ଆଉ କିଛି ନୁହେଁ । ସେ ତାଙ୍କ ଲାଖିତ ପୁସ୍ତକ ‘F।ying saucer’ ରେ ଏହାର ନାନା ପ୍ରକାର ବାଖ୍ୟା କରିଛନ୍ତି । ଏହି ପୁସ୍ତକଟି ୧୯୫୩ ମସିହାରେ ‘ହାରଭାର୍ଡ ଇଉନିଭରସିଟି ପ୍ରେସ୍’ ଦ୍ୱାରା ପ୍ରକାଶିତ ହୋଇଥିଲା । ଏଥିପୂର୍ବରୁ ଆମେରିକାର ସୁବିଖ୍ୟାତ ଲୁକ୍‍ ମେଗାଜିନରେ ସେ ତାଙ୍କ ମତକୁ ବିଶେଷ ଭାବରେ ପ୍ରଚାର କରଥିଲେ ।

 

ତାଙ୍କ ମତରେ ଉଡ଼ନ୍ତା ଥାଳିଆ ଭଳି ଦୃଶ୍ୟ ଆକାଶର ମେଘ ଭିତରେ ଥିବା ବା ବାୟୁମଣ୍ତଳରେ ଭାସିବୁଲୁଥିବା ତୁଷାର କଣା ଉପରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କର କିରଣ ପ୍ରରିଫଳନ ହେତୁ ଦିନରେ ବା ରାତିରେ ସୃଷ୍ଟି ହୋଇପାରେ । ଆକାଶ ମଣ୍ତଳରେ ଶୀତଦିନେ ଯେଉଁ ତୁଷାର କଣିକା ସୃଷ୍ଟି ହୁଏ, ତାହା ଅନେକାଂଶରେ ଏହି ଉଡ଼ନ୍ତା ଥାଳିଆ ସମ୍ଭନ୍ଧୀୟ ଦୃଷ୍ଟିଭ୍ରମ ସୃଷ୍ଟି କରେ । ଏହି ତୁଷାର କଣିକା ଯେତେବେଳେ ତଳକୁ ଝଡ଼ି ପଡ଼େ ବା ଆକାଶମଣ୍ତଳରେ ଭାସି ବୁଲେ, ସୂର୍ଯ୍ୟ କିରଣ ବା ଚନ୍ଦ୍ର କିରଣ ଏହାଦ୍ୱାରା ପ୍ରତିଫଳିତ ହୋଇ ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରେ । ଏହି ଦୃଷ୍ଟିଭ୍ରମ ବହୁଦିନ ଧରି ବୈଜ୍ଞାନିକ ମାନଙ୍କୁ ଜଣାଅଛି । ଏହା ପ୍ରତିଫଳିତ ଦିନରେ ସୂର୍ଯ ଦିଶୁଥିବା ସ୍ଥାନରେ ଆଉ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ଭ୍ରମ ସୃଷ୍ଟି କରାପାରେ । ଏହାକୁ ସୂର୍ଯ୍ୟର ପ୍ରତିରୂପ ବା ଇଂରାଜୀରେ ସନଡ଼ଗ୍ (Sun Dog) କୁହାଯାଏ । ଏହା ସୂର୍ଯ୍ୟଭଳି ଉଜ୍ଜ୍ୱଳ ଏହାକୁ ଦ୍ୱିତୀୟ ସୂର୍ଯ୍ୟ ଆଖ୍ୟା ଦିଆଯାଇପାରେ । ସେହିଭଳି ଜହ୍ନ ରାତିରେ ଚନ୍ଦ୍ରର ଏକ ପ୍ରତିରୂପ ବା ମୁନ୍ ଡ଼ଗ୍ (Moon Dog) ମଧ୍ୟ ସୃଷ୍ଚି ହୋଇପାରେ । ଏଗୁଡ଼ିକ ବାୟୁର ଗତିଶୀଳତା ହେତୁ ସୂର୍ଯ୍ୟ ବା ଚନ୍ଦ୍ର ଭଳି ସ୍ଥିର ନ ରହି ଆକାଶରେ ଗତି କଲାଭଳି ଦିଶନ୍ତି । ତାଙ୍କ ମତରେ୧୯୪୯ ମସିହାରେ କେନ୍‍ଟୁକି ରାଜ୍ୟସ୍ଥ ଫୋର୍ଟ ଗୁଡ଼ମେନ ଏୟାରବେଜ୍ ଘାଟିରେ କେପଟେନ ଟମାସ–ଏ, ଏଫ୍, ମେଣ୍ତେଲ ଉଡ଼ନ୍ତା ଥାଳିଆ ପଛରେ ଗୋଡ଼ାଇ ଯେଉଁ ମୃତ୍ୟୁ ବରଣ କରିଥିଲେ, ତାହା ଏହିଭଳି ଏକ ଦୃଷ୍ଟିଭ୍ରମ ଛଡ଼ା ଅନ୍ୟ କିଛି ନୁହେଁ ।

 

ମେଞ୍ଜେଲ୍‍ଙ୍କ ମତରେ ଅନେକ ସ୍ଥାନରେ ଆକାଶ ମଣ୍ତଳରେ ବାୟୁସ୍ତର ଏକ କୁରୁପ ସୃଷ୍ଟିକାରୀ ଲେନ୍‍ସ ଭାବରେ କାର୍ଯ କରି ଉଡ଼ନ୍ତା ଥାଳିଆ ଦୃଶ୍ୟ ସୃଷ୍ଟି କରିପାରେ । ଆକାଶମଣ୍ତଳରେ ଥିବା ବିଭିନ୍ନ ଘନତ୍ୱ ବିଶିଷ୍ଟ ବାୟୁସ୍ତର ଭିତରେ ଆଲୋକ ରଶ୍ମି ଗତି କରି ଏହା ପ୍ରତିସରିତ ହୁଏ ବା ବିଭିନ୍ନ ରୀତିରେ ବଙ୍କେଇଯାଏ । ଏହା ଜଣାଶୁଣା କଥା ଯେ ଥଣ୍ତା ବାୟୁର ଘନତ୍ୱ ଉଷ୍ଣ ବାୟୁର ଘନତ୍ୱ ଅପେକ୍ଷା ଅଧିକ । ଯେତେବେଳେ ଏହି ବିଭିନ୍ନ ଘନତ୍ୱ ବିଶିଷ୍ଟ ବାୟୁସ୍ତର ପାଖକୁ ପାଖ ଲାଗିକରି ଥାଏ, ଏହା ନିମ୍ନଲିଖିତ ଲୁବକସ୍ଥ ଦୃଶ୍ୟଭଳି ବହୁ ବିଚିତ୍ର ଆଲୋକୀୟ ଦୃଷ୍ଟିଭ୍ରମ ସୃଷ୍ଟି କରିପାରେ, ଯାହାକୁ ସାଧାରଣ ଲୋକେ ଉଡ଼ନ୍ତା ଥାଳିଆ ଭଳି ଭ୍ରମ କରିବା ବିଚିତ୍ର ନୁହେଁ ।

 

ଲୁବକ୍‍ସ୍ଥ ସୁବିଖ୍ୟାତ ଆଲୋକୀୟ ଦୃଷ୍ଟିଭ୍ରମ

 

ଆଉ କେତେକ କ୍ଷେତ୍ରରେ ଉଡ଼ନ୍ତା ଥାଳିଆ ଆକାଶର ଏକ ମରୀଚିକା ହୋଇପାରେ । ମରୁଭୂମିର ମରୀଚିକା ଯେମିତି ମସ୍ତିଷ୍କର ଏକ ଭ୍ରମ, ଏହା ସେହିଭଳି ଏକ ଭ୍ରମ ହୋଇପାରେ । ଏହାର ଏକ ଜ୍ୱଳଳ ଉଦାହରଣ ହେଉଛି ଲୁବକ୍ ଆଲୋକ ।

 

୧୯୫୧ ମସିହା ଅଗଷ୍ଟ ମାସ ଶେଷ ଆଡ଼କୁ ଆମେରିକାର ଲୁବକ୍‍ଠାରେ ଥିବା ଟେକ୍‍ମାସ ଓ ଟେକ୍‍ନୋଲଜିକାର କଲେଜର ତିନିଜଣ ଅଧ୍ୟାପକ ଲୁବକ୍‍ ସହରର ଆକାଶରେ ଇଂରାଜୀ V ଅକ୍ଷରରେ ସଜ୍ଜିତ କେତେଗୁଡ଼ିଏ ଆଲୋକମାଳା ଦେଖିଥିଲେ । ଏହା ଆକାଶରେ ଧୀର ବେଗରେ ଗତି କଲାଭଳି ଦେଖାଯାଉଥିଲା । ରାତି ପର ରାତି ବହୁ ପର୍ଯ୍ୟନ୍ତ ଦେଖାଯାଉଥିଲା-। ସେହି କଲେଜର ଏକ ଛାତ୍ର ସେହି ଆଲୋକମାଳର କେତେଗୁଡ଼ିଏ ଆଲୋକଚିତ୍ର ଉଠାଇଥିଲେ-। ଏହି ଦୃଶ୍ୟ ଲୁବକ୍ ଆଲୋକ (Lubbock Lights) ଭାବରେ ପରିଚିତ ।

 

ଲୁବକ୍‍ଠାରେ ଦେଖାଯାଉଥିବା ଆଲୋକମାଳା ସମ୍ପର୍କରେ ଅଧ୍ୟାପକ ମେଞ୍ଜେଲ୍ କହନ୍ତି ଯେ ଆକାଶର ଅବସ୍ଥା ନେଇ ବେଳେ ବେଳେ ପୃଥିବୀର ଏକ ଛାଇ ଆକାଶରେ ପଡ଼େ । ମରୁଭୃମିରେ ମରୀଚିକା କାହାରିକୁ ଅବିଦିତ ନାହିଁ । ପୃଥିବୀ ପୃଷ୍ଟକୁ ଲାଗି ଆକାଶରେ ଯଦି ଏକାଧିକ ଉତ୍ତପ୍ତ ବାୟୁସ୍ତର ଥାଏ, ତେବେ ପୃଥିବୀର ଦୃଶ୍ୟ ଆକାଶରେ ପ୍ରତିଫଳିତ ହୋଇ ପୃଥିବୀ ପୃଷ୍ଠରେ ପୋଖରୀ ବା ହ୍ରଦଥିବା ଓ ସେଥିର ଜଳରେ ପାଖ ଗଛର ଓଲଟା ପ୍ରତିବିମ୍ବ ପଡ଼ିଥିବା ଧାରାଣାକୁ ଆହୁରି ବଳବତ୍ତର କରି ଏକ ଦୃଷ୍ଟିଭ୍ରମ ସୃଷ୍ଟି କରେ । ମରୁଭୂମିରେ କୌଣସି ଜଳଭଣ୍ତାର ନଥାଇ ଜଳର ସୂଚନା ଯାହା, ଆକାଶରେ କୌଣସି ଯାନ ନଥାଇ ଉଡ଼ନ୍ତା ଥାଳିଆ ଦୃଶ୍ୟ ତାହା । ଏହି କାରଣ ଯୋଗୁ ଦୂର ସ୍ଥାନର ରାସ୍ତାର ଆଲୋକମାଳା ବା କୌଣସି ଏକ ସ୍ଥାନର ଗୋଟି ଗୋଟି କିଆ ଆଲୋକ ପ୍ରତିଫଳିତ ହୋଇ ଆକାଶରେ ଭାସି ବୁଲିବାର ଦେଖାଯାଏ । ବାୟୁର ଗତିହେତୁ ଏହି ପ୍ରତିବିମ୍ବ ଏପଟ ସେପଟ ଘୂରି ବୁଲିବାର ସମ୍ବାବନା । ଏହି ପ୍ରତିଫଳିତ ଆଲୋକ ବା ଆଲୋକମାଳାକୁ ରେଡ଼ାର୍ ଯନ୍ତ୍ର ବି ଭ୍ରମ କରିପାରେ । ରେଡ଼ାର ପରଦାରେ ଦିଶୁଥିବା ଉଡ଼ନ୍ତା ଥାଳିଆ ଏହାରି ଯୋଗୁଁ ସମ୍ଭବ ହୋଇପରେ ବୋଲି ମତ ଦିଅନ୍ତି ।

 

ଅଧ୍ୟାପକ ମେଞ୍ଜେଲ୍ ତାଙ୍କ ତଥ୍ୟକୁ ପ୍ରମାଣ କରିବା ପାଇଁ ଏହି ଧରଣର ପ୍ରତିଫଳନ ନିଜ ଗବେଷଣାଗାର ଭିତରେ ସୃଷ୍ଟି କରି ପାରିଥିଲେ । ବେନ୍‍ଜିନ୍ ଓ ଏସିଟୋନ୍‍ର ଏକ ମିଶ୍ରଣକୁ ଏକ ପାତ୍ରରେ ନେଇ ସେଥିଭିତରକୁ ଆଲୋକ ରଶ୍ମି ପ୍ରବେଶ କରାଇ ସେ ଠିକ୍ ଲୁବକ୍ ଆଲୁଅଭଳି ଆଲୋକମାଳ ସୃଷ୍ଟି କରି ପାରିଥିଲେ ।

 

ଉଡ଼ନ୍ତା ଥାଳିଆ ଘୂର୍ଣ୍ଣନଶୀଳ ଏକ ବିଦ୍ୟୁତ୍‍ ପେଣ୍ତୁ ହୋଇପାରେ ।

 

ବହୁ ଉଡ଼ନ୍ତା ଥାଳିଆ ଶକ୍ତିଶାଳୀ ବିଦ୍ୟୁତ୍ ଲାଇନ୍‍ଠାରେ ଦେଖାଯାଏ ।ଏହାର କାରଣ ସମ୍ପର୍କରେ ଏକ ଲୋକପ୍ରିୟ ମତ ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି । ସେ କାରଣକୁ ଗ୍ରହଣ କରି ଲେଖକ ଜନ୍‍ ଫୁଲର ମତ ଯେ ଅନ୍ୟଗ୍ରହ ଉପଗ୍ରହରୁ ଆସୁଥିବା ଯାନ ସବୁ ଶକ୍ତିଶାଳୀ ବିଦ୍ୟୁତ୍ ଲାଇନରୁ ବିଦ୍ୟୁତ୍‍ଶକ୍ତି ଚୋରିକରି ନିଜର ଦରକାର ହୋଉଥବା ଶକ୍ତିର ଅଭାବ ପୂରଣ କରନ୍ତି । କିନୁ ଏଭିୟେସନ୍ ଉଇକ୍‍ ଆଣ୍ତ ସ୍ପେସ୍ ଟେକ୍‍ନୋଲଜି ପତ୍ରିକାର ସମ୍ପାଦକ ଫିଲିପ୍ କ୍ଳାସ୍ ଏହାକୁ ଅଗ୍ରାହ୍ୟ କରି ମତ ଦିଅନ୍ତି ଯେ କେତେକ କାରଣ ଯୋଗୁଁ ଆୟନୀକୃତ ବାୟୁ ତଡ଼ିମାଯୁକ୍ତ ରେଣୁକୁ ଧରି ବିଦ୍ୟୁତ୍‍ ଲାଇନ୍‍ଠାରେ ଏକତ୍ରିତ ହୁଏ । ବେଳେବେଳେ ଏଗୁଡ଼ାକ ଲାଇନ୍ ଦେହରୁ ବାହାରି ଯାଇ ଗେଲାକାର ବିଦ୍ୟୁତ୍ ପେଣ୍ତୁ ସୃଷ୍ଟି କରି ଘୂରି ବୁଲନ୍ତି । ଏହି ଗେଲାକାର ବିଦ୍ୟୁତ୍ ପେଣ୍ତୁ (Ball Lightning) ବେଳେ ବେଳେ ଖୁବ୍‍ ବେଗରେ ଗତି କରେ । ଗତି କରୁ କରୁ ନିଜ ଅକ୍ଷ ଚାରିପଖରେ ଘୂରୁଥାଏ । ଏକ୍‍ସିଟର୍‍ ଠାରେ ଘଟିଥିବା ଘଟଣା ଏହିଭଳି ଏକ କାରଣ ଯୋଗୁଁ ସମ୍ଭବ ବୋଲି କ୍ଳାସ ମତ ଦିଅନ୍ତି । ଏକ୍‍ସିଟର୍‍ଠାରେ ଦେଖଦେଇଥିବା ଉଡ଼ନ୍ତା ଥାଳିଆର ପ୍ରକୃତିକୁ ପ୍ରର୍ଯ୍ୟାଲୋଚନା କଲେ ଏହା ବିହ୍ୟୁତ୍ ପେଣ୍ଡୁର ବହୁ ପ୍ରକୃତି ସହିତ ମିଳିଯାଏ ।

 

ବହୁ ବୈଜ୍ଞାନିକ ମତ ପ୍ରକାସ କରନ୍ତି ଯେ ଆକାଶରେ ନାନା କାରଣ ବଶତଃ ଆଲୋକ ବିକୀରଣକାରୀ ପ୍ଳାଜମା, ନିଅନ ଆଲୋକ ବା ବିଦ୍ୟୁତ୍ ପେଣ୍ତୁ ବେଳେ ବଳେ ଉଡ଼ନ୍ତା ଥାଳିଆର ଭ୍ରମ ଜାତ କରାଇଥାଏ । ଆମେରିକାର ବିଭିନ୍ନ ସ୍ଥାନରେ ଯେଉଁ ଉଚ୍ଚ ବିଭବଯୁକ୍ତ ବିଦ୍ୟୁତ୍ ଲାଇନ ଯାଇଥାଏ, ସେଥିରେ ସେହି ବିଦ୍ୟୁତ୍ ପେଣ୍ତୁ ଦୃଶ୍ୟ ସମ୍ଭବପର । ବେଳେ ବେଳେ ଆକାଶରେ ବିଜୁଳି ମାରିଲେ ଯେଭଳି ବିଦ୍ୟୁତ୍ ପେଣ୍ତୁ ଦେଖାଦିଏ, ଏହି ବିଦ୍ୟୁତ୍ ପେଣ୍ତୁ ସେହିଭଳି । ଅନେକ ସମୟରେ ଆୟନୀକୃତ ଗ୍ୟାସ ବା ଧୂଳିକଣାର ଏକ ପିଣ୍ତ ଭାବରେ ସୃଷ୍ଟି ହୋଇଥାଏ । ଏହା ବିଶେଷ ସ୍ଥାୟୀ ନୁହେଁ, ଅଳ୍ପ ସମୟ ପାଇଁ ଦେଖାଦେଇ ପୁଣି ଉଭେଇଯାଏ । ୧୯୪୫ ମସିହାରେ ସର୍ବପ୍ରଥମେ ଆମେରିକାର ଟେନେସି ରାଜ୍ୟସ୍ଥ ଓକରିଜ ନେସନାଲ ଲାବୋରେଟରୀରେ କୃତ୍ରିମ ଉପାୟରେ ଏହା ସୃଷ୍ଟି କରା ଯାଇଥିଲା । ୧୯୬୫ ମସିହାରେ ଆମେରିକାର ଏକ ଇଲେକ୍‍ଟ୍ରିକ୍ କୋମ୍ପାନୀର ଗବେଷଣାଗାରରେ ମଧ୍ୟ ଏହି ବିଦ୍ୟୁତ୍ ପେଣ୍ଡୁ କୃତ୍ରିମ ଉପାୟରେ ସୃଷ୍ଟି କରାଯାଇଥିଲା । ଏହି ପେଣ୍ଡୁଟି ବେଳେ ବେଳେ ନିଜ ଆକାରକୁ ମଧ୍ୟ ବଦଳାଇପାରେ । ସୁବିଖ୍ୟାତ ରୁଷୀୟ ବୈଜ୍ଞାନିକ ପିଟର କେପିଜା ଏହି ବିଦ୍ୟୁତ୍ ପେଣ୍ତୁର ଅବସ୍ଥିତି ନେଇ ନାନା ତଥ୍ୟ ପ୍ରଦାନ କରିଅଛନ୍ତି । ଅନେକ ମତ ପ୍ରକାଶ କରନ୍ତି ଯେ ଏହି ବିଦ୍ୟୁତ୍‍ ପେଣ୍ତୁ ହିଁ ପ୍ରକାରାନ୍ତରେ ଉଡ଼ନ୍ତା ଥାଳିଆ । ଉଡ଼ନ୍ତା ଥାଳିଆର ବହୁ ପ୍ରକୃତି ସହିତ ଏହି ବିଦ୍ୟୁତ୍ ପେଣ୍ତୁର ପ୍ରକୃତି ତୁଳନୀୟ ।

 

ଆମେରିକାର ବିଖ୍ୟାତ ବୈଜ୍ଞାନିକ ଲେଖକ–ଆଇଜାକ୍–ଅସିମୋଭ୍ ଉଡ଼ନ୍ତା ଥାଳିଆ ନାନା ପ୍ରତ୍ୟକ୍ଷଦର୍ଶୀ ବିବରଣୀକୁ ବିଶ୍ଳେଷଣ କରି ମତ ଦେଇଛନ୍ତି ଯେ ଏହା କୌଣସି ସୁଦୂର ଗ୍ରହଜଗତରୁ ଆସୁଥିବା ଯାନ ନୁହେଁ । ମିଚିଗାନ୍ ରାଜ୍ୟର ଆନ୍ ଆରବୋରଠାରେ ଦେଖା ଦେଇଥିବା ଉଡ଼ନ୍ତା ଥାଳିଆ ସଂପର୍ବରେ ପ୍ରକାଶ ପାଇଥିବା ବ୍ୟାଖ୍ୟାକୁ ସମର୍ଥନ କରି ତାଙ୍କ ମତ ପ୍ରଦାନ କରିଛନ୍ତି । ଏହି ଅଳ୍ପଦିନ ତଳେ ଆନ୍‍ଆରବୋର୍ ଆକାଶରେ ଏକ ଅଜଣା ବିଚିତ୍ର ଯାନ କିଛି ସମୟ ପାଇଁ ଦେଖା ଦେଇଥିଲା । ଲୋକେ ଏପାକୁ ଅନ୍ୟ ଗ୍ରହର ଉଡ଼ନ୍ତା ଥାଳିଆବୋଲି ବିଶ୍ୱାସ କରୁଥିଲେ, କିନ୍ତୁ ପଦାର୍ଥବିଦ୍ୟାବିତ୍ ଲେନ୍‍ହ୍ୟାନେନ୍ ଏହାକୁ ପରୀକ୍ଷା କରି ପ୍ରମାଣ କରିଦେଲେ ଯେ ଏହା ଏକ ପ୍ରକାର ଜୈବ ମାର୍ସ ଗ୍ୟାସ (Marsh gas) ଯୋଗୁ ସୃଷ୍ଟି ହୋଇଛି-? ଏହା ଅନ୍ୟଗ୍ରହର ଉଡ଼ନ୍ତା ଥାଳିଆ ନୁହେଁ । ବୈଜ୍ଞାନିକ ଆଇଜାକ୍‍ ଅସିମୋଭ୍ ଏହି ଉଡ଼ନ୍ତା ଥାଳିଆ ଗୁଡ଼ିକ ଅନ୍ୟ ଗ୍ରହର ମହାଶୂନ୍ୟ ଯାନ ନୁହେଁ ବୋଲି ଆହୁରି ବହୁତ ଯୁକ୍ତି ବାଢ଼ନ୍ତି, ଯେଉଁ ଯୁକ୍ତିଗୁଡ଼ିକୁ ଖଣ୍ତନ କରିବା ସେତେ ସହଜ ନୁହେଁ ।

 

ତେବେ ଉଡ଼ନ୍ତା ଥାଳିଆର ରହସ୍ୟ ରହସ୍ୟରେ ହିଁ ରହିଯିବା ବଡ଼ ବିଚିତ୍ର । ସାରା ପୃଥିବୀରେ ଖ୍ୟାତ ବର୍ମୁଡ଼ା ତ୍ରଭୁଜର ରହସ୍ୟ ଯେମିତି ଏପର୍ଯ୍ୟନ୍ତ ରହସ୍ୟରେ ରହିଯାଇଛି, ଏହା ଠିକ୍‍ ସେମିତି । ଏହି ବର୍ମୁଡ଼ା ତ୍ରିଭୁଜ ଅଞ୍ଚଳକୁ ଯାଇ ଶହ ଶହ ଲୋକ ଉଡ଼ାଜାହାଜ, ଜଳଜାହାଜ ପ୍ରଭୃତି ଆଖି ପିଛୁଳାକେ କେଉଁଆଡ଼େ ଅଦୃଶ୍ୟ ହୋଇଯାଉଛି, ତା’ର ପତ୍ତା କେହି ପାଇପାରୁ ନାହାନ୍ତି । ବହୁ ଜଳଜାହାଜ ଶହଶହ ଯାତ୍ରୀଙ୍କୁ ନେଇ ବରମୁଡ଼ା ଅଞ୍ଚଳ ଦେଇଗଲାବେଳେ କେଉଁଆଡ଼େ ଅଦୃଶ୍ୟ ହୋଇଯାଉଛି, ଯାତ୍ରୀମାନଙ୍କର ପତ୍ତା ବା ମୃତଶରୀର ମିଳୁନି । ସାରା ପୃଥିବୀର ଲୋକେ ଏହାର କିଛି ପ୍ରତିକାର କରିପାରୁ ନାହାନ୍ତି । ଜାପାନ ଓ ଆମେରିକା ସରକାରଙ୍କ ମିଳିତ ଉଦ୍ୟମରେ ଦଳେ ବୈଜ୍ଞାନିକ ଏହାର ଅନୁସନ୍ଧାନ ପାଇଁ ଯାଇଥିଲେ, ସେମାନେ କୁଆଡ଼େ ଗଲେ ତାର ପତ୍ତା ମିଳିଲା ନାହିଁ । ବର୍ମୁଡ଼ା ତ୍ରଭୁଜ ଭଳି, ଉଡ଼ନ୍ତା ଥାଳିଆ ମଧ୍ୟ ରହସ୍ୟମୟ ହୋଇ ରହିଯାଇଛି-

•••

 

ଦ୍ୱାଦଶ ଅଧ୍ୟାୟ

ଉଡ଼ନ୍ତା ଥାଳିଆର ରହସ୍ୟ ଉଦ୍‍ଘାଟନ ପାଇଁ ବିଭିନ୍ନ ସଂସ୍ଥା

ଉଡ଼ନ୍ତା ଥାଳିଆର ରହସ୍ୟ ଉଦ୍‍ଘାଟନ କରିବା ଆମେରିକା ଓ ଇଂଲଣ୍ଡରେ ଏମିତି ଏକ ସମସ୍ୟା ହୋଇପଡ଼ିଛି, ଯେ ଇଂଲଣ୍ତରେ ଉଡ଼ନ୍ତା ଥାଳିଆ ସମ୍ବନ୍ଧରେ କୌଣସି ଖବର, ବ୍ୟାଖ୍ୟା କି ମନ୍ତବ୍ୟ ଦେବା ୧୯୫୨ ମସିହା ଠାରୁ ବେଆଇନ୍ କରାଯାଇଛି । କାରଣ ଏହି ଉଡ଼ନ୍ତା ଥାଳିଆର ଖବର ସେହି ସମୟରେ ଏତେ ସଂଖ୍ୟକ ହୋଇପଡ଼ିଥିଲା ଓ ସମସ୍ତେ ସରକାରଙ୍କ ବାଖ୍ୟା ଓ ବିଶ୍ଳେଷଣକୁ ଏମିତି ଭାବରେ ଅନାଇ ବସିଥିଲେ ଯେ ସେସବୁ ରହସ୍ୟ ଜନକ ଦୃଶ୍ୟର ଏକ ସନ୍ତୋଷଜନକ ବ୍ୟାଖ୍ୟା ଦେବା ବ୍ରିଟିଶ ସରକାରଙ୍କ ପକ୍ଷରେ ବଡ଼ ସମସ୍ୟା ହୋଇ ଠିଆ ହେଲା । ବ୍ରିଟିଶ ସରକାର ଏହି ସାମସ୍ୟା ସମାଧାନର କୌଣସି ବାଟ ନ ପାଇ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଆଲୋଚନା ବ୍ୟାଖ୍ୟା ବା ବିଶ୍ଳେଷଣକୁ ବେଆଇନ୍‍ ଘୋଷଣା କରିଦେଲେ । ତେଣୁ ଇଂଲଣ୍ଡରେ ଲୋକେ ଉଡ଼ନ୍ତା ଥାଳିଆ ଦେଖିଲେ ମଧ୍ୟ ଏହାର ରହସ୍ୟ ସମ୍ପର୍କରେ କେହି କାହାରିକୁ କିଛି ପଚାରନ୍ତି ନାହିଁ । ରହସ୍ୟ ରହସ୍ୟରେ ହିଁ ରହିଯାଏ ।

 

କିନ୍ତୁ ଆମେରିକାରେ ଅବସ୍ଥା ଇଂଲଣ୍ତ ଭଳି ନୁହେଁ । ଉଡ଼ନ୍ତା ଥାଳିଆ ସମ୍ବନ୍ଧୀୟ ସବୁ ବିବରଣୀକୁ ଯାଞ୍ଚ କରି ସେଗୁଡ଼ିକର ଏକ ବୈଜ୍ଞାନିକ ତଥ୍ୟ ବାହାର କରିବା ପାଇଁ ଆମେରିକାରେ ଇଉଫୁ (U.F.O. Pronounced as Ufoo) ନାମକ ଏକ ସଂସ୍ଥା ଗଢ଼ା ଯାଉଛି । ଇଉଫୁର ଅର୍ଥ ହେଉଛି (U.F.O, ବା Unidentified Flying Objects) ଅଜଣା ଉଡ଼ନ୍ତା ପଦାର୍ଥ ବା ସର୍ବଜନ ବିଦିତ ଉଡ଼ନ୍ତା ଥାଳିଆ ।

ଯୁକ୍ତରାଷ୍ଟ୍ର ସରକାରଙ୍କ ବିମାନ ବାହିନୀ ବିଭାଗ ଏହି ରହସ୍ୟ ଉଦ୍‍ଘାଟନ କରିବାକୁ ଦୃଢ଼ପରିକର । ଏହା ଏଥିପାଇଁ ଏକ ବିରାଟ ଆକାରରେ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରି ଦେଇଛି-। ଯେଉଁମାନେ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ବିବରଣୀ ଦେବାକୁ ଇଚ୍ଛୁକ ସେମାନଙ୍କପାଇଁ ଏହା ଏକ ପ୍ରଶ୍ନାବଳୀ (Questionaires) ପ୍ରସ୍ତୁତ କରିଛି । ଯେଉଁମାନେ ଉଡ଼ନ୍ତା ଥାଳିଆ ଆକାଶରେ ଦେଖିଛନ୍ତି, ସେମାନେ ସେମାନଙ୍କ ଦୃଶ୍ୟ ସମ୍ପର୍କୀୟ ଟିକନିଖି ଖବର ଏହି ପ୍ରଶ୍ନାବଳୀ ଜରିଆରେ ଦେବେ । ଏହି ପ୍ରଶ୍ନାବଳୀଗୁଡ଼ିକୁ ଖୁବ୍ ଯତ୍ନର ସହିତ ବିଶଷଜ୍ଞମାନଙ୍କଦ୍ୱାରା ପରୀକ୍ଷା କରାଯାଏ । ୧୯୫୨ ମସିହା ଜୁନ୍‍ମାସ ୪ ତାରିଖ ଦିନ ଯୁକ୍ତରାଷ୍ଟ୍ର ସାମରିକ ବିମାନ ବାହାନୀ ବିଭାଗର ସେକ୍ରେଟାରୀ ଟମାସ ଫିନଲେଟର ପ୍ରକାଶ କରିଥିଲେ ଯେ ଆମେରିକାରେ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଏଭଳି ଅନେକଗୁଡ଼ିଏ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଗୁଡ଼ିକର ସନ୍ତୋଷଜନକ ବ୍ୟାଖ୍ୟା କରାଯାଇ ପାରି ନଥିଲା । ଯୁକ୍ତରାଷ୍ଟ୍ର ସରକାରଙ୍କ ଦେଖାଦେଖି କାନାଡ଼ା ସରକାର କାନାଡ଼ାରେ ଯେଉଁ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଦୃଶ୍ୟ ଦେଖାଯାଏ, ତହିଁରେ ସନ୍ତୋଷ ଜନକ ବାଖ୍ୟା କରିବା ପାଇଁ ସେହିଭଳି ଏକ ସଂସ୍ଥା ଗଠନ କରିଥିଲେ ।

ଉଡ଼ନ୍ତା ଥାଳିଆ କ’ଣ ଆଜିକାଲି ପୃଥିବୀର ବହୁଦେଶର ଲୋକେ ଜାଣିବାକୁ ଆଗ୍ରହାନ୍ୱିତ ଥାନ୍ତୁ ବା ନଥାନ୍ତୁ, ଆମେରିକାବାସୀଙ୍କର ଏଥିପ୍ରତି ଆଗ୍ରହ କମିଯାଇ ନାହିଁ-। ୧୯୪୭ ମସିହାଠାରୁ ଏହି ଆଗ୍ରହ ସେହିଭଳି ଅବସ୍ଥାରେ ରହି ଆସିଛି । ବରଂ ମଝିରେ କିଛିବର୍ଷ ଧରି ଏହା ବଢ଼ିବାରେ ଲାଗିଥଲା ।

୧୯୬୩ ମସିହାରେ ଆମେରିକାରେ ୩୯୯ ଗୋଟି ଉଡ଼ନ୍ତା ଥାଳିାଆ ଖବର ପ୍ରକାଶପାଇଥିଲା । ୧୯୬୪ ମସିହାକୁ ଏହା ବଢ଼ି ବଢ଼ି ହେଲା ୫୬୬ । ୧୯୬୫ ମସିହାରେ ଏହା ହେଲା ୮୮୬ । ୧୯୬୬ ମସିହାରେ ଏହା ଆହୁରି ବଢ଼ିଥିଲା । ୧୯୬୬ ମସିହା ପରେ ବି ଆମେରିକା ଆକାଶରେ ଉଡ଼ନ୍ତା ଥାଳିଆ ଯେ ଦେଖା ନଦେଇଛି ତା ନୁହେଁ । ଖବରକାଗଜ ସମ୍ପାଦକମାନେ ଏହାର ପ୍ରକୃତ ରହସ୍ୟ ଉଦ୍‍ଘାଟିତ ହୋଉନଥିବାରୁ ଏ ସମ୍ପର୍କୀୟ ଖବର ସାଧାରଣଙ୍କୁ ଦେଇ ସେମାନଙ୍କ କୌତୁହଳକୁ ଅଯଥା ବଢ଼ାଇବାକୁ ଚାହିଁ ନଥିଲେ ।ସେଥିପାଇଁ ଖବର କାଗଜମାନଙ୍କରେ ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ଖବର ଊଣା ପଡ଼ିଥିବାର ଦେଖାଯାଏ । ଯେତେବେଳେ ଆମେରିକାରେ ଉଡ଼ନ୍ତା ଥାଳିଆ ଏତେ ପରିମାଣରେ ଦେଖାଦେଇଛି ସେ ସବୁର ଯଥାର୍ଥ ବାଖ୍ୟା ନ କରି ଚୁପ୍‍ ରହିବା ସରକାରୀ ନୀତି ଦୃଷ୍ଟରୁ ଉଡ଼ିତ ନୁହେଁ । ସେଥିପାଇଁ ଇଇଫୁ ସଂସ୍ଥାର ଆରମ୍ଭ । ଯୁକ୍ତରାଷ୍ଟ୍ର ସରକାରଙ୍କର ତହବିଲରୁ ସେଥିପାଇଁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲିଛି । ଏହି ଇଉଫୁ ସଂସ୍ଥା ୧୯୪୭ ମସିହାଠାରୁ ଆମେରିକାରେ ଦେଖାଦେଇଥିବା ୧୦,୦୪୭ ଗୋଟି ଉଡ଼ନ୍ତା ଥାଳିଆ ଖବରକୁ ତନ୍ନ ତନ୍ନ କରି ପରୀକ୍ଷା କରି ଶତକଡ଼ା ୯୫ ଭାଗ ଖବରର ଉପଯୁକ୍ତ ବ୍ୟାଖ୍ୟା ଦେଇପାରିଛି ।

ଇଉଫୁ ସଂସ୍ଥା ତରଫରୁ ଉଡ଼ନ୍ତା ଥାଳିଆର ସତ୍ୟାସତ୍ୟ ନିରୂପଣ କରିବା ପାଇଁ ଆମେରିକାର କଲରାଡ଼ୋ ବିଶ୍ୱବିଦ୍ୟାଳୟ ପ୍ରଭୃତି କେତେକ ବିଶ୍ୱବିଦ୍ୟାଳୟରେ ଗବେଷଣା ଚାଲିଛି-। କଲରାଡ଼ୋ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏଡ଼୍‍ଓ୍ୱାଡ଼ କଣ୍ତନ ଉଡ଼ନ୍ତା ଥାଳିଆର ରହସ୍ୟ ଉଦ୍‍ଘାଟନ ଦିଗରେ ଗବେଷଣା କରିବା ପାଇଁ ଯୁକ୍ତରାଷ୍ଟ୍ର ସାମରିକ ବାହୀନଦ୍ୱାରା ନିଯୁକ୍ତି ପାଇଛନ୍ତି-। କୋଟି କୋଟି ଟଙ୍କା ବ୍ୟୟରେ ତାଙ୍କ ଅଧିନରେ ଗବେଷଣା ଚାଲିଛି । ଯୁକ୍ତରାଷ୍ଟ୍ରର ବାମାନ ବାହିନୀ ଏହି ଇଉଫୁ ସଂସ୍ଥାର ପରିଚାଳକ । ଆମେରିକାର ଯେତେ ଯେଉଁଠି ଉଡ଼ନ୍ତା ଥାଳିଆ ସମ୍ବନ୍ଧୀୟ ଖବର ପ୍ରକାସ ପାଏ, ସେହି ସବୁ ଖବରର ଟିକିନିଖି ବିବରଣୀ ଯୁକ୍ତରାଷ୍ଟ୍ର ବିମାନ ବାହିନୀ ସଂଗ୍ରହ କରି ଏହି ଇଉଫୁ ସଂସ୍ଥାଠାକୁ ପଠାଏ । ସେମାନେ ଏହାକୁ ତନ୍ନ ତନ୍ନ କରି ପରୀକ୍ଷା କରି କେଉଁଟି ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ଜେରା କରି ଏହାର ସତ୍ୟାସତ୍ୟ ନିରୂପଣ କରନ୍ତି ।

ଇଉଫୁ ସଂସ୍ଥାକୁ ଉଡ଼ନ୍ତା ଥାଳିଆର ଆକାର ନେଇ ଯେଉଁମାନେ ରିପୋର୍ଟ କରିଛନ୍ତି, ସେହି ରିପୋର୍ଟରୁ ଜଣାଯାଏ ଯେ ଏହି ଉଡ଼ନ୍ତା ଥାଳିଆ ବିଭିନ୍ନ ଆକାରର । ସେଥିଭିତରୁ ଥାଳିାଆ ଆକାରର ସଂଖ୍ୟା ସର୍ବାଧିକ । ଏହି ଥାଳିଆ ଗୁଡ଼ିକ ମଧ୍ୟରେ କେତେକ ଖୁବ୍ ବିରାଟ, ବ୍ୟାସ ଶହେଫୁଟ ପାଖାପଖି । ଆଉ କେତେକ ଖୁବ୍ ଛୋଟ, ସେଗୁଡ଼ିକ ବ୍ୟାସ ମାତ୍ର କେଇ ଇଞ୍ଚରୁ ଅଧିକ ନୁହେଁ । ଏଗୁଡ଼ିକ ଖୁବ୍ ବେଗରେ ଗତି କରି ପାରନ୍ତି । ସେମାନେ ଆକାଶରେ ଯାଉଁ ଯାଉଁ ବେଳେ ବେଳେ ହଠାତ୍ ସ୍ଥିର ହୋଇ ରହିଯାନ୍ତି ଓ ପରେ ହଠାତ୍ ଖୁବ୍ ବେଗରେ ଆକାଶକୁ ଉଠିଯାଇ ଅଦୃଶ୍ୟ ହୋଇଯାନ୍ତି । ସେମାନଙ୍କ ବେଗ ବେଳେ ବେଳେ ଘଣ୍ଟାକୁ ହଜାର ହଜାର ମାଇଲ ପର୍ଯ୍ୟନ୍ତ ହୋଇଯାଏ ।

କେତେକ ଉଡ଼ନ୍ତା ଯାନ ଦେଖିବାକୁ ରକେଟ୍‍ଭଳି । ଲମ୍ବା ୧୦୦ ରୁ ୧୦୦୦ ଫୁଟ ଭିତରେ-। ସେଗୁଡ଼ିକର ବେଗ ମଧ୍ୟ ଖୁବ୍‍ ବେଶି । ବେଳେ ବେଳେ ଏହି ରକେଟ୍‍ ଭଳି ଆକାଶ ଯାନ ଭିତରୁ ଥାଳିଆ ଆକାରର ଯାନ ବାହାରିବାର ଦେଖାଯାଏ ।

ଥାଲିଆ ଓ ରକେଟ୍‍ ଆକାର ଯାନ ବ୍ୟତୀତ ନୀଳ ରଙ୍ଗର ଆଲୋକ ପେଣ୍ତୁ ଶବ୍ଦହୀନ ଭାବରେ ଆକାଶରେ ଗତି କରିବାର ରିପୋର୍ଟ ମଧ୍ୟ ସଂସ୍ଥା ଠାରେ ପହଞ୍ଚିଛି । ଏଗୁଡ଼ିକର ଗତି କରିବା ରୀତି ଓ ଏଗୁଡ଼ିକ ବେଳେ ବଳେ ବିସ୍ଫୋରିତ ହୋବାର ରିପୋର୍ଟ ମଧ୍ୟ ସଂସ୍ଥାଠାରେ ପହଞ୍ଚିଛି ।

ଇଉଫୁ ସଂସ୍ଥା ଛଡ଼ା ଯୁକ୍ତରାଷ୍ଟ୍ରରେ ଆଉ ଗୋଟିଏ ସଂସ୍ଥା ଉଡ଼ନ୍ତା ଥାଳିଆ ରହସ୍ୟ ଉଦ୍‍ଘାଟନ ପାଇଁ ମଧ୍ୟ ଲାଗି ପଡ଼ିଛି । ଏହାର ନାମ ହୋଉଛି ନିକାପ୍ (NICAP National Investigation Committee on Aerial Phenomenna) ଏହା ଗୋଟିଏ ସର୍ବ ଆମେରିକୀୟ ରାତିରେ ଗଠିତ ଏକ ବିରାଟ ସଂସ୍ଥା । ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ସମସ୍ତ ରହସ୍ୟ ଉଦ୍‍ଘାଠନ କରିବା ପାଇଁ ଏହି ସଂସ୍ଥା ଦୃଢ଼ ପରିକର ।

ଇଉଫୁ ତଥା ନିକାପ୍‍ର କାର୍ଯ୍ୟ ଦକ୍ଷତା ନେଇ ବହୁ ଉଡ଼ନ୍ତା ଥାଳିଆ ପ୍ରତ୍ୟକ୍ଷଦର୍ଶୀଙ୍କର ସନ୍ଦେହ ରହିଛି । ସେମାନଙ୍କ ମତ, ଏହି ସଂସ୍ଥା ଦ୍ୱାରା କିଛି କାମ ହୋଇ ପାରିବ ନାହିଁ । କାହିଁକିନା ଏହା ଯୁକ୍ତରାଷ୍ଟ୍ରର ଆକାଶବାହିନୀ କର୍ତ୍ତୁକ ପରିଚାଳିତ । ସରକାରଙ୍କର ଆକାଶ ବାହିନୀ ଯୁକ୍ତରାଷ୍ଟ୍ର ସରକାରଙ୍କର ବୈଜ୍ଞାନିକ ପରମର୍ଶଦାତା ସଂସ୍ଥା ମୂଳରୁ ଧରିନେଇଛନ୍ତି ଉଡ଼ନ୍ତା ଥାଳିଆ ଯେ ଦୂରଦୂରାନ୍ତର ଗ୍ରହର ଯାନ, ଏହା ପୂରାପୂରି ଅସମ୍ଭଭ । ସେଗୁଡ଼ିକ ଅମ୍ୟ ଗ୍ରହର ଯାନ କଦାପି ହୋଇ ନପାରେ । ସରକାରଙ୍କର ଓ ଆକାଶବାହିନୀର ମତ ଯଦି ମୂଳରୁ ଏଇଆ, ତେବେ ସେମାନଙ୍କ ପରିଚାଳିତ ସଂସ୍ଥା ଉଡ଼ନ୍ତା ଥାଳିଆ ସମ୍ପର୍କରେ କେବେ ବିଶୁଦ୍ଧ ମତ ଦେଇ ପାରିବ ନାହିଁ-। ସେମାନେ ଯଦିଚ ପୂରା ପ୍ରମାଣ ପାଆନ୍ତି ଯେ ଉଡ଼ନ୍ତା ଥାଳିଆ ଅନ୍ୟ ଗ୍ରହର ଅଧିବାସୀଙ୍କର ପୃଥିବୀକୁ ଆସୁଥିବା ଯାନ, ତଥାପି ସେମାନେ ଏହି ମନୋଭାବ ଯୋଗୁଁ ସେହି ପ୍ରମାଣକୁ ଗ୍ରହଣ କରି ପାରିବେନି । ଏହି ଦୃଷ୍ଟିରୁ ସେମାନେ କହନ୍ତି ଉଡ଼ନ୍ତା ଥାଳିଆ ରହସ୍ୟ ଉଦ୍‍ଘାଟନ ଦିଗରେ ଇଉଫୁ ସଂସ୍ଥା ଏକ ବ୍ୟର୍ଥ ପ୍ରଚେଷ୍ଟା । ଇଉଫ୍‍ର କାର୍ଯ୍ୟ ନେଇ ମାର୍କିନ ଲୋକଙ୍କର ସନ୍ଦେହ ଉପୁଯିବାର ବହୁତ କାରଣ ଅଛି । ୧୯୬୪ ମସିହାରେ କେପ୍ କେନେଡ଼ି ମହାଶୂନ୍ୟ ଘାଟିରେ ଯେଇଁ ଘଟଣା ଘଟିଲା ଓ ତା’ର ଯେଉଁ ବ୍ୟାଖ୍ୟା କର୍ତ୍ତୃପକ୍ଷ ଦେଲେ, ଯାହା ପର ଅଧ୍ୟାୟରେ ବର୍ଣ୍ଣିତ ହୋଇଛି, ତାହା ପ୍ରକୃତ ବିଷୟକୁ ପରୀକ୍ଷାକରି ଏହାର ସତ୍ୟାସତ୍ୟ ନିର୍ଣ୍ଣୟ କରିବାକୁ ଯେ ପରାନ୍ମୁଖ, ଏହା ସଥିରୁ ସ୍ପଷ୍ଟ ସୂଚିତହୁଏ ।

୧୯୬୩ ମସିହାରେ ସେହିଭଳି ଆଉ ଏକ ଘଟଣା ଘଟିଥିଲା । ଆମେରିକାର ନିଉମେକ୍‍ସିକୋ ରାଜ୍ୟର ପୋଲିସ୍ ଅଫିସର ଲୋନି ଜାମୋରା ଆକାଶରେ ତାଙ୍କଠାରୁ ୧୯ ଫୁଟ ଦୂରରେ ଅଣ୍ତା ଆକାରର ଏକ ଯାନ ଉଡ଼ିଯିବାର ଦେଖିଲେ । ଚାହୁଁ ଚାହୁଁ ଯାନଟି ପୃଥିବୀ ପୃଷ୍ଟକୁ ଓହ୍ଲାଉ ଓହ୍ଲାଉ ନିକଟବର୍ତ୍ତୀ ଏକ ବଣରେ ଦୁର୍ଘଟଣାର ସମ୍ମୁଖୀନ ହେଲା । ଜାମୋରା ଦୁର୍ଘଟଣା ଘଟିଥିବା ସ୍ଥାନକୁ ଦୌଡ଼ିଗଲା କ୍ଷଣି ସେହି ଅଦ୍ଭୁତ ଯାନଟି ପୁଣି ଆକାଶକୁ ଉଠି କେଉଁଆଡ଼େ ପଳାଇଗଲା । ଏହି ଘଟଣାଟିକୁ ଜାମୋରାଙ୍କ ଛଡ଼ା ଅନ୍ୟ କେହି ଦେଖି ନ ଥିଲେ । ନିକଟବର୍ତ୍ତୀ ରାଡ଼ାର ଷ୍ଟେସନ ମଧ୍ୟ ଏଭଳି ଏକ ଉଡ଼ନ୍ତା ପଦାର୍ଥ ସମ୍ପର୍କରେ ପୂରାପୂରି ନୀରବ । ଜାମୋରା ତାଙ୍କର ଏ ଅନୁଭୂତି କଥା ତାଙ୍କ ଉପର ଅଫିସରଙ୍କୁ ଫୋନ୍ କଲେ । ଉପର ଅଫିସର ଆଲି ପରୀକ୍ଷା କଲାରୁ କିଛି ସାକ୍ଷ୍ୟ ମିଳିଲାନି । ଜାମୋରା ଏକ ନିଷ୍ଠାପର, ବିଶ୍ୱାସୀ ଅଫିସର । ସେ କଦାପି ମିଥ୍ୟା ବା ମନଗଢ଼ା କଥା କହି ନ ପାରନ୍ତି । ଜେମୋରା ମଦ୍ୟପୀ ନୁହନ୍ତି, ତେଣୁ ମଦ ନିଶାରେ ସେ ଏମିତି ଦୃଶ୍ୟ ଦେଖିଥିବା ମଧ୍ୟ ସମ୍ଭବ ପର ନୁହେଁ । ଇଉଫୁ ଯଦିଚ ଏହି ଘଟଣାଟିକୁ ମିଥ୍ୟା ଘଟଣା ବୋଲି କହି ଉଡ଼ାଇ ଦେଇନି, ତଥାପି ଏହି ଅଦ୍ଭୁତ ଯାନର ସ୍ଥିତିକୁ ମଧ୍ୟ ସ୍ୱୀକାର କରିନି । ଫଳରେ ଉଡ଼ନ୍ତା ଥାଳିଆ ବିଶ୍ୱାସୀ ଲୋକଙ୍କର ଇଉଫୁ ସଂସ୍ଥାପ୍ରତି ଯଥେଷ୍ଟ ସନ୍ଦେହ ରହିଛି-। ଆମେରିକାର ଦକ୍ଷିଣ ପଶ୍ଚିମ ରାଜ୍ୟମାନଙ୍କରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ବିଶ୍ୱାସ ଯେ ସେହି ଅଞ୍ଚଲରେ ଦେଖାଦେଉଥିବା ବହୁ ଉଡ଼ନ୍ତା ଥାଳିଆର ଚିତ୍ର ଆକାଶ ବାହିନୀର ରେଡ଼ାର ପରଦା ଉପରେ ଧରା ପଡ଼ିଥିଲା । କିନ୍ତୁ ଆକାଶ ବାହିନୀ ଏ ଚିତ୍ରଗୁଡ଼ିକ ଉଡ଼ନ୍ତା ଥାଳିଆର ଚିତ୍ର ବୋଲି ଅସ୍ୱୀକାର କରି ଏଗୁଡ଼ିକ ବୃହସ୍ପତି ଗ୍ରହ ବା ଅନ୍ୟ ନକ୍ଷତ୍ରର ଚିତ୍ର ବୋଲି କହି ଉଡ଼ାଇ ଦେଇଥିଲା । ରାଜ୍ୟର ବଡ଼ ବଡ଼ ଜ୍ୟୋର୍ତିବିଦ୍‍ମାନେ ଏହି ବ୍ୟାଖ୍ୟାକୁ ଗ୍ରହଣ ନ କରିବା ଫଳରେ ଲୋକଙ୍କର ସନ୍ଦେହ ସଂସ୍ଥା ପ୍ରତି ଆହୁରି ବଢ଼ି ଯାଇଥଲା ଓ ଯିବା ମଧ୍ୟ ସ୍ୱାଭାବିକ ।

•••

 

ତ୍ରୟୋଦଶ ଅଧ୍ୟାୟ

ବହୁ ଉଡ଼ନ୍ତା ଥାଳିଆ ଖବର କ’ଣ ? ଡାହା ମିଛ ହୋଇପାରେ ?

 

ଉଡ଼ନ୍ତା ଥାଳିଆ ସମ୍ଭାବନା ନେଇ ଯେଉଁ ତିନୋଟି ତଥ୍ୟ ପୂର୍ବ ଅଧ୍ୟାୟ ମାନଙ୍କରେ ଆଲୋଚନା କରାଗଲା, ସେଗୁଡ଼ିକୁ ପର୍ଯ୍ୟାଲୋଚନା କରି କେତେକ ମତ ଦିଅନ୍ତି ଯେ ଅଧିକାଂଶ ଉଡ଼ନ୍ତା ଥାଳିଆ ଖବର ଡାହା ମିଛ । ସାମାନ୍ୟ କେତେ ଗୋଟି ଦୃଷ୍ଟିଭ୍ରମ ଓ କେତେ ଗୋଟି ପାଣିମାଗ ସମ୍ପର୍କୀୟ ବିଭିନ୍ନ ପ୍ରକାର ଗବେଷଣା ହୋଇପାରେ । ଖବର କାଗଜର କାଟତି ବଢ଼ାଇବା ପାଇଁ, ବହି ବା ମେଗାଜିନଗୁଡ଼ିକର ବିକ୍ରୀକୁ ଆଶାତୀତ ଭାବରେ ବଢ଼ାଇଦେବା ପାଇଁ, ବିଭିନ୍ନ ଲୋକ ବା ସଂସ୍ଥାର ଏହା ଏକ ଚାଲବାଜି ହୋଇପାରେ । ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ବହୁ ଖବରକୁ ଅନୁଧ୍ୟାନ କଲେ ପରିଶଷରେ ଏଥିରୁ ଅଧିକାଂଶ ଡାହା ମିଛ ବା ଗାଲୁଗପ ଭଳି ଜଣାପଡ଼େ । ଏପରିକି ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ବହୁ ଫଟୋଗ୍ରାଫ୍ ମଧ୍ୟ ବିଭ୍ରାନ୍ତିକର । ଦୋଷଜନିତ କେମେରା ହେତୁ କାରଣ ନଥାଇ ବିଭିନ୍ନ ଦୃଷ୍ୟ ନେଗେଟିବ୍‍ ଉପରକୁ ଆସିଥାଏ, ଯାହାକୁ ଛାପିଲେ ଉଡ଼ନ୍ତା ଥାଳିଆ ଭଳି ବିଚିତ୍ର ଚିତ୍ର ସୃଷ୍ଟି କରି ଲୋକଙ୍କର କୌତୁହଳତାକୁ ବଢ଼ାଇଦିଏ ।

 

ହାରଭାର୍ଡ ଅଧ୍ୟାପକ ମେଞ୍ଜେଲ ଆହୁରି କହିଛନ୍ତି କେତେକ ଲୋକ ବିଭିନ୍ନ ସ୍ଥାନରେ ଉଚ୍ଚ କୋଠା ଉପରୁ ମଜା କରିବା ପାଇଁ ଥାଳିଆ ଆକାରର ପାତ୍ର ଆକାଶକୁ ଛାଡ଼ନ୍ତି । ସେ ଗୁଡ଼ିକ ଉଡ଼ନ୍ତା ଥାଳିଆ ଭଳି ଦିଶେ । କେତେକ ସ୍ଥାନରେ ‘ପାଏ’ ନାମକ ଏକ ପିଠା ତିଆରି ପାତ୍ର ଆକାଶକୁ ଛାଡ଼ି ସେ ଗୁଡ଼ିକର ଫଟୋ ନେଇ ଆକାଶରେ ଉଡ଼ନ୍ତା ଥାଳିଆ ଚିତ୍ରର କୃତ୍ରିମ ଫଟୋ କେତେକେ ସୃଷ୍ଟି କରନ୍ତି । ମଜାପାଇଁ କରି ପରେ ଏହାକୁ ଉଡ଼ନ୍ତା ଥାଳିଆର ଚିତ୍ର ବୋଲି ବର୍ଣ୍ଣନା କରନ୍ତି । ମେଞ୍ଜେଲ ଆହୁରି କହନ୍ତି ଗୁଜବ ଏକ ହିଷ୍ଟିରିଆ ରୋଗ (Mass hysteria), କିଛି ସତ୍ୟତା ନଥାଇ ଲୋକେ ଏଥିଯୋଗୁଁ ଇତଃସ୍ତତ ହୋଇପଡ଼ନ୍ତି ।

 

ସେ ନିଜର ଅନୂଭୂତିକୁ ଗୋଟିଏ ମଜା ଗପ କହନ୍ତି । ୧୯୩୮ ମସିହା ଅକ୍ଟୋବର ମାସ ତା୩୦ରିଖ ଦିନ ଓରସନ ଓ୍ୱଲସ୍‍ଙ୍କ ଲିଖିତ “war of the worlds”ର ଏକ ରେଡ଼ିଓ – ନାଟକ ଆମେରିକାର ନିଉଜେର୍‍ସି ରେଡ଼ିଓ ଷ୍ଟେସନରୁ ପ୍ରଚାରିତ ହେଉଥାଏ । ଏଥିରେ ମଙ୍ଗଳ ଗ୍ରହର ଲୋକେ ପୃଥିବୀକୁ ଆକ୍ରମଣ କରିବା କଥା ଥାଏ । ଏହି ନାଟକଟି ଏତେ ହୃଦୟଗ୍ରାହୀ ହୋଇଥିଲା ଯେ ଲୋକେ ଏହାକୁ ଏକ ସତ ଘଟଣା ବୋଲି ଧରି ନେଇଥିଲେ । ମଙ୍ଗଳଗ୍ରହର ଅଧିବାସୀମାନେ ପୃଥିବୀକୁ ଆକ୍ରମଣ କରାବାକୁ ଆସୁଛନ୍ତି, ଏଇ କଥା କେଇପଦ ରେଡ଼ିଓରୁ ଶୁଣିଲାକ୍ଷଣି ଲୋକେ ଭୀତତ୍ରସ୍ତ ହୋଇ ପଡ଼ିଥିଲେ । ରେଡ଼ିଓ ନାଟକ ଶୁଣୁ ଶୁଣୁ ନିଉଜେର୍‍ସି ରାଜ୍ୟସ୍ଥ କେତେ ଶ୍ରୋତା କହିବାର ଶୁଣାଗଲା ଯେ, ଏହା ଏକ ସତ ଘଟଣା । କେତେକେ କହିଲେ “ହେଇ ମଙ୍ଗଳଗ୍ରହ ଅଧିବାସୀଙ୍କ ବନ୍ଧୁକ ଆଓ୍ୱାଜ ଶୁଣା ଯାଉଛି ।” କେତେକ କହିଲେ “ଦେଖ ଦେଖ ଯୁଦ୍ଧ ଆଲୋକ ଓ ଧୂଆଁ କେମିତି ଦିଗ୍‍ବଳୟରେ ଦିଶୁଛି ।” କେତେକେ କହିଲେ “ମଙ୍ଗଳ ଗ୍ରହର ଲୋକେ ଫୁସ୍‍ଫାସ୍ ହୋଲାଭଳି ସେମାନଙ୍କୁ ଶୁଭୁଛି । “ପ୍ରକୃତରେ ଏହି ଘଟଣା ଭଳି ଉଡ଼ନ୍ତା ଥାଳିଆ ଖବର କେତେ ଦୂର ବିଶ୍ୱାସଯୋଗ୍ୟ ବିଚାରକୁ ନେବା କଥା ।

 

ଉଡ଼ନ୍ତା ଥାଳିଆ ସମ୍ପର୍କରେ ଆମେରିକାରେ ଏକ ପ୍ରସିଦ୍ଧ ପଦାର୍ଥ ବିଦ୍ୟାବିତ୍ ଉର୍‍ନର ଲଡ଼େଲ୍ ୧୯୫୧ ମସିହାରେ ସୂଚାଇ ଥିଲେ ଯ଼େ ଉଡ଼ନ୍ତା ଥାଳିଆ ଅନ୍ୟ କୌଣସି ଗ୍ରହର ଯାନ ନୁହେଁ । ଏଗୁଡ଼ାକ କେତେକ ପାଣିପାଗ ପାଇଁ ବ୍ୟବହୃତ ହୋଉଥିବା ବେଲୁନ୍ ଛଡ଼ା ଅନ୍ୟ କିଛି ନୁହେଁ-। ବଡ଼ ବଡ଼ ପ୍ଳାଷ୍ଟକ୍ ତିଆରି ବେଲୁନ୍ ଭିତରେ ପାଣିପାଗ ଗବେଷଣା ପାଇଁ ନାନା ପ୍ରକାତ ଯନ୍ତ୍ର ପାତି ଥୋଇ ଆକାଶକୁ ପଠା ଯାଇଥାଏ । ଏ ସବୁ ବେଲୁନ୍ ଖୁବ୍ ଉଚ୍ଚରେ ପହଞ୍ଚିଗଲେ, ଥାଳିଆ ଆକାରରେ ତଳକୁ ଦିଶେ । ଏଗୁଡ଼ାକ ବେଳେବେଳେ ଆଟଲାଣ୍ଟିକ୍ ମହାକାଶକୁ ଅତିକ୍ରମ କରିବା ଦେଖାଯାଇଛି ।

 

ଅଧ୍ୟାପକ ମେଞ୍ଜେଲ ମନ୍ତବ୍ୟ ଦେଇଛନ୍ତ ଯେ ଉଡ଼ନ୍ତା ଥାଳିଆ’ କଥା ଅନେକ ସ୍ଥଳରେ ଅଜବ୍‍ ମିଛ କଥା ବା ମନଗଢ଼ା କଥା ବୋଲି ପ୍ରମାଣିତ ହୋଇଛି । ସେ ଏହାକୁ ପ୍ରମାଣ କରିବା ପାଇଁ ନିଜର ଏକ ଅନୁଭୂତି ବର୍ଣ୍ଣନା କରିଥିଲେ । ଆମେରିକାର କଲରାଡ଼ୋ ରାଜ୍ୟର ଏକ ଗ୍ରାମରେ ଗୋଟିଏ ମେଳା ହୋଇଥିଲା । ପ୍ରଚାର କରାଯାଇଥାଏ ଯେ ସେଠାରେ ଖସି ପଡ଼ିଥିବା ଅକ ଉଡ଼ନ୍ତା ଥାଳିଆ ମେଳାରେ ପ୍ରଦର୍ଶିତ ହେବ । ଏହି ଖବର ପାଇ ମେଞ୍ଜେଲ କେତେ ଜଣ ବନ୍ଧୁଙ୍କ ସହିତ ମେଳା ଆରମ୍ଭ ଦିନ ସେଠିଯାଇ ପହଞ୍ଚିଗଲେ । ଦେଖିଲାବେଳକୁ ସେଠି ଉଡ଼ନ୍ତା ଥାଳିଆ ଆଦି କିଛି ନାହିଁ । ଲୋକଙ୍କଠାରୁ ଶିଣିବାକୁ ପାଇଲେ ଯେ ଯୁଦ୍ଧବିଭାଗ ଏହାକୁ ଜଜତ କରି ଗୁପ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଦେଇଛି । ମେଞ୍ଜେଲ ସନ୍ଦେହ କରନ୍ତି ପ୍ରକୃତରେ ସେ ଘଟଣା ସତ କି କଅଣ ? ଏମିତି ଏକ ଥାଳିଆ ଖସି ପଡ଼ିବା ପୂରାପୂରି ମିଛ ପ୍ରଚାର ବି ହୋଇପାରେ ।

 

୧୯୬୪ ମସିହାରେ ଆମେରିକାର ଟ୍ରୁ ମୋଗାଜିନ୍‍ରେ ସେଠାକାର ବିଶିଷ୍ଟ ସାମରିକ ଅଫିସର ମେଜର ଡୋନାଲ୍‍ଡ଼ କିୟୋ ଉଡ଼ନ୍ତା ଥାଳିଆ ସମ୍ପର୍କରେ ଏକ ଖବର ପ୍ରକାଶ କଲେ । ସେଥିରେ ସେ ଲେଖିଥିଲେ ଯେ ୧୯୬୪ ମସିହା ଏପ୍ରିଲ୍‌ ମାସରେ କେପ୍ କେନେଡ଼ି ରକେଟ୍‍ କେନ୍ଦ୍ରରୁ ଜେମିନୀ ଉପଗ୍ରହ ଛଡ଼ାଯିବା ପରେ କେତେକ ପ୍ରତ୍ୟକ୍ଷଦର୍ଶୀ ଉପଗ୍ରହକୁ ଲକ୍ଷ୍ୟ କରୁ କରୁ ଦେଖିଲେ ଯେ ମହାଶୂନ୍ୟରେ ଜେମିନୀ ମହାଶୂନ୍ୟଯାନ ପଛରେ ଚାରେଟି ଅଜଣା ମହାଶୂନ୍ୟଯାନ ଗତି କରୁଛି । ରକେଟ୍‍ କେନ୍ଦ୍ରର ରାଡ଼ାର ପରଦାରେ ମଧ୍ୟ ଏହି ମହାଶୂନ୍ୟଯାନର ଚିତ୍ର ଦେଖାଯାଇଥିଲା । କିନ୍ତୁ ଯେତେବେଳେ ଯୁକ୍ତରାଷ୍ଟ୍ରର ଆକାଶବାହିନୀକୁ ଏକଥା ପଚାରାଗଲା, ସେମାନେ ଏହାକୁ ହସି ଉଡ଼ାଇଦେଲେ । ସେମାନେ କହିଲେ ଏହା କିଛି ନୁହେଁ । ଜେମିନୀ ରକେଟ୍‍ରୁ ବ୍ୟବହାର ପରେ ଯେଉଁ ଅଂଶ ଖସିପଡ଼େ, ଏ ଗୁଡ଼ାକ ତାହା ।

 

ପରିଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଉଡ଼ନ୍ତା ଥାଳିଆ ପ୍ରକୃତରେ ଅନ୍ୟ ଗ୍ରହର ଯାନ ନୁହେଁକି ପୃଥିବୀର କୌଣସି ଗୁପ୍ତ ଗବେଷଣା ନୁହେଁ । ଉଡ଼ନ୍ତା ଥାଳିଆ ସମ୍ବନ୍ଧୀୟ ଖବର ଅଧିକାଂଶ ଡାହା ମିଛ । ବାକି କେତୋଟି ପାଣିପାଗ ସମ୍ପର୍କୀୟ ଗବେଷଣା ଓ ଆଉ କେତେକ ଦୃଷ୍ଟିଭ୍ରମ । ସାଧାରଣ ଲୋକେ ଏହି ଶେଷୋକ୍ତ ଦୁଇଟିକୁ ଭଲଭାବରେ ହୃଦୟଙ୍ଗମ କରିନପାରି ଉଡ଼ନ୍ତା ଥାଳିଆ କଥାକୁ ଏକ ରହସ୍ୟ ମୂଳକ ବିଷୟ ବୋଲି ଭାବି ନେଇଛନ୍ତି ଯାହା ଫଳରେ ଏହା ଏକ ବିରାଟ ରହସ୍ୟ ପୂର୍ଣ୍ଣ ଘଟଣା ଭାବରେ ଚିତ୍ରିତ ହୋଇଛି । ଉଡ଼ନ୍ତା ଥାଳିଆ ସମ୍ପର୍କୀୟ ରହସ୍ୟ ଉଦ୍‍ଘାଟନ ପାଇଁ ଯେଉଁ ସବୁ ସଂସ୍ଥା କାର୍ଯ୍ୟ କରୁଛନ୍ତି, ସେହିମାନେ ଏହିଭଳି ମତ ଛଡ଼ା ଅନ୍ୟକିଛି ମତ ଦେଇନାହାନ୍ତି । ପର ଅଧ୍ୟାୟରେ ସେ ସମ୍ପର୍କରେ ଆଲୋଚିତ ହୋଇଛି ।

•••

 

ଚତୁର୍ଦ୍ଦଶ ଅଧ୍ୟାୟ

ଉପସଂହାର

 

ଉଡ଼ନ୍ତା ଥାଳିଆର ରହସ୍ୟ ସୁଦୂର ପ୍ରସାରୀ । ପୃଥିବୀର ବହୁ ଦେଶରେ ଏହାର ରହସ୍ୟ ଭେଦ କରିବା ପାଇଁ ବହୁ ଚେଷ୍ଟା କରାଯାଇଥଲେହେଁ, ଏହାର ପ୍ରକୃତ ରହସ୍ୟ ଏବେ ବି ଅନୁଦ ଘାଟିତ । ବହୁ ଦେଶର ସରକାର ଏହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଅଜସ୍ର ଅର୍ଥ ବ୍ୟୟ କରି ସାରିଲେଣି । ପୃଥିବୀର ବଛା ବଛା ବୈଜ୍ଞାନିକ ଏହି ଦାୟିତ୍ୱରେ ରହି ଶହ ଶହ ପୃଷ୍ଠା ସମ୍ବଳିତ ରିପୋର୍ଟ ଦେଲେଣି । ଉଡ଼ନ୍ତା ଥାଳିଆକୁ ଦେଖିଥିବା ଶହ ଶହ ଦର୍ଶକଙ୍କୁ ଅଜସ୍ର ଜେରା କରାଗଲାଣି । ଉଡ଼ନ୍ତା ଥାଳିଆର ଫଟୋଥିବା ଅସଂଖ୍ୟ ଆଲୋକ ଚିତ୍ର ପରୀକ୍ଷିତ ହୋଲାଣି । ତଥାପି ପୃଥିବୀର କେହି ଜାଣନ୍ତି ନାହିଁ ଏହା କ’ଣ, ଏହା କେଉଁଠୁ ଆସେ ଓ କାହିଁକି ଆସେ ? ଉଡ଼ନ୍ତା ଥାଳିଆ କ’ଣ ହୋଇପାରେ, ସେ ସମ୍ପର୍କରେ ଯେଉଁ ତିନି ଗୋଟି ମତବାଦ୍ କଥା ଏଥି ପୂର୍ବରୁ ଆଲୋଚନା କରାଯାଇଛି, ସେଥିଭିତରୁ କୌଣସି ଗୋଟିକୁ ଗ୍ରହଣ କରିବା ସମ୍ଭବ ନୁହେଁ-। କୌଣସି ଗୋଟିକୁ ଗ୍ରହଣ କଲେ, ତାହା ବିପକ୍ଷରେ ଏତେ ସାକ୍ଷ୍ୟ ମିଳୁଛି, ଯାହାର ବ୍ୟାଖ୍ୟା କରିବା ସେତେ ସହଜ ନୁହେଁ ।

 

ଅନେକ ଭାବନ୍ତି ଆଜିକାଲି ଆଉ ଉଡ଼ନ୍ତା ଥାଳିଆ ଦେଖା ଯାଉନି । ବହୁ ଲୋକ ଭାବୁଥିଲେ୧୯୬୫ ମସିହାର ଏକ୍‍ସିର୍‍ ଘଟଣା ପରେ ଆମେରିକାରେ ଆଉ ଉଡ଼ନ୍ତା ଥାଳିଆ ଦୋଖା ହୋଇନି । କିନ୍ତୁ ଏହା ପ୍ରମାଦ ଯୁକ୍ତ । ଯୁକ୍ତରାଷ୍ଟ୍ର ସରକାରଙ୍କର ଜଣେ ମୁଖପାତ୍ର ମେଜର କୁଇନ୍ ଟାନେଲା ଯେ କି ସାମରିକ ବିଭାଗ ପାଇଁ ଉଡ଼ନ୍ତା ଥାଳିଆ ଦୃଶ୍ୟର ହିସାବ ରଖନ୍ତି, କହନ୍ତି ଯେ ୧୯୬୬ ମସିହାରେ ଦିଶିଥିବା ଉଡ଼ନ୍ତା ଥାଳିଆର ସଂଖ୍ୟା ୧୯୬୫ ମସିହାରେ ଦିଶିଥିବା ସଂଖ୍ୟାଠାରୁ ଢେର୍ ଅଧିକ । ଏବେ ୧୯୭୩ ମସିହାରେ ଆଫ୍ରିକାର ଉଗାଣ୍ତା ରାଜ୍ୟରେ ଉଡ଼ନ୍ତା ଥାଳିଆ ନେଇ ଯେଉଁ ଚହଳ ପଡ଼ି ଯାଇଥିଲା, ତାହା ଉଡ଼ନ୍ତା ଥାଳିଆ ଖବରକୁ ଅଧିକ ସରଗରମ କରି ରଖିଛି । ତେବେ ଏହା ସତ୍ୟ ଯେ ଲୋକେ ପୂର୍ବଭଳି ଉଡ଼ନ୍ତା ଥାଳିଆ ଖବର ପ୍ରତି ସେତେ ଆଗ୍ରହାନ୍ୱିତ ନୁହନ୍ତି । ଉଡ଼ନ୍ତା ଥାଳିଆର ପ୍ରକୃତ ରହସ୍ୟ ଉଦ୍‍ଘାଟିତ ହୋଇ ନ ପାରିବାରୁ ଲୋକେ ଏହା ପ୍ରତି ଅନାସକ୍ତ ହୋଇପଡ଼ିବା ସ୍ୱାଭାବିକ । ଆଶା କରା ଯାଉଥିଲା ମଣିଷ ଚନ୍ଦ୍ରମଣ୍ତଳରେ ପହଞ୍ଚିବା ପରେ ପୃଥିବୀ ଆକାଶରେ ଉଡ଼ନ୍ତା ଥାଳିଆର ଦୃଶ୍ୟ ଅଧିକ ଦେଖାଦେବ । କିନ୍ତୁ ଏହା ତାହା ହୋଇ ନ ଥିବାରୁ ଲୋକଙ୍କ ଆଗ୍ରହ ଉଡ଼ନ୍ତା ଥାଳିଆ ଆଡ଼ୁ କମି ଆସୁଛି ।

 

ପୃଥିବୀ ପୃଷ୍ଠରେ ଉଡ଼ନ୍ତା ଥାଳିଆ ଦେଖାଦେବା ଆଜକୁ ତ୍ରିଂଶାଧିକ ବର୍ଷ ତଳର ହୋଇଥିଲେ ହେଁ ଏବେ ବି ଏହାର ରହସ୍ୟ ଉଦ୍‍ଘାଟନ ପାଇଁ ତୁମୁଳ ଗବେଷଣା ଚାଲିଛି । ବିଭିନ୍ନ ଦେଶରେ ଏ ଦିଗରେ ଅଜସ୍ର ଅର୍ଥ ବ୍ୟୟ ଚାଲିଛି ଓ ବହୁ ବୈଜ୍ଞାନିକ ଏଥିରେ ଲିପ୍ତ ଅଛନ୍ତି । ଆଶା କରାଯାଏ, ଆଉ ଅଳ୍ପ ଦିନ ଭିତରେ ଏହାର ରହସ୍ୟ ଉଦ୍‍ଘାଟିତ ହୋଇପାରିବ ଓ ଆମେ ଏହାର ପ୍ରକୃତ ରୂପରେଖ ଜାଣି ପାରିବା ।

Image